ଇନ୍ଦ୍ରଧନୁର ରଙ୍ଗଟି କଳା

News Story - Posted on 2018-03-10

ଡ଼ଃ ରିନା ରାଉତରାୟ

 

ସରସ୍ବତୀ ପୂଜା ଅବସରରେ ଭୁବନେଶ୍ବର ସ୍ଥିତ ଏକ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟରେ କୁନି କୁନି ପିଲାଙ୍କ ସହିତ କିଛି ସମୟ କାଟିବାକୁ ଯାଇଥିଲି।

 

ପୂଜା ସାରି ପିଲାଙ୍କ ସହିତ କଥା ହେଉଥିଲା ସମୟରେ ଲକ୍ଷ୍ୟ କଲି ଟିକେ ଦୂରରେ ଠିଆ ହୋଇ ଏକ ଯୁବତୀ କିଛି କହିବ କହିବ ହେଉଛି। ପାଖକୁ ଡାକିଲି ତାକୁ, ପଚାରିଲି, ଆରେ ମା ’ କ’ଣ କହିବୁ କି ?

 

ପାଖକୁ ଆସି ଡରି ଡରି ପଚାରିଲା, ଆପଣ ରିନା ଦିଦି ?

 

ମୁଁ କହିଲି, ହଁ !

 

ଆପଣ ବାରିପଦାରେ ଥିଲେ କି?

 

ମୁଁ କହିଲି, ହଁ, ମୋ ସ୍ବାମୀଙ୍କ ଚାକିରୀ ସମୟରେ କିଛିଦିନ ବାରିପଦାରେ ଥିଲି।

 

ହଠାତ ସେ ମୋତେ ଜାବୁଡି ଧରି ଖୁସିରେ କାନ୍ଦି ପକାଇଲା। କହିଲା, ମୁଁ ସୁମତି। ମୋତେ ଆପଣ ଚିହ୍ନି ପାରିବେନି। କିନ୍ତୁ ଆପଣ ଆସିଲା ବେଳୁ ମୁଁ ଆପଣଙ୍କ କଣ୍ଠସ୍ବର ବାରି ଜାଣି ପାରିଥିଲି ଆପଣ ସେଇ ରିନା ଦିଦି ଯିଏ କି ମୋ ଭଳି ଏକ ଅନ୍ଧୁଣଣୀ ଝିଅକୁ ଏକ ନୂଆ ଜୀବନ ଦେଇଛନ୍ତି। ଆପଣଙ୍କର ମନେ ନାହିଁ, ନିଜ ହାତରେ କେତେ ସୁଆଦିଆ ଉପମା କରି ଖାଇବାକୁ ଦେଇଥିଲେ ମୋତେ?

 

କହି ଚାଲିଥିଲା ସିଏ , ମୁଁ ଧୀରେ ଧୀରେ ପଛ କଥା ମନେ ପକାଇବାକୁ ଚେଷ୍ଟା କରୁଥିଲି।

 

ମୋ ବିବାହର କିଛିଦିନ ପରେ ସ୍ବାମୀଙ୍କ ସହିତ ତାଙ୍କର କାର୍ଯ୍ୟସ୍ଥଳୀ ବାରିପଦାରେ ରହୁଥିବା ସମୟରେ ଏକ ଆଶ୍ରମ ସ୍କୁଲକୁ ବୁଲି ଯାଇଥିଲି ମୁଁ। କୁନି କୁନି ପିଲାଙ୍କ ସହିତ କଥା ହେଉ ହେଉ ପଚାରୁଥିଲି କହିଲ ପିଲେ,  ଇନ୍ଦ୍ରଧନୁର ରଙ୍ଗଟି କ’ଣ?

 

ଦରୋଟି କଣ୍ଠରୁ ଉତ୍ତର ଆସିଲା କ... ଳା ..।

 

ଚମକି ପଡ଼ି ପଛକୁ ଚାହିଁଲି, 8/9 ବର୍ଷର କୁନି ଝିଅଟି ଆତ୍ମବିଶ୍ବାସର ହସ ହସୁଛି ଠିକ ଉତ୍ତରଟି ଦେଇ ଥିବାରୁ। ସ୍କୁଲ ସାର୍‌ ପାଖକୁ ଆସି କହିଲେ ମ୍ୟାଡାମ ଅନାଥ ଅନ୍ଧ ଝିଅଟିଏ। ଏଇ କିଛି ଦିନ ହେଲା ଦୂର ସମ୍ପର୍କୀୟମାନେ ଆଣି ଛାଡ଼ି ଦେଇଛନ୍ତି ଏଠି। ବହୁତ ଚାଲାକ ଓ ବୁଦ୍ଧିଆ ଝିଅଟି।

 

ତା ପାଖକୁ ଯାଇ ତାକୁ କୋଳେଇ ଆଣୁ ଆଣୁ ଆଖି ବନ୍ଦ କରି ଇନ୍ଦ୍ରଧନୁର ରଙ୍ଗକୁ ଦେଖିବାକୁ ଚେଷ୍ଟା କଲି। ହଁ ସତରେ ତ .. ଇନ୍ଦ୍ରଧନୁର ରଙ୍ଗ ତ କଳା!

କୋହକୁ ଚାପି ସାରଙ୍କୁ ପଚାରିଲି ୟାର ଆଖି କେମିତି ନଷ୍ଟ ହେଲା? ଡାକ୍ତରଙ୍କୁ ଦେଖାଇଛନ୍ତି?

 

ସାର୍‌ କହିଲେ, ନାଇଁ ମ୍ୟାଡ଼ମ, ଏବେ ତ ଆସିଲା।

 

କହିଲି, କାଲି ସକାଳୁ ତାକୁ ଧରି ଆମ କ୍ବାର୍ଟରକୁ ଆସନ୍ତୁ।

 

ତା’ ପରଦିନ ସକାଳୁ ସକାଳୁ ସାର୍ ଝିଅଟିକୁ ଧରି ଆସି ପହଁଚିଲେ। ଜଳଖିଆ ଖାଇସାରି ଝିଅକୁ ଧରି ସାର୍‌ଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗଲି।

 

ଡାକ୍ତର ତାର ଚକ୍ଷୁ ପରୀକ୍ଷା କରି ସାରିବା ପରେ କହିଲେ, ମ୍ୟାଡ଼ମ, ଅପେରେସନ କଲେ ଏହାର ଦୃଷ୍ଟି ଶକ୍ତି ଫେରି ଆସିବ।

 

ଡାକ୍ତରଙ୍କ ପରାମର୍ଶ  ଅନୁଯାୟୀ ଚକ୍ଷୁ ଦାନ ପାଇଁ ଆବେଦନର ଆବଶ୍ୟକୀୟ କାଗଜପତ୍ର ଇତ୍ୟାଦି ପୂରଣ କରି ଆମେ ଫେରିଲୁ। ଏ ଭିତରେ ମୋ ସ୍ବାମୀଙ୍କର ଅନ୍ୟତ୍ର ବଦଳି ହୋଇଯିବାରୁ ଆମେ ସେଠାରୁ ଚାଲିଆସିଥିଲୁ।

 

ଏହାର କିଛି ମାସ ପରେ ସାର୍‌ଙ୍କ ଫୋନ ଆସିଥିଲା, ମ୍ୟାଡାମ ଝିଅ ପାଇଁ ମ୍ୟାଚିଙ୍ଗ ଚକ୍ଷୁ ମିଳିଛି, ଆସନ୍ତା ସପ୍ତାହରେ ଅପରେସନ ହେବ। ଯଦିଓ ସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସାର ବ୍ୟବସ୍ଥା ଥିଲା ତଥାପି ଆବଶ୍ୟକୀୟ ଯତ୍ନ ଓ ଔଷଧ ପାଇଁ ଅଳ୍ପ କିଛି ଟଙ୍କା ସାର୍‌ଙ୍କ ନିକଟକୁ ପଠାଇ ଦେଇଥିଲି।

 

କିଛିଦିନ ପରେ ସାର୍‌ଙ୍କ ଫୋନ ଆସିଥିଲା, ମ୍ୟାଡାମ ଝିଅଟିର ଦୃଷ୍ଟି ଶକ୍ତି ଫେରି ଆସିଛି। ଈଶ୍ବର ଆପଣଙ୍କର ମଙ୍ଗଳ କରନ୍ତୁ।

 

ଶୁଣି ବହୁତ ଖୁସି ହୋଇଥିଲି। ଏ ମଧ୍ୟରେ କର୍ମ ଜଞ୍ଜାଳ ଭିତରେ ଏତେ ବର୍ଷ କେମିତି ବିତି ଯାଇଛି ଜାଣି ପାରିନି।

 

ସୁମତି ମୋତେ ସେମିତି ଜାବୁଡି ଧରି ଖୁସିରେ କାନ୍ଦି କାନ୍ଦି କହି ଚାଲିଥାଏ, ଆପଣଙ୍କୁ କେତେ ଖୋଜୁଥିଲି ଦିଦି। ଆପଣଙ୍କ ଫୋନ ନମ୍ବର ସାର୍‌ କେଉଁଠି ହଜାଇ ଦେଇଥିଲେ। ତା’ ପରେ ମୁଁ ପାଠ ପଢି ଆଜି ଭିନ୍ନକ୍ଷମ ପିଲାଙ୍କୁ ପାଠ ପଢାଉଛି। ଆପଣଙ୍କୁ ମନେ ପକାଇ ମୁଁ ପିଲାମାନଙ୍କୁ  ପଚାରେ, କହିଲ ପିଲେ ଇନ୍ଦ୍ରଧନୁର ରଙ୍ଗଟି କ’ଣ? ଆଉ ଖୋଜୁଥାଏ ସେଇ ଉତ୍ତରଟି, କଳା, ଯିଏ କହିବ ହୁଏତ ମୁଁ ବି ତାକୁ ଆପଣଙ୍କ ପରି ସାହାଯ୍ୟ କରି ତାକୁ  ଇନ୍ଦ୍ରଧନୁଟି କେତେ ସୁନ୍ଦର ଦେଖାଇ ପାରିବି।

 

ସୁମତିକୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦି ଉଠିଲି ମୁଁ। ସତେ ଯେମିତି ତା’ର ଦରୋଟି କଣ୍ଠରୁ ଶୁଭୁଥିଲା, ଜାଣିଛ ରିନା ଦିଦି ସେଦିନ ମୋ ଉତ୍ତର ଭୁଲ ଥିଲା, ଇନ୍ଦ୍ରଧନୁ କଳା ନୁହେଁ .. ଇନ୍ଦ୍ରଧନୁର ସା..ତୋ..ଟି .. ରଙ୍ଗ। ବା ...ଘ ..ନି . ସ . ହ. ଲା. ନା ...।

 

ମୋ- 9438272152


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top