ଗୋଟିଏ ସ୍ଥାନରେ ୨୨ ବର୍ଷ!

News Story - Posted on 2018-03-08

ଆକାଶବାଣୀ ବ୍ରହ୍ମପୁର ପଚିଶ ବର୍ଷର ପୂର୍ଣ୍ଣ ଯୌବନ ପ୍ରାପ୍ତ ହୋଇ ନିଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିବାକୁ ଯାଉଛି ଆଗାମୀ ଉକ୍ରଳ ଦିବସ ଏପ୍ରିଲ୍ ୧ ରେ । ଚଉଠ ଶତାବ୍ଦୀର ଏଇ ଅନୁଷ୍ଠାନରେ କେତେ ଆସିଛନ୍ତି ସେବା ଦେବାକୁ, କେତେ ଚାଲିଗଲେଣି ସମୟର ପ୍ରବାହମାନ ସ୍ରୋତରେ । କିନ୍ତୁ ଏକ ବ୍ୟତିକ୍ରମ ବ୍ୟକ୍ତିତ୍ୱ ଭାବରେ ଜଣେ ଅଧିକାରୀ ୨୨ ବର୍ଷ ହେଲା ଏଠାରେ ଗାଦି ମାଡ଼ି ବସି ରହିଛନ୍ତି । ତାଙ୍କରି ହାତରେ ଆକାଶବାଣୀ ନିଜର ଭାଗ୍ୟ ଓ ଭବଷ୍ୟତ ନେଇ ସ୍ୱପ୍ନ ଦେଖୁଛି । ସେ ସ୍ୱପ୍ନ କେତେ ବାସ୍ତବ ରୂପଦେବ ଯଦି ବିଚାର କରାଯାଏ ଏହା ଏକ ସନ୍ଦିହାନ ପ୍ରଶ୍ନ ପରି ମନେହୁଏ ।

 

ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରରେ ସର୍ବ କନିଷ୍ଠ କର୍ମଚାରୀ ଭାବରେ ଯୋଗଦେଇ ୨୨ ବର୍ଷ ହେଲା କାର୍ଯ୍ୟ କରି ସେ ଏଠାରେ ନିଜର ସ୍ଥିତିକୁ ସୁଦୃଢ଼ କରିଛନ୍ତି । ଜଣେ କର୍ମଚାରୀ କେଉଁ ଆଧାରରେ ଓ କାହା ଆଶୀର୍ବାଦରେ ଏଠାରେ ଏତେ ଦିନ କାମ କରୁଛନ୍ତି ବୋଲି ବହୁ ବୁଦ୍ଧିଜୀବୀ ସାହିତ୍ୟିକ ସଂସ୍କୃତିପ୍ରେମୀ ପ୍ରଶ୍ନ ଉଠାଇଛନ୍ତି । ଆକାଶବାଣୀରେ ନିଷ୍ପାଦକ ପଦରୁ କାର୍ଯ୍ୟକ୍ରମ ମୁଖ୍ୟ ପୁଣି ସହ ନିର୍ଦ୍ଦେଶକ, ନିର୍ଦ୍ଦେଶକ ଏଇ ସବୁ ପରିଚୟରେ ସେ ନିଜକୁ ବିଭିନ୍ନ ସାଂସ୍କୃତିକ ମଂଚରେ ବିଜ୍ଞାପିତ କରିବା ଶୁଣାଯାଏ । ଅନ୍ୟ ପଟରେ ନିଜର ବ୍ୟକ୍ତିଗତ ସାଂସ୍କୃତିକ ସାମ୍ରାଜ୍ୟକୁ ବିସ୍ତାର କରିବା ପାଇଁ ଏତେ ସବୁ ପଦର ଅଧିକାରୀ ନିଜକୁ ନିଜେ କହିବୁଲିବା ଫଳରେ ସେ ସନ୍ଦେହ ବଳୟକୁ ଟାଣି ହୋଇଯାଇଛନ୍ତି ।

 

ଆନ୍ତର୍ଜାତିକ ଉଦଘୋଷକ ପଦଟିଏ ନିଜ ନାମ ସହ ଯୋଡ଼ିଦେଇଛନ୍ତି ଏହି ବ୍ୟକ୍ତି । ତାଙ୍କର ଏତାଦୃଶ କାର୍ଯ୍ୟଧାରାକୁ ବ୍ରହ୍ମପୁରର ଜନୈକ ଭାଷାପ୍ରେମୀ, କବି ଓ କବିରାଜ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀ ନାପସନ୍ଦ କରିବା ସହିତ ବହୁତ ଗମ୍ଭୀର ତର୍କଟିଏ ଠିଆ କରାଇଛି । ବ୍ରହ୍ମପୁରର କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଂପର୍କ ଯୋଡ଼ି ହୃଷିକେଶ ପାଣିଗ୍ରାହୀ ନାମକ ଏହି ବ୍ୟକ୍ତି ଆତ୍ମ ବିଜ୍ଞାପନ ପାଇଁ ପଦ ନଥାଇ ପଦବୀର କଥା କହିବାକୁ ଓ ଲେଖିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଗଣମାଧ୍ୟମର କେତେକ ଚରିତ୍ରଙ୍କୁ ନେଇ ନିଜର ସାଂସ୍କୃତିକ ଅନୁଷ୍ଠାନ ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନର ଗରୀମା ବଢ଼ାଇବାରେ ମଧ୍ୟ ସେ ବେଶ୍ ସକ୍ରିୟ ।

 

ମହାଶୟ ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ ନାମରେ ଆୟୋଜିତ କରୁଥିବା କୁମାର ପୁନେଇ ଜହ୍ନ ଲୋ ପାଇଁ ବିପୁଳ ବିଜ୍ଞାପନ ଅର୍ଥ ଗୋଟାଇ ପାରୁଛନ୍ତି । ଏଠାରେ ନିର୍ଦ୍ଦେଶକ ପଦ ନଥାଇ ନିର୍ଦ୍ଦେଶକ ପରିଚୟ ଦେଇ ସେ ଏପରି କରୁଥିବା ସନ୍ଦେହ କରାଯାଏ । ଆକାଶବାଣୀ ବ୍ରହ୍ମପୁର ଅତୀତରେ ବହୁ ବରିଷ୍ଠ ବ୍ୟକ୍ତିତ୍ୱ ପଦାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପରିଚିତି ଆଣିଥିଲା । ଶାନ୍ତନୁ କୁମାର ରଥଙ୍କ ପରି ପ୍ରବୀଣ ସଂସ୍କୃତି ଗବେଷକ, ସ୍ୱର୍ଗତ ହୃଷିକେଶ ପଣ୍ଡାଙ୍କ ପରି ଗାଳ୍ପିକ ନାଟ୍ୟକତାର ତଥା ସାହିତ୍ୟିକ ଏବଂ ଡ. ସୁଧା ମିଶ୍ରଙ୍କ ପରି ସଂଗୀତ ସ୍ୱର ସାଧକଙ୍କୁ ପାଇଥିଲା ଏହି କେନ୍ଦ୍ର । ହୃଷିକେଶ ପାଣିଗ୍ରାହୀଙ୍କ ଘର ବ୍ରହ୍ମପୁର, କର୍ମକ୍ଷେତ୍ର ବ୍ରହ୍ମପୁର । ନିଜ ଜିଲ୍ଲା ନିଜ ମାଟିରେ ଗୋଟିଏ କେନ୍ଦ୍ର ପଦାଧିକାରୀ ଯେ ଏତେ ଦିନ କାମ କରିବ ଏବଂ ଅନେକ ପଦପଦବୀରେ ନିଜକୁ ପରିଚିତ କରିବାର ବିଚାର ନେଇ କାଠଗଡ଼ାରେ ଠିଆ ହେବା ସ୍ୱାଭାବିକ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top