ଖୋଳିଲେ କେନାଲ, ସଜାଡ଼ିଲେ ରାସ୍ତା

News Story - Posted on 2018-03-08

କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ୩ଟି ଗାଁରେ ଲୋକେ ନିଜ ଉଦ୍ୟମରେ ନିଜ ନିଜ ଗାଁର ପାଣି ସମସ୍ୟା ଦୂର କରିବାକୁ କେନାଲ ଖୋଳିବା ସହିତ ସ୍କୁଲ ରାସ୍ତା ତିଆରି କରିଛନ୍ତି । ବିନା ସରକାରୀ ଅନୁଦାନରେ ଏହିଭଳି କାର୍ଯ୍ୟ କରିଛନ୍ତି ଏହି ବ୍ଲକର ଗୋପାଳପୁର ପଂଚାୟତର ଶୁଣ୍ଢିଯୁବା ଏବଂ ସିନ୍ଧିପଦର ପଂଚାୟତର ନିଚେମସ୍କା ଓ ପୋଇଗୁଡା ଗାଁର ଲୋକମାନେ ।

 

ଶୁଣ୍ଢିଯୁବା ଗାଁରେ ଲୋକେ ମିଳିତ ଭାବରେ ନିଜ ବାଡି ବଗିଚାରେ ଜଳସେଚନ ପାଇଁ ଦୁଇ କିଲୋମିଟର ଲମ୍ବର ପାଣିମାହାରା ଖୋଳିବା ସହିତ, ପିଇବାପାଣି ଆସୁଥିବା ଟାଙ୍କି ସଫାକରି ରକ୍ଷଣାବେକ୍ଷଣ କରିଛନ୍ତି । ତା’ ସହିତ ଗାଁର ଲୋକେ ଗାଁ ଭିତରୁ ପାହାଡ଼ ତଳ ଝରଣାକୁ ଯାଇଥିବା ରାସ୍ତା ମରାମତି କରି ଉହାହରଣ ସୃଷ୍ଟି କରିଛନ୍ତି । ଖୋଳାଯାଇଥିବା କେନାଲ (ପାଣିମାହାରା) ଗାଁର ୬୦ଟି ପରିବାରକୁ ପନିପରିବା ଚାଷ ପାଇଁ ସହାୟକ ହେବ ବୋଲି ଗାଁର ସ୍ୱେଚ୍ଛାସେବୀ ଅମରସିଂ ମାଝୀ ପ୍ରକାଶ କରିଛନ୍ତି ।

 

ସେହିଭଳି ସିନ୍ଧିପଦର ପଂଚାୟତ ଅନ୍ତର୍ଗତ ନିଚେମସ୍କା ଗାଁର ଲୋକମାନେ ଏକ କିଲୋମିଟରରୁ ଉଦ୍ଧ୍ୱର୍ ପାଣିମାହାରା ଖୋଳିବା ସହିତ ନିଜ ଗାଁର ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ଦ୍ୱାରା ସ୍ଥାପନ ସ୍କୁଲ ବଗିଚାରେ ମାଟି ପକାଇ ଗଛଗୁଡିକର ରକ୍ଷଣାବେକ୍ଷଣରେ ସହଯୋଗ କରିଛନ୍ତି । ସବୁଠାରୁ ବଡ଼ ପଦକ୍ଷେପ ହେଲା, ନିଚେମସ୍କା ଗାଁ ଲୋକେ ନିଜ ଉଦ୍ୟମରେ ସୁରକ୍ଷା କରିଥିବା ପାଖାପାଖି ୧୦୦ ଏକର ପରିମିତ ଗୋଷ୍ଠୀଜଙ୍ଗଲର ରକ୍ଷଣାବେକ୍ଷଣ । ସେମାନେ ଏହି ଗୋଷ୍ଠୀ ଜଙ୍ଗଲର ଉନ୍ନତି ପାଇଁ ଶ୍ରମଦାନ କରି ଅନାବନା ବୁଦା, ଝାଟି ଇତ୍ୟାଦି ସଫେଇ କରିଛନ୍ତି । ଅନ୍ୟପକ୍ଷରେ ଏହାର ପଡ଼ା ଗାଁ ପୋଇଗୁଡ଼ାର ଲୋକମାନେ ମିଳିତ ଭାବରେ ନିଜ ଗାଁର ସ୍କୁଲ ପିଲାଙ୍କ ସୁବିଧା ପାଇଁ ବହୁଦିନରୁ ଅବହେଳିତ ହୋଇପଡ଼ିଥିବା ରାସ୍ତାର ଉନ୍ନତିକରଣ କରିଛନ୍ତି । ସ୍କୁଲ ଯିବା ରାସ୍ତା ବହୁ ଖାଲଢିପ ହେବା ସହିତ, ପିଲାଙ୍କ ପାଇଁ ଅସୁରକ୍ଷିତ ଅବସ୍ଥାରେ ଥିଲା ଯାହାଫଳରେ ବହୁ ସମୟରେ ଛୋଟ ପିଲାମାନେ ଆହତ ହେଉଥିଲେ ।

 

ଗ୍ରାମବାସୀ ଏହି ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ କେହି ଶୁଣୁନଥିଲେ । କେବଳ ସ୍କୁଲ ରାସ୍ତା ମରାମତି ନୁହେଁ, ପାହାଡ଼ରୁ ଗଡ଼ି ଗାଁରେ ପଶୁଥିବା ବର୍ଷାପାଣିରୁ ଘରଗୁଡ଼ିକୁ ସୁରକ୍ଷା ଦେବାପାଇଁ ଗାଁ ଲୋକେ ଗାଁ ବାହାରେ ଏକ ନାଳ ମଧ୍ୟ ଖୋଳିଛନ୍ତି ନିଜ ଉଦ୍ୟମରେ ।

 

ଏସବୁ କାର୍ଯ୍ୟପାଇଁ ସମସ୍ତ ତିନିଖଣ୍ଡ ଗାଁର ଲୋକେ କୌଣସି ଆର୍ଥିକ ଅନୁଦାନ ପାରିଶ୍ରମିକ ଆକାରରେ ନେଇନାହାନ୍ତି । ଏହିସବୁ କାମ ପାଇଁ, ଦିଲ୍ଲୀର ମାଗାସାସେ ପୁରଷ୍କାର ବିଜେତା ସଂସ୍ଥା ଗୁଞ୍ଜ ସହାୟତାରେ ସ୍ଥାନୀୟ ଅନୁଷ୍ଠାନ ଅନ୍ତ୍ୟୋଦୟ ଓ ଅଧିକାର ସଂସ୍ଥା ଆନୁକୂଲ୍ୟରେ ଲୋକମାନଙ୍କୁ ବସ୍ତ୍ର ଓ ଘରକରଣା ସାମଗ୍ରୀ ଯଥା ଦରି, ଲୁଗାପଟା, ଜୋତା ଇତ୍ୟାଦି ଯୋଗାଇ ଦିଆଯାଇଥିବା ବେଳେ ଗାଁ ଯୁବକମାନଙ୍କୁ ଖେଳ ସାମଗ୍ରୀ ପ୍ରଦାନ କରାଯାଇଛି । ତିନିଖଣ୍ଡ ଗାଁରେ ସର୍ବମୋଟ ୧୭୬ ପରିବାରଙ୍କୁ ଏହିଭଳି ସହାୟତା ଯୋଗାଇ ଦିଆଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top