ମାୟାର ଆଧୁନିକ ରୂପ

News Story - Posted on 2018-03-06

ସୂର୍ଯ୍ୟମଣି ମିଶ୍ର

 

ବିଚାରାଧାରା ସାମାଜିକ ଚେତନାର ଏକ ରୂପ। ବିଚାରଧାରା କେତେବେଳେ ସାମାଜିକ ସତ୍ୟର ପ୍ରତିବିମ୍ୱ ହୋଇଥାଏ ତ କେତେବେଳେ ମିଥ୍ୟାଚାରର। ଜୀବନ ଏବଂ ପ୍ରକୃତିର କଳାତ୍ମକ ପରିବର୍ତ୍ତନରେ ବିଚାର ନିହିତ। ସୌନ୍ଦର୍ଯ୍ୟ ଏବଂ ଭାବର ଯେଉଁ ଅନୁପମ ଦୃଶ୍ୟ ଏବଂ ସଂସାର ନିର୍ମାଣ ହୋଇଥାଏ। ଯାହା ରୂପକ-ବିମ୍ୱ ଏବଂ ସ୍ୱପ୍ନ ଭାବରେ ଦେଖାଯାଏ। ଜୀବନ କ୍ଷଣ ଭଙ୍ଗୁର ଏହା ସମସ୍ତେ ଜାଣନ୍ତି। କିନ୍ତୁ ସମସ୍ତଙ୍କୁ ଜଣାନଥାଏ। ଆଗକୁ କ’ଣ ଘଟିବ ଏହା କେହି ଜାଣିପାରନ୍ତି ନାହିଁ। ଏହା ସତ୍ୟ, ସମାଜ ମିଛ ସମ୍ମାନ ପାଇଁ କେତେ ଯେ ଅପରାଧ କରୁଛି। ଅପରାଧୀ ସମାଜ ନିଜକୁ ନିଜେ ସଭ୍ୟ କହିଥାଏ।

 

ଆଜି ତ ସମାଜ ଈଶ୍ୱରଙ୍କ ଶକ୍ତି ଏବଂ ଅସ୍ତିତ୍ୱକୁ ନେଇ ନାସ୍ତିକ ଏବଂ ଆସ୍ତିକ ଭାବରେ ବିଭାଜିତ।

 

ପ୍ରଶ୍ନ ଈଶ୍ୱରଙ୍କ ଅସ୍ତିତ୍ୱ? ଈଶ୍ୱର ଯଦି ଅଛନ୍ତି ତେବେ ଭୂକଂପ, ବନ୍ୟା, ବାତ୍ୟା-ମରୁଡିକୁ ବନ୍ଦ କରିପାରୁ ନାହାଁନ୍ତି କାହିଁକି? ଈଶ୍ୱର ଯଦି ଅଛନ୍ତି ତେବେ ସଂଘର୍ଷ-ବିବାଦ ଏବଂ ଯୁଦ୍ଧ କାହିଁକି? କାହିଁକି ଗରୀବୀ, ଅତ୍ୟାଚାର ଏବଂ ରୋଗ?

 

ଉଚ୍ଚ ବା ଶୀର୍ଷ ଅଦୃଷ୍ଟ ଶକ୍ତି ଉପରେ ବିଶ୍ୱାସ। ଈଶ୍ୱର ମନୁଷ୍ୟଠାରୁ ଅଧିକ ଶକ୍ତିଶାଳୀ ଏହି ବିଶ୍ୱାସ ହିଁ ଆସ୍ତିକତା। ଧର୍ମ ନାମରେ ଅନ୍ଧ ବିଶ୍ୱାସ ଈଶ୍ୱରଙ୍କ ଅସ୍ତିତ୍ୱ ନାହିଁ ଏବଂ ହେଉଛି ନାସ୍ତିକତା।

 

ଆତଙ୍କବାଦୀ ବ୍ୟକ୍ତି। ଆଲ୍ଲା ଅବା ଈଶ୍ୱରଙ୍କ ନାମରେ ହିଂସାକାଣ୍ଡ, ନିରୀହ ଲୋକଙ୍କୁ ହତ୍ୟା। ଏହା କ’ଣ ଆସ୍ତିକଙ୍କ କାର୍ଯ୍ୟ? ହିନ୍ଦୁ ମୁସଲମାନ ଦଙ୍ଗା ତ ଧର୍ମ ନାମରେ। ଧର୍ମ ନାମରେ ଦେଶ ବିଭାଜନ। କ’ଣ ଆସ୍ତିକତା ଦଙ୍ଗା - ଉପଦ୍ରବକୁ ଜନ୍ମ ଦେଇଛି? ୟୁରୋପ ଇତିହାସ ପ୍ରମାଣଦିଏ କ୍ରୁସ ପାଇଁ ସୁଦ୍ଧ। ଖ୍ରୀଷ୍ଟିଆନ-ମୁସଲିମ‌୍‍ ସମାଜରେ ସଂଘର୍ଷ କେବଳ ଧର୍ମ ନାମରେ। ଆସ୍ତିକତା ସମାଜରେ ଅରାଜକତାକୁ ଜନ୍ମଦିଏ। କେତେ ଯେ ଜୀବକୁ ଈଶ୍ୱରଙ୍କ ନାମରେ ବଳି ଚଢ଼ାଯାଏ। ସେ ଦେବୀଙ୍କ ପୀଠ ହେଉ ଅବା ରଜଉତ୍ସବ ଭଳି ପର୍ବ ପାଳନରେ।

 

କିନ୍ତୁ ଏତାଦୃଶ ହତ୍ୟା-ସଙ୍ଘର୍ଷରେ ଲିପ୍ତ ବ୍ୟକ୍ତି ବାସ୍ତବରେ ଆସ୍ତିକ ନୁହଁନ୍ତି। ଉତ୍ତମ-ସର୍ବୋତ୍ତମ କର୍ମ ହିଁ ଆସ୍ତିକତା। ଅନ୍ଧ ବିଶ୍ୱାସର ମୂଳକାରଣ ହିଁ ଅଜ୍ଞାନତା। ହିଂସା, ଦଙ୍ଗା, ଉପଦ୍ରବ ଆଦିର କାରଣ ସ୍ୱାର୍ଥଯୁକ୍ତ। ଧର୍ମ ନାମରେ ମତର ମାନ୍ୟତା ହିଁ ଶାନ୍ତି ସ୍ଥାନରେ ଅଶାନ୍ତି ଆଣିଥାଏ। ଧର୍ମ ସଂସ୍କୃତ ଭାଷାର ଶବ୍ଦ ଧ୍ରୁ ଧାତୁରୁ  ଧାରଣ ଅର୍ଥରେ ଆସିଅଛି। ଧାର୍ୟତେ ଇତି ଧର୍ମ ଯାହାକୁ ଧାରଣ କରାଯାଏ ତାହା ଧର୍ମ। ପବିତ୍ର ଗୁଣ ବା କର୍ମକୁ ଧାରଣ ବା ସେବନ କରିବା ଧର୍ମ। ମଣିଷ ଜୀବନକୁ ଉଚ୍ଚ ବା ପବିତ୍ର ନିର୍ମାଣକାରୀ ଜ୍ଞାନାନୁକୂଳ, ଶୁଦ୍ଧ ପବିତ୍ର ସାର୍ବଜନିନ ସମ୍ମାନ ନୀତିହିଁ ଧର୍ମ। ଜୈମୀନି ମୁନୀଙ୍କ ମିମାଂସା ଦର୍ଶନ ଅନୁଯାୟୀ ଗୁଣ ଏବଂ କର୍ମ ପ୍ରବୃତ୍ତିର ପ୍ରେରଣା ହେଉଛି ଧର୍ମର ଲକ୍ଷଣ। କିନ୍ତୁ ଆଜି ଈଶ୍ୱର, ଆଲ୍ଲା, ଯୀଶୁଙ୍କ ନାମରେ ଧର୍ମର ଗାଥା ବଖାଣୁଥବା ବ୍ୟକ୍ତିମାନେ ଧର୍ମର ମୂଳ ବିଷୟ ଏବଂ ଈଶ୍ୱରଙ୍କ ଶକ୍ତି ଏବଂ ଅସ୍ତିତ୍ୱ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରି ଚାଲିଛନ୍ତି। ସଂପ୍ରଦାୟ ଆଧାରିତ ଧର୍ମ ପୁରାଣ ଶୁଣାଇବା ସହ ଧର୍ମରକ୍ଷା- ମମ ଦୀକ୍ଷା ନାମରେ କ୍ଷମତା ସୁଖ ପାଇବା ପାଇଁ ରକ୍ତପାତକୁ ଧର୍ମ ଅନୁମୋଦିତ କର୍ମବୋଲି ପ୍ରଚାର କରୁଛନ୍ତି। ଏହା କିନ୍ତୁ ଧର୍ମ ନୁହେଁ କି ଈଶ୍ୱର ଅନୁମୋଦିତ ଈଶ୍ୱରୀୟ କର୍ମନୁହେଁ। ବୈଦିକ ସାହିତ୍ୟରେ ଧର୍ମ ବସ୍ତୁର ସ୍ୱାଭାବିକ ଗୁଣ ତଥା କର୍ତ୍ତବ୍ୟ ପୂର୍ବରୁ ଆସିଥିବା ସୂଚନା ମିଳେ। ଜଳିବା ଏବଂ ପ୍ରକାଶ କରିବା ଅଗ୍ନୀର ଧର୍ମ। ପ୍ରଜାପାଳନ ଏବଂ ସୁରକ୍ଷା-ରକ୍ଷଣ ରାଜାଙ୍କ ଧର୍ମ।

 

ମନୁ ସ୍ମୃତିରେ ଧର୍ମର ପରିଭାଷା ଯାହା ତାହା ହେଲା -ଧ୍ରୁତିଃ କ୍ଷମା ଦମୋ ଅସ୍ତତେୟଂ, ସୌଗଂ ଇନ୍ଦ୍ରିୟ ନିଗ୍ରହଃ, ଧୀର୍ବିନ‌୍‍ୟୋ ସତ୍ୟମ‌୍‍ କ୍ରୋଧେ ଦଶକଂ ଧର୍ମ ଲକ୍ଷଣ। ଅର୍ଥାତ‌୍‍ ଧୃତି, କ୍ଷମା, ପବିତ୍ରତା, ଇନ୍ଦ୍ରିୟର ବଶ, ବୁଦ୍ଧି ଅଥବା ଜ୍ଞାନ, ବିଦ୍ୟା, ବିନୟ, ସତ୍ୟ ଏବଂ ଅକ୍ରୋଧ ଧର୍ମର ୧୦ ଲକ୍ଷଣ। ଅନ୍ୟ ଏକ ସ୍ଥାନରେ କୁହାଯାଇଛି ଆଚାରଃ ପରମୋ ଧର୍ମ ଅର୍ଥାତ‌୍‍ ସଦାଚାର ର୍ହି ପରମ ଧର୍ମ।

 

ମହାଭାରତ ଅନୁଯାୟୀ, ଧାରଣାତ ଧର୍ମାମିତ୍ୟାହୁଂ। ଧର୍ମାଧ୍ୟୟୁର୍ଝତେ ପ୍ରଜା ଅର୍ଥାତ‌୍‍ ଯାହାକୁ ଧାରଣ କରାଯାଏ ଏବଂ ଯାହା ଦ୍ୱାରା ପ୍ରଜାଙ୍କ ଧାରଣ କରାଯାଇପାରେ ତାହା ଧର୍ମ।

 

ବୈଶେଷିକ ଦର୍ଶନରେ ମୁନୀ କଣାଦ ଧର୍ମର ଲକ୍ଷ୍ୟ ସମ୍ପର୍କରେ କହିଛନ୍ତି ଯେ, ୟେ ତୋ ଅଭୟୁନ୍ୟୁ ନିକେୟସସିଦ୍ଧିଂ ସ ଧର୍ମ। ଯାହା ଦ୍ୱାରା ଲୋକ କଲ୍ୟାଣ, ଉନ୍ନତି ଏବଂ ମୋକ୍ଷ ପ୍ରାପ୍ତି ତାହା ଧର୍ମ। ସ୍ୱାମୀ ଦୟାନନ୍ଦ ସରସ୍ୱତୀ ସତ୍ୟାର୍ଥପ୍ରକାଶରେ କହିଛନ୍ତି  ପକ୍ଷପାତ ବିହୀନ ନ୍ୟାୟ, ସତ୍ୟର ଗ୍ରହଣ, ଅସତ୍ୟର ପରିତ୍ୟାଗ ଏହାର ବିପରୀତ ହେଉଛି ଅଧର୍ମ। ଧର୍ମ ମଣିଷର ଉନ୍ନତି ପାଇଁ ଆବଶ୍ୟକ। ଧର୍ମର ବିକୃତ ରୂପ ହେଉଛି ଅନ୍ଧ ବିଶ୍ୱାସ, ହିଂସା, ଅଶାନ୍ତି, ଦଙ୍ଗା ଏବଂ ଉପଦ୍ରବ।

 

ଧର୍ମ ଏବଂ ମତ ମଧ୍ୟରେ ପାର୍ଥକ୍ୟକୁ ନେଇ ଆସ୍ତିକ ଏବଂ ନାସ୍ତିକ ପରିଭାଷା ଈଶ୍ୱରଙ୍କ ଶକ୍ତି ଏବଂ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଧର୍ମ ଆଚରଣ ପ୍ରଦାନର ରାସ୍ତା ଦେଖାଇଥାଏ। କିନ୍ତୁ ମତ ବିଶ୍ୱାସକୁ ଗୁରୁତ୍ୱ ଏବଂ ମହତ୍ୱ ଦେଇଥାଏ। ଧର୍ମରେ କର୍ମର ସ୍ଥାନ ଉର୍ଦ୍ଧ୍ୱରେ ମତ ବିଶ୍ୱାସରେ। ଧର୍ମ ମନୁଷ୍ୟ ସ୍ୱଭାବର ଅନୁକୂଳ। ମତ ଅପ୍ରାକୃତି ଅସ୍ୱାଭାବିକ। ଧର୍ମ ଏକ ମତ ଅନେକ। ମତ ମନୁଷ୍ୟାକୃତ। ମତ ମତାନ୍ତରରୁ ବିରୋଧିଭାବ ସୃଷ୍ଟି। ଧର୍ମ ସର୍ବକାଳୀନ ସାର୍ବଜନୀନ ଉପଯୋଗୀ। ସମସ୍ତଙ୍କ ଗ୍ରହଣୀୟ ଏବଂ ସମସ୍ତ ସ୍ଥାନରେ ଗ୍ରହଣ ଯୋଗ୍ୟ। କିନ୍ତୁ ମତ ବିଶେଷ ସମୟରେ, ବିଶେଷ ଲୋକଙ୍କ ନାମରେ, ବିଶେଷ ସ୍ଥାନରେ ଗ୍ରହଣୀୟ। ଧର୍ମ ସଦାଚାରର ରୂପ, ଧର୍ମାତ୍ମା ହେବାପାଇଁ ବାଟ ଦେଖାଇଥାଏ। ମତର ସଦସ୍ୟଙ୍କ ପାଇଁ ଏହା ଆବଶ୍ୟକ ନୁହେଁ। ଈଶ୍ୱର ନିରାକାର, ସେ ସର୍ବବ୍ୟାପକ, ସେ ସବୁଠି ଅଦୃଶ୍ୟ ଭାବରେ ବିଦ୍ୟମାନ। ଏହାକୁ ମତର ବା ସଂପ୍ରଦାୟର ବ୍ୟକ୍ତି ସ୍ୱୀକାର କରନ୍ତି ନାହିଁ। ଯଦି ଏହାକୁ ସ୍ୱୀକାର କରୁଥା’ନ୍ତେ ତେବେ କ’ଣ କେହି ଜୀବହତ୍ୟା, ଦଙ୍ଗା ଓ ଧର୍ମ ନାମରେ ଅରାଜକତା ସୃଷ୍ଟି କରୁଥା’ନ୍ତେ।

 

ଘଣ୍ଟାରୁ ସମୟକୁ ଅନୁମାନ କରାଯାଏ। ସେହିପରି ସୂର୍ଯ୍ୟ, ଚନ୍ଦ୍ର, ଋତୁର ନିର୍ମାଣକାରୀ ତ ଈଶ୍ୱର। ଏହି ସୃଷ୍ଟି ସମ୍ଭାରକୁ ନେଇ ଈଶ୍ୱରଙ୍କ ଅସ୍ତିତ୍ୱକୁ ଅନୁମାନ କରାଯାଏ। ଆସ୍ତିକ ବ୍ୟକ୍ତି ଆସକ୍ତି ରହିତ। କିନ୍ତୁ ନାସ୍ତିକ ବ୍ୟକ୍ତି ଆସକ୍ତି ଯୁକ୍ତ। ଆଜି ଯେଉଁମାନେ ନାସ୍ତିକ ଓ ଆସ୍ତିକ ଭାବେ ପରିଚିତ ସେମାନଙ୍କ ମଧ୍ୟରୁ ପ୍ରକୃତରେ ଈଶ୍ୱରଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ କରୁଥିବା ବ୍ୟକ୍ତି ନାସ୍ତିକ ନୁହଁନ୍ତି। ସେହିପରି ଈଶ୍ୱରଙ୍କ ବିଭିନ୍ନ ରୂପକୁ ପ୍ରଚାର କରୁଥିବା ବ୍ୟକ୍ତି ମଧ୍ୟ ଆସ୍ତିକ ନୁହଁନ୍ତି। ପ୍ରାଚୀନ କାଳରେ ଦେବତା, ଦାନବ, ପ୍ରେତ ଆଦି ମାୟା ରଚନା କରୁଥିଲେ। ଏହିପରି କରୁଥିଲେ ଯାହା ବ୍ୟକ୍ତି ଓ ସମାଜ ପାଇଁ ଅସମ୍ଭବ ଥିଲା। ଏହାକୁ ସତ୍ୟବୋଲି ବ୍ୟକ୍ତି ଓ ସମାଜ ଗ୍ରହଣ କରୁଥିଲେ। ରାକ୍ଷାସ ମନୁଷ୍ୟ ରୂପ ଧାରଣ କରୁଥିଲେ। ଦେବତା ପଶୁ ରୂପ ନେଉଥିଲେ। ସହର ନିର୍ମାଣ କରୁଥିଲେ ମାୟାବୀ। ଏଭଳି କଳ୍ପନାର କାହାଣୀ ଆସ୍ତିକଙ୍କ ଦ୍ୱାରା ସୃଷ୍ଟି। ଏହା କିନ୍ତୁ ସତ୍ୟ ଆଧାରିତ ନୁହେଁ।

 

ଆଜି ଦିନରେ ପ୍ରଚାରରେ ଆଧୁନିକ ସମାଜର ଯେପରି ଉନ୍ନିତ- ବୁଦ୍ଧି ବିକାଶର କଥା କୁହାଯାଉଛି ଧର୍ମର ପ୍ରକୃତ ଅର୍ଥ ଓ ମର୍ମକୁ ଭୁଲଭାବେ ପ୍ରଚାର କରାଯାଉଛି। ମତ ସଂପ୍ରଦାୟର ଉକ୍ତିକୁ ଧର୍ମ ସହ ଈଶ୍ୱରଙ୍କ ଶକ୍ତି ଓ ଅସ୍ତିତ୍ୱର ଭୁଲ ପ୍ରଚାର କରାଯାଉଛି ଯାହା ଫଳରେ ସମାଜରେ ବିଘଟନ ଦେଖିବାକୁ ମିଳୁଛି। କିଛି ମତଧାରୀ ଈଶ୍ୱର ମନ୍ଦିରରେ ଅଛନ୍ତି ଅନ୍ୟ କେଉଁଠି ନାହାଁନ୍ତି ବୋଲି ତର୍କ କରୁଥିବାବେଳେ ଆଉ କିଛି ମତଧାରୀ ଈଶ୍ୱର ମସ‌୍‍ଜିଦ‌୍‍ରେ ଅଛନ୍ତି ଆଉ କେତେକ ମତଧାରୀ ଗୀର୍ଜାରେ, ଗୁରୁଦ୍ୱାରରେ ଥିବା ଯୁକ୍ତି କରି ଅନ୍ୟ ମତଧାରୀକୁ ନାସ୍ତିକ, ଅଧର୍ମୀ, ବିଧର୍ମୀ କହି ଭିନ୍ନ ମତ ରଖୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହା ତ ଧର୍ମ ନୁହେଁ।

 

ଯେଉଁ ସମୟରେ ବ୍ରଡକାଷ୍ଟ ମିଡିଆ, ପ୍ରିଣ୍ଟ‌୍‍ ମିଡିଆ, ସୋସିଆଲ ମିଡିଆ ନଥିଲା ଏଥିପାଇଁ ବୋଧହୁଏ ଦେବତା - ରାକ୍ଷାସମାନେ ତନ୍ତ୍ର ମନ୍ତ୍ରର ସାହାଯ୍ୟ ନେଉଥିଲେ। କିନ୍ତୁ ଆଜି ଦିନରେ ବିନା ମନ୍ତ୍ର ତନ୍ତ୍ରରେ ମାୟା ରଚନା କରାଯାଇ ପାରୁଛି। ଯେଉଁଠି ବିକାଶ ହୋଇପାରି ନାହିଁ ମିଡିଆ ମାଧ୍ୟମରେ ବିକାଶକୁ ଦେଖାଇ ଦିଆଯାଉଛି। ଗଣେଶଙ୍କ ମୂର୍ତ୍ତିରୁ କ୍ଷୀର ବୋହିବା ଇଏ ଗୋଟିଏ ମାୟାର ସ୍ୱରୂପ। ଏହିପରି ଅପରାଧ, ଭୋକ, ଭୟ, ବାଲ୍ୟ ବିବାହ ଦେହସୁଖ, କାମନାଯୁକ୍ତ ସୁଖ ହିଁ ଜୀବନର ସାର୍ଥକତା ଏବଂ ଏହା ପୂର୍ବଜନ୍ମର ସୁକୃତ ବୋଲି ପ୍ରଚାର କରାଯାଉଛି। ଇହକାଳ ପରକାଳର କଥାକହି ଭାଗ୍ୟବାଦ ସହ ମଣିଷ ଜୀବନକୁ ଯୋଡ଼ି ଦିଆଯାଉଛି। ଏହା ତ ମାୟାର ଆଧୁନିକ ରୂପ। ପ୍ରକୃତ ଧର୍ମର ଏହା ବିକୃତି କରଣ। ମିଛ କହୁଥିବା ବ୍ୟକ୍ତି ତ ପ୍ରଚାର ଦୂତ-ପୁରୋହିତ ସାଜି ଧର୍ମର ବଡ ବଜାର ସୃଷ୍ଟି କରୁଛନ୍ତି। ଏହା କରିବାରେ ମଧ୍ୟ ସଫଳ ହୋଇଛନ୍ତି। ଏହା ଫଳରେ ଧର୍ମ-ଆସ୍ତିକତା-ନାସ୍ତିକତା ଈଶ୍ୱରଙ୍କ ଶକ୍ତି ଓ ଅସ୍ତିତ୍ୱକୁ ନେଇ ବିବାଦ-ସଙ୍ଘର୍ଷର କାରଣ ପାଳଟିଛି। ଧର୍ମ ନାମରେ ଆଧୁନିକ ମାୟାବୀମାନେ ରାତ୍ରୀର ଅନ୍ଧାରରେ ମାୟାବୀ ରୂପଧରି ଲୁଟପାଟ କରୁଛନ୍ତି। ଚଳାଉଛନ୍ତି ହତ୍ୟା ବଳାତ୍କାର ଭଳି ଘଟଣା। ମାୟାବୀ ଲୋକ କାଳ୍ପନିକ ନୁହେଁ ବାସ୍ତବିକ। ମାୟାବୀ ଦାମି ଗାଡି ସୁରକ୍ଷା ବଳ ସହ ଉଡ଼ାଜାହାଜରେ ଯାତ୍ରା କରୁଛନ୍ତି। କିନ୍ତୁ ମାୟାବୀଙ୍କୁ ଚିହ୍ନି ହେଉନି। ସେହିପରି ଧର୍ମ ଅଧର୍ମ, ଆସ୍ତିକତା ନାସ୍ତିକତା ଏବଂ ଈଶ୍ୱରଙ୍କ ଶକ୍ତି ଓ ଅସ୍ତିତ୍ୱକୁ ଚିହ୍ନି ହେଉନାହିଁ। କାରଣ ମାୟାବୀଙ୍କ ବଳକୁ ହ୍ରାସ କରିବା ପରିବତ୍ତେର୍ ଆଜିର ପ୍ରସ୍ଖର ଯନ୍ତ୍ର ମାୟାବୀଙ୍କ ମାୟାକୁ ଅଧିକ ସଶକ୍ତ ଓ ପ୍ରସାରିତ କରୁଛି।

 

ଏଥିଯୋଗୁ ଧର୍ମ-ମତର ଅର୍ଥ-ଅନର୍ଥକୁ ବୁଝି ହେଉନି। ମାୟାର ଆଧୁନିକ ରୂପ ଯେତିକି ଜଟିଳ ହେଉଛି ସେହିପରି ଅଧିକ ପ୍ରସାରିତ ହେବାରେ ଲାଗିଛି। ଫଳରେ ଧର୍ମ ନାମରେ ଅଧର୍ମର ବିତ୍ପାତ ଅଧିକରୁ ଅଧିକ ଦେଖିବାକୁ ମିଳୁଛି।

 

ସାମ୍ୱାଦିକ, ଭୁବନେଶ୍ୱର

ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top