ଇଚ୍ଛାମୃତ୍ୟୁ ଏକ ଅଧିକାର!

News Story - Posted on 2018-03-09

ମର୍ଯ୍ୟାଦାର ସହିତ ମୃତ୍ୟୁ ଅଧିକାରୀକୁ ସ୍ୱୀକୃତି ଦେଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରି କହିଛନ୍ତି ଯେ ମର୍ଯ୍ୟାଦାର ସହିତ ବଂଚିବାର ଅଧିକାର ଭିତରେ ମର୍ଯ୍ୟାଦାର ସହିତ ମୃତ୍ୟୁର ଅଧିକାର ନିହିତ ଅଛି । ଏହି ଯୁକ୍ତିରେ ପରୋକ୍ଷ ଇଚ୍ଛାମୃତ୍ୟୁ ବା ଜୀବନ୍ତ ଇଚ୍ଛା ଦାବିକୁ ସ୍ୱୀକାର କରାଯାଇଛି । ସୁପ୍ରିମ କୋର୍ଟଙ୍କର ଏହି ରାୟ ଫଳରେ ଭଲ ହେବାର ସମ୍ଭାବନା ନଥିବା ବା ଦୁରାରୋଗ୍ୟ ବ୍ୟାଧିରେ ବର୍ଷବର୍ଷ ଧରି ଯନ୍ତ୍ରଣା ଜର୍ଜରିତ ଜୀବନ ବଂଚିବାକୁ ବାଧ୍ୟ ହେଉଥିବା ଲୋକମାନେ ଏଣିକି ଚିକିତ୍ସା ସୁବିଧା ପ୍ରତ୍ୟାଖ୍ୟାନ କରିପାରିବେ ।

 

ପ୍ରଧାନ ବିଚାରପତି ଦୀପକ ମିଶ୍ର ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟଙ୍କର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏ ସଂପର୍କୀତ ଏକ ମାମଲାର ବିଚାର କରି ଏହି ରାୟ ଘୋଷଣା କରିଛନ୍ତି । ସମାନ ଅର୍ଥ ବହନ କରୁଥିବା ତିନିଟି ପୃଥକ ପୃଥକ ମନ୍ତବ୍ୟ ଦେଇ ଖଣ୍ଡପୀଠ କହିଛନ୍ତି ଯେ ଜୀବନ ଓ ମର୍ଯ୍ୟାଦାର ମୌଳିକ ଅଧିକାର ଭିତରେ ଚିକିତ୍ସାସେବା ପ୍ରତ୍ୟାଖ୍ୟାନ କରି ମର୍ଯ୍ୟାଦାର ସହିତ ମୃତ୍ୟୁ ବରଣ କରିବାର ଅଧିକାର ନିହିତ ଅଛି । ଅର୍ଥପୂର୍ଣ୍ଣ ଜୀବନ ବଂଚିବାର ମୌଳିକ ଅଧିକାର ଭିତରେ ବ୍ୟକ୍ତିର ଯନ୍ତ୍ରଣାହୀନ ମୃତ୍ୟୁ ମଧ୍ୟ ସାମିଲ ବୋଲି କୋର୍ଟ କହିଛନ୍ତି ।

 

ପ୍ରଧାନ ବିଚାରପତି ନିଜର ମତ ଦେବା ପୂର୍ବରୁ କହିଥିଲେ ଯେ ଯେ ସାମାଜିକ ଚାପ ଓ ସଂପର୍କୀୟ ଏବଂ ଡାକ୍ତରମାନଙ୍କର ଫୌଜଦାରୀ ଅପରାଧ ମାମଲାରେ ଛନ୍ଦି ହେବାର ଭୟ ଯୋଗୁଁ ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୋଇଥିôବା ଅନେକ ଲୋକ ଯନ୍ତ୍ରଣା ସହିସହି ମର୍ଯ୍ୟାଦାହୀନ ମୃତ୍ୟୁ ବରଣ କରିଥାନ୍ତି । ଏଭଳି ଯନ୍ତ୍ରଣା ଓ ଅପରାଧ ଭାବନାକୁ ପରିହାର କରି ବାସ୍ତବର ସାମ୍ନାର କରିବା ପାଇଁ ଏବେ ସମୟ ଆସିଛି ବୋଲି କୋର୍ଟ କହିଛନ୍ତି । ବିଚାରପତି ଏଏମ ଖାନୱାଲିକରଙ୍କ ସହିତ ଏକମତ ହୋଇ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ଜଣେ ବ୍ୟକ୍ତିର ବ୍ୟଥା ଓ ଯନ୍ତ୍ରଣାରୁ ତାଙ୍କୁ ମୁକ୍ତ କରି ମର୍ଯ୍ୟାଦାଜନକ ଭାବେ ମୃତ୍ୟୁବରଣ କରିବା ପାଇଁ ସୁଯୋଗ ଓ ଅଧିକାର ଦିଆଯିବା ଉଚିତ । ଏକ ଅର୍ଥପୂର୍ଣ୍ଣ ଜୀବନ ପରେ ଏକ ମର୍ଯ୍ୟାଦାଜନକ ମୃତ୍ୟୁର ଅଧିକାର ସମସ୍ତଙ୍କର ରହିଛି ।

 

ତେବେ ବିଚାରପତି ଏକେ ସିକ୍ରି ଭିନ୍ନ କିଛି ମନ୍ତବ୍ୟ ଦେଇଥିଲେ ମଧ୍ୟ ବ୍ୟକ୍ତିର ଇଚ୍ଛାମୃତ୍ୟୁ ଅଧିକାରକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଧର୍ମ, ନୀତିଶାସ୍ତ୍ର, ଦର୍ଶନଶାସ୍ତ୍ର, ଆଇନ ଓ ସମାଜରେ ଜୀବନର ଅଧିକାର ଭିତରେ ମୃତ୍ୟୁର ଅଧିକାର ନିହିତ ଅଛି କି ନାହିଁ ପ୍ରଶ୍ନ ଉପରେ ଅନେକ ବିବାଦ ରହିଥିଲେ ମଧ୍ୟ ସବୁଠି ସ୍ୱୀକାର କରାଯାଇଛି ଯେ ମର୍ଯ୍ୟାଦାର ସହିତ ମୃତ୍ୟୁବରଣ କରିବାର ଅଧିକାର ସମସ୍ତଙ୍କର ରହିଛି । ତେଣୁ ଏହି କୋର୍ଟ ପ୍ରତ୍ୟେକ ମଣିଷର ମର୍ଯ୍ୟାଦାର ସହିତ ମୃତ୍ୟୁବରଣ କରିବାର ଅଧିକାରକୁ ସ୍ୱୀକୃତି ଦେଉଛି ।

 

ବିଚାରପତି ସିକ୍ରି କହିଛନ୍ତି ଯେ ଏନେଇ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀ ଆଗୁଆ ଏକ ଇଚ୍ଛାପତ୍ର ଲେଖିଦେଇପାରିବେ । ତାଙ୍କ ଚିକିତ୍ସାରର ଏକ ପର୍ଯ୍ୟାୟରେ ଯେତେବେଳେ ସ୍ପଷ୍ଟ ହୋଇଯିବ ଯେ ତାଙ୍କ ମସ୍ତିଷ୍କର ମୃତ୍ୟୁ ଘଟିଛି ବା ଚିକିତ୍ସା ବିଜ୍ଞାନ ଅନୁସାରେ ସେ ମୃତ୍ୟୁବରଣ କରିଛନ୍ତି ବା ସଂପୃକ୍ତ ରୋଗ ଆଉ କେବେ ବି ଭଲ ହେବାର ନାହିଁ ସେହି ପର୍ଯ୍ୟାୟରେ ତାଙ୍କର ଚିକିତ୍ସା ବନ୍ଦ କରିବା ପାଇଁ ସେ ପୂର୍ବରୁ ଲେଖିଦେଇ ପାରିବେ । ଏଭଳି ଏକ ଜୀବନ୍ତ ଇଚ୍ଛାପତ୍ର ସଂପୃକ୍ତ ଚିକିତ୍ସକ ଏବଂ ରୋଗୀଙ୍କ ସଂପର୍କୀୟମାନଙ୍କୁ ଫୌଜଦାରୀ ମାମଲାର ଭୟ ଓ ଦାୟରୁ ମୁକ୍ତ କରିବ ।

 

ଏଭଳି ଏକ ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନ ବିଚାରପତି ଏକ ନିର୍ଦ୍ଦେଶାବଳି ପ୍ରଣୟନ କରିଛନ୍ତି । କିଏ ଏହି ଜୀବନ୍ତ ଇଚ୍ଛାପତ୍ରର ବୈଧତା ଯାଞ୍ଚ କରିବେ, କିଏ ଏହାକୁ ପ୍ରମାଣିତ କରିବେ, କେବେ ଏବଂ କିପରି ଏହାକୁ କାର୍ଯ୍ୟକାରୀ କରାଯିବ, ଏଭଳି ଏକ ଜୀବନ୍ତ ଇଚ୍ଛାପତ୍ର ନଥିଲେ କିଭଳି ଭାବରେ ପରୋକ୍ଷ ମୃତ୍ୟୁ ପାଇଁ ଆବେଦନ କରାଯିବ ତାହା ସବୁ ଏଇ ନିର୍ଦ୍ଦେଶାବଳିରେ ଉଲ୍ଲିଖିତ ରହିଛି ।

 

ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଭିନ୍ନ ଏକ ରାୟ ଦେଇ କହିଛନ୍ତି ଯେ ଡାକ୍ତରମାନେ ଜୀବନକୁ ଲମ୍ବାଇବାର ଅନୁସନ୍ଧାନ ସହିତ ରୋଗୀଙ୍କର ଏକ ଉନ୍ନତମାନର ଜୀବନ ବଂଚିବାର ଅଧିକାର ମଧ୍ୟରେ ଭାରସାମ୍ୟ ବଜାୟ ରଖିବାକୁ ଉଦ୍ୟମ କରିବା ଆବଶ୍ୟକ । ଏହା ମଧ୍ୟରୁ ଗୋଟିଏ ଭିନ୍ନ ଅନ୍ୟଟି ଅର୍ଥହୀନ । ସେ କହିଛନ୍ତି ଯେ ଜୀବନର ପବିତ୍ରତା ମଧ୍ୟରେ ମର୍ଯ୍ୟାଦା ଓ ବ୍ୟକ୍ତିର ସ୍ୱତନ୍ତ୍ରତା ଅନ୍ତର୍ଭୁକ୍ତ । ଏକ ଅର୍ଥପୂର୍ଣ୍ଣ ଜୀବନର ସନ୍ଧାନ ଓ ଆନନ୍ଦର ଅନୁଧାବନ ଭିତରେ ମୁକ୍ତ ଇଚ୍ଛା କାର୍ଯ୍ୟକାରୀ କରିବାର ଅଧିକାର ନିହିତ ଅଛି । ମୁକ୍ତ ଇଚ୍ଛାର ଅଧିକାର ମଧ୍ୟରେ ଚିକିତ୍ସା ସୁବିଧା ପ୍ରତ୍ୟାଖ୍ୟାନ କରିବାର ଅଧିକାର ଅନ୍ତର୍ଭୁକ୍ତ । ବିଚାରପତି ଅଶୋକ ଭୂଷଣଙ୍କ ସହିତ ଏକମତ ହୋଇ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଜଣେ ଲୋକଙ୍କୁ ମୃତ୍ୟୁ ସମୟରେ ମର୍ଯ୍ୟାଦାରୁ ବଂଚିତ କରିବାର ଅର୍ଥ ତାଙ୍କୁ ଅର୍ଥପୂର୍ଣ୍ଣ ଅସ୍ତିତ୍ୱରୁ ବଂଚିତ କରିବା ସହିତ ସମାନ ।

 

କୋର୍ଟ କହିଛନ୍ତି ଯେ ଏଭଳି ଇଚ୍ଛାପତ୍ର ଲେଖିଥିବା ବ୍ୟକ୍ତିଙ୍କୁ କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ଉତ୍ତରଦାୟୀ ହେବେ ନାହିଁ । କିନ୍ତୁ କୋର୍ଟ ପ୍ରତ୍ୟକ୍ଷ ଇଚ୍ଛାମୃତ୍ୟୁକୁ ବେଆଇନ ଘୋଷଣା କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top