ବିଜୁ ବାବୁ ଓ କସ୍ତୁରୀ ବକ୍ସି

News Story - Posted on 2018-03-06

ବୈଷ୍ଣବ ଜେନା

 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ରାଜ୍ୟର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରୁଥିଲେ। ଏହା ବିଜୁବାବୁଙ୍କର ଅନ୍ୟତମ ଶ୍ରେଷ୍ଠ ଗୁଣ ଥିଲା। ଏହାର ସଦୁପଯୋଗ କରି ଅତୀତରେ ବହୁ ଯୁବକ ଯୁବତୀ ସଫଳତା ହାସଲ କରିଥିଲେ। କେତେଜଣ ବୈଜ୍ଞାନିକ ହୋଇଥିଲେ। ଆଉ କେତେଜଣ ଡାକ୍ତର, ଇଂଜିନିୟର, ପ୍ରଫେସର, ଶିଳ୍ପପତି ଏବଂ ଓକିଲ ହୋଇପାରିଥିଲେ। ବିଜୁବାବୁଙ୍କର ପ୍ରୋତ୍ସାହନ ଯୋଗୁ ରାଜ୍ୟରେ ଶହ ଶହ ରାଜନେତା ମଧ୍ୟ ସୃଷ୍ଟି ହୋଇଛନ୍ତି। କେବଳ ଓଡ଼ିଶା ରାଜ୍ୟ ନୁହେଁ, ଅନ୍ୟାନ୍ୟ ରାଜ୍ୟ, ଦେଶ ତଥା ବିଦେଶର ବହୁ ମେଧାବୀ ଯୁବକଙ୍କୁ ମଧ୍ୟ ବିଜୁବାବୁ ମାନସିକ ଓ ଆର୍ଥିକ ସ୍ତରରେ ପ୍ରୋତ୍ସାହିତ କରିଥିବାର ନଜିର ଅଛି। ବିଜ୍ଞାନର ପ୍ରସାର ଓ ଗବେଷଣା ପାଇଁ ‘କଳିଙ୍ଗ ପୁରସ୍କାର’ ତାଙ୍କର ଆଉ ଏକ କୀର୍ତ୍ତିସ୍ତମ୍ଭ। ଏହି କ୍ରମରେ କସ୍ତୁରୀ ବକ୍ସି ନାମ୍ନୀ ଜଣେ ମେଧାବୀ ଛାତ୍ରୀଙ୍କୁ ବିଜୁବାବୁଙ୍କ ଅକୁଣ୍ଠ ସାହାଯ୍ୟ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।

 

୧୯୯୨ ମସିହାର ଘଟଣାଟିଏ। ଆମ୍ଭେ କୌଣସି ଏକ କାମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ପ୍ୟାରୀ ମୋହନ ମହାପାତ୍ରଙ୍କ ଦପ୍ତରକୁ ଯାଇଥିଲୁ। ଏହି ସମୟରେ ଜଣେ ସୁନ୍ଦରୀ ଯୁବତୀ ସେଠାକୁ ଆସିଥିଲେ। ସେ କିଛି କହିବା ପୂର୍ବରୁ ପ୍ୟାରୀବାବୁ ତାଙ୍କୁ କହିଥିଲେ, ମୁଁ ତୁମକୁ କିଛି ସାହାଯ୍ୟ କରିପାରିବି ନାହିଁ। ତେବେ ବୁଢ଼ା (ବିଜୁବାବୁ) ଚାହିଁଲେ ତୁମର କାମ ହୋଇଯିବ। ଏବେ ବୁଢ଼ା ଭଲ ମୁଡରେ ଅଛନ୍ତି, ତୁମେ ଯାଇ ତାଙ୍କୁ ଦେଖାକର। ଯୁବତୀ ଜଣକ ପ୍ରଥମେ ଅମଙ୍ଗ ହୋଇଥିଲା। ପରେ ଯିବା ପାଇଁ ରାଜି ହୋଇଥିଲା। ତେବେ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ପ୍ୟାରୀବାବୁ ଆମ୍ଭଙ୍କୁ ସେହି ଯୁବତୀ ସହିତ ବିଜୁବାବୁଙ୍କ କକ୍ଷକୁ ଯିବାକୁ କହିଥିଲେ। ଆମ୍ଭେ ତାହା ମାନି ନେଇଥିଲୁ। ବିଜୁବାବୁଙ୍କ ପାଦ ଛୁଇଁ ସେହି ଯୁବତୀଟି ପ୍ରଣାମ କରିଥିଲା ଏବଂ ଆଣିଥିବା ଗୋଟିଏ କଳା ଓ ଧଳାଘୋଡ଼ା ଚିତ୍ର ପ୍ରଦାନ କରିଥିଲା। ସେହି ଚିତ୍ରଟି ବିଜୁବାବୁ ମୁଖ୍ୟମନ୍ତ୍ରୀ ଚଉକି ଛାଡ଼ିବା ପର୍ଯ୍ୟନ୍ତ ରହିଥିଲା। ବିଜୁବାବୁ ସେହି ଯୁବତୀକୁ ତାଙ୍କର ପରିଚୟ ଓ ଆସିବାର ଉଦ୍ଦେଶ୍ୟ ପଚାରିଥିଲେ। ଉତ୍ତରରେ ଯୁବତୀଟି ବଙ୍ଗଳା ମିଶା ଓଡ଼ିଆରେ ତାହାର ନାମ କସ୍ତୁରୀ ବକ୍ସି ଏବଂ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନର ଷଷ୍ଠ ବାର୍ଷିକ ଛାତ୍ରୀ ବୋଲି କହିଥିଲା। ଏହା ଛଡ଼ା ତାଙ୍କର ଘର ପଶ୍ଚିମ ବଙ୍ଗ, ଚବିଶ ପ୍ରଗଣା ଜିଲ୍ଲାର ବାରାକପୁରରେ ବୋଲି କହିଥିଲା। ଏହାପରେ ବିଜୁବାବୁ କହିଥିଲେ, ତୁ କେତେ ଦିନ ହେଲା ଓଡ଼ିଶାରେ ରହିଲୁଣି? ଉତ୍ତରରେ ସେ ଦୁଇବର୍ଷ ବୋଲି କହିଥିଲା। ବିଜୁବାବୁ ଟିକେ ବିରକ୍ତ ହୋଇ କହିଥିଲେ - ଦୁଇବର୍ଷ ହେଲା ତୁ ଓଡ଼ିଶାରେ ରହିଲୁଣି, ମାତ୍ର ଭଲ ଓଡ଼ିଆ କହିପାରୁନୁ?

 

ଯୁବତୀଟି ବିଜୁବାବୁଙ୍କ ଏହି କଥାରେ ଅପ୍ରତିଭ ହୋଇଯାଇଥିଲା ଏବଂ ଆଉ କିଛି ଦିନ ପରେ ଭଲ ଓଡ଼ିଆ କହିବ ବୋଲି ପ୍ରତିଶୃତି ଦେଇଥିଲା। ଏଥି ସହିତ ସେ ତାହାର ଆସିବା ଉଦ୍ଦେଶ୍ୟ କହିଥିଲା। ତାହାର କହିବା ଅନୁସାରେ ତାହାର ଭୌଗୋଳିକ ସଂଦର୍ଭଟି ଅତ୍ୟନ୍ତ ଉଚ୍ଚକୋଟିର ହୋଇଥିବାରୁ ବିଶ୍ୱ ଭୂବିଜ୍ଞାନ କଂଗ୍ରେସ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ତାହାକୁ ପାଠ କରିବା ପାଇଁ ତାକୁ ଆମନ୍ତ୍ରଣ ଆସିଛି। ଏକମାତ୍ର ଭୂବିଜ୍ଞାନ ଛାତ୍ରୀ ଭାବରେ ଏସିଆ ମହାଦେଶରୁ ସେ ମନୋନୀତ ହୋଇଛି। ଏଥିପାଇଁ ତାକୁ ନ୍ୟୁୟର୍କ ଯିବାକୁ ହେବ। ପାଖରେ ପଇସା ନାହିଁ। ଏଥିପାଇଁ ବିଜୁବାବୁଙ୍କର ସାହାଯ୍ୟ ଦରକାର ବୋଲି ସେ କହିଥିଲା। ଏକଥା ଶୁଣି ବିଜୁବାବୁ ପ୍ରଶ୍ନ କଲେ - ତୁ କୋଲକତାର ଝିଅ, ଜ୍ୟୋତି ପାଖକୁ ଯାଆ। ଜ୍ୟୋତି ଅର୍ଥାତ ଜ୍ୟୋତି ବସୁ ଥିଲେ ସେତେବେଳେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ। ଏକଥା ଶୁଣି ଯୁବତୀଟି କହିଥିଲା, ମୁଁ ଜ୍ୟୋତିବାବୁଙ୍କୁ ଭେଟିଥିଲି। ମାତ୍ର ସେ ସ୍ପଷ୍ଟ ମନା କରିଦେଇଥିଲେ - କାରଣ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ ମୋର ଗବେଷଣାମୂଳକ ସଂଦର୍ଭଟି ମୁଖ୍ୟତଃ ଓଡ଼ିଶାର ଭୌଗୋଳିକ ସ୍ଥିତି ସମ୍ପର୍କିତ। (ସଂଦର୍ଭର ଶିରୋନାମା ଥିଲା - ପ୍ରମୁଖ ନଦୀଗୁଡ଼ିକ ଦ୍ୱାରା ପଟୁମାଟି ଜମା ଏବଂ ଉପକୂଳବର୍ତ୍ତି ରାଜ୍ୟଗୁଡ଼ିକର ଭୌଗୋଳିକ ସ୍ଥିତି।) ବିଜୁବାବୁ କିଛି ସମୟ ଚିନ୍ତା କଲା ପରେ କହିଲେ - କଲିକତା ଛାଡ଼ି ଉତ୍କଳ ବିଶ୍ୱବିଦ୍ୟାଳୟରେ କାହିଁକି ପଢ଼ିଲୁ? ଉତ୍ତରରେ କସ୍ତୁରୀ କହିଥିଲା ଯେ, ପଶ୍ଚିମ ବଙ୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଭଲ ଧାରଣା ଅଛି - ବିଶେଷ କରି ଏଠାରେ ଭଲ ପାଠ ପଢ଼ାଯାଏ ବୋଲି ପ୍ରଚାର ମଧ୍ୟ ଚାଲିଛି। ଏହି ଆଧାରରେ ତାହାର ପ୍ରାଥମିକ ସ୍କୁଲ ଶିକ୍ଷକ ପିତା ଏଠାରେ ତାକୁ ଛାଡ଼ିଥିଲେ। ସ୍ମିତହାସ୍ୟ ଦେଇ ବିଜୁବାବୁ ନ୍ୟୁୟର୍କ ଯିବାଆସିବା ଖର୍ଚ୍ଚ ମୁହେଁ ମୁହେଁ ହିସାବ କରିଦେଲେ। ଯିବାଆସିବା ଓ ରହିବା ଖାଇବା ପାଇଁ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଏହାପରେ କସ୍ତୁରୀର କାନ୍ଧରେ ହାତ ରଖି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସପ୍ତାହ ପରେ ଆସିବାକୁ କହିଥିଲେ। ଆମ୍ଭେ ସେଠାରେ ଜଣେ ନୀରବଦ୍ରଷ୍ଟା ଥିଲୁ।

 

ସେଠାରୁ ଫେରି ପ୍ୟାରୀ ବାବୁଙ୍କ କକ୍ଷକୁ ଆମେ ଦୁଇଜଣ ଯାଇଥିଲୁ। ପ୍ୟାରୀବାବୁ ସବୁକଥା ଅବଗତ ହେଲାପରେ କହିଥିଲେ - ତୁମ କାମ ହୋଇଯିବ। ଏଥର ଯାଅ ଏବଂ ସପ୍ତାହ ପରେ ଆସି ବୁଝିନେବ। ଏହାପରେ ପ୍ୟାରୀବାବୁ ଆମ୍ଭଙ୍କୁ ଏହି ଖବରଟି ଇଂରାଜୀ ଖବରକାଗଜରେ କିପରି ବାହାରିବ, ତାହା ଦେଖିବାକୁ କହିଥିଲେ। ଆମ୍ଭେ ଶାରଦା ଭାଇ (ନନ୍ଦ)ଙ୍କୁ କହି ଦୈନିକ ଟେଲିଗ୍ରାଫରେ ଏକ ବଡ଼ ସମ୍ୱାଦ ପ୍ରକାଶନର ବ୍ୟବସ୍ଥା କରାଇ ଦେଇଥିଲୁ। କସ୍ତୁରୀ ଏଥିରେ କୃତ୍ୟକୃତ୍ୟ ହୋଇଯାଇଥିଲା। ଠିକ‌୍‍ ୭ ଦିନ ପରେ ସେହି ଖବର କାଗଜଟିକୁ ଧରି ସେ ଖୋଜି ଖୋଜି ଆମ ଘରେ ପହଂଚିଗଲା। ଆମ୍ଭେ ଦୁହେଁ ସଚିବାଳୟ ଯାଇ ପ୍ୟାରୀବାବୁଙ୍କୁ ଦେଖା କରି ବିଜୁବାବୁଙ୍କ ଦପ୍ତରରେ ପହଂଚିଲୁ। ବିଜୁବାବୁ ଆମକୁ ଦେଖି ତତକ୍ଷଣାତ କହିଥିଲେ - ଏ ବକ୍ସି ତୋ କାମ ହୋଇଯାଇଛି - ତୁ ନିର୍ଦ୍ଦିଷ୍ଟ ତାରିଖରେ ଦମଦମ ବିମାନ ବନ୍ଦରରେ ପହଂଚ। ଏକଥା ଶୁଣି କସ୍ତୁରୀ କିଛି ଆଉ କହିବ ବୋଲି ଭାବୁଥିଲା - ମାତ୍ର ବିଜୁବାବୁ କୁହାଇ ଦେଲେନାହିଁ। ଇଂରାଜୀରେ କହିଲେ, ମୁଁ ବିଜୁ ପଟ୍ଟନାୟକ କହୁଛି। ଦମଦମ ଯା। ସବୁ ବ୍ୟବସ୍ଥା ହୋଇସାରିଛି।

 

ନ୍ୟୁୟର୍କରୁ ଫେରିବା ପରେ କସ୍ତୁରୀ ପୁନର୍ବାର ଆମ ପାଖକୁ ଆସି ବିଜୁବାବୁଙ୍କ ମହାନତା ସମ୍ପର୍କରେ ବର୍ଣ୍ଣନା କରିଥିଲା। ତାହାର କହିବା ଅନୁଯାୟୀ - ସେ ଦମଦମରେ ପହଂଚିବା ପରେ ତାଙ୍କୁ ବିମାନବନ୍ଦରର ଲୋକ ସମ୍ପର୍କ ଅଧିକାରୀ ପାଛୋଟି ନେଇଥିଲେ ଏବଂ ପ୍ରଥମର ଥର ପାଇଁ ବିମାନଯାତ୍ରା କରୁଥିବାରୁ ପରିଚାରିକା (ଏୟାର ହୋଷ୍ଟେସ‌୍‍)ମାନଙ୍କ ସହିତ ପରିଚୟ କରାଇ ଦେଇଥିଲେ। ନ୍ୟୁୟର୍କରେ ପହଂଚିବା ମାତ୍ରେ ସେ ବିମାନବନ୍ଦରରେ ବିରାଟ ସ୍କ୍ରିନରେ ତାଙ୍କୁ ଭାରତୀୟ ଦୂତାବାସ ସ୍ୱାଗତ କରୁଛି ବୋଲି ପଢ଼ିଥିଲେ। ଭାରତୀୟ ଦୂତାବାସର ଜଣେ ଅଫିସର ତାଙ୍କୁ ନେଇଯାଇ ଦୂତାବାସର ଅତିଥିଶାଳାରେ ରଖିଥିଲେ। ସମ୍ମିଳନୀ ସ୍ଥଳକୁ ଯିବା ଆସିବାର ବନ୍ଦୋବସ୍ତ କରିବା ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ କରିବା, ରହିବା ଓ ଖାଇବାର ବ୍ୟବସ୍ଥା କରିଥିଲେ। ସେଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତକୁ ସେ ମଧ୍ୟ ଭେଟିଥିଲେ। ତାଙ୍କୁ ବିଜୁବାବୁ କିପରି ଜାଣିଲେ ବୋଲି ରାଷ୍ଟ୍ରଦୂତ ପ୍ରଶ୍ନ କରିଥିଲେ। ସେ ମଧ୍ୟ କସ୍ତୁରୀକୁ ଏକ ଉପହାର ପ୍ରଦାନ କରିଥିଲେ।

 

ନ୍ୟୁୟର୍କରୁ ଫେରିବା ପରେ କସ୍ତୁରୀ ପୁନର୍ବାର ଆମ ସହିତ ବିଜୁବାଙ୍କୁ ଭେଟି ତାହାର ମାନପତ୍ର ଦେଖାଇଲା ବେଳେ ବିଜୁବାବୁ ଗବେଷଣା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ସେହି କସ୍ତୁରୀ ଏବେ ଡଃ କସ୍ତୁରୀ ବକ୍ସି। ଜଣେ ପ୍ରାଧ୍ୟାପିକା ଏବଂ ଜଣେ ଛାତ୍ରବତ୍ସଳ ଅଧ୍ୟାପିକା ଓ ଗବେଷଣା ମାର୍ଗଦର୍ଶକ। ସେ ଜଣେ ବିଶ୍ୱବିଖ୍ୟାତ ଭୂବିଜ୍ଞାନୀ। ତାଙ୍କ ଅଧୀନରେ ବହୁ ଛାତ୍ରଛାତ୍ରୀ ଗବେଷଣାରତ।

 

ସାମ୍ୱାଦିକ

ମୋ- ୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top