ଘୁମୁସରର ଦୋଳ ଯାତ୍ରା

News Story - Posted on 2018-03-02

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ଦୋଳେଷୁ ଦୋଳ ଗୋବିନ୍ଦଂ, ଚାପେଷୁ ମଧୁସୂଦନଂ

ରଥେଷୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନଲଭ୍ୟତେ।

 

ଅର୍ଥାତ ଦୋଳ ବିମାନରେ ଗୋବିନ୍ଦ, ଚାପ କ୍ରୀଡା ସମୟରେ ମଧୁସୂଦନ ଏବଂ ରଥ ଉପରେ ବାମନଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି।

 

ଓଡିଶାରେ ବାର ମାସରେ ତେର ଯାତ୍ରା ପାଳିତ ହୁଏ। ସେଥି ମଧ୍ୟରୁ ଦୋଳ ପୂର୍ଣ୍ଣିମା ଅନ୍ୟତମ। ସାରା ରାଜ୍ୟରେ ଏହି ପର୍ବ ଧୁମ‌୍‍ଧାମରେ ପାଳନ ହେଉଥିବାବେଳେ ଗଂଜାମ ଜିଲ୍ଲା ଘୁମୁସରର କୁଲାଡ ଗଡର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି। ଏକଦା ଭଂଜରାଜ ବଂଶ ରାଜୁତି କରୁଥିବା ଘୁମୁସରର ଭୌଗୋଳିକ ଅବସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡେ ଯେ ଏହା ବର୍ତମାନର କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଯାଏଁ ପରିବ୍ୟାପ୍ତ ଥିଲା। ତେଣୁ ଆଜି ମଧ୍ୟ କୁଲାଡ ଦୋଳ ପୂର୍ଣ୍ଣମୀର ଅବ୍ୟବହିତ ପୂର୍ବରୁ କଳିଙ୍ଗା, ଉଦୟଗିରି ଓ ଚକାପାଦ ଅଂଚଳର କନ୍ଧ ସଂପ୍ରଦାୟର ଲୋକମାନଙ୍କ  ସମାଗମ ଦେଖିବାକୁ ମିଳେ।

 

ଏହି ଯାତ୍ରା ଫାଲ‌୍‍ଗୁନ ଶୁକ୍ଳ ଦଶମୀ ତିଥିଠାରୁ ଆରମ୍ଭ ହୋଇ ଫାଲ‌୍‍ଗୁନ ପୂର୍ଣ୍ଣମୀ ଅର୍ଥାତ‌୍‍ ଦୋଳ ପୂର୍ଣ୍ଣମୀ ଦିନ ପରିସମାପ୍ତି ହୋଇଥାଏ। କୁଲାଡ ଦୋଳ ଯାତ୍ରାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା କୁଲାଡ ବଡଦାଣ୍ଡରେ ୪ ଯୁଗର ଅର୍ଥାତ‌୍‍ ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଯୁଗର ଠାକୁରମାନଙ୍କର ମେଲଣ ହୋଇଥାଏ। ବଡଦାଣ୍ଡର ପଶ୍ଚିମ ଦିଗରେ ସୁସଜ୍ଜିତ ବିମାନମାନଙ୍କରେ ବିଜେ କରି ଥାନ୍ତି ଶ୍ରୀ ରଘୁନାଥ ସ୍ୱାମୀ(ତ୍ରେତୟା) ଓ ଶ୍ରୀ ଜଗନ୍ନାଥ ସ୍ୱାମୀ(କଳି)। ସେହିଭଳି ପୂର୍ବଭାଗରେ ବିଜେ ହୋଇଥାନ୍ତି ଶ୍ରୀ ନାରାୟଣ ସ୍ୱାମୀ(ସତ୍ୟ) ଓ ଶ୍ରୀ ଗୋପୀନାଥ ସ୍ୱାମୀ(ଦ୍ୱାପର)। ଚତୁର୍ଦ୍ଦଶୀର ମଧ୍ୟରାତ୍ରରୁ ଠାକୁରମାନେ ବିଜେ ହେବା ପରେ ଆଂଚଳିକ ନାଟ ପରିବେଷଣ ହୋଇଥାଏ। ପୂର୍ଣ୍ଣୀମା ଦିନ ସକାଳୁ ବଡଦାଣ୍ଡରେ ଚାରିଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିବା ସହ ନାଟ, ଯାତ୍ରା ଉପଭୋଗ କରନ୍ତି। ଘଂଟ, ମୃଦଙ୍ଗ ଧ୍ବନିରେ କୁଲାଡ ଦାଣ୍ଡ ପ୍ରକମ୍ପିତ ହୋଇଥାଏ। ଏହି ଯାତ୍ରାକୁ ଉପଭୋଗ କରିବା ପାଇଁ ଦୂର ଦୂରରାନ୍ତରରୁ ଲୋକମାନଙ୍କ ସମାଗମ ହୋଇଥାଏ।

 

ଯାତ୍ରାର ଶେଷ ପ୍ରହରରେ ଘୁମୁସରର ଅନତି ଦୂରରେ ଥିବା କୋକଲଣ୍ଡା ଗ୍ରାମର ଗୋସାଇଁ ସବାରିରେ ଆସି ଠାକୁରଙ୍କୁ ଦର୍ଶନ କରିବାପରେ ଠାକୁରମାନଙ୍କର ମେଲଣ ହୋଇଥାଏ। ସୂଚନାଯୋଗ୍ୟ ଏହି ବ୍ରାହ୍ମଣ ଗୋସାଇଁମାନେ ମୂଳତଃ ତାମିଲନାଡୁ ବାସିନ୍ଦା। ଦୋଳଯାତ୍ରା ସମୟରେ ଗୋସାଇଁ ବିମାନରେ ଆସି ଚାରିଠାକୁରଙ୍କୁ ଦର୍ଶନ କରିଥାନ୍ତି।

 

ବିମାନରେ ବିଜେ କରିଥିବା ଠାକୁରମାନେ କୁଲାଡଗଡର ପୂର୍ବତଟରେ ପ୍ରବାହିତ ହୋଇଥିବା ବଡନଦୀ ପାରି ହୋଇ ନାରାୟଣ ଓ ଶ୍ରୀଗୋପୀନାଥ ପୀଠ  ନିକଟରେ ରାଜାଗ୍ନି ଉତ୍ସବରେ ଯୋଗ ଦେବାପରେ ଯାତ୍ରା ସମାପନ ହୁଏ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top