ବଟି ଦିଅ କ୍ରସର୍ ଚଳାଅ

News Story - Posted on 2018-03-08

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ବେଆଇନ ପଥର ଖାଦାନ ଓ କ୍ରସର ବଢ଼ି ଚାଲିଥିବା ବେଳେ ଜିଲ୍ଲାର ତହସିଲଦାରମାନେ ନୀରବଦ୍ରଷ୍ଟା ସାଜିଛନ୍ତି । ଯାହା ଫଳରେ କୋଟି କୋଟି ଟଙ୍କାର ରାଜସ୍ୱହାନୀ ଘଟୁଛି । କିନ୍ତୁ କାହାର ନିଘା ନାହିଁ ।

 

କ୍ରସର୍ ୟୁନିଟ୍ ପାଇଁ ବିଭିନ୍ନ ସରକାରୀ ନିୟମ ରହିଥିଲେ ସୁଦ୍ଧା ମାଲିକମାନେ ଏହାକୁ ଖୁଲମଖୁଲ୍ଲା ଉଲ୍ଲଂଘନ କରିବାରେ ଲାଗିଛନ୍ତି । ଖାଦାନ ପାଇଁ ପ୍ଲାନିଂ, ପରିବେଶ ଅନୁମତି, ବ୍ଲାଷ୍ଟିଂ ଲାଇସେନ୍ସ ପ୍ରଭୃତି ମୁଖ୍ୟ ହୋଇଥିବା ବେଳେ ଉକ୍ତ କ୍ଲିଏରାନ୍ସ ଏବଂ ଅନୁମତି ନ ଥାଇ ବହୁ ବେଆଇନ ଖାଦାନ ଚାଲିଥିବା ଅଭିଯୋଗ ହୋଇ ଆସୁଛି । ମୁଖ୍ୟତଃ କନିଷି ତହସିଲ ଅଧୀନରେ ୨୫ଟି ପଥର କ୍ୱାରି ଥିବାବେଳେ ପାତ୍ରପୁରରେ ୨ଟି, ଦାସପୁରରେ ୨ଟି, ଆମ୍ବପୁରରେ ୩ଟି, ମାଝିଗାଁରେ ଗୋଟିଏ ଏବଂ କୁକୁଡାଖଣ୍ଡି ଓ ଦିଗପହଣ୍ଡି ତହସିଲ ଅଂଚଳରେ ପ୍ରାୟ ୨୦ରୁ ଊଦ୍ଧ୍ୱର୍ ପଥର କ୍ୱାରି ଚାଲିଛି । ସେହିଭଳି ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, କୋଦଳା, ଭଞ୍ଜନଗର ଏବଂ ପୋଲସରା ଆଦି ଅଂଚଳରେ ମଧ୍ୟ ଏହିପରି ବେଆଇନ କ୍ରସର୍ ୟୁନିଟ୍ ସରକାରୀ ନିୟମକୁ ଉଲ୍ଲଂଘନ କରି ଚାଲିଛି ଓ ଏସବୁର ମାଲିକମାନେ କୋଟି କୋଟି ଟଙ୍କାର ରାଜସ୍ୱ ହଡ଼ପ କରୁଥିବା ଜଣାପଡିଛି ।

 

ଉକ୍ତ ଅଂଚଳର ତହସିଲଦାରମାନେ ସବୁ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି । କୁମ୍ଭାର ସାଙ୍ଗରେ ନ ଲାଗିପାରି କୁମ୍ଭାର ହାଣ୍ଡି ଭାଙ୍ଗିବା ପରି ଉକ୍ତ କ୍ରସର୍ ୟୁନିଟରୁ ପଥର ଟ୍ରାକ୍ଟର ଯୋଗେ ବୁହାଉଥିବା ଦେଖି ତହସିଲଦାର ଓ ପୋଲିସ୍ ପ୍ରଶାସନ ଉକ୍ତ ଗାଡ଼ିଗୁଡ଼ିକୁ ଅଟକାଇ କିଛି ଗାଡ଼ି ଜବତ କରିବା ଦେଖିବାକୁ ମିଳିଛି । କିନ୍ତୁ ପଥର ଖାଦାନ ପ୍ରତି ଏମାନଙ୍କ ଦୃଷ୍ଟି ପଡୁନାହିଁ । କାରଣ ସହଜରେ ବାରି ହୋଇପଡୁଛି ।

 

ଅଭିଯୋଗ ହେଉଛି ଯେ, ମାସିକ ୨୫ରୁ ୪୦ ହଜାର ଟଙ୍କା ଯାଏଁ ବଟି ଦେଇ ମାଲିକମାନେ ସରକାରୀ ନିୟମକୁ ଉଲ୍ଲଂଘନ କରି ଖୁଲମ୍ଖୁଲ୍ଲା ଏହି ବ୍ୟବସାୟ କରୁଛନ୍ତି । ତହସିଲଦାର ଏ ସମ୍ପର୍କରେ ଅବଗତ ନାହାନ୍ତି ଅଥବା ପୋଲିସ୍ ସହ ମିଳିତ ଭାବେ ବେଆଇନ କ୍ରସର୍ ୟୁନିଟଗୁଡିକ ଚଳାଉଛନ୍ତି ତାହାକୁ ନେଇ ମଧ୍ୟ ଅଂଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେବା ସହ ଅସନ୍ତୋଷ ବୃଦ୍ଧି ପାଉଛି । ସେହିପରି କୁକୁଡାଖଣ୍ଡି ନିକଟରେ ଏଆରଏସଏସ ଭଳି ନାମୀ କମ୍ପାନୀ ଦ୍ୱାରା ମଧ୍ୟ ବେଆଇନ କ୍ରସର୍ ୟୁନିଟ୍ ଚାଲିଥିବା ବେଳେ ପ୍ରତିଦିନ ଏଠାରୁ ଲକ୍ଷାଧିକ ଟଙ୍କା ଲାଭ ପାଉଛନ୍ତି । ଶତାଧିକ ଟ୍ରକରେ ପଥର ଓ ଗୁଣ୍ଡ ଚାଲାଣ ହେଉଛି । ଯାହାଫଳରେ ଅଂଚଳବାସୀ ପ୍ରଦୂଷଣ ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ ଫସଲ ନଷ୍ଟ ହେଉଛି । କିଛି ଚାଷୀ ଫସଲ ନଷ୍ଟ ହୋଇଯିବା ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିବା ସୂଚନା ମିଳିଛି । କିନ୍ତୁ ଏହା ଉପରେ କାହାର ଦୃଷ୍ଟି ପଡୁନାହିଁ । ଫଳରେ ସରକାରଙ୍କ ବିପୁଳ ରାଜସ୍ୱ ହାନୀ ଘଟୁଛି । ବଟି ଦିଅ କ୍ରସର୍ ଚଳାଅ ନୀତିରେ ଏସବୁ ଚାଲିଥିବା ଅଂଚଳରେ ଚର୍ଚ୍ଚା ହେଉଛି ।

 

ଅଥଚ ସମସ୍ତ ଅନୁମତି ଥାଇ ଚାଲୁଥିବା କେତେଟା କ୍ରସର ୟୁନିଟ ଉପରେ ପୋଲିସ୍ ଚଢ଼ାଉ କରି ଶ୍ରମିକଙ୍କୁ ଗିରଫ କରି ଜେଲ୍ ପଠାଇଛନ୍ତି । ଏହା କିଭଳି ନ୍ୟାୟ ବୋଲି ପ୍ରଶ୍ନ ଉଠିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top