ରଙ୍ଗ ଓ ରାସର ପର୍ବ-୨

News Story - Posted on 2018-03-02

ଡ. ଶରତ ଚନ୍ଦ୍ର ପରିଡ଼ା

 

ଦୋଳ ମଣ୍ଡପରେ ଝୁଲଣପର୍ବ : ଦୋଳପୂର୍ଣ୍ଣିମା ଦିନ ହିଁ ପ୍ରଧାନ ଦୋଳଯାତ୍ରା ଭାବେ ପରିଚିତ। ଫାଲଗୁନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀର ଅଷ୍ଟମ ଯାମରେ କିମ୍ୱା ପୂର୍ଣ୍ଣମୀ ଓ ପ୍ରତିପଦ ସନ୍ଧିକାଳରେ ଦୋଳ ଉତ୍ସବ ପାଳନ କରିବା ବିଧେୟ। ଦୋଳପୂର୍ଣ୍ଣମୀ ଦିନ ପ୍ରତ୍ୟୁଷରୁ ସାଧାରଣତଃ ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ଯୁଗଳ ମୂର୍ତ୍ତିକୁ ସ୍ନାନବିଧି ସମାପନ କରାଯାଏ। ତା’ପରେ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ସୁସଜ୍ଜିତ ‘ଦୋଳମଣ୍ଡପ’କୁ ପଟୁଆରରେ ମହା ସମାରୋହରେ ବିମାନରେ ନିଆଯାଏ। ବୃନ୍ଦାବନ ଠାରେ ନନ୍ଦସୁତ ଶ୍ରୀକୃଷ୍ଣଙ୍କ ଲାଗି ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଯେଉଁ ଦୋଳମଣ୍ଡପ ବିଶ୍ୱକର୍ମା ନିର୍ମାଣ କରିଥିଲେ ତାହାର ପରିସର ଥିଲା ଶହେ ହାତ ଓ ଖୁବ‌୍‍ ଉଚ୍ଚ ମଧ୍ୟ ଥିଲା। ତାହା ଅଚ୍ୟୁତାନନ୍ଦଙ୍କ  ସପ୍ତଖଣ୍ଡ ହରିବଂଶର ତୃତୀୟ ଖଣ୍ଡରେ ବର୍ଣ୍ଣନା କରାଯାଇଛି : ପରିମାଣ ଅଟେ ତାର ଶହେ ହାତ ସ୍ଥଳୀ, ସାତତାଳ ଉଚ୍ଚ ସେ ଯେ ନୁହଇ ତା କଳି। ଏପରି ଉଚ୍ଚ ଦୋଳମଣ୍ଡପରେ ପୂଜାର୍ଚ୍ଚନା କରାଯାଏ ଏବଂ ଠାକୁରଙ୍କ ନିକଟରେ ବ୍ରାହ୍ମଣମାନେ ନୂତନ ବର୍ଷର ପଞ୍ଜିକା ପାଠ କରି ଆସନ୍ତା ବର୍ଷର ଫଳାଫଳ ଶୁଣାନ୍ତି। କିନ୍ତୁ ପ୍ରକୃତରେ ହିନ୍ଦୁନୂତନ ବର୍ଷ ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ। ସେ ଯାହା ହେଉ ନୂତନ ବର୍ଷ ପାଇଁ ଅନୁଗ୍ରହ ଭିକ୍ଷା କରସାରିଲା ପରେ ଏକ ସୁସଜ୍ଜିତ ଦୋଳିରେ ବସାଇ ଗ୍ରାମବାସୀ ଭକ୍ତମାନଙ୍କ ଦ୍ୱାରା ଦକ୍ଷିଣାଭିମୁଖ ହୋଇ ରାଧାକୃଷ୍ଣଙ୍କୁ ଝୁଲାଯାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ନାଲି ଅବିର ଅର୍ପଣ କରାଯାଇଥାଏ। ଠାକୁରମାନେ ଫଗୁଖେଳି ଆନନ୍ଦମୟ ଦୋଳି ଖେଳନ୍ତି। ମଣିଷମାନେ ମଧ୍ୟ ସେହି ଦୋଳମଣ୍ଡପରେ ପରସ୍ପରକୁ ବିଭିନ୍ନ ରଙ୍ଗର ପାଣି ଉପରକୁ ଫୋପାଡ଼ି ଉତ୍ସବକୁ ଆନନ୍ଦମୁଖର କରିବା ପୁରାଣ ସମ୍ମତ ଅଟେ। ଦେବତା ସୁସଜ୍ଜିତ ଦୋଳିରେ ବସି ଝୁେଲେ ମଣିଷ ମୁହଁରେ ସୁଖ ଓ ଆନନ୍ଦର ସୁଅ ଛୁଟେ। ଦୋଳ ଶବ୍ଦର ଅର୍ଥ ହେଉଛି ଦୋଳନ। ବିଶେଷତଃ ଦକ୍ଷିଣାଭିମୁଖୀ ହୋଇ ଦୋଳିରେ ଦୋଳାୟମାନ ଗୋବିନ୍ଦଙ୍କୁ ଦର୍ଶନ କଲେ ସର୍ବପାପ ହରଣ ପୂର୍ବକ ମହାପୁଣ୍ୟ ହୁଏ। ବ୍ରହ୍ମପୁରାଣ କହେ: ନରୋ ଦୋଳଗତଂ ଦୃଷ୍ଟ୍ବା ଗୋବିନ୍ଦଂ ତ୍ରିଦଶାର୍ଚ୍ଚିତମ‌୍‍। ଫାଲଗୁନ୍ୟଂ ସଂଯତୋ ଭୂତ୍ୱା ଗୋବିନ୍ଦସ୍ୟ ପୁରଂ ବ୍ରଜେତ‌୍‍।

 

ଶ୍ରୀକୃଷ୍ଣଙ୍କ ଦୋଳାରୋହଣ ଉତ୍ସବ ଫଗୁ ଉତ୍ସବ ନାମରେ ପ୍ରସିଦ୍ଧ। ଅର୍ଥାତ ଦୋଳପୂର୍ଣ୍ଣିମା ତିଥିରେ ଗ୍ରାମ ବା ପୁରପଲ୍ଲୀରେ ଥିବା ଦୋଳ ବେଦୀରେ ଝୁଲଣପର୍ବ ପରେ ମେଳନ ଶେଷ ହେଉଥିଲା। କିନ୍ତୁ ସମୟ କ୍ରମେ ଭକ୍ତର ଭକ୍ତର ଐକାନ୍ତିକ ଏବଂ ଏକନିଷ୍ଠ ଭାବ ଫଳରେ ଏହି ଦୋଳୋତ୍ସବ ସ୍ଥଳ ବିଶେଷରେ ପୂର୍ଣ୍ଣିମା ପରେ ଆଉ ପାଞ୍ଚରୁ ସାତ ଦିନ ପର୍ଯ୍ୟନ୍ତ ଅଧିକ ପାଳିତ ହୋଇ ଆସୁଛି। ଯାହାକୁ ପଞ୍ଚଦୋଳ କୁହାଯାଏ। ଦୋଳ ହେଉଛି ସୂର୍ଯ୍ୟଙ୍କ ବାସନ୍ତିକ ଦିନ। ଉକ୍ତ ଦିନ ଠାରୁ ଅର୍ଥାତ ମାର୍ଚ୍ଚ ୨୧ ତାରିଖ ଠାରୁ ସୂର୍ଯ୍ୟଙ୍କ ଦୋଳନ ଗତିର ଆରମ୍ଭ ହୁଏ। ଯାହା ସୂର୍ଯ୍ୟଙ୍କ ‘ପୁଷ୍ପ ରଥ ଯାତ୍ରା’ ବା ଦୋଳଯାତ୍ରା ନାମରେ ଅଭିହିତ। ସୂର୍ଯ୍ୟଙ୍କ ପରି ଶ୍ରୀକୃଷ୍ଣଙ୍କର ବର୍ଷକରେ ଦୁଇ ଥର ଦୋଳଯାତ୍ରା ପାଳନ ହୁଏ। ଶ୍ରାବଣ ପୂର୍ଣ୍ଣିମାର ଅବ୍ୟବହୃତ ପୂର୍ବରୁ ଶ୍ରୀକୃଷ୍ଣଙ୍କ କଂସ, ପୁତନା ଆଦି ଦାନବଙ୍କୁ ସଂହାର କରି ଗୋପ ନଗରୀରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ସେଥିପାଇଁ ଗୋପପୁରବାସୀ ଆନନ୍ଦ ଉଲ୍ଲାସରେ ରାଧାମାଧବଙ୍କୁ ଦୋଳିରେ ବସାଇ ଶ୍ରାବଣ ଶୁକ୍ଳ ଏକାଦଶୀ ଠାରୁ ଝୁଲଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳ ବା ଝୁଲଣ ଉତ୍ସବ ପାଳନ କରିଥିଲେ। ପୁନଶ୍ଚ ଦୋଳ ପୂର୍ଣ୍ଣିମୀ ଅବ୍ୟବହୃତ ପୂର୍ବରୁ ଦାନବ ଶଂଖଚୂଡ଼ ଓ ଦାନବୀ ହୋଲିକା ଶ୍ରୀକୃଷ୍ଣଙ୍କ ଦ୍ୱାରା ନିହତ ହୋଇଥିବାରୁ ଗୋପୀଗୋପାଳୁଣୀମାନେ ରାଧାକୃଷ୍ଣଙ୍କୁ ଦୋଳିରେ ବସାଇଦୋଳଯାତ୍ରା ପାଳନ କରିଥିଲେ। ଏହା ହେଉଛି ପ୍ରଭୁଙ୍କର ଫଗୁଣ ଝୁଲଣଯାତ୍ରା। ପୁରାଣ ଯୁଗର ସ୍ମାରକୀ ସଦୃଶ  ଅଧୁନା ଝୁଲଣ ଓ ଦୋଳଯାତ୍ରା ପାଳିତ। ଏହି ଯାତ୍ରାର ସାରବତ୍ତା ହେଉଛି ଆସୁରିକ ଶକ୍ତି ଉପରେ ଦୈବୀଶକ୍ତିର ବିଜୟ।

 

ହୋଲିରେ ରଙ୍ଗ ଅବିର: ହୁ ଲାତି ଇତି ହୋଲି। ହୁ ଅର୍ଥ ଜ୍ୱଳନ। ପାପର ଜ୍ୱଳନ ବା ଖଣ୍ଡନ। ସେଥିପାଇଁ କୃଷ୍ଣଙ୍କୁ ସ୍ମରଣ କରି ହୋଲି ଅବସରରେ ନିଜ ଶରୀରରେ ଅବିର ବୋଳି ରଙ୍ଗ ଖେଳିଲେ ଶରୀରରୁ ସମସ୍ତ ପାପ ଖଣ୍ଡନ ହୋଇଥାଏ ବେଲି କୁହାଯାଏ। ଦୋଳପୂର୍ଣ୍ଣିମା ପର ଦିନ ସକାଳେ ବହୁ ଉତ୍ସାହ ଓ ଉଦ୍ଦୀପନା ସହକାରେ ହୋଲି ଉତ୍ସବ ପାଳନ କରାଯାଇଥାଏ। ଏହି ହୋଲି ମହୋତ୍ସବ ଆବାଳବୃଦ୍ଧବନିତାଙ୍କ ମନରେ ଆନନ୍ଦ ଭରି ଦେଇଥାଏ। ଏହି ହୋଲି ଉତ୍ସବରେ ଲୋକମାନେ ପରସ୍ପରକୁ ପିଚକାରୀ ମରାମରି ଓ ରଙ୍ଗ ଫୋପଡ଼ାଫୋପଡ଼ି ହୋଇ ଥଟ୍ଟା ତାମସା କରନ୍ତି ଓ ରାଧାକୃଷ୍ଣଙ୍କ  ଆଦିରସାତ୍ମକ ଗୀତ ଗାନ କରି କ୍ରୀଡ଼ାକୌତୂକ କରି ଆନନ୍ଦ ଉପଭୋଗ କରନ୍ତି। କେହି ଉପର ବାଲକୋନିରୁ ରଙ୍ଗ ଅବିର ତଳେ ଥିବା ଲୋକମାନଙ୍କ ଉପରକୁ ଫିଙ୍ଗନ୍ତି। ଅବିର ରେଣୁ ପବନରେ ଖେଳେଇ ହୋଇ ରଙ୍ଗିଲା ମେଘ ଭଳି ଅତି ସୁନ୍ଦର ଦେଖାଯାଉଥାଏ। ସେଥିରେ ଲୋକମାନଙ୍କ ମୁଖମଣ୍ଡଳ ଓ ପିନ୍ଧାବସ୍ତ୍ର ନାଲି ଓ ହଳଦିଆ ରଙ୍ଗରେ ଛବିଲା ଦେଖାଯାଉଥାଏ। ରଙ୍ଗ ଖେଳୁଥିବା ଲୋକଙ୍କ ମଥାରେ ସୁନ୍ଦର ସୁନ୍ଦର ଠେକାରେ ଖୋସା ହୋଇଥିବା ଓ ମୃଦୁ ମଳୟରେ ଦୋହଲୁଥିବା ମୟୂରଚୂଳର ଦୃଶ୍ୟ ଜନମନ ହରଣ କରୁଥାଏ। ପରସ୍ପର ପରସ୍ପରକୁ ଅବିର ଲଗେଇ ଆନନ୍ଦ ଉତ୍ସବରେ ମାତନ୍ତି ଏବଂ ଭ୍ରାତା ଏବଂ ଭଗିନୀ ଭାବରେ ଆବଦ୍ଧ ହୋଇ ପରସ୍ପରର ଶୁଭ କାମନା କରନ୍ତି। ସ୍ଥାନେ ସ୍ଥାନେ ମହିଳା ଦଳ ଓ ପୁରୁଷ ଦଳ ମଧ୍ୟରେ ମିଛିମିଛିକା ଲଢେଇ ହୁଏ। ଏହା ସମ୍ପୂର୍ଣ୍ଣ ହାସ୍ୟରସ ଉପରେ ଆଧାରିତ ଏକ ମଜାଦାର ଖେଳ। ଖେଳ ସରିଗଲେ ଲୋକେ ସେ ସ୍ଥାନରେ ଭକ୍ତିରେ ଗଦ‌୍‍ ଗଦ‌୍‍ ହୋଇ ଗଡ଼ିଯାନ୍ତି। ଧୂଳିକୁ ଆଣି କପାଳରେ ଲଗାନ୍ତି। ବିଶ୍ୱାସ ଏହି ଧୂଳି ଶ୍ରୀକୃଷ୍ଣ ଓ ଗୋପୀମାନଙ୍କ ପାଦ ସ୍ପର୍ଶରେ ପବିତ୍ର ହୋଇ ଯାଇଛି।

 

ଫଗୁ କୁହନ୍ତୁ ବା ଅବିର କୁହନ୍ତୁ ଏହି ଖେଳକୁ ସର୍ବଭାରତୀୟ କ୍ଷେତ୍ରରେ ହୋଲିଖେଳ ବୋଲି ଧରାଯାଏ। ହୋଲିକା ଦହନ ଓ ଫଗୁ ଖେଳର ଆନନ୍ଦ ଉନ୍ମାଦନାରୁ ହୋଲି ଉତ୍ସବର ପରିକଳ୍ପନା। ରଙ୍ଗ ଆଉ ଆନନ୍ଦର ଖେଳ ହେଉଛି ହୋଲି। ପୂଣ୍ଣିର୍ମା ପରଦିନ ‘ଯମୁନା ଗାଧୁଆ’ରେ ସମାପ୍ତ ହୋଇଥାଏ। ଏହା ମୈତ୍ରୀ ଓ ଭାବ ବିନିମୟର ପ୍ରତୀକ। ରସରାଜକୃଷ୍ଣ ଓ ମହାଭାବମୟୀ ଶ୍ରୀରାଧା ଏହି ଦିନ ଅବିର ଖେଳରେ ହଜିମଜ୍ଜି  ଜୀବନକୁ ରସମୟ କରିଥିଲେ। ଭାଗବତ, ପଦ୍ମପୁରାଣ, ସ୍କନ୍ଦପୁରାଣ, ଲିଙ୍ଗପୁରାଣ ଓ ବ୍ରହ୍ମାଣ୍ଡପୁରାଣ ଇତ୍ୟାଦିରୁ ହୋଲି ବିଷୟରେ ବହୁ ତଥ୍ୟ ଓ ତତ୍ତ୍ୱ ଜାଣିବାକୁ ମିଳିଥାଏ। କଂଗ୍ରାଚିତ୍ରାବଳୀ (ଅଷ୍ଟାଦଶ ଶତାବ୍ଦୀ)ରେ କୃଷ୍ଣ ଗୋପୀଙ୍କ ସହ ହୋଲି ଖେଳୁଥିବା ଦୃଶ୍ୟ ମିବାରର ରାଜା ରାଜସିଂହ (ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗ) ନାରୀମାନଙ୍କ ସହିତ ହୋଲି ଖେଳୁଥିବାର ଚିତ୍ର ଓ ମୁସଲମାନ ସୁଲତାନମାନେ ହୋଲି ଖେଳିବା ଦୃଶ୍ୟ ଡେ଼କାନ ପେଣ୍ଟିଂଗୁଡ଼ିକରେ ଦେଖାଯାଏ। ସମ୍ରାଟ ବିକ୍ରମାଦିତ୍ୟ, ଜାହାଙ୍ଗିର ଓ ଆକବରଙ୍କ  ରାଜତ୍ୱ ସମୟରେ ହୋଲି ଖେଳର ପ୍ରସାର ଘଟିଥିଲା। ବିଭିନ୍ନ‌ ଚଳଚ୍ଚିତ୍ରରେ ପରିବେଶିତ ହୋଲି ଗୀତ ହୋଲିର ମଜାକୁ ବହୁଗୁଣିତ କରିଥାଏ। ଓଡ଼ିଆ ଚଳଚ୍ଚିତ୍ର ‘ବଳିଦାନ’ରେ ପ୍ରଫୁଲ୍ଲ କରଙ୍କ କଣ୍ଠରେ-‘ହୋଲି ହୋଲି ରେ ହୋଲି ରଙ୍ଗ ରଙ୍ଗେଲି ନାଲି...’ ଓ ସେହିପରି ବଲିଉଡ଼ରେ ଅମିତାଭ ବଚ୍ଚନଙ୍କ ‘ରଙ୍ଗ ବରଷେ..’ ଜନତାଙ୍କ କାନରେ ଗୁଞ୍ଜରିତ ହୋଇ ଉଠେ।

 

ହୋଲିରେ ଭାଙ୍ଗର ମଜା: ପ୍ରାୟ ଖ୍ରୀଷ୍ଟ ପୂର୍ବ ୧୦୦୦ ଶତାବ୍ଦୀ ଠାରୁ ହିନ୍ଦୁମାନଙ୍କ ମଧ୍ୟରେ ଭାଙ୍ଗ ସେବନ କରିବାର ପରମ୍ପରା ଆରମ୍ଭ ହୋଇଥିଲା। ଅଥର୍ବ ବେଦରେ ଏହାକୁ ବିଷାଦ ଦୂରୀକରଣ ଔଷଧ ଭାବେ ବ୍ୟବହାର କରିବାର ବର୍ଣ୍ଣନା ରହିଛି। ହୋଲି ଅବସରରେ ଗାଁ ଗହଳି ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଭାଙ୍ଗ ସେବନ କରାଯାଏ। ଯଦିଓ ଏହା ଏକ ନିଶା ଦ୍ରବ୍ୟ ମାତ୍ର ଲୋକମାନେ ଏହାକୁ ମହାଦେବଙ୍କ ପ୍ରସାଦ ଆଧ୍ୟାତ୍ମିକ ପାନୀୟ ମନେ କରି ହୋଲି ମଜା ନେଇଥାନ୍ତି। ଓଡ଼ିଶାରେ ପୁରୀ ଭାଙ୍ଗ ଯେପରି ପ୍ରସିଦ୍ଧ ଭାରତର ବାରାଣସୀରେ ବନାରସୀ ଭାଙ୍ଗ ମଧ୍ୟ ସେମିତି ପ୍ରସିଦ୍ଧ।

 

ମେଳନ ପଡ଼ିଆ:  ଫଗୁଖେଳି ନଗର ପରିକ୍ରମା ସାରନ୍ତି ଠାକୁର। ଦୋଳପୂର୍ଣ୍ଣିମା ରାତି ଆସେ। ଠାକୁରମାନଙ୍କ ମହାମିଳନ ପର୍ବର ଆୟୋଜନ ହୁଏ। ବିଭିନ୍ନ ଆଡ଼ୁ ଦେବଦେବୀଙ୍କୁ ନେଇ ଦୋଳବିମାନ ସବୁ ବହୁ ଆଡ଼ମ୍ୱରରେ ଆସି ନିର୍ଦ୍ଦିଷ୍ଟ ପରିଚିତ ସ୍ଥାନମାନଙ୍କରେ ଏକତ୍ରିତ ହୋଇଥା’ନ୍ତି। ବିଭିନ୍ନ ଅଞ୍ଚଳରୁ ରାଧାକୃଷ୍ଣ ଯୁଗଳମୂର୍ତ୍ତି ଓ ମହାଦେବ ସୁସଜ୍ଜିତ ବିମାନରେ ବିଜେ କରି ମେଳନ ବା ମିଳନ ପଡ଼ିଆକୁ ଆସନ୍ତି।  ଏହି ଏକତ୍ର ହେବାକୁ ‘ମେଳଣ’ ଓ ଏହି ଖୋଲାମେଲା ପଡ଼ିଆକୁ ‘ମେଲଣ ପଡ଼ିଆ’ କୁହାଯାଏ। ଏହି ଦୃଶ୍ୟ ଅତି ଚମତ୍କାର ଚିତ୍ତାକର୍ଷକ ଓ ଉତ୍ସବମୁଖର। ବିମାନମାନଙ୍କ ସଂଖ୍ୟାକୁ ନେଇ କେଉଁଠି ପଞ୍ଚୁଦୋଳ, ସାତଦୋଳ, ଦଶଦୋଳ ଇତ୍ୟାଦି ନାମରେ ଏହି ବିମାନ ମେଳନ ନାମିତ ହୋଇ ଥାଏ। ମେଳଣ ପଡ଼ିଆରେ ସାରା ରାତି ପାଇଁ ନାନା ପ୍ରକାର ମନୋରଞ୍ଜକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୁଏ। ମେଲଣରେ ରଙ୍ଗଖେଳ ଏହା ନିଆରା ଏକ ଦିଗ।ସେଠାରେ ରାତି ସାରା ଫଗୁ ଖେଳ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ରଙ୍ଗର ପାଣି ପିଚକାରୀ ଖେଳ ମେଲଣକୁ ଅଧିକ ରୋମଞ୍ଚକର କରି ତୋଳିଥାଏ। ପାଟ ପଟୁଆର, ରୋଷଣି, ନାଚତାମସା, ବାଦ୍ୟ, ସଂଗୀତ ଓ ଖୋଳ କୀର୍ତ୍ତନ ଭିତରେ ଭକ୍ତମାନେ ତଲ୍ଲୀନ ହୋଇ ହୋଇ ଯାନ୍ତି। ସେମାନଙ୍କ ଭାବବିହ୍ୱଳତା ଲକ୍ଷ୍ୟ କରିବାର କଥା। ସାମୟିକ ଦୋକାନବଜାର ସହିତ ମିଷ୍ଟାନ୍ନ ଭଣ୍ଡାର ଗଢି ଉଠେ। ଏକ ଆନନ୍ଦମୁଖର ପରିବଶେ ଭିତରେ ଗଗନ ପବନ ମୁଖରତ ହୁଏ। ଭୁଆଷୁଣୀମାନେ ବହୁ ସଂଖ୍ୟାରେ ଛୋଟ ପିଲାଙ୍କୁ ଧରି ଏଇ ମେଳାରେ ଆନନ୍ଦ ଉପଭୋଗ କରନ୍ତି। ମେଲଣ ପଡ଼ିଆରେ ବିଭିନ୍ନ ଦୋକାନବଜାର ଖୋଲିବା ଫଳରେ ଏହା କାର୍ତ୍ତିକ ପୂର୍ଣ୍ଣିମାର ବିରାଟ ବାଲିଯାତ୍ରାର ଭ୍ରମ ସୃଷ୍ଟି କରେ।

 

ମେଲଣ ପଡ଼ିଆରେ ସମବେତ ଠାକୁରମାନଙ୍କ ବିମାନଗୁଡ଼ିକ ରାତି ସାରା ରଖା ଯାଇଥାଏ। ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି, ମହାର୍ଘବସ୍ତ୍ର ଓ ଅଳଂକାର ଆଲୋକ ସଜ୍ଜାରେ ଝଲସି ଉଠୁଥାଏ। ଅବଶ୍ୟ କେଉଁଠି କେଉଁଠି ପୂର୍ଣ୍ଣିମା ପୂର୍ବ ଦିନଗୁଡ଼ିକରେ ଏହି ମେଳନ ହେବାର ଦେଖାଯାଏ। ସେଠାରେ ଦୁଇଦିନ ତିନି ଦିନ ପାଞ୍ଚଦିନ, ସାତଦିନ ଏପରିକି ଦଶଦିନ ପର୍ଯ୍ୟନ୍ତ ଯାତ୍ରା  ଓ ବିଭିନ୍ନ ମେଳା ହୁଏ। ଠାକୁର ସେତିକି ଦିନ ପର୍ଯ୍ୟନ୍ତ ସେଠାରେ ରହି ଭୋଗ ପାଉଥା’ନ୍ତି। ସବୁ ମେଳଣରେ ପ୍ରାୟ ସାୟଂକାଳରେ ବହୁ ବିମାନ ଏକତ୍ର ଧାଡ଼ି ଧରି ମେଳନମଣ୍ଡପ ଚାରିପଟେ ଘଣ୍ଟା କାହାଳୀ ବାଜା ଓ ଲୋକଙ୍କ ହରିବୋଲ ଭିତରେ ପ୍ରଦକ୍ଷିଣ କରନ୍ତି। ଏହି ଦୃଶ୍ୟ ଯେ ଥରେ ଆଖିରେ ଦେଖିଛି ସେ ପୁଲକିତ ହୋଇଛି। ଗୋଟିଏ ସ୍ଥାନରେବିଭିନ୍ନ ଦେବଦେବୀଙ୍କୁ  ଦର୍ଶନ ଲାଭ କରିବାର ସୁଯୋଗ ମଣିଷ ଲାଭ କରିଥାଏ। ସବୁରିଙ୍କ ସିନ୍ଦୂର ତୁଳସୀ ପାଇ ମଣିଷ ନିଜକୁ ଧନ୍ୟ ମନେ କରେ।  ଅପୂର୍ବ ଆଧ୍ୟାତ୍ମିକ ଚେତନା ପ୍ରାଣେ ପ୍ରାଣେ ସଂଚରିଯାଏ। ଜୀବନକୁ ଆତ୍ମିକ ଆନନ୍ଦରେ ଭରିବା ପାଇଁ ହୋଲି ଏକ ପୁଣ୍ୟ ଅବସର। ଶ୍ରାନ୍ତ କ୍ଳାନ୍ତ ଜନତା ମେଲଣ ପଡ଼ିଆରୁ ଘରକୁ ଫେରେ ପରଦିନ ସକାଳୁ।

 

ପୁରୋହିତମାନେ ନୂତନ ପଞ୍ଜିକା ପଢି ନବବର୍ଷର ଶୁଭାରମ୍ଭ ବିଚାର ଉପସ୍ଥାପିତ କରନ୍ତି। କେତୋଟି ‘ହରିବଂଶ’ ଅଧ୍ୟୟନ କରନ୍ତି। ଧର୍ମଶାଳା, ଯାଜପୁର, ଓଳକଣା, ବଳଙ୍ଗା, ହରିରାଜପୁର, ବାଳକାଟି, ଚାନ୍ଦପୁର, ବରୀ, ମାହାଙ୍ଗା, ବାଲେଶ୍ୱର ପ୍ରଭୃତି ଅଞ୍ଚଳରେ ଦୋଳ ମେଳଣ ଖୁବ‌୍‍ ଉତ୍ସାହ ଓ ଆଗ୍ରହର ସହ ପାଳିତ ହୁଏ। ଏହି ରାଧାକୃଷ୍ଣଙ୍କ ପ୍ରେମଲୀଳା ଦୁଇଟି ପରମ୍ପରା ବିଶିଷ୍ଟ। ଗୌଡ଼ୀୟ ବୈଷ୍ଣବ ପରମ୍ପରା ଓ ଉତ୍କଳୀୟ ବୈଷ୍ଣବ ପରମ୍ପରା। ମାତ୍ର ପାଳନ ବିଧି ପ୍ରାୟ ସମାନ। ଓଡ଼ିଶା ସାରା ବିଶେଷତଃ କଟକ ଜିଲାର ପୁରପଲ୍ଲୀରେ ଓଡ଼ଗାଁର ଶ୍ରୀରଘନାଥ, ପୁରୀରେ ଦୋଳଗୋବିନ୍ଦ, ଅସୁରେଶ୍ୱର ଠାରେ ଦଧିବାମନ, ବାଲେଶ୍ୱରରେ କ୍ଷୀରଚୋରାଗୋପୀନାଥ, ବାଙ୍କି, ଡ଼ମପଡ଼ା ନରସିଂହପୁର, ବଡ଼ମ୍ୱା, ଆଠଗଡ଼,ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ବାଣପୁର ଇତ୍ୟାଦି ଓଡ଼ିଶାର ବିଭିନ୍ନ ସ୍ଥାନରେ ଦୋଳଯାତ୍ରା ଅନୁଷ୍ଠିତ ହୁଏ।

 

ଦୋଳପର୍ବରେ ଭାଇଚାରା : ଦୀପାବଳୀ, ଦଶହରା ଓ ଅନ୍ୟାନ୍ୟ ସାମୂହିକ ପୂଜା ଭଳି ଦୋଳ ଏକ ଗଣ ଉତ୍ସବ। ଠାକୁର ଘର ଘର ବୁଲି ଭୋଗ ଖାଇଲା ବେଳେ ଜାତିଧର୍ମ ନିର୍ବିଶେଷରେ ପ୍ରତିଟି ପ୍ରାଣରେ ନୂତନ ଉନ୍ମାଦନା, ଆମୋଦ, ଆନନ୍ଦ, ଭକ୍ତିଭାବ, ସଂପ୍ରୀତି ଓ ସଦ୍ଭାବ ଦେଖାଯାଇଥାଏ। ପରସ୍ପର ପ୍ରୀତି ସମ୍ଭାଷଣ କରନ୍ତି ଓ ନିଜ ନିଜ ମନର ଆବିଳତା, ଅହଂକାର, କାମନା, ଈଷାର୍କୁ ପରିହାରପୂର୍ବକି ପ୍ରେମ, ନମ୍ରତା, ପବିତ୍ରତା, ସହନଶୀଳତା ପ୍ରଭୃତି ଦିବ୍ୟଗୁଣଗୁଡ଼ିକ ପ୍ରକାଶ କରିବା ପାଇଁ ଚେଷ୍ଟିତ ହୋଇ ଥାନ୍ତି। ଠାକୁର ଆସିବେ ଭୋଗ ଖାଇବେ ବୋଲି ଘରର ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତଙ୍କ ମନରେ ଯେପରି ନୂତନ ଆମୋଦ ଓ ଭକ୍ତିଭାବର ଶିହରଣ ଖେଳିଯାଏ। ସେହିପରି ପିଲାଙ୍କ ଭିତରେ ମଧ୍ୟ ଠାକୁରେ ବିମାନରେ ବାହାରିବେ ବୋଲି ନୂତନ ଉନ୍ମାଦନା ଦେଖାଦିଏ। ଗରିବ ଲୋକଙ୍କର ମଧ୍ୟ ସେହି କେତେ ଦିନ ଆନନ୍ଦର ସୀମା ନଥାଏ। ସେମାନେ ଠାକୁରଙ୍କ ସହିତ ବୁଲିବୁଲି ଭୋଗ ମାଗି ମାଗି ସେମାନଙ୍କର ପାଛିଆ ଓ ଲୁଗାକାନି ଭର୍ତ୍ତି କରି ଦିଅନ୍ତି। ଠାକୁର ବିମାନରେ ବସି ଭୋଗ ପାଇଁ ଧାଉଥିବା ବେଳେ ନାନା ପ୍ରକାର ସାହି ଯାତ୍ରା ବାହାରିଥାଏ। ନାଗା, କାଳିକା, ମଙ୍ଗଳା, ଅସୁର, ଅସୁରୁଣୀ, ପାଳଭୂତ, ଘୁମୁରା, କେଳାକେଳୁଣୀ ନାଚ ପ୍ରଭୃତି ଚାଲିଥାଏ। ସେମାନେ ଠାକୁରଙ୍କ ବିମାନ ସମ୍ମୁଖରେ ନାଚି ନାଚି ଯାଉଥାନ୍ତି, ଯେପରିକି ଜଣାଯାଏ ଏହି ସୃଷ୍ଟିର ଯେ କର୍ତ୍ତା ସ୍ୱୟଂ ଭଗବାନଙ୍କ ଉତ୍ସବରେ ସୁର, ବୀର, ସନ୍ଥ, ସାଧୁ,ରାକ୍ଷସ, ରାକ୍ଷସୀ, ଭୂତ, ପ୍ରେତ ଏକାକାର ହୋଇ ଉଠିଛନ୍ତି। ନିଜ ନିଜ ପ୍ରକୃତି ଓ କର୍ମକୁ ଭୁଲି ମୁକ୍ତି ପାଇବା ଆଶା, ଆକାଙକ୍ଷାକୁ ନେଇ। ଆଖପାଖ ଗାଁଗୁଡ଼ିକ ମଧ୍ୟରେ ଭାବର ଆଦାନପ୍ରଦାନ ଦୋଳମେଳନ ଅନ୍ୟ ଏକ ମହତ ଲକ୍ଷ୍ୟ।

 

ଦୋଳପର୍ବ ହେଉଛି ପ୍ରୀତି, ସଂହତି, ଆନ୍ତରିକତା, ସୌହାର୍ଦ୍ଦ୍ୟ ଓ ହୃଦୟ ମିଳନର ଏକ ସର୍ବଜନଗ୍ରାହୀ ପର୍ବ।  ଏବେ ମଧ୍ୟ ଗାଁଗଣ୍ଡାରେ ଏକ ପ୍ରବାଦ ଅଛି-ଦୋଳ-ଗୋଳ। ଗ୍ରାମ୍ୟ ବିବାଦର ସମାଧାନ ପାଇଁ ଦୋଳଉତ୍ସବ ହେଉଛି ଏକ ପ୍ରକୃଷ୍ଟ ସମୟ। ଦୋଳୋତ୍ସବ ଏବଂ ରଙ୍ଗର ହୋଲି ଖେଳ ଆଧ୍ୟାତ୍ମିକ ସାମାଜିକ ଏକତା,ସଦ୍ଭାବ, ଶାନ୍ତି ଐକ୍ୟ ଓ ଭ୍ରାତୃତ୍ୱର ଏକ ଅଭିନବ ଈଶ୍ୱରୀୟ ବିଧାନ। ଏହା ବିଶ୍ୱଶାନ୍ତି ଓ ସାମ୍ୟଭାବର ମୂଳ ଭିତ୍ତି। ସାମାଜିକ ଦୃଷ୍ଟିକୋଣରୁ ବିଚାର କଲେ ହୋଳି ରାକ୍ଷୀପୂର୍ଣ୍ଣିମୀ ପରି ମୈତ୍ରୀ ଓ ପ୍ରେମବନ୍ଧନରେ ହୃଦୟ ହୃଦୟ ବାନ୍ଧିଦିଏ। ଦୋଳ ମଣ୍ଡପ ପାଖରେ ଭୋଗ ଦୋକାନ, ବାଣଦୋକାନ, ଜଳଖିଆ ଦୋକାନ, ଖେଳନା ଦୋକାନ ପ୍ରଭୃତି ବିଭିନ୍ନ ବ୍ୟବସାୟୀମାନଙ୍କର ଦୋକାନ ମେଲି ଯାଏ। ସବୁ ବର୍ଗ ଏବଂ ସବୁ ବୟସର ଲୋକ ଠାକୁରଙ୍କୁ ଭୋଗ ଲଗାଇ ଅବିର ଚଢାନ୍ତି। ଭାଇଚାରାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାତନ୍ତ୍ର୍ୟ ହେଉଛି ଅଧିକାଂଶ ଅଞ୍ଚଳରେ ଏହାକୁ ହିନ୍ଦୁ ଓ ମୁସଲମାନମାନେ ମିଳିତ ଭାବେ ପାଳନ କରନ୍ତି। ହିନ୍ଦୁମାନେ ସତ୍ୟପୀରଙ୍କୁ ଯେଭଳି ସମଭାବାପନ୍ନ ଭକ୍ତି କରିଥା’ନ୍ତି ମୁସଲମାନମାନେ ମଧ୍ୟ ହୋଲିପର୍ବରେ ସାମିଲ ହୋଇଥା’ନ୍ତି। ଏହା ଦ୍ୱାରା ଓଡ଼ିଶାର ହିନ୍ଦୁ-ମୁସଲମାନ ଭାଇଚାରା ଯେ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ଏହାର ପ୍ରମାଣ ମିଳି ଥାଏ। ଏହା ଆଜିକାଲିର ଘଟନା ନୁହେଁ, ଶହ ଶହ ବର୍ଷ ଧରି ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥିବା ଏହି ଭାଇଚାରା ପରମ୍ପରା ଗଡ଼ି ଆସୁଛି। ନିଜେ ଭୋଗ ପାଇ ସେଠାରେ ଥିବା ଲୋକମାନଙ୍କୁ ଭୋଗ ବାଣ୍ଟି ଅବିର ବୋଳି ନିଜ ହୃଦୟ ଭ୍ରାତୃଭାବ ଏବଂ ସଦ୍ଭାବ ଆଦାନ ପ୍ରଦାନ କରନ୍ତି। ଜଣା ପଡେ଼ ଭଗବାନ‌୍‍ ଶ୍ରୀକୃଷ୍ଣଙ୍କ ମୁଖରୁ ଯେପରି ବାହାରି ଆସୁଚି: ବିଷ୍ଣୁ ଭକତ ପ୍ରାଣୀଙ୍କର, ଜଗତେ ନାହିଁ ଆତ୍ମପର।

 

ଦୋଳ ଗୋପାଳ ଓ ଗୋଜାତିଙ୍କ ସହ ଜଡ଼ିତ : ଓଡ଼ିଶାର ପୁରପଲ୍ଲୀରେ ଯାଦବକୁଳର କୁଳଚନ୍ଦ୍ରମା ହେଉଛନ୍ତି ଶ୍ରୀକୃଷ୍ଣ। ଧର୍ମଦୃଷ୍ଟିକୋଣ ବ୍ୟତୀତ ଏହି ଉତ୍ସବ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟି କୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ପୁରାଣ ପ୍ରସିଦ୍ଧ ଦୋଳପର୍ବକୁ ଗୋଜାତିର ପବିତ୍ର ଜନ୍ମ ଦିବସ ରୂପେ ହିନ୍ଦୁ ପୁରାଣଶାସ୍ତ୍ର ଗ୍ରହଣ କରି ନେଇଛି। ସେଥିପାଇଁ  ଭାରତର ଅନେକ ଅଞ୍ଚଳରେ ଗୋଜାତିର ପରିପାଳକ ଗୋପାଳ ବଂଶ ଏହି ପର୍ବକୁ ଆନନ୍ଦ ଓ ଆଡ଼ମ୍ୱରର ସହିତ ପାଳନ କରନ୍ତି। ସେମାନେ ଗାଈକୁ ମାତାର ସମ୍ମାନ ଦିଅନ୍ତି। ବଳଦ ଚାଷକାର୍ଯ୍ୟରେ ପ୍ରଧାନ ସହାୟକ ଓ ଜନଗଣଙ୍କୁ ଆହାର ଯୋଗାଇଥାନ୍ତି। ଦୋଳପୂର୍ଣ୍ଣମୀ ଦିନ ପ୍ରତି ହିନ୍ଦୁ ଘରେ ପ୍ରତ୍ୟୁଷରେ ଗାଈ, ବଳଦ ଓ ବାଛୁରୀମାନଙ୍କୁ ଗାଧୋଇପାଧୋଇ ଭଲ ଭାବେ ପରିଷ୍କାର କରାହୁଏ। ସେମାନଙ୍କ ମଥାରେ ହଳଦୀ ଓ ଚନ୍ଦନ ମଣ୍ଡନ କରାଯାଏ। ଗୋପାଳ ସମ୍ପ୍ରଦାୟର ଲୋକେ କେଉଁଠି କେଉଁଠି ଦୋଳ ପୂର୍ଣ୍ଣିମା ଦିନ ଗୋମାତାଙ୍କୁ ନବବସ୍ତ୍ର ପରିଧାନ କରାଇ ନିଜେ ମଧ୍ୟ ନବ ବସ୍ତ୍ର ପରିଧାନ କରିଥାନ୍ତି। ଫୁଲ, ଫଗୁ , ଧୂପ, ଦୀପ, ନୈବେଦ୍ୟ ଓ ଦୁର୍ବାକ୍ଷତ ନେଇ ଗୋବନ୍ଦନା କରାଯାଇଥାଏ। ଘରେ ପିଠାପଣାର ପ୍ରସ୍ତୁତି ଭିତରେ ପରିବାର ଉଛୁଳି ପଡ଼ିଥାଏ। ସ୍ୱାଦିଷ୍ଟ ଓ ସୁମିଷ୍ଟ ଖାଦ୍ୟ ଦେଇ ଗୋଧନଙ୍କୁ ସନ୍ତୁଷ୍ଟ ଏବଂ ସେବା କରାଯାଏ। ଗୋପାଳଙ୍କ ବଂଶୀ, ଶଂଖ, ଶିଂଘା, ମର୍ଦ୍ଦଳ ଓ ଘାଗୁଡ଼ି ଧ୍ୱନି ସହ ମନ ମତାଣିଆ ଲଉଡ଼ି (ଗୋସମ୍ପଦର ସୁରକ୍ଷା ନିମନ୍ତେ ଆବଶ୍ୟକ ବାଡ଼ି) ଖେଳରେ ରାଧାକୃଷ୍ଣଙ୍କ ଳୀଳା ବର୍ଣ୍ଣନା ଓଗାଳ ଗାନ ଦୋଳ ପର୍ବକୁ ଅଧିକ ମଧୁର ଓ ରସମୟ କରିଦିଏ। ଗୋପାଳମାନଙ୍କର ସେହି ଆନନ୍ଦମୁଖର ବିଷୟରେ ପ୍ରଫେସର ଏଚ‌୍‍. ଏଚ‌୍‍. ଉଇଲସନ ବର୍ଣ୍ଣନା କରନ୍ତି : ଦଳ ଦଳ ହୋଇ ଜରେ ଜଣେ ଦଳପତିଙ୍କ ଅଧିନାୟକତ୍ୱରେ ଗୋପାଳମାନେ ଦୋଳ ପୂନେଇଁ ଦିନ ମହାଆନନ୍ଦରେ ଠାକୁରଙ୍କ ମହିମା ଗାନ କରି କରି ଦୋଳମଣ୍ଡପ ଉପରେଦୋଳି ଖେଳୁଥିବା ରାଧାକୃଷ୍ଣଙ୍କୁ ପରିକ୍ରମା କରନ୍ତି। ଅନେକ ସମୟରେ ରାଧାକୃଷ୍ଣ ପ୍ରେମରେ ଭାବବିହ୍ୱଳିତ ଗୋପାଳଦଳ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିଥାନ୍ତି। ସେମାନଙ୍କ ହାତରେ ଛୋଟ ଛୋଟ ଦଣ୍ଡ (କାଠି)ଥାଏ ଏବଂ ଗୀତ ଗାଇବା ବେଳେ ସେହି ଗୀତର ନିର୍ଦ୍ଦିଷ୍ଟ ତାଳ ଅନୁକରଣ କରି କାଠିକୁ ବଜାଇ ଏକ ଅପୂର୍ବ ଝଙ୍କାର ସୃଷ୍ଟି କରୁଥାନ୍ତି ସେମାନେ। ଅତଏବ ଏହି ଦୋଳୋତ୍ସବ ଯାଦବ ଜାତିର ପ୍ରଧାନ ଓ ସର୍ବଶ୍ରେଷ୍ଠ ଜାତୀୟ ପର୍ବ। ଗୋସେବା, ଗୋପାଳନ ଦ୍ୱାରା କିପରି ଲୋକଙ୍କର ଅଭାବ ଦୂର ହୁଏ ତାର ଏକ ପ୍ରତୀକ ହେଉଛି ଦୋଳୋତ୍ସବ। ଏହି ଗୋବନ୍ଦାଣ ବା ପୂଜା ସମ୍ପର୍କରେ ହରିବଂଶ(ତୃତୀୟଖଣ୍ଡ)ରେ କୁହାଯାଇଛି: ଯଶୋଦା ବୋଇଲେ ବାବୁ ଶୁଣରେ ଆତ୍ମଜ। ଗାଈମାନଙ୍କ ବନ୍ଦାଣ ଅଟେ ଆମ୍ଭ କାର୍ଯ୍ୟ। ଗୋମାତାଙ୍କ ଜନ୍ମଦିନ ଅଟଇ ଯୁକତେ। ତେଣୁ କରି ଗୋପ ଲୋକେ ଗମନ୍ତି ଉଷତେ।

 

କୃଷକ କରିବାରରେ ଦୋଳ: ଫଗୁଦଶମୀ ଠାରୁ ଆରମ୍ଭ କରି ଫାଳଗୁନ ଓ ଚୈତ୍ରମାସ ପର୍ଯ୍ୟନ୍ତ ଦୋଳମେଳନ ଘଟୁ‌୍‍ଥିବାରୁ ଗ୍ରାମମାନଙ୍କ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ସମ୍ପର୍କ ପ୍ରତିଷ୍ଠିତ ହୋଇଥାଏ। ବାଣିଜ୍ୟ ବ୍ୟବସାୟରେ ଯଥେଷ୍ଟ ସୁବିଧା ହୋଇଥାଏ। ଭାରତୀୟ ପଞ୍ଜିକା ଅନୁସାରେ ଫାଲଗୁନପୂର୍ଣ୍ଣିମାକୁ ଏକ ବର୍ଷର ଶେଷଦିବସ ରୂପେ ପରିଗଣିତ କରାଯାଏ। ଓଡ଼ିଶା କୃଷିସମାଜର ନବବର୍ଷ ପର୍ବ ହେଉଛି ଦୋଳପର୍ବ। ଏହି ଦୋଳ ପୂର୍ବରୁ ‘କୋଠିଆ’ ଓ ଗାଈ ଜଗୁଆଳ ପିଲା ବା ଚାକରମାନଙ୍କର ବର୍ଷ ସୁମାରି ହୋଇଥାଏ। ଓଡ଼ିଶାର ଗାଁଗହଳରେ ପୁରପଲ୍ଲୀରେ କୋଠିଆ ବା ଗାଈଜଗୁଆଳମାନେ ଦୋଳ ଠାରୁ ନୂତନ ଅନ୍ନ ଓ କାର୍ଯ୍ୟର ଅନ୍ୱେଷଣ  କରନ୍ତି। ଗୃହପତିମାନେ ସେମାନଙ୍କର ନୂଆ କୋଠିଆମାନଙ୍କୁ ନୂତନ ବସ୍ତ୍ର ଦେଇଥଧାନ୍ତି। କୋଠିଆମାନେ ବର୍ଷଯାକର ଟଙ୍କା ହିସାବ କରି  ମାଲିକଙ୍କ ଠାରୁ ଅଗ୍ରିମ ନେଇଥା’ନ୍ତି। ଦୋଳପୂର୍ଣ୍ଣମୀ ଠାରୁ ନୂଆ ପଞ୍ଜିକାର ପ୍ରଚଳନ ହୁଏ। ଗାଁଦାଣ୍ଡରେ ଅବଧାନ ପାଞ୍ଜି ଧରି ବର୍ଷରୁ ଶୁଭାଶୁଭ ଗଣନା କରନ୍ତି। ଶ୍ରୀକୃଷ୍ଣଙ୍କ ପ୍ରବର୍ତ୍ତିତ  ଆଦର୍ଶ ଗୋପାଳନର କ୍ଷୀଣସ୍ମୃତି ସ୍ୱରୂପ ଗୋଜାତିର ସେବା ଆରାଧନା ମଧ୍ୟ ହୋଇ ଆସୁଛି।

 

ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦୋଳ : ସକଳ ଆଧ୍ୟାତ୍ମିକ ଲୀଳାର ସାଂସ୍କୃତିକ ମୂଳପୀଠ ହେଲା ଶ୍ରୀମନ୍ଦିର। ରଥଯାତ୍ରା ଓ ଦେବସ୍ନାନ  ପୂର୍ଣ୍ଣିମାକୁ ବାଦ ଦେଲେ ଦୋଳଯାତ୍ରା ପୁରୀ ମନ୍ଦିରର ଏକ ବିଶିଷ୍ଟ ପର୍ବ। ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଦୋଳଯାତ୍ରା ଅନ୍ୟତମ। ଏହା ଏକ ସ୍ୱତନ୍ତ୍ର ଉତ୍ସବ। ପ୍ରଭୁଙ୍କର ଚାରିଟି ରାସ ଯଥା ଗ୍ରୀଷ୍ମର ଚନ୍ଦନ ବା ଚାପ, ବର୍ଷାରେ ଝୁଲଣ, ଶରତରେ କାର୍ତ୍ତିକର ଶରଦ ରାସ ଏବଂ ବାସନ୍ତିକରାସ। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରୀତିନୀତି, ସେବାପୂଜା, ପର୍ବପର୍ବାଣି ପ୍ରଭୃତି ଶ୍ରୀରାମ, ଶ୍ରୀକୃଷ୍ଣ ଇତ୍ୟାଦି ଦେବତାଙ୍କୁ କେନ୍ଦ୍ର କରି ଅନୁଷ୍ଠିତ ହୋଇଥାଏ। ଦୋଳ ଉତ୍ସବ ହେଉଛି ଉତ୍କଳୀୟ ବୈଷ୍ଣବ ଚିନ୍ତାଧାରାର ପ୍ରତିଫଳନ।  ଶ୍ରୀଚୈତନ୍ୟ ଦେବଙ୍କ ଓଡ଼ିଶା ଆଗମନ ପରେ ଉତ୍କଳୀୟ ସଂସ୍କୃତିରେ ଦୋଳପର୍ବ ଅଧିକ ମାତ୍ରାରେ ଆଦର ଲାଭ କରିଛି। ଶ୍ରୀଜଗନ୍ନାଥଙ୍କ ଠାରେ କୃଷ୍ଣତ୍ୱ ଆରୋପ ଓ ଶ୍ରୀରାଧାଙ୍କୁ ଶ୍ରୀଜଗନ୍ନାଥଙ୍କ ଠାରେ ଅଭିନ୍ନ ଭାବରେ ଆରାଧିତ କରାଯିବା ପରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି। ଯିଏ ଜଗନ୍ନାଥ, ସିଏ କୃଷ୍ଣ ଓ ବିଷ୍ଣୁ ରୂପରେ ଉପାସିତ।

 

ଶ୍ରୀମନ୍ଦିରରେ ଦୋଳ ପାରମ୍ପରିକ : ଦୋଳ ବା ବାସନ୍ତିକରାସ ସମ୍ପର୍କରେ ବଡ଼ ଦେଉଳ ନୃସିଂହ ମନ୍ଦିରରେ ଶିଳାଲେଖ ‘ଗୋବିନ୍ଦ ଦୋଳ’ ଚୋଡ଼ଗଙ୍ଗଙ୍କ ରାଜତ୍ୱରେ ହେଉଥିବାର ଉଲ୍ଲେଖ ଅଛି। ସୁଚିତ୍ର ରାମାୟଣ କାବ୍ୟରୁ ଜଣାଯାଏ ୧୭୫୪ ଖ୍ରୀଷ୍ଟାବ୍ଦରେ ରାଜା ବୀରକିଶୋର ଦେବ ରାଜତ୍ୱ କରୁଥିଲେ। ପୁରୀ ଦୋଳମଣ୍ଡପ ସାହିରେ କବି ବନମାଳୀ ପଟ୍ଟନାୟକ ଶ୍ରୀଜଗନ୍ନାଥ ଓ ଶ୍ରୀ ରାଧାକୃଷ୍ଣଙ୍କ ନାନା ଲୀଳା ଓ କୀର୍ତ୍ତି ବର୍ଣ୍ଣିନା କରି କବିତା ରଚନା କରିଥିଲେ। ଦୋଳୋତ୍ସବର ମହତ୍ତ୍ୱ ସମ୍ପର୍କରେ ନୀଳାଦ୍ରିମହୋଦୟ ଯାତ୍ରା ଭାଗବତ, ବାମଦେବ ସଂହିତା, ବ୍ରହ୍ମାଣ୍ଡ ପୁରାଣମାନଙ୍କରେ ବର୍ଣ୍ଣିତ ହୋଇ ଅଛି। ନୀଳାଦ୍ରି ମହୋଦୟରେ ଚଉତିରିଶ ଅଧ୍ୟାୟରେ ଦୋଳଯାତ୍ରା ଉଦ୍ଦେଶ୍ୟରେ ତିନୋଟି ପ୍ରାର୍ଥନାମୂଳକ ଶ୍ଳୋକ ପ୍ରସିଦ୍ଧ ଅଟେ : ଧ୍ୟାୟେଞ୍ଛେଳି କଦମ୍ୱମୂଳନିଳୟଂ ବୃନ୍ଦାବନେ ଶୋଭନେ। ନାନାପୁଷ୍ପଲତାବିତାନମଧୁରେ ଚଞ୍ଚପିିକାଳିସ୍ୱରେ। କାଳିନ୍ଦୀଜଳଶୀକରାଞ୍ଚିତ ମରୁତ୍ସଂସେବ୍ୟମାନେ ଘନେ। କ୍ରୀଡ଼ନ୍ତଂ ନବମଞ୍ଜୁଗୋପରମଣୀଜୁଷ୍ଟଂ ସହୃଷ୍ଟାନ୍ତିକମ‌୍‍। ନୀଳେନ୍ଦୀବରଂ ସୁନ୍ଦରଂ ସୁନୟନଂ ଚନ୍ଦ୍ରାନନଂ ପାବନମ‌୍‍। ବନ୍ଧୁକାଧରସସ୍ମିତଂ ପରିଲସଦ‌୍‍ ଭୂଷାବଳିବେଷ୍ଟିତମ‌୍‍। ଚଞ୍ଚଚ୍ଚକ୍ରଗଦାବ ଶଂଖବିଳସଦ୍ଧାସ୍ତାରବିନ୍ଦଂ ଲସତ‌୍‍। ବେଣୁଂ ପୀତତରାଂଶୁକଂ ସୁମଧୁରଂ ଦୋଳାୟମାନଂ ପରମ‌୍‍। ପଦ୍ମାକ୍ଷ୍ମସହିତଂ ସୁବର୍ଣ୍ଣମୁକୁଟଂ ପ୍ରଦ୍ୟୋମାନଂ ସୁରୈର୍ଗନ୍ଧର୍ବେର୍ମୁନିପୁଙ୍ଗବୈଃ ସରଭସଂ ପ୍ରସ୍ତୂୟମାନଂ ସଦା। ରାଜଦ‌୍‍ଗୋରଜସାଞ୍ଚିତଂ ଦିନମଣି ବ୍ୟୂହପ୍ରଭାଭାସ୍ୱରଂ। କନ୍ଦପାର୍ବୁର୍ଦସୁନ୍ଦରଂ ସୁଚତୁରଂ ଗୋବିନ୍ଦମାନନ୍ଦମ‌୍‍।

               

ଦ୍ୱାଦଶ ଶତାବ୍ଦୀରେ ଶ୍ରୀମନ୍ଦିରରେ ପଞ୍ଚଦୋଳ ଉତ୍ସବ ପାଳନ ଅବସରରେ ଦକ୍ଷିଣ ଭାରତରୁ ସମାଗତ କାମଦେବ ସୁଧା ନାମକ ଜନୈକ ଭକ୍ତ ପୁରୁଷୋତ୍ତମଙ୍କ ପାଇଁ ଏକ ଅଖଣ୍ଡ ଦୀପ ପ୍ରଦାନ କରିଥିଲେ। ତେଣୁ ଦୋଳ ପୂର୍ଣ୍ଣିମା, ଦୋଳ ଉତ୍ସବ, ପଞ୍ଚଦୋଳ, ଗୋବିନ୍ଦଦୋଳ, ଦୋଳଗୋବିନ୍ଦ, ଦ୍ୱାଦଶ ଦୋଳ, ବରାହ ଦୋଳ, ପ୍ରଭୃତି ଅତି ପ୍ରାଚୀନ ଓ ପାରମ୍ପରିକଅଟେ। ବାର୍ଷିକ ଏହି ଭାବୋତ୍ସବ ସ୍ୱୟଂ ପରଂ ବ୍ରହ୍ମଙ୍କ ପ୍ରୀତ୍ୟାର୍ଥେ ଆୟୋଜିତ ହୋଇ ପଲ୍ଲୀଗ୍ରାମରେପ୍ରାଣେ ପ୍ରାଣେ ଦୋଳର ଅଫୁରନ୍ତ ଉଚ୍ଛ୍ୱାସ ଭରିଦିଏ। ସରସ୍ୱତୀ କଣ୍ଠାଭରଣ  ନାମକ ଏକ କାବ୍ୟରେ ସୁବସ୍ତନକ ଶବ୍ଦ ବ୍ୟବହାରର ବ୍ୟାଖ୍ୟାନ ଅନୁସାରେ ବସନ୍ତ ଋତୁ ପୁରୁଷ ଓ ନାରୀ ପରସ୍ପର ମଧ୍ୟରେ ମଧୁର ମୁହୂର୍ତ୍ତ, ଆଳାପ, ସଂଳାପ, ଜଳସିଂଚନ, ରଙ୍ଗବେରଙ୍ଗ ଧୂଳି ସିଂଚନ, ସଂଗୀତ ନୃତ୍ୟ ସୁଗନ୍ଧିତ ପୁଷ୍ପ ଓ ସୁଖାଦ୍ୟରେ ପ୍ରୀତିପ୍ରଦ ଆଦାନପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ। ତା ଛଡ଼ା ମୁଦ୍ରାରାକ୍ଷସ, ରତ୍ନାବଳୀ, ମାଳବିକାଗ୍ନିମିତ୍ର ଓ ନୀଳାଦ୍ରି ଅର୍ଚ୍ଚନ ଚନ୍ଦ୍ରିକାରେ ପାରମ୍ପରିକ ଦୋଳୋତ୍ସବ ସମ୍ପର୍କରେ ବିଶଦ ଉଲ୍ଲେଖ ରହିଛି :  ଚାଚେରୀ ଗହଳ ସଖୀ ଗୋବିନ୍ଦଙ୍କ ଦୋଳ। ସର୍ବସୁଖ ଘେନି ଗଲେ ମଦନ ଗୋପାଳ।

 

ଶ୍ରୀମନ୍ଦିରରେ ଦୋଳପାଳନ ବିଧି : ଶ୍ରୀମନ୍ଦିରରେ ଏହି ମହୋତ୍ସବ ଫାଲଗୁନ ଶୁକ୍ଳ ଦଶମୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଛଅ ଦିନ ଧରି ଚାଲେ। ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ହେଲେ ଶ୍ରୀଦୋଳଗୋବିନ୍ଦ ଶ୍ରୀକୃଷ୍ଣ, ଶ୍ରୀଦେବୀ ହେଲେ ମା’ଲକ୍ଷ୍ମୀ, ଭୂଦେବୀ ହେଲେ ସରସ୍ୱତୀ ବା ସତ୍ୟଭାମା। ଏହି ତ୍ରିମୂର୍ତ୍ତିକୁ ବିଜେ ପ୍ରତିମା ଭାବେ ପ୍ରତିବର୍ଷର ପାର୍ବଣ  ଅର୍ଥାତ ଦୋଳ, ଝୁଲଣ ଓ ଚନ୍ଦନରେ ପୂଜା କରାଯାଇଥାଏ।  ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କର ଏହା ହେଉଛି ଯୁଗଳ ମିଳନାନ୍ତ ଉତ୍ସବ। ତେଣୁ ବହୁ ଆଡ଼ମ୍ୱର ସହକାରେ ପାଳିତ ହୁଏ। ଦଶମୀ ଦିନ ମଧ୍ୟାହ୍ନ ଧୂପ ପରେ ମଇଲମ ହୁଏ। ଦେବତାମାନେ ରକ୍ତବସ୍ତ୍ର ପରିଧାନ କରି  ଅଙ୍ଗାଭରଣ, ଓଡ଼ିଆଣୀ ଆଡ଼କନି, ତଡ଼କି, ନଳୀଭୁଜ ଲାଗି ହୁଅନ୍ତି। ଚନ୍ଦନ ସର୍ବାଙ୍ଗରେ ଲାଗି ହେବା ପରେ ଶ୍ରୀଦେବୀ ଭୂଦେବୀ ଓ ଦୋଳ ଗୋବିନ୍ଦ ଦକ୍ଷିଣଘର ଖଟ ଉପରେ ବିଜେ କରନ୍ତି। ଚାଚେରୀ ବେଶ ହୁଅନ୍ତି। ପ୍ରଭୁଙ୍କୁ ରତ୍ନସିଂହାସନ ଉପରକୁ ବିଜେ କରାଯାଏ। ସେଠାରେ ଚାଚେରୀ ଭୋଗ ଯଥା ବଡ଼, ଆରିସା, ସାନ ଆରିସା, କ୍ଷୀରୀ ଧଉଳା, ଘି’ ନାଡ଼ି ଖଇରଚୂଳ, ଇତ୍ୟାଦି ବହୁ ସୁଅଘ୍ର୍ୟ ଲାଗି କରାଯାଏ। ଭୋଗ ପରେ ସିଂହାସନ ତଳେ ଝିମିରି ଫଗୁଖେଳ ହୁଏ। ପ୍ରଥମେ ଚତୁର୍ଦ୍ଧା ମୂରତିକୁ ଫଗୁଲାଗି କରାଯାଇ ତଳେ ଥିବା ଭଗବାନ‌୍‍ ରାଧାକୃଷ୍ଣଙ୍କ ଯୁଗଳ ବିଗ୍ରହକୁ ପ୍ରକୃତି ଓ ପୁରୁଷର ମିଳନ ସଦୃଶ ବସନ୍ତ ମହୋତ୍ସବ ପାଳନ କରାଯାଏ ଓ ଠାକୁରଙ୍କ ବିଗ୍ରହ ଉପରେ ଫଗୁ ପକାଯାଏ। ଏହା ‘ଭିତର ଫଗୁ’ ଉତ୍ସବ।ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାଧୂପ ପରେ ଏହି ଚଳନ୍ତି ତ୍ରିମୂର୍ତ୍ତି ସମେତ ମୂର୍ତ୍ତିମାନଙ୍କୁ ଅବିର ରଙ୍ଗ କରାଯାଇ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଦେବତା ଲୋକନାଥ, ଯମେଶ୍ୱର, ମାର୍କଣ୍ଡେଶ୍ୱର, ନୀଳକଣ୍ଠ ଓ କପାଳମୋଚନାଦି ପଞ୍ଚଦେବଙ୍କ ଗହଣରେ ବିମାନରେ ବସାଇ ବସନ୍ତ ଉଦ୍ୟାନ ‘ଜଗନ୍ନାଥ ବଲ୍ଲଭ ମଠକୁ’ ନିଆଯାଏ। ଜଉ ନିର୍ମିତ ଫଗୁ ଫୋଟକାରେ ଖେଳ ହୁଏ। ଗୋବିନ୍ଦ ଓ ଲକ୍ଷ୍ମୀ ସରସ୍ୱତୀଙ୍କ ମଧ୍ୟରେ ଏହି ଫଗୁଖେଳ ପରେ ନୈବେଦ୍ୟ ଅର୍ପଣ  ହୁଏ। ଦଶମୀ ଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ପ୍ରତିଦିନ ଏହି ପରି ଚାଲେ। ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ବା ‘ମେଣ୍ଢାପୋଡ଼ି’ ଉତ୍ସବ ହୁଏ।ଏହି ଚତୁର୍ଦ୍ଦଶୀ ଦିନ ଜଗନ୍ନାଥଙ୍କର ଚାଚେରୀ ବେଶ ହୁଏ ଓ ଚାଚେରୀ ଭୋଗ ଲାଗି ହୁଏ। ବିଗ୍ରହମାନଙ୍କୁ ଫଗୁ (ଅବିର) ଅର୍ପଣ କରାଯାଏ। ଦେବଦାସୀ ପ୍ରତିନିଧି ରୂପେ  ଫଗୁଖେଳରେ ଯୋଗ ଦିଅନ୍ତି। ଏହା ପରେ ଲକ୍ଷ୍ମୀବଜାର ଦେଇ ଠାକୁରମାନେ ବିମାନରେ ‘ଦୋଳଦେବୀ’କୁ ଯାତ୍ରା କରନ୍ତି। ସେଠାରେ ପୂଜା ଉପଚାର ପରେ ମେଷ ମୁଖାକୃତି ହୋଲିକା ରାକ୍ଷସୀ ଦହନ କରାଯାଏ। ସେଠାରୁ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ବୁଲି ବାହାରନ୍ତି। ‘ଭିତର ଫଗୁ’ ଉତ୍ସବ ପରଦିନ ଠାରୁ ବିଗ୍ରହମାନଙ୍କୁ ବାହାର କରାଯାଇ ପାଞ୍ଚଦିନ ଯାକ ଦୋଳଯାତ୍ରା ଉତ୍ସବ ପାଳନ କରାଯାଏ। 

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୫୬୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ମନ୍ଦିର ବେଢା ମଧ୍ୟରେ ବଡ଼ ଦେଉଳର ଦକ୍ଷିଣପୂର୍ବ  ପାର୍ଶ୍ୱରେ ଦୋଳମଣ୍ଡପ  ନିର୍ମାଣ କରାଯାଇଥିଲା। ସ୍ୱୟଂ ଜଗନ୍ନାଥଙ୍କୁ  ସେଠାକୁ ନିଆଯାଇ ଦୋଳିରେ ବସାଇ ଝୁଲା ଯାଉଥିଲା। କିନ୍ତୁ ଠାକୁରମାନେ ଦୋଳି ଖେଳିବା ସମୟରେ ହଠାତ‌୍‍ ଦୋଳିରେ ଗୋଟିଏ ପଟ ଛିଡ଼ି ପଡ଼ିବା ଫଳରେ ଜଗନ୍ନାଥଙ୍କ ବିଗ୍ରହର ଗୋଟିଏ ପଟ ହାତରେ ଆଘାତ ଲାଗିଲା। ପୁଣି ଫଗୁଖେଳ ଯୋଗୁଁ ବିଗ୍ରହଗୁଡ଼ିକର ସୌନ୍ଦର୍ଯ୍ୟ ନଷ୍ଟ ହେବା ସମ୍ଭାବନାରେ ସେହି ଦୁର୍ଘଟଣା ପରଠାରୁ  ଗଜନ୍ନାଥଙ୍କ ପ୍ରତିନିଧି ସ୍ୱରୂପ ମଦନମୋହନଙ୍କ ମୂର୍ତ୍ତି ପିତଳରେ ତିଆରି ହୋଇ ଦୋଳମଣ୍ଡପକୁ ନିଆଯିବାର ବିଧି ପ୍ରଚଳିତ ହେଲା। ସେହିଦିନ ଠାରୁ ମଣ୍ଡପର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇ ମନ୍ଦିରର ବେଢାକୁ ଲାଗି ଉତ୍ତର ପୂର୍ବ କୋଣରେ ଦୋଳମଣ୍ଡପ ନିର୍ମାଣ କରାଯାଇଛି।

 

ନିଜ ନିଜ ଘର ଦ୍ୱାର ମୁହଁରେ ନରନାରୀମାନେ ଦିଅଁଙ୍କୁ ଅପେକ୍ଷା କରି ଅନେଇ ରହିଥାନ୍ତି। ଠାକୁରଙ୍କୁ ପାଇ ବଡ଼ ଆଦରରେ  ଅବିର ଦିଅନ୍ତି। ଆଟିକା ବା ପତ୍ର ଠୁଙ୍ଗାରେ ଭୋଗ ଲଗାନ୍ତି। ଏହାକୁ ‘ଦ୍ୱାରୀଭୋଗ’ କୁହାଯାଏ। ବର୍ଷସାରା ରାଧାକୃଷ୍ଣ ମନ୍ଦିରରେ ଭୋଗ ପାଆନ୍ତି। ମାତ୍ର ଏହି କେତେଦିନ ସେ ବୁଲି ବୁଲି ଏପରି ଭୋଗ ଗ୍ରହଣ କରନ୍ତି। ଭକ୍ତଙ୍କ ପାଇଁ ଯେ ଭଗବାନ ଉଭା ଏହା ହିଁ ଏଥିରୁ ପ୍ରମାଣିତ ହୁଏ। ମଣିଷ ମେଳରେ ମିଶିବା, ଅବିର ଖେଳିବା ଓ ଭୋଗ ଖାଇବା ଲାଗି ପବିତ୍ର ଦୋଳ ଯାତ୍ରାର ଆରମ୍ଭ।  ଏହି ଚାଚେରୀ ପରିକ୍ରମାରେ ଠାକୁର ଘରେ ଘରେ ଭୋଗ ଖାଆନ୍ତି ଓ ଏହି ଭୋଗରେ ଉଖୁଡ଼ା, ଚଣା ସହିତ ମୁଖ୍ୟତଃ ଆମ୍ୱକଷି ନୂଆଫଳ ରୂପେ ଠାକୁରଙ୍କୁ ଲାଗି ହୋଇଥାଏ ଓ ଆମ୍ୱକଷି ଠାକୁରଙ୍କ ଆଗରେ ଝୁଲାଯାଇଥାଏ।

                               

ଦୋଳପୂର୍ଣ୍ଣମୀ ଦିନ ଠାକୁରଙ୍କୁ ନବବସ୍ତ୍ର ଲାଗି କରାଯାଏ। ନିତ୍ୟ ଅର୍ଚ୍ଚନା ହୁଏ।  ଲକ୍ଷ୍ମୀ, ସରସ୍ୱତୀ ସହିତ ମଦନମୋହନ ରତ୍ନସିଂହାସନକୁ ସାତ ଥର ପରିକ୍ରମା କଲା ପରେ ନାଭିକଟା ମଣ୍ଡପରେ ମାଜଣା ଭୋଗ ଗ୍ରହଣ କରନ୍ତି। ଏହା ପରେ ବିମାନରେ ବସି ଶ୍ରୀମନ୍ଦିର ବେଢାକୁ ସାତ ଥର ପରକ୍ରମା କରି ଦୋଳଦେବୀକୁ ଯାନ୍ତି। ସେଠାରେ ଦୋଳବେଦୀ ପରିକ୍ରମା ପରେ ଦୋଳିରେ ବିରାଜମାନ କରନ୍ତି। ସେଠାରେ ତିନି ଧୂପ ବାଳଭୋଗ ହୁଏ। ଫଗୁ ଓ ଆମ୍ୱ କଷି ଲାଗି ହୁଏ। ଫେରିବା ବେଳେ ପୁନର୍ବାର ଦୋଳବେଦୀକୁ ସାତ ଥର ପରିକ୍ରମା କରିଥାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ରାଜବେଶ ହୁଏ। ଜଗନ୍ନାଥଙ୍କ ଦେହରେ ଫଗୁଲାଗି ହୁଏ ଓ ସ୍ୱର୍ଣ୍ଣ ନିର୍ମିତ ହସ୍ତ,ପଦ,ଶଂଖ, ଚକ୍ର, ଗଦା ଓ ହଳ ପ୍ରଭୃତି ଧାରଣ କରି ଠାକୁରମାନେ ଶ୍ରୀକୃଷ୍ଣ ବଳରାମ ରୂପେ ଉଦ୍ଭାସିତ ହୋଇଥାନ୍ତି।

 

ଲକ୍ଷ୍ମୀ ଓ ସରସ୍ୱତୀଙ୍କ ସହିତ ଦୋଳଗୋବିନ୍ଦ ଦୋଳମଣ୍ଡପକୁ ବିଜେ କରନ୍ତି। ପୂର୍ଣ୍ଣମୀ ଦିନ ଦୋଳବେଦୀକୁ ଠାକୁରମାନେ ଝୁଲିବାକୁ ଗଲେ ଆଗେ ଗଜପତି ମହାରାଜା ଛେରାପହଁରା କରୁଥିଲେ। ପ୍ରଭୁଙ୍କର ରାଜ ବେଶ ହୁଏ। ସେଦିନ ଠାକୁରଙ୍କୁ ବିମାନରେ ନେଇ ମନ୍ଦିର, ଦୋଳବେଦୀ ଓ ମଣ୍ଡପ ଉପରେ ସାତ ଥର କରି ଏକୋଇଶ ବାର ପରିକ୍ରମା କରାଯିବାର ବିଧାନ ରହିଛି। ଗୋପୀରୂପୀ ଭକ୍ତମାନେ ତାହା ହିଁ କରିଥାନ୍ତି। ସେଠାରେ ପ୍ରଭୁ ଦୋଳିରେ ବିଜେ ହୋଇ ଭକ୍ତଙ୍କୁ ଦର୍ଶନ ଦେଇ ପରମ ଆନନ୍ଦ ପ୍ରଦାନ କରିଥା’ନ୍ତି। ଶ୍ରୀଜଗନ୍ନାଥଙ୍କ ଦୋଳଯାତ୍ରା ଦର୍ଶନ କଲେ ଧର୍ମ, ଅର୍ଥ, କାମ, ମୋକ୍ଷାଦି ଚତୁଃବର୍ଗ ଫଳ ପ୍ରାପ୍ତି ହୋଇଥାଏ। ଦୋଳାୟମାନ ଦୋଳଗୋବିନ୍ଦଙ୍କ ପ୍ରସାଦରୁ ଭକ୍ତର ସକଳ ମନୋରଥ ସିଦ୍ଧ ହୁଏ। ଭବିଷ୍ୟୋତ୍ତର ଖଣ୍ଡରେ ଅଛି:  ଯ ଏବଂ କୁରୁତେ ପାର୍ଥ ଶାସ୍ତ୍ରୋକ୍ତଂ ଫଲଗୁନୋତ୍ସବମ‌୍‍। ତତ‌୍‍ ପ୍ରାସାଦାର୍ଥସିଦ୍ଧିଶ୍ଚ ତସ୍ୟ ସର୍ବେ ମନୋରଥାଃ। ଦୋଳବେଦୀରେ ଅବସ୍ଥିତ ଶ୍ରୀଗୋବିନ୍ଦଙ୍କ ଦର୍ଶନ ଅତୀବ ପୁଣ୍ୟପ୍ରଦ ଅଟେ। ଦୋଳାସ୍ଥିତ ଦେବଦର୍ଶନରେ ଲୋକ ସଂସାରବନ୍ଧନରୁ ମୁକ୍ତି ଲାଭ କରିଥାଏ : ଯୋ ପଶ୍ୟତି ଜଗଦ୍ଧାମ ଦୋଳାୟାଂ ପରମେଶ୍ୱରମ‌୍‍। ନ ସ ଗର୍ଭଗୃହଂ ଯାତି ଯାବଦାଚନ୍ଦ୍ରତାରକୌ।ା ସେହିପରି ଶ୍ରୀହର୍ଷ ‘ରତ୍ନାବଳୀ’ରେ ଲେଖି ଅଛନ୍ତି - ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦମ‌୍‍। ରଥେ ତୁ ବାମନଂ ଦୃଷ୍ଟ‌୍‍ା  ପୁନର୍ଜନ୍ମ ନ ବିଦ୍ୟତେ। ରଥରେ ବାମନ, ଚାପରେ ମଧୁସୂଦନଙ୍କୁ ଦେଖିବା ଭଳି ଦୋଳ ଝୁଲଣରେ ଦୋଳଗୋବିନ୍ଦଙ୍କୁ ପୂର୍ଣ୍ଣିମାରେ ଦୋଳବେଦୀରେ ଦର୍ଶନ କଲେ ପୁନଃ ଜନ୍ମ କବଳରୁ ମଣିଷ ମୁକ୍ତି ଲାଭ କରେ।

               

ଏହି ବିଷୟରେ ପୁରାଣରେ ଏକ କିଂବଦନ୍ତିରୁ ଦେଖିବାକୁ ମିଳେ ଯେ ଦ୍ୱାପର ଯୁଗରେ ‘ମେଢ’ ନାମକ ଏକ ରାକ୍ଷସ ବୃନ୍ଦାବନବାସୀଙ୍କୁ ଅତ୍ୟାଚାର  କରୁଥିଲା  ଓ ଭଗବାନ‌୍‍ ଶ୍ରୀକୃଷ୍ଣ ସେହି ରାକ୍ଷସକୁ ବଧ କରି ବୃନ୍ଦବନବାସୀଙ୍କୁ ଶାନ୍ତି ଓ ସୁରକ୍ଷା ପ୍ରଦାନ କରିଥିଲେ। ବୃନ୍ଦାବନବାସୀ ଭଗବାନ‌୍‍ ଶ୍ରୀକୃଷ୍ଣଙ୍କ ଶରୀରକୁ ରାକ୍ଷସର ରକ୍ତରେ ରଞ୍ଜିତ କରି ତାଙ୍କୁ ଏକ ବିମାନରେ ବସାଇ ବୃନ୍ଦାବନ ପରିକ୍ରମା କରାଇଥିଲେ ବୋଲି ସେହି ଉତ୍ସବର ସ୍ମୃତି ସ୍ୱରୂପ ଦୋଳପୂର୍ଣ୍ଣିମୀ ଉତ୍ସବରେ ନାଲି ଅବିର ଠାକୁରଙ୍କ ଉପରେ ପକାଯାଏ।

 

ଦୋଳ ଓ ଗୋବିନ୍ଦ:  ବୈଷ୍ଣବବାଦର ପ୍ରଚାର ସହିତ ଦୋଳୋତ୍ସବର ନିବିଡ଼ ସମ୍ପର୍କ ରହିଛି। ‘କୃଷ୍ଣସ୍ତୁ ଭଗବାନ‌୍‍ ସ୍ୱୟଂ’ ଅଥାର୍ତ‌୍‍ ଶ୍ରୀକୃଷ୍ଣ ସ୍ୱୟଂ ପରଂବ୍ରହ୍ମ ବା ବିଷ୍ଣୁ ବୋଲି ପ୍ରତିପାଦିତ ହେଲାପରେ ଦୋଳୋତ୍ସବର ପ୍ରସାର ଓ ପ୍ରଚାର ବଢ଼ି ବଢ଼ି ଚାଲିଛି। ଏହି ଦୋଳପର୍ବର ଉପିତ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କର ରାସ ଉତ୍ସବ। ଶ୍ରୀକୃଷ୍ଣ ଶ୍ରୀରାଧା ତଥା ଗୋପୀମାନଙ୍କର ନୈସର୍ଗିକ ପ୍ରେମଲୀଳା ହିଁ ଦୋଳ ଉତ୍ସବର ଆଧାର। ରାଧା ଶ୍ରେଷ୍ଠ ଗୋପୀ। ସେ କୃଷ୍ଣଙ୍କୁ ବିବାହ କରି ତାଙ୍କ ହୃଦୟରେ ଅବସ୍ଥାନ କରିଥିଲେ। ରାଧା ନାମ ଅତ୍ୟନ୍ତ ଭାବସ୍ପଶୀର୍। ରାଧା ଶବ୍ଦ ର‌୍‍, ଆ, ଧ‌୍‍, ଆ ଏହି ଚାରୋଟି ଅକ୍ଷର ମିଶ୍ରଣରେ ଗଠିତ। ‘ର‌୍‍’ ଅକ୍ଷର ଜନ୍ମଜନ୍ମାନ୍ତର ପାପ ଓ କର୍ମ ବନ୍ଧନରୁ ମୁକ୍ତି ଦେଇ ଥାଏ। ‘ଆ’କାର ଗର୍ଭବାସ, ରୋଗ ଓ ମୃତ୍ୟୁ ଆଦି ଦୂର କରିଥାଏ।

‘ଧ‌୍‍’ ଅକ୍ଷର ଆୟୁନାଶ ହେବା ଦୂର କରେ। ପୁନଶ୍ଚ ଶେଷ ‘ଆ’କାର ଭବବନ୍ଧନରୁ ମୁକ୍ତି ଦିଏ। ଏଣୁ ରାଧା ନାମ ଉଚ୍ଚାରଣ ଦ୍ୱାରା ମାନବର ସକଳ ସିଦ୍ଧି ହେବା ସହିତ ସଚ୍ଚିଦାନନ୍ଦ ପରମାତ୍ମାଙ୍କ ସାକ୍ଷାତ୍କାର ହୋଇଥାଏ।  ଭକ୍ତକବି ବନମାଳୀ ୧୭୫୪ ମସିହାରେ ଜଗନ୍ନାଥଙ୍କର ଅନ୍ୟତମ ଚଳନ୍ତି ବିଗ୍ରହ ଦୋଳଗୋବିନ୍ଦଙ୍କୁ ମଣିବିମାନରେ ଦର୍ଶନ କରି ଦୋଳ ଉତ୍ସବରେ ମଣି ଯେ ଗୋବିନ୍ଦଙ୍କୁ ଚମତ୍କାର ମାନୁଚି ତାହାକୁ ଅତି ସୁଚାରୁ ଶବ୍ଦମାଳିରେ ବର୍ଣ୍ଣନା କରିଛନ୍ତି : ମଣି ବିମାନେ ଗୋବିନ୍ଦ। ମଣି ବି ମାନେ ଗୋବିନ୍ଦ। ଶ୍ରୀମନ୍ଦିରରେ ପ୍ରଚଳିତ ବିଭନ୍ନ ଉତ୍ସବ, ବେଶ ଓ ଉପଚାର ବହୁ ପ୍ରାଚୀନ। ତେବେ ଶ୍ରୀ ଜଗନ୍ନାଥ ଯେ କୃଷ୍ଣ ସେଇ ଭାବରେ ବୈଷ୍ଣବୋପାସକଗଣ ଅନ୍ୟାନ୍ୟ ସାମ୍ୱତ୍ସରିକ ଉତ୍ସବାଦି ସହ ଦୋଳ ଉତ୍ସବକୁ ଶ୍ରୀମନ୍ଦିରର ଗୁଣ୍ଡିଚା ଯାତ୍ରା ପରି ଅତି ଭାବ ଗଦଦ ଗଦ‌୍‍ ହୋଇ ଉପଭୋଗ କରିଥା’ନ୍ତି। ମଣିଷ ଫଗୁ ଖେଳି ଦେବତାର ଆଦରକୁ ଗ୍ରହଣ କରିଥାଏ। ଜୈମିନୀ ଋଷି ଅନ୍ୟ ଋଷିମାନଙ୍କୁ କହିଥିଲେ ଯେ ଫାଳଗୁନ ମାସରେ ଭଗବାନ‌୍‍ ଗୋବିନ୍ଦ ଦୋଳ-ଆରୋହଣ ଉତ୍ସବ ପାଳନ କରାଯାଏ। ଭଗବାନ‌୍‍ ଗୋବିନ୍ଦ ମନୁଷ୍ୟମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ ନିମିତ୍ତ ଦୋଳାରୋହଣ ପର୍ବ କରିଥାନ୍ତି। ପ୍ରାଚୀନ ଭାରତୀୟ ପୁରାଣ କାବ୍ୟ, ସାହିତ୍ୟ ସମୁଦ୍ରରେ ଶ୍ରୀକୃଷ୍ଣଧାରାର ଉତ୍ତାଳ ତରଙ୍ଗ ମୁଖ୍ୟତଃ ମାଧୁର୍ଯ୍ୟଭାବ ଏବଂ ଐଶ୍ୱର୍ଯ୍ୟ ଭାବଧାରାକୁ ନେଇ ଦ୍ୱିଧା ବିଭକ୍ତ। ଭଗବାନ ଶ୍ରୀକୃଷ୍ଣଙ୍କ ଗୋପଲୀଳା ହିଁ ମାଧୁର୍ଯ୍ୟ ଭାବର ମୂଳାଧାର। ଆମର ଦୋଳୋତ୍ସବ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ବସନ୍ତରାସକୁ କେନ୍ଦ୍ର କରି ଏକ ଗଭୀର ଆଧ୍ୟାତ୍ମିକ ତତ୍ତ୍ୱ ଉପରେ ଆଧାରିତ। ପ୍ରତି ମନୁଷ୍ୟର ଶରୀର ଭିତରେ ପରମାତ୍ମା ପ୍ରାଣସ୍ୱରୂପ ବିଦ୍ୟମାନ। ସେହି ପରମାତ୍ମା ହିଁ ଅଖଣ୍ଡ ବ୍ରହ୍ମ ଶ୍ରୀକୃଷ୍ଣ। ପ୍ରତିଟି ଜୀବ ମଧ୍ୟରେ ସେ ପ୍ରାଣକୃଷ୍ଣ  ଆଉ ସେହି ପ୍ରାଣକୃଷ୍ଣଙ୍କ ନିର୍ଦ୍ଦେଶରେ ଶରୀର ଚାଳିତ। ସେହି ପରମାତ୍ମାଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିଦେବା ହିଁ ଗୋପୀଭାବ। ‘ଗୋ’ର ଅର୍ଥ ସମଗ୍ର ବିଶ୍ୱ ପ୍ରକୃତି ଆଉ ‘ପୀ’ର ଅର୍ଥ ‘ପ୍ରାଣକୃଷ୍ଣ’। ସମର୍ପଣ ପରେ ଜୀବର ନିଜସ୍ୱ ବୋଲି କିଛି ରହେ ନାହିଁ। ରାଧାକୃଷ୍ଣଙ୍କ ଦୋଳିମିଳନ ହିଁ ପରମାତ୍ମା ଓ ଜୀବାତ୍ମା ଏକାକାର ହୋଇ ମିଶି ଯିବାର ଏକ ଆଧ୍ୟାତ୍ମିକ ନିଦର୍ଶନ। ସହର ମଫସଲ ସବୁ କ୍ଷେତ୍ରରେ ଏହି ପରିବେଶ ଭିତରେ ଦେବଦେବୀଦର୍ଶନ ମଣିଷକୁ ନେଇଯାଏ ଆଧ୍ୟାତ୍ମିକ ଚେତନାର ଶୀର୍ଷସ୍ଥାନକୁ।

 

ଦୋଳର ଭୂଗୋଳ : କେବଳ ଭାରତରେ ନୁହେଁ ପଡ଼ୋଶୀ ନେପାଳ, ବାଂଲାଦେଶ, ପାକିସ୍ଥାନ, ଶ୍ରୀଲଙ୍କା ସମେତ ହିନ୍ଦୁମାନେ ବସବାସ କରୁଥିବା ଗୁଆନା, ଦକ୍ଷିଣ ଆଫ୍ରିକା, ତ୍ରିନିଦାଦ, ଇଂଲଣ୍ଡ, ଆମେରିକା, ମରିସସ‌୍‍ ଓ ଫିଜି ଆଦି ରାଷ୍ଟ୍ରମାନଙ୍କରେ ମଧ୍ୟ ଏହି ପର୍ବ ପାଳିତ ହେଉଥିବା ଦେଖାଯାଏ। ଏହି ଅଞ୍ଚଳମାନଙ୍କରେ ଦୋଳକୁ ଯେତିକି ଆଗ୍ରହର ସହିତ ପାଳନ କରନ୍ତି ଏହା ସହିତ ଜଡ଼ିତ ଅନ୍ୟ ପର୍ବ ହୋଲି କୁ ତା’ଠାରୁ ଯଥେଷ୍ଟ ଅଧିକ ଗୁରୁତ୍ୱ ଦେଇଥା’ନ୍ତି।

 

ଦୋଳପୂର୍ଣ୍ଣମୀର ବିଭିନ୍ନ ବୈଶିଷ୍ଟ୍ୟ: ସର୍ବୋପରି ଏହି ଉତ୍ସବର ଅନ୍ୟ ଏକ ବଡ ବିଶେଷତ୍ୱ ରହିଛି। ପଞ୍ଚଦଶ ଶତାବ୍ଦୀରେ ଏହି ପବିତ୍ର ଦୋଳପୂର୍ଣ୍ଣିମା ଦିନ ଭଗବତ‌୍‍ ଧର୍ମର ଶ୍ରେଷ୍ଠ ପ୍ରଚାରକ ମହାମାନବ ଓ ଭଗବାନ‌୍‍ ଶ୍ରୀକୃଷ୍ଣଙ୍କ କଳିଯୁଗ ପାବନାବତାର ମହାପ୍ରଭୁ ଶ୍ରୀଚୈତନ୍ୟ ଦେବ ନବଦ୍ୱୀପରେ ପଦାର୍ପଣ କରି ଧରାପୃଷ୍ଠରେ ଭଗବତ‌୍‍ ନାମ ଓ ପ୍ରେମ ପ୍ରଚାର କରିଥିଲେ। ତେଣୁ ହୋଲିକୁ ଏହି ମହାପୁରୁଷଙ୍କ ଜନ୍ମଦିବସ ଭାବେ ଓଡ଼ିଶା ଓ ବଙ୍ଗଳାର ଲୋକେ ପାଳନ କରିଥା’ନ୍ତି। ଶେଷରେ ଏହି ପୂର୍ଣ୍ଣିମା ତିଥିରେ ପୁରୀର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମୀପରେ ଅତି ରହସ୍ୟଜନକ ଭାବରେ ଅନ୍ତଦ୍ଧାର୍ନ ହୋଇଥିଲେ। ଦକ୍ଷିଣ ଭାରତର ଲୋକମାନେ ପ୍ରୀତିର ଦେବତା କାମଦେବଙ୍କୁ ଏହି ଦିନ ପୂଜା କରୁଥିବା ଜଣାଯାଏ। କାରଣ କାମଦେବ ମହାତପସ୍ୱୀ ମହାଦେବଙ୍କୁ କାମବାଣ ପ୍ରୟୋଗ କରି ତାଙ୍କ ଧ୍ୟାନ ଭଗ୍ନ କରିପାରିଥିଲେ।

 

 ଉପସଂହାର: କୃଷି,  ଗୋପାଳନ, ଶିକ୍ଷା,ସଂସ୍କୃତିର ପ୍ରସାର, ସଦ୍ଭାବ, ସଂହତିର ପ୍ରଚାରକ ଏହି ଦୋଳୋତ୍ସବ। ବନ୍ଧୁତ୍ୱ ଓ ସାମ୍ୟବାଦର ଏହା ପ୍ରତୀକ। ପ୍ରତିବର୍ଷ ଭାରତର ଜନସାଧାରଣ ବସନ୍ତକାଳ ଓ ଫଗୁଖେଳର ମାଧୁରୀ ଉପଲବ୍ଧି କରି ଆସୁଛନ୍ତି। ବହୁ ବଦଗୁଣ ବହନକାରୀ ମାନବ। ନିଜ ଚେହେରାକୁ ରଙ୍ଗବେରଙ୍ଗର ଅବୀର ଓ ପାଣି ଦ୍ୱାରା ବିକୃତ କରି ସ୍ନାନାନ୍ତେ ସେହି ବଦ୍ଗୁଣଗୁଡ଼ିକୁ ତ୍ୟାଗ କରିବାର ସଂକଳ୍ପ ନେଇଥାଏ। ହୋଲିର ସାଂସ୍କୃତିକ ମହତ୍ତ୍ୱ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ। ଈଶ୍ୱରଙ୍କୁ ଠିକ‌୍‍ ଭାବରେ ଡ଼ାକିଲେ ଭଗବାନ‌୍‍ ନିଶ୍ଚିତ ଶୁଣନ୍ତି ବୋଲି ହିରଣ୍ୟକଶିପୁ ବିଷୟରୁ ପ୍ରମାଣିତ ହୁଏ। ଏହା ମାନବ ଜାତିକୁ ସୁମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରଣା ଦେଇଥାଏ। କେବଳ ସେତିକି ନୁହେଁ ଅସତ୍ୟ ବିରୋଧରେ ଲଢେଇ କରି ସତ୍ୟ ଜରିଆରେ ବିଜୟ ହାସଲ କରିବା ପାଇଁ ହୋଲି ଶିକ୍ଷା ଦେଇଥାଏ।

 

ମନୁଷ୍ୟର ଅନ୍ତରରେ ଲୁକ୍କାୟିତ ହୋଲିକା ରୂପୀ ଅହମିକା ଓ କାମନାବାସନା। ଏସବୁ କୁପ୍ରବୃତ୍ତିକୁ ଜ୍ଞାନ ରୂପକ ଅଗ୍ନିଘରେ ଭସ୍ମ କଲେ ମନୁଷ୍ୟର ଅନ୍ତକରଣ ଶୁଦ୍ଧ ନିର୍ମଳ ହୁଏ। ସୌହାର୍ଦ୍ଦ୍ୟ ଓ ସଂପ୍ରୀତି ତଥା ମାନବିକତା ରୂପକ ଅବିରର ଆଦାନ ପ୍ରଦାନ ଦୋଳ-ହୋଲି ଉତ୍ସବର ପ୍ରକୃତ ଉଦ୍ଦେଶ୍ୟ। ହୃଦୟ ଦୋଳାରେ ରାଧା-କୃଷ୍ଣଙ୍କୁ ଅଧିଷ୍ଠିତ କରିବା ଓ ନାମ-ପ୍ରେମର ରଙ୍ଗରେ ସଜାଇ ଅହରହ ଅଣାକାର ମନ୍ତ୍ରର ଝଙ୍କାରରେ ମନବୀଣାକୁ ଝଙ୍କୃତ କରିବା ହିଁ ଦୋଳ ଉତ୍ସବର ଦାର୍ଶନିକ ରହସ୍ୟ। ଆସନ୍ତୁ ପବିତ୍ର ଦୋଳ ପୂର୍ଣ୍ଣିମା  ଓ ହୋଲି ଭାରତର ପ୍ରତ୍ୟେକ ଅଧିବାସୀଙ୍କ  ମଧ୍ୟରେ ଭ୍ରାତୃତ୍ୱ, ସୌହାର୍ଦ୍ଦ୍ୟ, ନୀରୋଗତା, ସୁଖ, ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ସଂଚାର କରୁ ଏହା ହିଁ ଆଜି ପବିତ୍ର ଦିବସରେ କାମନା କରିବା।

 

ଏମ‍୍‌.ଆଇ.ଜି.-୨୭୫, କାନନ ବିହାର, ପଟିଆ, ଭୁବନେଶ୍ୱର-୭୫୧୦୩୧

ମୋ.୯୪୩୭୭୭୬୯୦୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top