ସନ୍ଦେହରେ ଏକ୍ସଟ୍ରା-ଇମୋସ‌୍‍ନାଲ‌୍‍

News Story - Posted on 2018-03-10

ଶୁଭଶ୍ରୀ ଶୁକ୍ଳା

 

ସେଦିନ ନୀଳାଚଳ ଏକ୍ସପ୍ରେସରେ ଯାଉଥିବା ବେଳେ ହଠାତ ମୋ ଆଖି ଅଟକିଗଲା ସେଇ ଝିଅ ଉପରେ ଯିଏକି ମୋର ଠିକ‌୍‍ ସାମ୍ନାରେ ବସିଥିଲା ସେଇ କମ୍ପାର୍ଟମେଂଟରେ। ବୟସ ୧୫ରୁ ୧୮ ପାଖାପାଖି ହବ। ହାତରେ ଥିଲା ସକାଳର ଖବରକାଗଜ। ଆଉ ସେ ତାକୁ ପଢୁଥିଲା ବଡ଼ ଆଗ୍ରହ ସହକାରେ। ତାର ଠିକ‌୍‍ ବାମକୁ ଲାଗିକି ବସିଥିଲା ଅନ୍ୟ ଏକ ଯୁବକ ଯିଏକି ଟିକେ ପୁର୍ବରୁ ନିଜ ନାଁ ଉମେଶ ବୋଲି ପରିଚୟ ଦେଇସାରିଥିଲା। ଝିଅଟି କିନ୍ତୁ ସେଇ ଯୁବକକୁ ମଝିରେ ମଝିରେ ବଡ଼ ସନ୍ତର୍ପଣରେ ଦେଖୁଥିଲା। ତା’ର କାରଣ - ହୁଏତ ମତେ ସଠିକ‌୍‍ ଜଣାନଥିଲା।

 

ଝିଅଟି ମନଧ୍ୟାନ ଦେଇ ପଢ଼ୁଥିଲା ଖବରକାଗଜର ଗୋଟିଏ ଅଂଶକୁ। କାହିଁକି କେଜାଣି ମୋର ଉତ୍କଣ୍ଠା ବଢିବାରେ ଲାଗିଲା। କୌତୁହଳ ହୋଇ ସାବଧାନତାର ସହ ଲକ୍ଷ୍ୟ କଲି ସିଏ ପଢୁଥିବା ସେଇ ଖବରର ଶିରୋନାମା ହେଉଛି- ଅପରିଣତ ବଯସ୍କା ତରୁଣୀକୁ ଧରି ଧୂର୍ତ୍ତ ଯୁବକ ଫେରାର‌୍‍।

 

ଆହୁରି ଲକ୍ଷ୍ୟ କଲି, ଲୁହ ଗଡିବା ଆରମ୍ଭ ହୋଇସାରିଥିଲା ଝିଅଟିର ଆଖିରୁ। ଟୋପେ -କି ଦି’ ଟୋପା ନୁହଁ ପୂରା ଧାରା ଶ୍ରାବଣ।

 

ଅନ୍ଦାଜ କଲି ଅଛି ବୋଧେ କିଛି କେଁ। ମେହସୁସ‌୍‍ କଲି ମାମାଲା ହୁଏତ ଟିକେ ଗଡ‌୍‍ବଡ‌୍‍, ଉତ‌୍‍ପଟାଙ୍ଗ‌୍‍। ଭାବିବାକୁ ଚେଷ୍ଟାକଲି ଏ ଲୁହ ଭିତରେ କିଛି ଲୁଚିନାହଁ ତ? ଲୁଚିରହିଛି କି ତା ଭିତରେ କଛି ଅନୁତାପ? ନା ଅନୁଶୋଚନା ନା ବିଚ୍ୟୁତିର ବେଦନା? ନା ସମବେଦନାର କାମନା? ରହିଯାଇଛି କି ତା ଭିତରେ ଆଉ କିଛି ଦ୍ୱନ୍ଦ୍ବ? ବିବେକ ନା ଧର୍ମର ଭୟ?

 

ହେଲେ କିଛି ଗୋଟେ ସ୍ଥିର ସିଦ୍ଧାନ୍ତରେ ପଂହଚିବା ପୁର୍ବରୁ ମୋ ଷ୍ଟେସନ ଆସି ପଂହଚିସାରିଥିଲା। ଯେଉଁଠି ମୋତେ ମୋ ଭାବନାରେ ପୂର୍ଣ୍ଣାଚ୍ଛେଦ ଟାଣି ଫେରିଆସିବାକୁ ପଡିଥିଲା ଅନ୍ୟ ଏକ ପଥରେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top