ସୁଭାଷ ବୋଷଙ୍କ ହସ

News Story - Posted on 2016-02-23

ଏ.ଆର.ଦୀପଂକର ଦାସ

 

ମୋଗଲସରାଇ ଷ୍ଟେସନରେ ଦିଲ୍ଲୀଗାମୀ ପୁରୁଷୋତ୍ତମ ଟ୍ରେନ୍ ଅଟକିଲା । ଆଗ ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ, ତେଣୁ ଟ୍ରେନ୍ ଛାଡ଼ିବାରେ ତିନି ଚାରିଘଣ୍ଟା ଡେରି ହେବ । ଠିକ୍ ସମୟରେ ଟ୍ରେନ୍ ନ ପହଞ୍ଚିଲେ ଆଲ୍ଲାହାବାଦରେ ଆୟୋଜିତ କନଫରେନ୍ସରେ ପହଞ୍ଚି ହେବନାହିଁ । ଓଃ ଗଡ୍....ଯୀଶୁଙ୍କ ଉଦ୍ଦେଶ୍ୟରେ ହାତ ଟେକିଲି ।

ସବୁ ଯାତ୍ରୀଙ୍କ ଭଳି ମୁଁ ବି କମ୍ପାର୍ଟମେଣ୍ଟରୁ, ଚାଲି ଚାଲି ଗଲି ପ୍ଲାଟଫର୍ମର ଶେଷ ମୁଣ୍ଡକୁ । କଲଭର୍ଟଟେ ଦେଖି ବସିଗଲି । ସିଗାରେଟରେ ନିଆଁ ଧରାଇଲି ।

-ବାବୁ....କିଛି ଦିଅନ୍ତୁ !

-ଓଃ... ରଥଲେସ୍  ଟ୍ରେନଟି ପୁରୀରୁ ଆସୁଛି ଓ ସବୁ ଯାତ୍ରୀ ପ୍ରାୟ ଓଡ଼ିଆ ହୋଇଥିବେ ଜାଣି ଓଡ଼ିଆ ଭାଷାରେ ଭିକ ମାଗୁଛି ସେ । ରବିସ୍....!

ପୁଣି ସେଇ ସ୍ବର । ଏଥର ବୁଲି ପଡ଼ିବା ମୋର ପାଳି । ଆକାଶରୁ ଖସିପଡ଼ିଲି ଯେମିତି । ମୋ ପାଟିରୁ ବାହାରି ପଡ଼ିଲା : ଆରେ ମିନୁ, ତୁ.....!

ମୋ ସାମ୍ନାରେ ମିନୁ ଛିଡ଼ା ହୋଇଥିଲା । ତେର ଚଉଦ ବର୍ଷର କିଶୋରୀଟା । ନିର୍ଲୀପ୍ତ ଚାହାଣୀ, ନୁଖୁରା, ଝାମ୍ପୁରା କେଶ । ଛିଡ଼ା ମଇଳା ଫ୍ରକ୍ ସଜ ବସନ୍ତକୁ ଲୁଚାଇ ପାରୁ ନ ଥିଲା । ଅନେକ କୌତୁହଳକୁ ଚାପି ନ ପାରି ପୁଣି ପଚାରିଲି : ଆରେ ମିନୁ, କିଛି କହୁନୁ କାହିଁକି ! ତୁ ଏଠି ? ତୋ ଅଜା ??

ମିନୁ କିଛି ନ କହି ଧାଇଁଗଲା ପଲସ୍ତରା ଛାଡ଼ି ଯାଇଥିବା ଗୋଟେ ସିମେଣ୍ଟ ବେଞ୍ଚ୍ ପାଖକୁ । ମୁଁ ବି ଗଲି ତା’ ପଛେପଛେ । ଆକାଶକୁ ମୁହଁ କରି ଶୋଇଥିଲା ଜଣେ ଜରାଜୀଣ୍ଣ ବୃଦ୍ଧ । ଚିହ୍ନିଲି, ସେ ହିଁ ମିନୁର ଅଜା ଆଉ ମୋର କମ୍ରେଡ୍ ନିର ମଉସା, ନିରଞ୍ଜନ ମିଶ୍ର । ଦୁଇ ଚାରିଟା ବିସ୍କୁଟ୍ କାର୍ଟୁନ୍ ଉପରେ ନିଜର ଅବସନ୍ନ ଦେହଟାକୁ ବିଛେଇ ଛାତି ଯାଏଁ ସାତସିଆଁ ତେଲ ଚିକିଟା କନ୍ଥା ଘୋଡ଼ିହୋଇ ଯେଉଁ ନିର ମଉସା ଶୋଇଥିଲେ, ସେ ହେଉଛନ୍ତି ଆଜାଦ୍ ହିନ୍ଦ୍ ଫୌଜର ବୀର ସୈନିକ । ନେତାଜୀ ସୁଭାଷଙ୍କ ଡ଼ାକରାରେ ଯେଉଁ ଯୁବକ ଦିନେ ସବୁକିଛି ଛାଡ଼ି ସଂଗ୍ରାମ ଭୂଇଁକୁ ଡ଼େଇଁ ପଡ଼ିଥିଲେ, ସେ ଆଜି ମୋଗଲ ସରାଇ ଷ୍ଟେସନରେ ମାଛି ଭଣଭଣ, ଅଇଁଠା ଦୋନା, ଚା ଖୁରିର ଗହଳି ଭିତରେ ମରଣ ସହ ଲଢୁଛନ୍ତି । ଜୀଅନ୍ତା ଶବ ପାଲଟି ଯାଇଛନ୍ତି । ଆଠଦିନ ହେଲା ଜ୍ବର । ଦେହରେ କାଳେ ଖଇ ଫୁଟୁଛି । ହାତ ମାରିବାକୁ ଚାହୁଥିଲି  ମାତ୍ର ଏକପ୍ରକାର ଅପରାଧବୋଧରେ କେହି ଯେମିତି ମୋତେ ପଛରୁ ଟାଣି ଧରୁଥିଲା ।

ନିର ମଉସାଙ୍କୁ ପ୍ରଥମେ ଭେଟିଥିଲି ଭଦ୍ରକରେ । କୁକୁଡ଼ା ଚିଆଁ ବିକୁଥିଲେ । ପାଖରେ ଥିଲା ଛଅ/ସାତ ବର୍ଷର ଟିକି ନାତୁଣୀ ଏଇ ମିନୁ । ପରିଚୟ ପରେ ତାଙ୍କଠାରୁ ଶୁଣିଥିଲି ତାଙ୍କ ଦୁଃଖ ଆଉ ବୀରତ୍ବର କାହାଣୀ । କେତେ ସତ, କେତେ ମିଛ, ତାହା ଭାବିବାକୁ ଦରକାର ମଣି ନ ଥିଲି ।

ପୁରୀ ଜିଲ୍ଲାରେ ତାଙ୍କ ଘର । ତରୁଣ ବୟସରେ ସେ ବ୍ରିଟିଶ୍ ଫୌଜରେ ମିଶିଥିଲେ । ମାତ୍ର ଇଂରେଜଙ୍କ ଗୋଲାମୀ ବେଶୀଦିନ ଗଲାନାହିଁ ତାଙ୍କ ଦିହରେ । ଚାକିରି ଛାଡ଼ିଲେ, ଆଉ ଯୋଗ ଦେଲେ ନେତାଜୀଙ୍କ ନ୍ୟାସନାଲ୍ ଆର୍ମିରେ । ଅନେକ ଯୁଦ୍ଧ ଲଢ଼ିଛନ୍ତି । ବୀର ସେ । ସେଇଠି ସେ ରାସବିହାରୀ ବୋଷ, ଆଡଲଫ ହିଟଲରଙ୍କ ସହ କଥା ହୋଇଛନ୍ତି । ହାତ ମିଳାଇଛନ୍ତି । ପ୍ରଶଂସା ପାଇଛନ୍ତି ।

 ‘ଦିଲ୍ଲୀ ଚଲୋ’ ଅଭିଯାନରେ ଥିଲେ ନିର ମଉସା । ତାହା ସଫଳ ହେଲାନାହିଁ ସତ, ହେଲେ ପରେପରେ ଦେଶ ସ୍ବାଧୀନ ହେଲା, କିନ୍ତୁ ତା’ ଆଗରୁ ନିର ମଉସା ଫେରି ଆସିଲେ ନିଜ ଗାଁ, ସହର ପୁରୀ ।

ନିରଞ୍ଜନ ମଉସାଙ୍କ ଗୋଟିଏ ମାତ୍ର ପୁଅ ଥିଲା ।  କାମ କରୁଥିଲେ ସ୍ବାଧୀନ ଭାରତର ସେନାବାହିନୀରେ । ବୋହୂଟେ ଆଉ ଟିକି ଝିଅ ମିନୁ । କ’ଣ କରିବେ ମଉସା ! ସାକ୍ଷୀଗୋପାଳରେ ଥିବା କେଇ ଗୁଣ୍ଠ ସରିକି ନଡ଼ିଆ ବଗିଚାରେ ବେଳ କାଟୁଥିଲେ ।

ଦଇବ ସହିଲାନି । ସ୍କୁଟରରେ ଯାଉଥିବାବେଳେ ଦୁର୍ଘଟଣା ହେଲା । ମିନୁକୁ ଛାଡ଼ି ପୁଅବୋହୂ ପରପାରିକୁ ଚାଲିଗଲେ । ବାପ-ମାଙ୍କୁ ହରାଇ ମିନୁ କଳାକାଠ ପଡ଼ିଗଲା । କି ରୋଗ ଧରିଲା କେଜାଣି, ଭାରତ ସରକାରଙ୍କ ପକ୍ଷରୁ ମିଳିଥିବା ଟଙ୍କା ଆଉ ନଡ଼ିଆ ବଗିଚା ବିକ୍ରି ହୋଇଗଲା । ପାଣି ଭଳି ଟଙ୍କା ଖର୍ଚ୍ଚ ପରେ ସୁସ୍ଥ ହେଲା ।

ଭାଙ୍ଗି ପଡ଼ିଲେନି କମ୍ରେଡ୍ ନିରଞ୍ଜନ । ମୁଁ ଆଜାଦ୍ ହିନ୍ଦ୍ ଫୌଜର ସୈନିକ, ମୋତେ ସଂଗ୍ରାମୀ ଭତ୍ତା ଦିଆଯାଉ-ଏଭଳି ବିକଳ ଆବେଦନ କରିବା ତ ଦୂରେ ଥାଉ, ସେ କାହାକୁ କେବେ ଜଣାଇ ନାହାଁନ୍ତି ଯେ ଏକଦା ସେ ଥିଲେ ନେତାଜୀ ସୁଭାଷଙ୍କ ଘନିଷ୍ଠ ସହଯୋଗୀ ନ୍ୟାସନାଲ୍ ଆର୍ମିର ଡେମକେୟାର ସୋଲଜର ।

ଏଥର ପେଟପାଟଣା ପାଇଁ ଅଣ୍ଟା ଭିଡ଼ିବାର ପାଳି । କ’ଣ ବା ସେ କରିପାରିବେ ଏ ବୟସରେ ! କୁକୁଡା ଚିଆଁ ବିକିଲେ । ଆଜି ଏ ସହର ତ କାଲି ସେ ସହର । ଆଜି ଏ ଗାଁ, କାଲି ସେ ଗାଁ । ସେତେବେଳେ ତାଙ୍କ ସହ ମୋର ଦେଖା ହୋଇଥିଲା ଭଦ୍ରକ ବାଇପାସରେ । ଅନ୍ତରଙ୍ଗତା ଜମିଥିଲା । କିଛିଦିନ ଭଦ୍ରକରେ ଥିଲି । ସବୁଦିନ ଆମେ ଚା’ ପିଉଥିଲୁ । ଖଇରିଆ ସୁଦାମଗୁଣ୍ଡି ପାନ ଖାଉଥିଲୁ । ମୁଁ ଭଦ୍ରକ ଛାଡ଼ିଥିଲି, ଭୁଲି ଯାଇଥିଲି ନିରଞ୍ଜନ ମଉସାଙ୍କୁ ବି । ଆଜି ଏତେବର୍ଷ ପରେ..ପୁଣି ଏମିତି ଅବସ୍ଥାରେ...ଓଃ, ଭାବି ପାରୁ ନ ଥିଲି ।

କମ୍ରେଡ୍ ନିରଞ୍ଜନ ସେଇମିତି ଶୋଇଛନ୍ତି  ଡାଆଣିଆ ଖରା ତାଙ୍କ କପାଳ ଉପରେ ପଡ଼ି ଚିକ୍ଚିକ୍ କରୁଥିଲା । ସେ ସେମିତି, ସତେ ଯେମିତି ମହାନିଦ୍ରାରେ । ଉଠିବାକୁ ଚାହୁ ନାହାନ୍ତି । ହୁଏତ ଦେଖିବାକୁ ଚାହୁନାହାନ୍ତି ସୁଭାଷ ବୋଷଙ୍କ ଅଧୁନା କୁତ୍ସିତ ସ୍ବପ୍ନର ଭାରତବର୍ଷ ।

ଘୋଷଣା ଶୁଭିଲା : ଆଟେନ୍ସନ୍ ପ୍ଲିଜ୍ ! ଦିଲ୍ଲୀ ଜାନୋଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଅଭି ଅଭି ତିନ୍ ନମ୍ବର ପ୍ଲାଟଫର୍ମ ସେ ରାନା ହୋଗୀ

ମୁଁ ବିବ୍ରତ ହୋଇପଡ଼ିଲି, କ’ଣ କରିବି ? ନ ଗଲେ କନଫରେନ୍ସ ବେକାର ଯିବ । କିନ୍ତୁ କମ୍ରେଡ୍ ନିରଞ୍ଜନ ମଉସା...! ତାଙ୍କୁ ହାସପାତାଲ ନେଇ ନ ଗଲେ ହୁଏତ ସେ ଆଉ...! ମାଇଁ ଗଡ୍  ମୁଁ ଏକଦମ୍ ବ୍ୟସ୍ତ ହୋଇ ପଡ଼ିଲି । ପୁଣି ଟ୍ରେନ୍ ଛାଡ଼ିବାର ଘୋଷଣା ।

ବ୍ୟାରେ ହାତ ପୁରାଇ ଦୁଇ ବଣ୍ଡିଲ୍ ଟଙ୍କା ବାହାର କରି ଆଣିଲି । ମିନୁ ହାତରେ ଗୁଞ୍ଜି ଦେଲି । ମିନୁ କିଛି କହିବା ଆଗରୁ ମୁଁ ମୋ କୋଚ୍ ଆଡକୁ ଦୌଡ଼ିଲି । ଟ୍ରେନ୍ ପ୍ଲାଟଫର୍ମ ଛାଡ଼ିବା ଆରମ୍ଭ କରିଥିଲା । ମୁଁ ଉଠିଗଲି କମ୍ପାର୍ଟମେଣ୍ଟ ଭିତରକୁ ଏବଂ ଦୁଇ ହାତରେ ଦୁଇଟି ରେଲିଂ ଧରି ବୁଲିପଡ଼ିଲି ବାହାର ପଟକୁ ।

ନିରଞ୍ଜନ ମଉସା ସେମିତି ଶୋଇଥିଲେ ବିସ୍କୁଟ୍ କାର୍ଟୁନ୍ ଉପରେ, ନିଶ୍ଚଳ ବାମିୟାନ ବୁଦ୍ଧ ମୁର୍ତ୍ତି ଭଳି । ମିନୁ ବି ଛିଡ଼ା ହୋଇଥିଲା ମୋ ଆଡ଼େ ଅନିଷା କରି । ହାତରେ ତା’ର ସେମିତି ଥୁଆ ହୋଇଥିଲା ଦୟା ଦେଖାଇ ମୁଁ ଗୁଞ୍ଜି ଦେଇ ଆସିଥିବା କେଇବିଡ଼ା ମଇଳା କାଗଜ ଟଙ୍କା ।

ଟ୍ରେନ୍ର ଗତି ବଢ଼ି ଚାଲିଥିଲା । ଧୀରେଧୀରେ ଝାପ୍ସା ହୋଇଆସିଲା ମଉସାଙ୍କର ସ୍ଥିର, ସ୍ଥବିର, ଅସହାୟ ମୁହଁ ଆଉ ମିନୁର ଲୁହ ଛଳଛଳ ଯୋଡ଼ିଏ ନିରୀହ ଚାହାଣୀ । ମୁଁ ବି ମନେମନେ ଆତ୍ମତୃପ୍ତି ପାଉଥିଲି ଯେ ସରକାର ଯାହା କେବେ କରି ନ ଥିଲେ, କେଇବିଡ଼ା କାଗଜ ଟଙ୍କା ଫିଙ୍ଗିଦେଇ ମୁଁ ତାହା କରି ପାରିଛି । ଯାହା ଜଣେ ବୀର ସ୍ବାଧିନତା ସଂଗ୍ରାମୀର ଦାମ୍ । ଲହୁ ଲୁହକୁ ଏକାକାର କରି ଆତ୍ମସ୍ବାର୍ଥକୁ ଜଳାଞ୍ଜଳି ଦେଇ ଫିରିଙ୍ଗି ଫଉଜ ବିରୁଦ୍ଧରେ ଲଢ଼ିବାର ଶ୍ରଦ୍ଧା ଓ ସମ୍ମାନ ! ଜୟ ଅଫ୍ ଗିଭିଂ । ମୋ ଯୁକ୍ତି କ’ଣ ଠିକ୍ ??

ସହସା ଏକ ବିସ୍ଫୋରଣ ହେଲା । ଦୂର ଦିଗ୍ବଳୟ, ଯେଉଁଠି ଧରିତ୍ରୀକୁ କୋଳେଇ ନେଇଛି ଆକାଶ, ସେଇଠି ଏକ ଗିଲୋଟିନ୍ ଭିତରେ ଥାଇ ସୁଭାଷ ବୋଷ ହସୁଥିଲେ ତାତ୍ସଲ୍ୟର ହସ..ଠୋ..ଠୋ...ହୋଇ 

ଆଗରେ କାନପୁର....

ପୋଡ଼ାଡ଼ିହା, ରୁପ୍ସା ଜଂ-28, ବାଲେଶ୍ବର, ମୋବାଇଲ୍ : 8455826322


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top