ମହିଳାଙ୍କ ପାଇଁ ସବୁ ଦିନ

News Story - Posted on 2018-03-08

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ଏକବିଂଶ ଶତାବ୍ଦୀର ନାରୀ ଆଉ ଅସୂର୍ଯ୍ୟଂପଶ୍ୟା ହୋଇ ରହିନାହିଁ । ସମୟ ବଦଳିବା ସହ ସେ ମଧ୍ୟ ପୁରୁଷର ପାଦରେ ପାଦ ମିଶାଇ ଆଗକୁ ମାଡ଼ି ଚାଲିଛି । ଆଜି ନାରୀ ଜାଗ୍ରତ, ସଶକ୍ତ ଆଉ ପ୍ରେରଣାର ଉତ୍ସ । ଯଦିଓ ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍, ତଥାପି ଆଜିର ପରିବର୍ତ୍ତିତ ସମୟରେ ନାରୀଶକ୍ତି ପୁରୁଷର ବିକଳ୍ପ ଭାବେ ଉଭା ହୋଇଛି । ସେ ଆଉ ଅବଳା କି ଦୁର୍ବଳା ନୁହେଁ । କିମ୍ବା ସାମାଜିକ ଓ ପାରିବାରିକ ଅତ୍ୟାଚାର ଭୟରେ ସେ ଆଉ ଘର କୋଣରେ ଲୁଚି ରହୁନି । ସ୍ନେହ, ତ୍ୟାଗ, ଭଲପାଇବା ଓ ସହିଷ୍ଣୁତାକୁ ପାଥେୟ କରି ସେ ଜୀବନର କଂଟକିତ ଚଲାପଥକୁ ସରସ ଓ ସୁନ୍ଦର କରିଚାଲିଛି ।

 

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଉଛି । ଗ୍ରାମାଂଚଳ ଓ ସହରାଚଂଳ ବିକାଶରେ ନାରୀର ଭୂମିକା ଚଳିତ ବର୍ଷର ବିଷୟବସ୍ତୁ ।

 

ପୁରୁଷ ପ୍ରାଧାନ୍ୟ ସମାଜରେ ନିଜକୁ ପ୍ରତିପାଦିତ କରିବା ତଥା ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ସେ ଅହରହ ସଂଗ୍ରାମ ଚଳାଇଛି । ସାଧାରଣ ପ୍ରଶାସନଠାରୁ ଆରମ୍ଭ କରି ଚିକିତ୍ସା, ସୈନ୍ୟବାହିନୀ, ଓକିଲାତି, ରାଜନୀତି, କ୍ରୀଡା, ମହାକାଶ, ବିଜ୍ଞାନ ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ନିଜର ପାରଦର୍ଶିତା ପ୍ରତିପାଦନ କରିପାରିଛି । କିନ୍ତୁ ନାରୀ ପ୍ରଗତିରେ ସାମାଜିକ ସମସ୍ୟା ଏକ ବ୍ୟାଧିଭାବେ ଉଭା ହୋଇଛି । ବିଭିନ୍ନ ସମୟରେ ନାରୀ ବହୁ ସାମାଜିକ ସଂକଟ ଦେଇ ଗତି କରୁଛି । ସ୍ୱାଧୀନତା ପୂର୍ବରୁ ବାଲ୍ୟ ବିବାହ, ବୈଧବ୍ୟ ଯନ୍ତ୍ରଣା ପରଦା ପ୍ରଥା ଭଳି କୁତ୍ସିତ ପଂରମ୍ପରା ଲାଗି ରହିଥିବାବେଳେ ବର୍ତ୍ତମାନ ସେହି କଳଙ୍କିତ ଇତିହାସରେ ଯୋଡ଼ି ହୋଇଛି ଯୌତୁକ ନିର୍ଯ୍ୟାତନା, କନ୍ୟାଭ୍ରୁଣ ହତ୍ୟା, ଆଉ ସର୍ବୋପରି ଦୁଷ୍କର୍ମ ଭଳି କ୍ରୁର ନିର୍ଯ୍ୟାତନାର ଫର୍ଦ୍ଦ । ଯାହାକି ନୀରବ ଘାତକ କ୍ୟାନସର୍ ଠାରୁ ମଧ୍ୟ ଭୟଙ୍କର ।

 

ଏଥିପାଇଁ କେତେବେଳେ ପୁରୁଷର ହୀନ ପାଶବିକ ମାନସିକତା ଦାୟୀ ତ ଆଉ କେତେବେଳେ ଆଜିର ଉଚ୍ଛୃଙ୍ଖଳ ନାରୀର ଉଗ୍ର ଆଧୁନିକତା ଦାୟୀ । ପୁଣି କେତେବେଳେ ଆମର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ଅନେକ ସମୟରେ ଝିଅଟିଏ ବା ନାରୀଟିଏ ଶିଥିଳ ଆଇନ ବ୍ୟବସ୍ଥା ଉପରୁ ଆସ୍ଥା ତୁଟାଇ ନ୍ୟାୟ ନପାଇ ସମାଜର ଟାହି ଟାପରା ସହି ନପାରି ନିଜର ଆତ୍ମସମ୍ମାନ ପାଇିଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ବାଛି ନେଉଛି । ସେ ଯାହା ହେଉନା କାହିଁକି ଏସବୁର ମୂଳକାରଣ ହେଉଛି ମାନବିକ ମୂଲ୍ୟବୋଧର ଅବକ୍ଷୟ । ସମାଜରେ ପ୍ରତିଦିନ ଏଭଳି ଘଟଣା ସାମନାକୁ ଆସୁଥିଲେ ମଧ୍ୟ ବ୍ୟସ୍ତ ବହୁଳ ଦୁନିଆରେ ଏସବୁ ବୁଝିବା କିମ୍ବା ଜାଣିବା ପାଇଁ କାହା ପାଖରେ ସମୟ ନଥାଏ । କେତେବେଳେ ନାରୀଟିଏ ଅଲୋଡ଼ା ତ ଆଉ କେତେବେଳେ ଅଖୋଜା ହୋଇ ଆମ ଦୃଷ୍ଟି ଆଢୁଆଳରେ ରହି ଯାଉଛି ।

 

ଆଜିର ଦିନରେ ଆମେ ସମସ୍ତେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ । ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବାସହ ସୁରକ୍ଷିତ ଓ ନିରାପଦ ମାତୃତ୍ୱ ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ । ଯାହା ଦ୍ୱାରା ମାତୃ ମୃତ୍ୟୁହାରକୁ ରୋକା ଯାଇ ପାରିବ ।

 

ଆନ୍ତର୍ଜାତିକ ମହିଳା ଦିବସ କେବଳ ଆଲୋଚନାର ବିଷୟବସ୍ତୁ ହୋଇ ରହିବା ଉଚିତ ନୁହେଁ । କିମ୍ବା ଏହା କେବଳ ନିର୍ଦ୍ଦିଷ୍ଟ ଗୋଟିଏ ଦିନ ମଧ୍ୟରେ ସୀମିତ ହୋଇ ରହିବା ଉଚିତ ନୁହେଁ । ଏହାର ବାସ୍ତବତାକୁ ଆମେ ସମସ୍ତେ ହୃଦୟଙ୍ଗମ କରିବା ଉଚିତ । କାହିଁକି ନାରୀ ସ୍ୱାଧୀନତା ବିଶେଷ କରି ନାରୀ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଯାଇଛି । କନ୍ୟା ଭ୍ରୁଣଠାରୁ ଆରମ୍ଭ କରି ୭୦ ବର୍ଷର ବୃଦ୍ଧା, କେହିବି ପୁରୁଷର ଲୋଲୁପ ଦୃଷ୍ଟିରୁ ରକ୍ଷା ପାଆନ୍ତି ନାହିଁ ।

 

ସର୍ବୋପରି ନାରୀମାନଙ୍କ ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ମମତା ଯୋଜନାଠାରୁ ଆରମ୍ଭ କରି ବେଟି ବଚାଓ, ବେଟି ପଢାଓ ଯୋଜନା । କେବଳ ଯୋଜନା ପରେ ଯୋଜନା । ଯୋଜନାର ଲମ୍ବା ଫର୍ଦ୍ଦ । ଆଉ କେତେ ଯୋଜନା ହେଲେ ନାରୀଟିଏ ସୁରକ୍ଷିତ ହୋଇ ପାରିବ? ଯୋଜନାଗୁଡିକ କେବଳ କାଗଜ କଲମରେ ସୀମିତ । କିନ୍ତୁ ବାସ୍ତବତାଠାରୁ ଯୋଜନାଗୁଡିକ ବହୁ ଦୂରରେ । ତେଣୁ ନାରୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଯୋଜନାଗୁଡିକ କାର୍ଯ୍ୟକାରୀ ହେବା ଜରୁରୀ ହୋଇପଡ଼ିଛି । ଆନ୍ତର୍ଜାତିକ ମହିଳା ଦିବସରେ ମହିଳାମାନଙ୍କୁ ସଶକ୍ତ କରିବା ସହ ଅଧିକରୁ ଅଧିକ ସଂଖ୍ୟାରେ ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଚିତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top