ରଙ୍ଗ ଓ ରାସର ପର୍ବ-୧

News Story - Posted on 2018-03-02

ଡ. ଶରତ ଚନ୍ଦ୍ର ପରିଡ଼ା

 

ଉପକ୍ରମ: ଦୋଳ ଏକ ସର୍ବଭାରତୀୟ ସାର୍ବଜନୀନ ବର୍ଣ୍ଣାଢ୍ୟ ପର୍ବ। ଭାରତରେ ପରିପାଳିତ ସମସ୍ତ ପର୍ବପର୍ବାଣି ପ୍ରାକୃତିକ, ପୌରାଣିକ, ଐତିହାସିକ, ସାମାଜିକ, ବୈଜ୍ଞାନିକ ତଥା ଆଧ୍ୟାତ୍ମିକ ପୃଷ୍ଠଭୂମି ଉପରେ ଆଧାରିତ ଓ ବୈଶିଷ୍ଟ୍ୟରେ ରୁଦ୍ଧିମନ୍ତ। ଯୁଗେ ଯୁଗେ ଆମ ସଂସ୍କୃତି ସହିତ ଏସବୁର କ୍ଷୀରନୀର ସମ୍ପର୍କ। ଦୋଳ ଆମ ସଂସ୍କୃତିର ବାର୍ତ୍ତାବହ। ହିନ୍ଦୁ ସମାଜରେ ଏକ ପ୍ରଧାନ ପର୍ବ। ଫଗୁଣରେ ଫଗୁଖେଳ। ଫାଲଗୁନ ପୂର୍ଣ୍ଣିମା ଫଲଗୂତ୍ସବ ରୂପେ ଅଭିହିତ। ଏହା ଲୋକସାଧରଣରେ ଫଗୁଦଶମୀ, ଫଗୁପୂନେଇ ବା ଦୋଳପୂର୍ଣ୍ଣିମା। ଦୋଳଯାତ୍ରା ଫଗୁଣ ଶୁକ୍ଳ ଦଶମୀରେ ଆରମ୍ଭ ହୁଏ। ଦ୍ୱାପର ଯୁଗରେ ଗୋପୀଗୋପାଳ ରାଧାକୃଷ୍ଣଙ୍କ ଅଭିନ୍ନ ରୂପ ଚିନ୍ତା କରୁଥିଲେ। ଚାଚେରୀ ଖେଳିଥିଲେ। ଯୁଗଳମୂର୍ତ୍ତିଙ୍କୁ ଦୋଳିରେ ଝୁଲାଇ ଫଗୁ ନିବେଦନ କରିଥିଲେ। ଏ ସବୁର ଲୌକିକ ପରମ୍ପରା ଏବେ ମଧ୍ୟ ଭାରତବର୍ଷରେ ପ୍ରଚଳିତ।

 

ବସନ୍ତର ଆଗମନ : ଅତି ନିଦାରୁଣ ଶୀତ ଋତୁର ଅସହ୍ୟ ଯାତନା। ତାହା ସହି ସହି ଦେଶର ଜନତା ତେଜବୀର୍ଯ୍ୟ ହୀନ ହୋଇ ପଡନ୍ତି। ଇତ୍ୟବସରରେ ସୁମଧୁର ମଧୁମୟ ଫାଲଗୁନ ମାସରେ ଋତୁରାଜ ବସନ୍ତ  ଧରାରେ ଅବତୀର୍ଣ୍ଣ ହୁଏ। ବିଭବମୟ ପ୍ରକୃତିରାଣୀ ଆଦ୍ୟ ବସନ୍ତର ସ୍ପର୍ଶରେ ଚାରୁତର ଓ ଅଧିକ ପ୍ରାଣବନ୍ତ ହୋଇ ଉଠେ। ବୃକ୍ଷରାଜି ପୁଷ୍ପଲତା ଶୋଭିତ ହୋଇଥାନ୍ତି। ଚାରି ଆଡେ ଖେଳିଯାଏ ବିପୁଳ ଉଦ୍ଦୀପନା ଓ ଉଲ୍ଲାସ। ବସନ୍ତର ପରଶ ଲଭି ଆବାଳବୃଦ୍ଧବନିତାଙ୍କ ଦେହମନ ଓ ପ୍ରାଣ ନୂତନ ଶିହରଣରେ ପୁଲକିତ ହୋଇଯାଏ। ଏକ ନୈସର୍ଗିକ ଆବେଗ ଓ ସଂପ୍ରୀତିର ଉନ୍ମାଦନା ସୃଷ୍ଟି ହୁଏ।  ମଦନଦେବ ବା କର୍ନ୍ଦପଙ୍କ ପ୍ରକୃତ ପ୍ରଭାବ ଏହି ବସନ୍ତ ଋତୁରେ ହିଁ ବିଶେଷ ଭାବରେ ଉପଲବ୍ଧି କରାଯାଏ। ଦୋଳ ପରେ ହୋଲି ଉତ୍ସବ ହେଉଛି ଏହି ପୁଲକ ଉପଲବ୍ଧି କରିବାର ପ୍ରଶସ୍ତ ସମୟ। ଆର୍ଯ୍ୟ ସଂସ୍କୃତି ବାସନ୍ତୀ ପ୍ରକୃତିର ଏହି ରାସଲୀଳାକୁ ଆହୁରି ମଞ୍ଜୁଳ, ମଧୁମୟ ଓ ମହିମାମଣ୍ଡିତ କରିବା ପାଇଁ ଶ୍ରୀକୃଷ୍ଣଙ୍କ ଆଚରିତ ମହୋତ୍ସବ ସମନ୍ୱିତ ହୋଇଛି। ବସନ୍ତର ପୂଜନ କରି ବସନ୍ତରାସରେ ମାତି ଶ୍ରୀକୃଷ୍ଣଙ୍କର ପ୍ରିୟଭକ୍ତଗଣ ଉଦବୁଦ୍ଧ ହୋଇଥାନ୍ତି :ଫାଲଗୁନେ ପୌର୍ଣ୍ଣମାସ୍ୟାଂ ତୁ ବିଦଧ୍ୟାସ୍ନ୍ରୈଷ୍ଣବୈଃ ସହ। ଶ୍ରୀକୃଷ୍ଣପ୍ରିୟଭକ୍ତସ୍ୟ ବସନ୍ତସ୍ୟାର୍ଚ୍ଚନୋତ୍ସବମ‌୍‍।

 

ବସନ୍ତ ଉତ୍ସବ ଓ ରାଧା-କୃଷ୍ଣ ଉପାସନାକୁ ଭିତ୍ତି କରି ପ୍ରାୟ ଦ୍ୱାଦଶ ଶତାବ୍ଦୀ ବେଳକୁ ଦୋଳଉତ୍ସବ ପାଳନ ହୋଇଥିଲା ବୋଲି କୁହାଯାଏ। ଏହି ସମୟରେ ଜୟଦେବ ଗୀତଗୋବିନ୍ଦର ପ୍ରଭାବରେ ଓଡ଼ିଶାରେ ରାଧା-ମାଧବ ଉପାସନା ପ୍ରଚଳିତ ଥିଲା। ଶ୍ରୀଜଗନ୍ନାଥଙ୍କ ନିକଟରେ ଗୀତଗୋବିନ୍ଦ ଗାନ ଓ ଶୃଙ୍ଗାର ରସ ସମ୍ୱଳିତ ଦେବଦାସୀ ନୃତ୍ୟ ମଧ୍ୟ ପ୍ରଚଳିତ ହୋଇଥିଲା। ବସନ୍ତର ଆଗମନରେ ରାଧା-କୃଷ୍ଣ ପ୍ରେମର ଅମର ମାଧୁର୍ଯ୍ୟ ରସର ପରିଚୟ ଦେଇ ଏହି ଗୀତଗୋବିନ୍ଦରେ ଉଲ୍ଲେଖ ଅଛି : ଲଳିତ ଲବଙ୍ଗଲତା-ପରିଶୀଳନ- କୋମଳ ମଳୟ ସମୀରେ, ମଧୁକର-ନିକର-କରମ୍ୱିତ-କୋକିଳ- କୂଜିତ-କୁଞ୍ଜକୁଟୀରେ, ବିହରତି ହରିରିହ ସରସ ବସନ୍ତେ। ନୃତ୍ୟତି ଯୁବତୀ ଜନେନ ସମଂ ସଖି- ବିରହୀ ଜନସ୍ୟ ଦୁରନ୍ତେ। ରୂପ କଳ୍ପନାରେ ବସନ୍ତକୁ ସୌନ୍ଦର୍ଯ୍ୟର ପ୍ରତୀକ ରୂପେ ଗ୍ରହଣ କରାଯାଏ। ବସନ୍ତ ଋତୁ ହେଉଛି  କାମଦେବଙ୍କ ସଖା। ପ୍ରକୃତିର ସୌନ୍ଦର୍ଯ୍ୟ, ମଳୟ ସ୍ପର୍ଶ ଓ କୋକିଳର କୁହୁତାନରେ ଏହି ସମୟରେ ବୈଦିକ କାଳରୁ ମଦନ ମହୋତ୍ସବ ପାଳିତ ହେଉଥିଲା। ବାସ୍ତବିକ ବୃନ୍ଦାବନରେ ଦିବ୍ୟନାରୀ ଗୋପୀମାନଙ୍କ ହୃଦୟରେ ରସିକଶେଖର ଗୋପୀନାଥଙ୍କ ପାଇଁ ଅପ୍ରାକୃତ ମିଳନର ଅଭୀପ୍ସା ଜାଗ୍ରତ ହୋଇଥିଲା। ତାହା ଥିଲା ଫଗୁଣ ପୂର୍ଣ୍ଣିମାର ଜ୍ୟୋକ୍ଟା ବିଧୌତ ଚିତ୍ତାକର୍ଷକ ରଜନୀ। ଯମୁନା କୂଳରେ ବୃନ୍ଦାବନର କୁଞ୍ଜରେ ଭକ୍ତିମତୀ ଗୋପୀମାନେ ବୃନ୍ଦବନଚନ୍ଦ୍ର ଶ୍ରୀକୃଷ୍ଣଙ୍କୁ ଲାତାଦୋଳିରେ ବସାଇ ଝୁଲାଉଥିଲେ। ତାଙ୍କ  ସହିତ ଭକ୍ତି ଓ ପ୍ରେମରେ ଚର୍ଚ୍ଚରୀ (ଚାଚେରୀ) ଖେଳିଥିଲେ। ରଙ୍ଗ ପିଚକାରୀ, କୁଞ୍ଜ ନିକୁଞ୍ଜର ଲୀଳାରାସ, ଯୁଗଳଛନ୍ଦା ଅଧରରେ ମୃଦୁ ବଂଶୀନାଦ, ଦୋଳାରେ ଝୁଲିବା ଆଦି ସମାରୋହ ବାସ୍ତବରେ ବଡ ହୃଦୟବ୍ୟଞ୍ଜକ ହୋଇଥାଏ।

 

ଭବିଷ୍ୟୋତ୍ତର ପୁରାଣରୁ ଜଣାଯାଏ ଯେ ଫଗୁ, ନୃତ୍ୟଗୀତ, ଚର୍ଚ୍ଚରୀ ବାଦ୍ୟ, ହାସ୍ୟରସ ଏବଂ ଆନନ୍ଦ ଉନ୍ମାଦନାର ସହ ଏହି ବସନ୍ତ ଉତ୍ସବ ପାଳନ କରାଯାଉଥିଲା। ଗୋପୀମାନଙ୍କ ସହିତ ରସିକଶେଖର ଗୋପୀନାଥ ଅପ୍ରାକୃତ ଦିବ୍ୟ-ପ୍ରେମର ଓ ରସରଙ୍ଗର ଲୀଳା ସଂପାଦନ କରିଥିଲେ ତାହା ହିଁ ବସନ୍ତରାସ ବୋଲି ପରିଚିତ। ଏହି ‘ବସନ୍ତରାସ’ ଭାରତୀୟ ସଂସ୍କୃତିରେ ‘ଦୋଳୋତ୍ସବ’, ‘ବସନ୍ତରାସ ଉତ୍ସବ’, ‘ବସନ୍ତଗୁଣ୍ଡିଚା’ ଓ ଆଉ କେତେକ ‘ମଦନୋତ୍ସବ’ ବୋଲି କହନ୍ତି। ପ୍ରାଚୀନ କାଳରେ ବସନ୍ତରାସ ପରବର୍ତ୍ତୀ କାଳରେ ବୈଷ୍ଣବଦର୍ଶନରେ ଦୋଳୋତ୍ସବ ଆଧାର। ରାଧାକୃ‌୍‍ଷ୍ଣ ଓ କୃଷ୍ଣଗୋପୀଙ୍କ ବିଶୁଦ୍ଧ ପ୍ରେମରେ କାମନାର ସ୍ଥାନ ନଥିଲା। ରାଧାକୃଷ୍ଣଙ୍କ ବାସନ୍ତୀ ଲୀଳା ପ୍ରେମାନୁରାଗା ଭକ୍ତିର ପ୍ରତୀକ ବୋଲି କେହି କେହି କହିଥା’ନ୍ତି। ଗୁପ୍ତଯୁଗରେ ମହାକବି କାଳିଦାସ ପ୍ପଅଭିଜ୍ଞାନଶାକୁନ୍ତଳମ‌୍‍ଡ୍ଗ, ପ୍ପଋତୁସଂହାରମ‌୍‍ଡ୍ଗ ପ୍ରଭୃତି ସଂସ୍କୃତ ଗ୍ରନ୍ଥରେ ମଦନ ଉତ୍ସବ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି ସମୟରେ ରଚିତ ପଦ୍ମପୁରାଣ, ହରିବଂଶ ଓ ଭବିଷ୍ୟୋତ୍ତର ପୁରାଣରେ ମଧ୍ୟ ବସନ୍ତ ଉତ୍ସବ ସମ୍ପର୍କରେ ସୂଚନା ଦିଆଯାଇଛି।

 

ଦୋଳର ତିଥି ଓ ବିଭିନ୍ନ ନାମ : ମାଘର ପରବର୍ତ୍ତୀ ଓ ଚୈତ୍ରର ପୂର୍ବବର୍ତ୍ତୀ ଚନ୍ଦ୍ର ମାସରେ ଚନ୍ଦ୍ର ପୂର୍ବ ଫାଲଗୁନ ନକ୍ଷତ୍ରରେ ଅବସ୍ଥାନ କରନ୍ତି। ତେଣୁ ଏହି ମାସରେ ପଡ଼ୁଥିବା ପୂର୍ଣ୍ଣିମାକୁ ‘ଫଲଗୁ’ ନକ୍ଷତ୍ର ଅନୁଯାୟୀ ଫଲଗୁପୂର୍ଣ୍ଣିମା ବା ଫଗୁପୂର୍ଣ୍ଣିମା କୁହାଯାଏ। ଫଗୁଖେଳକୁ କେନ୍ଦ୍ର କରି ଏହି ଫାଳଗୁନ ମାସର ନାମକରଣ କରାଯାଇଥିବା କୁହାଯାଏ। ପୁନ¼ ଏହି ପୂଣ୍ଣିର୍ମାରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦୋଳ ବା ବିମାନରେ ବସାଇ ନଗର ଓ ଗ୍ରାମ ପରିକ୍ରମା ପୂର୍ବକ ଏହି ମହୋତ୍ସବ ପାଳନ କରାଯାଉଥିବାରୁ ଏହାକୁ ଦୋଳପର୍ବ କୁହାଯାଏ ଓ ଏହି ପୂର୍ଣ୍ଣିମାକୁ ଦୋଳପୂର୍ଣ୍ଣିମା କୁହାଯାଏ। ଦୋଳପର୍ବ ଦୁଇ ଭାଗରେ ବିଭକ୍ତ ଯଥା ରାଜଦୋଳ ଓ ପଞ୍ଚୁଦୋଳ। ମୁଖ୍ୟତଃ ଦୋଳଯାତ୍ରା ଫାଲଗୁନ ଶୁକ୍ଳ ଦଶମୀ ଠାରୁ ମହାସମାରେହରେ ପାଳିତ ହୋଇ ପୂର୍ଣ୍ଣିମା ଦିନ ଶେଷ ହୁଏ। ଏହା ରାଜଦୋଳ। କାରଣ ଦଶମୀ ତିଥି ଠାରୁ ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ବୃନ୍ଦାବନର ଗୋପୀମାନେ ସେମାନଙ୍କ ଆରାଧ୍ୟଦେବ ଶ୍ରୀକୃଷ୍ଣଙ୍କ ସହିତ ଫଗୁ ଖେଳିଥିଲେ। ଆଉ କେତେକ ସ୍ଥାନରେ ଫଗୁପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ ଓଡ଼ିଶାରେ ଏହା ପାଳିତ ହେବା ଲକ୍ଷ୍ୟ କରାଯାଏ। ଏହାକୁ ପଞ୍ଚୁଦୋଳ ଉତ୍ସବ ବା ପାଞ୍ଚଦିନିଆ ଉତ୍ସବ କୁହାଯାଏ। କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅ ଦିନ ପର୍ଯ୍ୟନ୍ତ (ଛଅଦୋଳ), ଆଉ କେଉଁ ଠାରେ ନଅ ଦିନ ଧରି(ନଅଦୋଳ) ପାଳିତ ହୋଇଥାଏ। ଏପରିକି କୌଣସି କୌଣସି ଅଞ୍ଚଳରେ ଏକୋଇଶି ଦିନ ପର୍ଯ୍ୟନ୍ତ ଉତ୍ସବ ପାଳିତ ହୁଏ। ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଦୋଳମଣ୍ଡପରେ ଦେବତାମାନଙ୍କୁ ଦୋଳରେ ବସାଇ ଉତ୍ସବ ପାଳନ କରୁଥିବାରୁ ଏହାର ଅନ୍ୟ ନାମ ଦୋଳଯାତ୍ରା। ସନ୍ଥକବି ଦେବଦୁର୍ଲ୍ଲଭ ଦାସଙ୍କ ଭାଷାରେ ‘ଦୋଳ’କୁ ଚାଚେରୀ ବା ଚର୍ଚ୍ଚରୀ ବା ଭାଗ୍ୟୋତ୍ସବ କୁହାଯାଏ। ଚାଚେରୀ ଭୋଗ, ଚାଚେରୀ ଖେଳ,ଚାଚେରୀ ବେଶ ଶ୍ରୀମନ୍ଦିର ତଥା ଓଡ଼ିଶାର ବିଭିନ୍ନ ପୁରପଲ୍ଲୀ ଜନପଦରେ ଦୋଳୋତ୍ସବ ନାମରେ ଅନୁଷ୍ଠିତ ହୋଇଥାଏ।   ଫାଲଗୁନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀର ଅଷ୍ଟମଯାମରେ କିମ୍ୱା ପୂର୍ଣ୍ଣମୀ ଓ ପ୍ରତିପଦ ସନ୍ଧିକାଳରେ ଉକ୍ତ ଉତ୍ସବ ପାଳନ କରିବା ବିଧେୟ। ଦୋଳ ଉତ୍ସବ ସମ୍ପର୍କରେ ପଦ୍ମପୁରାଣ ପାତାଳଖଣ୍ଡରେ ବର୍ଣ୍ଣିତ ଅଛି : ବିଶେଷତଃ କଳିଯୁଗେ  ଦୋଳୋତ୍ସବ ବିଧୀୟତେ। ଫାଲଗୁନେ ଚ ଚତୁର୍ଦ୍ଦଶ୍ୟାମଷ୍ଟମେ ଯାମ ସଂଜ୍ଞକେ। ଅଥବା ପୌର୍ଣ୍ଣମାସ୍ୟାଂ ତୁ ପ୍ରତିପତ‌୍‍ ସନ୍ଧିମିଶ୍ରିତୌ। ପୂଜୟେତ‌୍‍ ବିଧିବଦ‌୍‍ ଭକ୍ତ୍ୟା ଫଲଗଚୂର୍ଣ୍ଣେଭ୍ୟଶ୍ଚତୁର୍ବିଧୈଃ।

 

ପଞ୍ଚ ଦିବସ ବ୍ୟାପୀ ଏହି ଉତ୍ସବର ଶେଷ ପୂର୍ଣ୍ଣମୀ ଓ ପ୍ରତିପଦ ଦିନ ଯଥାସମ୍ଭବ ଆଡ଼ମ୍ୱରରେ ଏହି ପର୍ବ ପାଳିତ ହୁଏ। ଆମ  ଉତ୍କଳବାସୀ ଆର୍ଯ୍ୟ, ହିନ୍ଦୁ ଓ ବୈଷ୍ଣବ ସମ୍ପ୍ରଦାୟ ଏହି ଉତ୍ସବ ପାଳନ କରନ୍ତି।

 

ପର୍ବପାଳନର ଅୟମାରମ୍ଭ : ବହୁ ଆଦିମ କାଳରେ ଗାଁର ପୁରୋହିତ ଗାଁ ମୁଣ୍ଡରେ ଅଗ୍ନି ପ୍ରଜ୍ୱଳିତ କରୁଥିଲେ। ସେ ବ୍ରାହ୍ମଣ ବା ନିମ୍ନ ଜାତିର ହୋଇ ପାରନ୍ତି। ଏହା ଦ୍ୱାରା ପୁରୁଣା ବର୍ଷକୁ ଜଳାଇ ନୂଆ ବର୍ଷକୁ ଆବାହନ କରାଯାଇଥାଏ। ଏହା ସହିତ ପ୍ରାର୍ଥନା କରାଯାଉଥିଲା ଯେ ନୂଆ ବର୍ଷ  ଧେନୁ ଓ ସଶ୍ୟ ଉପାସକମାନଙ୍କ ଉପରେ ବଷାର୍ କରୁ। ମଙ୍ଗଳମୟ ହେଉ। ରୋଗ, ବନ୍ୟା ଓ ମରୁଡ଼ି ଆଣୁଥିବା ଭୂତପ୍ରେତମାନେ ଦୂରେଇ ଯାନ୍ତୁ। ଏହି ଉପଲକ୍ଷେ ଲୋକମାନେ ଆନନ୍ଦରେ ନାଚୁଥିଲେ ଓ ଗାଉଥିଲେ। ପତାକା ଉଡ଼ାଉଥିଲେ। ରଙ୍ଗଖେଳରେ ଥିବା ନାଲି ରଙ୍ଗ ଦେଖି  ଭୂତପ୍ରେତମାନେ ଡ଼ରି ଯାଉଥିଲେ। କୃଷ୍ଣଙ୍କ ପ୍ରସଙ୍ଗ ହୋଲିକୁ ବହୁ ବିଳମ୍ୱରେ ଆସିଛି।

 

କବି କାଳିଦାସଙ୍କ ଋତୁସଂହାର, କୁମାରସମ୍ଭବମ‌୍‍  ଓ ରଘୁବଂଶ କାବ୍ୟରେ ଲାକ୍ଷାରସ ‘ରଂଜିପନି’  ପଦ ଅବତାରଣାରେ ବସନ୍ତ ଦୋଳର ଅର୍ଥ ପ୍ରକାଶିତ। କବି ଶାରଦାତନୟ  ଏବଂ ମତ୍ସ୍ୟପୁରାଣ ଅନୁସାରେ ମଦନୋତ୍ସବ, ବାତ୍ସାୟନଙ୍କ ଚତୁଃଷଷ୍ଠି ଅଙ୍ଗ ବିଦ୍ୟା ପ୍ରସଙ୍ଗରେ ‘ଉଦକାଘାତ’ (ଜଳ ଦ୍ୱାରା ଆଘାତ)ରୁ ରଙ୍ଗ ପିଚକାରିରେ ଆନନ୍ଦର ମାଦକତା ଅନୁଭବ ସମ୍ପର୍କରେ ଉଲ୍ଲେଖ ଅଛି। ଦ୍ୱାଦଶ ଶତାବ୍ଦୀରେ ଓଡ଼ିଆ ଜ୍ୟୋତିର୍ବିଦ‌୍‍ ଶ୍ରୀଶତାନନ୍ଦଙ୍କ ବିରଚିତ ‘ଶତାନନ୍ଦସଂଗ୍ରହ’ରେ ଦୋଳ ଯାତ୍ରା ସମ୍ପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ  ଓଡ଼ିଶାରେ ଏହି ପୁରାଣ ପ୍ରସିଦ୍ଧ ଦୋଳଉତ୍ସବ ପ୍ରାୟ ଆଠଶହ ବର୍ଷ ଧରି ଭାରତୀୟ ସଂସ୍କୃତି ଓ ପରମ୍ପରାର ଶୋଭାମଣ୍ଡନ କରି ଆସୁଅଛି। ଶ୍ରୀମନ୍ଦିରରେ ଦୋଳୋତ୍ସବ ୧୨୩୦ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା। ମାଦଳାପଞ୍ଜିରେ ଲେଖା ଅଛି ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗଭୀମ ଦେବ ଶ୍ରୀମନ୍ଦିରରେ ଦୋଳୋତ୍ସବ ଆରମ୍ଭ କରିଥିଲେ। ମାଦଳାପାଞ୍ଜି ଭାଷାରେ-ପ୍ପଏ ରାଜା ଦ୍ୱାଦଶ ଯାତ୍ରା ପର୍ବପର୍ବାଣିମାନଭିଆଣ କଲେ। ସେ ଫଗୁ, ଚାଚେରୀ ପାଇଁ ୩୦ ମାଢ, ଦୋଳ ଯାତ୍ରା ପାଇଁ ଶହେ ମାଢ ଓ ଅଗ୍ନି ଉତ୍ସବ ପାଇଁ ୩ ମାଢ ସୁନା ଖଞ୍ଜା କରିଥିଲେ। ଦୋଳରେ ଦକ୍ଷିଣାଭିମୁଖୀ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ଭକ୍ତ ଧନ୍ୟ ହୋଇଯାଏ  ଓ ଚତୁର୍ବଗ ଫଳ ପ୍ରାପ୍ତ ହୋଇଥାଏ।  ଡ଼ଃ ଆର‌୍‍.ଏଲ‌୍‍. ମିତ୍ର ଦୋଳଯାତ୍ରାର ପ୍ରାରମ୍ଭ ବୈଦିକ କାଳରୁ ବୋଲି ଯୁକ୍ତି ଦର୍ଶାଇ ତାଙ୍କର ଦ ଆଣ୍ଟିକୁଇଟିଜ ଅଫ ଓଡ଼ିଶା ଗ୍ରନ୍ଥରେ ଲେଖନ୍ତି ଯେ ଏହି ପର୍ବ ଭାରତରେ ବୈଦିକ ଯୁଗରୁ ପାଳନ କରାଯାଇ ଆସୁଛି। ଲୋକମାନେ ଆନନ୍ଦ ଉଲ୍ଲାସର ସହିତ ହସ ପରିହାସ ଭିତରେ ଭୋଜିଭାତ କରି ଏହି ପର୍ବ ପାଳନ କରିଥାନ୍ତି। ବର୍ଷ ସାରା ମଣିଷ ଦେବଦେବୀଙ୍କୁ ଆବାହନ କରି ଆଣେ ପୃଥିବୀ ପୃଷ୍ଠକୁ। ସେମାନେ ମଧ୍ୟ ମଣିଷ ଗହଣକୁ ଆଗ୍ରହରେ ଆସିଥା’ନ୍ତି ନିଜ ରୂପରେ ବା ଅବତାର ରୂପରେ। ଏହିପରି ମଣିଷ ଓ ଦେବଦେବୀଙ୍କ ସମ୍ପର୍କ ଆଣି ଦିଏ ଏହି ଧରାଧାମରେ ଅମୃତର ଧାରା। ବୈକୁଣ୍ଠର ଅମୂଲ୍ୟ ବିଚାର ମଣିଷ ଜୀବନର ସୁଖ-ଦୁଃଖ ସଂସାରରେ ଅପରସୀମ ଶାନ୍ତି ବୁଣେ। ଭଗବାନ‌୍‍ ସ୍ୱୟଂ ଶ୍ରୀକୃଷ୍ଣ ଏହି ପର୍ବର ମୂଳ। ଆର୍ଯ୍ୟଭୂମି ଭାରତରେ ଭଗବାନ‌୍‍ ଶ୍ରୀକୃଷ୍ଣ ହେଉଛନ୍ତି କଳି କଳୁଷହାରୀ ଲୀଳାମୟ ପୁରୁଷ ଏବଂ ରତିଶେଖର, ପ୍ରୀତିପ୍ରଦାୟକ, ସଂହତି-ସଦ୍ଭାବର ପ୍ରବର୍ତ୍ତକ ଏବଂ କାମ, କ୍ରୋଧ ଲୋଭ, ମୋହ ମାୟା ରୂପକ ରାକ୍ଷସମାନଙ୍କର ସଂହାରକ।

 

ଦୋଳ ଉତ୍ସବ ପଛରେ ପୌରାଣିକ କାହାଣୀ : ଦୋଳ ଉତ୍ସବର ଉତ୍ପତ୍ତି ସମ୍ୱନ୍ଧରେ ଭିନ୍ନ ଭିନ୍ନ ଶାସ୍ତ୍ରୀୟ ମତ ରହିଛି। ପୌରାଣିକ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ ଯେ ହୋଲିଖେଳର ସୃଷ୍ଟି ପାଇଁ ତିନୋଟି ପୌରାଣିକ ଆଖ୍ୟାନ ବେଶ‌୍‍ ଜଣାଶୁଣା। ତନ୍ମଧ୍ୟରୁ ପ୍ରଥମଟି ହେଲା ‘ହୋଲିକା ଦହନ’। ପ୍ରବାଦ ଅଛି ବିଷ୍ଣୁଙ୍କର ଚତୁର୍ଥ ଅବତାର ନରସିଂହ ଅବତାର। ସେହି ସମୟରେ ଦାନବରାଜ ମହାବୀର ହିରଣ୍ୟକଶିପୁ(ସୁବର୍ଣ୍ଣବେଶଯୁକ୍ତ)ର ଭଗିନୀ ବର ପାଇଥିଲା ଯେ ନିଜ ଇଚ୍ଛା ଅନୁସାରେ ସେ ଅନାୟାସରେ ଅଗ୍ନି ମଧ୍ୟରେ ଅବସ୍ଥାନ କରିପାରିବ। ଅଥଚ ଅଗ୍ନି ତାର କୌଣସି କ୍ଷତି ସାଧନ କରିପାରିବ ନାହିଁ। ଏହି ବରର ଦୁରୁପଯୋଗ କରି ବସନ୍ତକାଳ ଆଗମନରେ ହୋଲିକା ଆସୁରିକ ମାୟା ବିସ୍ତାର କରି ଦେବତା,ଋଷି, ଓ ପ୍ରଜାଙ୍କ ଶରୀରରେ ବିଷାକ୍ତ ବିସ୍ଫୋଟକର ସୂତ୍ରପାତ କରୁଥିଲା। ଏହା ଦ୍ୱାରା ବ୍ରଜକିଶୋର କୃଷ୍ଣ ଓ ବ୍ରଜବାସୀଗଣଙ୍କ ଅନଙ୍ଗ ଉତ୍ସବରେ ଅନ୍ତରାୟ ସୃଷ୍ଟି ହେଉଥିଲା। ଆତ୍ମଗର୍ବରେ ମତ୍ତ ହିରଣ୍ୟକଶିପୁ ନିଜର ଏକମାତ୍ର ପୁତ୍ର ହରିଭକ୍ତ ପ୍ରହ୍ଲାଦକୁ ହରିଭକ୍ତିରୁ ନିବୃତ୍ତ କରିବା ପାଇଁ ନାନା ଚେଷ୍ଟା କରି ବିଫଳ ହେଲା। ଶେଷରେ କ୍ଷୁବ୍ଧ ହୋଇ ତାହାକୁ ପ୍ରାଣରେ ମାରିଦେବା ପାଇଁ ପ୍ରତିଜ୍ଞାବଦ୍ଧ ହେଲା। ବାରମ୍ୱାର ସେଥିରେ ବିଫଳ ହେବା ହେତୁ ଶେଷରେ ଭଗିନୀ ହୋଲିକାକୁ ପ୍ରରୋଚିତ କରି ସାହାଯ୍ୟ ଲୋଡ଼ିଲା। ମନ୍ତ୍ରଣା ହେଲା ହୋଲିକା ପ୍ରହ୍ଲାଦକୁ ଧରି ଅଗ୍ନିରେ ପ୍ରବେଶ କରିବ। ଫଳତଃ ଅଗ୍ନିରେ ଅକ୍ଷତ ରହିବ ହୋଲିକା କିନ୍ତୁ କ୍ଷଣକ ମଧ୍ୟରେ ପ୍ରହ୍ଲାଦ ପରିଣତ ହେବ ମୁଠାଏ ପାଉଁଶରେ। ମାତ୍ର ସ୍ୱୟଂ ଶ୍ରୀହରି ଯେଉଁ ଭକ୍ତର ରକ୍ଷାକର୍ତ୍ତା କିଏ ବା ତାର କ୍ଷତି ସାଧନ କରିପାରିବ? ପ୍ରାପ୍ତ ବରର ଅପପ୍ରୟୋଗ ଦୋଷରେ ଦୂଷିତା ହୋଲିକା ଅଗ୍ନିରେ ଭସ୍ମୀଭୂତା ହେଲା। ସବୁଥର ଭଳି ହରିକୃପା ବଳରେ ବଳୀୟାନ‌୍‍ ପ୍ରହ୍ଲାଦ ମୃତ୍ୟୁର କରାଳ ଗର୍ଭରୁ ହସି ହସି ଶୁଦ୍ଧ ସୁବର୍ଣ୍ଣ ଭଳି ଗଳନ୍ତା ନିଆଁ ଭିତରୁ ଚାଲି ଆସିଥିଲେ।  ଭକ୍ତବାଞ୍ଛାପୂର୍ଣ୍ଣକାରୀ କୃଷ୍ଣ ନିଜର ବୈଷ୍ଣବୀ ଶକ୍ତି ପ୍ରଭାବରେ ଉକ୍ତ ଦାନବୀକୁ ବଧ କରିଥିଲେ। ଅନ୍ୟାୟ ପୋଡ଼ି ଧ୍ୱଂସ ହୋଇଯିବା ଘଟଣାର ସ୍ମରଣାର୍ଥେ  ସାରା ଭାରତରେ ଉକ୍ତ ରାକ୍ଷସୀ ହୋଲିକାର ଦହନଲୀଳା ଅନୁଷ୍ଠିତ ହୋଇ ଆସୁଛି। ପୃଥିବୀରେ ଅନ୍ୟାୟ, ଅସତ୍ୟ, ଅମାନବିକତା ଓ ଛଳନାର ଧ୍ୱଂସ ପାଇ ହୋଲି ପର୍ବର ପୂର୍ବଦିନ ରାତିରେ ଅଗ୍ନି ଉତ୍ସବ ପାଳନ କରାଯାଇଥାଏ। ଏହିଦିନ ଅନୀତିବାନ‌୍‍ ଓ ପାପୀ ରାଜା ହିରଣ୍ୟକଶିପୁଙ୍କୁ ଶାସ୍ତି ତଥା ଅମାନୁଷିକ ହୋଲିକାର ଧ୍ୱଂସ ଉତ୍ସବ ପାଳନ କରାଯାଇଥାଏ। କାଳେ କାଳେ ପାପର କ୍ଷୟ ଓ ପୁଣ୍ୟର ଜୟ-ଏହା ପ୍ରମାଣିତ କରିବା ପାଇଁ କାହାଣୀ ଭିତ୍ତିଭୂମି ରୂପେ କାର୍ଯ୍ୟ କରେ।

 

ଉତ୍ତର ପ୍ରଦେଶର ଝାନସୀ ଜିଲ୍ଲାର ଦେଓକାଲି ନାମକ ଏକ ଅଞ୍ଚଳରେ ଏହି କାହାଣୀଟି ଅମର ହୋଇ ରହିଛି। କାରଣ ବିଶ୍ୱାସ କରାଯାଏ ଏଠାରେ ହିରଣ୍ୟକଶିପୁର ରାଜମହଲ ଥିଲା। ଏହାର ନିମ୍ନ ଅଞ୍ଚଳରେ ଏକ ଗଭୀର ଜଳାଶୟ ଥିଲା। ପିତାଙ୍କ ଆଦେଶରେ ପ୍ରହ୍ଲାଦଙ୍କୁ ଏଠରେ ଫିଙ୍ଗି ଦିଆଯାଇଥିଲା। ପାଖରେ ଥିବା ପଥର ଦେହରେ ପ୍ରହ୍ଲାଦଙ୍କ ଚିହ୍ନ ରହିଛି।  ପାପର କ୍ଷୟ ଓ ଧର୍ମର ଜୟ ଯୋଗୁ ଲୋକେ ଆନନ୍ଦ ଓ ଉଲ୍ଲାସରେ ସେଦିନ ନିଜକୁ ହଜାଇ ଦେଇଥିଲେ ଫଗୁ ଓ ସୁଗନ୍ଧିତ ରଙ୍ଗୀନ‌୍‍ ଜଳରେ। ଦ୍ୱିତୀୟ ପୌରାଣିକ କାହାଣୀ-ଅସୁରରାଜା କଂସ ଶୂନ୍ୟବାଣୀ ଶୁଣିବାକୁ ପାଇଲା ଯେ ତା’ର ପ୍ରକୃତ ହତ୍ୟାକାରୀ ଗୋପପୁରରେ ବଢୁଛି। ସେ ଚାହିଁଲା ଗୋପପୁରର ସମସ୍ତ ଶିଶୁଙ୍କୁ ହତ୍ୟା କରିବା ପାଇଁ। ସେଥି ପାଇଁ ରାକ୍ଷସୀ ପୁତନା ପ୍ରେରିତ ହୋଇଥିଲା ଗୋପୁରକୁ। ନିଜ ସ୍ତନରେ ହଳାହଳ ବିଷ ବୋଳି କରି କ୍ଷୀର ରୂପେ ପାନ କରାଇ ସମସ୍ତ ଗୋପାଳ ଶିଶୁଙ୍କ ଜୀବନ ନାଶ କରିବାକୁ ଲାଗିଲା। ମହିମାମୟ ଶ୍ରୀକୃଷ୍ଣଙ୍କୁ କ’ଣ ବା ଅଗୋଚର ଥାଇ ପାରେ ! ସେ ପୁତନାର ସ୍ତନ୍ୟପାନ କରିବାର ଛଳନା କରି ଛଳନାମୟୀ ସୁନ୍ଦରୀର ପଞ୍ଚପ୍ରାଣ ଶୋଷଣ  କରିଥିଲେ। ଦିବ୍ୟସୁନ୍ଦରୀ ରୂପ ଧାରଣ କରିଥିବା ପୁତନା ତା’ର ଅସଲ ରାକ୍ଷସୀ ରୂପ ପ୍ରକାଶ କରି ମୃତ୍ୟୁବରଣ କରିଥିଲା। ଶ୍ରୀକୃଷ୍ଣ ସନ୍ଥମାନଙ୍କୁ ପାଳନ କରିବା ପାଇଁ ଦୁଷ୍ଟ ନିବାରଣ କରିଥିବା ଯୋଗଁୁ ହୋଲି ବା ଦୋଳୋତ୍ସବ ପାଳିତ ହୁଏ ବୋଲି ଅନେକ ମତ ବ୍ୟକ୍ତ କରନ୍ତି।

 

ମେଣ୍ଢାସୁର ପୋଡ଼ି : ତୃତୀୟ ଆଖ୍ୟାନଟି ହେଉଛି ମେଣ୍ଢାସୁର ବଧ। ‘ହୁଲି’ ନାମକ ଏକ ଅସୁର କନ୍ୟା ଜନ୍ମରୁ ଥିଲା ଭଗବାନ ବିଷ୍ଣୁଙ୍କ ଉପାସିକା। ସେ ସନ୍ତାନପ୍ରାପ୍ତି ନିମିତ୍ତ ଏକଦା କଠୋର ତପସ୍ୟାରେ ନିମଗ୍ନା ହେଲା। ଭକ୍ତର ଭକ୍ତିରେ ଆକର୍ଷିତ ହୋଇ ଆସିଲେ ସ୍ୱୟଂ ଭଗବାନ‌୍‍। ହୁଲି ପ୍ରାର୍ଥନା କଳା ଯେ ତା’ର ରକ୍ତବୀର୍ଯ୍ୟ ଭଳି ଏକ ପୁତ୍ର ସନ୍ତାନ ହେଉ। ତା’ର ମୃତ୍ୟୁ ପରେ ଟୋପାଏ ରକ୍ତ  ଭୂମିରେ ପଡ଼ିଲେ ନୂତନ ଭାବେ ସେ ଜନ୍ମ ନେଇ ପାରିବ। ଭକ୍ତର ଅଭୀଷ୍ଟ ପୂରଣ କରି ଭଗବାନ‌୍‍ କହିଲେ-ତଥାସ୍ତୁ। ସହସା ମେଷମୁହଁ ଥିବା ଏକ ବିଶାଳ ଶରୀରଧାରୀ ପୁତ୍ର ପ୍ରସବ କଲା ରାକ୍ଷସୀ ହୁଲି। ମେଷର ମୁଖ ନେଇ ଜନ୍ମ ହୋଇଥିବାରୁ ତା’ର ନାମ ହେଲା ମେଷାସୁର ବା ମେଣ୍ଢାସୁର। କ୍ରମେ ମେଷାସୁରର କଳେବର ହୃଷ୍ଟପୁଷ୍ଟ ହେଲା। ଅସୁରଗୁଣ ବି ବିକଶିତ ହେଲା। ସେ ଗୋପରେ ପ୍ରବେଶ କରି ଗୋପୀମାନଙ୍କୁ ଭକ୍ଷଣ କରୁଥାଏ। ଏଥିରେ ଅତିଶୟ ଭୟଭୀତ ହୋଇ ଗୋପୀମାନେ ଭଗବାନ‌୍‍ ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ହେଲେ। ଶ୍ରୀକୃଷ୍ଣ ବଡ଼ ଅଡ଼ୁଆରେ ପଡ଼ିଲେ। ନିଜ ବର ପ୍ରସାଦରୁ ଜାତ ମେଷାସୁରକୁ ସେ ସ୍ୱହସ୍ତରେ କିପରି ସଂହାର କରିବେ? ମାତ୍ର ଦୁଷ୍ଟ ସଂହାର ଓ ଶିଷ୍ଟପାଳନ ନିୟମର ନିୟାମକ ହୋଇ ଥିବାରୁ ସେ ବିନା ଦ୍ୱଧାରେ ନିଷ୍ପତ୍ତି ନେଲେ ଗୋପୀମାନଙ୍କ ଦ୍ୱାରା ତାକୁ କୌଶଳରେ ସଂହାର କରିବେ।

 

ମନ୍ତ୍ରଣା ହେଲା ମେଷାସୁରକୁ ବଧ କରିବା ସମୟରେ ତା ଦେହରୁ ଟୋପାଏ ମାତ୍ର ରକ୍ତ ଯେପରି ଭୂଇଁରେ ନପଡେ଼। ଗୋପୀମାନେ ପ୍ରଥମେ ବଡ଼ ବଡ଼ ସ୍ତୂପାକାର କାଠକାଠି ରଖି ଜଳାଇ ରଖିବେ। ମେଷାସୁର ଆସିବା ମାତ୍ରେ ତାହାକୁ ସମସ୍ତେ ମିଳିମିଶି ସେହି ଅଗ୍ନିରେ ନିକ୍ଷେପ କରିବେ। ସେ ଯେପରି ବାହାରକୁ ବାହାରି ନ ଆସେ ତାକୁ ମାଡ଼ ବସି ଦଗ୍ଧ କରାଯିବ। ଏଣେ ମେଷାସୁର ଗୋପୀମାନଙ୍କୁ ଗିଳିବା ପାଇଁ ଚେଷ୍ଟା କଲାମାତ୍ରେ ଶ୍ରୀକୃଷ୍ଣ ତା ପାଟିରେ ପଶି କଣ୍ଠରୋଧ କରିବେ। ଫଳରେ ସେ ଅଣନିଃଶ୍ୱାସୀ  ହୋଇ ମରିଯିବ। ଯଦି ଅସୁରର ନାସା ବା ମୁଖ ଦେଇ ରକ୍ତ ବାହାରି ଆସେ ତାହା ହେଲେ ଫଗୁ ମାରି ତାହାକୁ ଶୁଖାଇ ଦିଆଯିବ। ଏହି ଉପାୟ ଅନୁସାରେ ମେଷାସୁରକୁ ବଧ କରାଗଲା। ମେଷାସୁରକୁ ବଧ କଲା ପରେ ଶ୍ରୀକୃଷ୍ଣ ତା ଦେହରୁ ବାହାରି ଆସିଲେ। ଗୋପୀମାନେ ତାଙ୍କର ରକ୍ତସିକ୍ତ ଦେହକୁ ସଙ୍ଗେ ସଙ୍ଗେ ଅବିର ମାରି ଶୁଷ୍କ କରାଇଦେଲେ। ଫଳରେ ବୁନ୍ଦାଏ ହେଲେ ରାକ୍ଷସ ରକ୍ତ ଭୂଇଁରେ ପଡ଼ିପାରି ନଥିଲା। ହୁଲି ଏ ଘଟଣାରେ ସ୍ତମ୍ଭୀଭୂତ ହୋଇଗଲା। ସେ ଶ୍ରୀକୃଷ୍ଣଙ୍କ ନିକଟରେ ଫେରାଦ ହେଲା ଏବଂ ପ୍ରିୟପୁତ୍ରକୁ ପୁନର୍ଜୀବନ ଦେବା ପାଇଁ କେତେ କାକୁତିମିନତି ହେଲା। ମାତ୍ର ଭଗବାନ‌୍‍ କହିଲେ- ମୃତ ମେଷାସୁର ଆଉ ଜୀବନ ଫେରି ପାଇବା ଅସମ୍ଭବ। ହେଲେ ମେଷାସୁରର ସ୍ମୃତି ଚିରସ୍ଥାୟୀ କରିବା ପାଇଁ ଜନମାନସରେ ସବୁ ବର୍ଷ ହୋଲି ଉତ୍ସବ ପାଳନ କରାଯିବ। ତାହା ହିଁ ହେଲା। ସେହି ଦିନ ଠାରୁ ହୋଲି ଉତ୍ସବ ପାଳନ ହୋଇ ଆସୁଛି।

 

ଦୋଳପୂର୍ଣ୍ଣମୀର ପୂର୍ବ ଦିନ ଅଥାର୍ତ‌୍‍ ଚତୁର୍ଦ୍ଦଶୀ ରାତ୍ରିରେ ଅଗ୍ନି ଉତ୍ସବ ପାଳନ କରାଯାଏ। ଦଶ ଦିଗପାଳଙ୍କ ମଧ୍ୟରୁ ଅଗ୍ନି ମଧ୍ୟ ଦକ୍ଷିଣ-ପୂର୍ବ ଦିଗ ବା ଆଗ୍ନେୟ କୋଣର ପାଳନ କର୍ତ୍ତା। ତେଣୁ ରାଧାକୃଷ୍ଣ ମନ୍ଦିରର ଆଗ୍ନେୟ ଦିଗରେ ଅଗ୍ନିଦେବତାଙ୍କର ପୂଜାର ବ୍ୟବସ୍ଥା ହୁଏ। ଏହା ଅଇଘରା ବା ଦେବଅଗ୍ନି  ପୂଜା ଭାବରେ ନାମିତ। ଏହାକୁ କେହି କେହି ଅଗ୍ନିଗୃହ ପୂଜା ବା ‘ମେଣ୍ଢାଘର ପୋଡି’ ବୋଲି କହିଥା’ନ୍ତି। ଏହି ଅଗ୍ନି ଉତ୍ସବ ଭଗବାନଙ୍କର ଦୋଳଯାତ୍ରାର ଅଙ୍ଗ ସ୍ୱରୂପ ଓ ଭଗବାନଙ୍କର ପରମପ୍ରିୟ ବୋଲି କଥିତ ଅଛି। ଅଗ୍ନିଙ୍କର ବାହନ ମେଷ। ସର୍ବସାଧାରଣଙ୍କ ବାଉଁଶ ଓ କୁଟାରେ ମେ‹ାସୁରର ବିରାଟ ଅବୟବ ତିଆରି କରାଯାଇ ଗାଁମୁଣ୍ଡରେ ଉଚ୍ଚ ସ୍ଥାନମାନଙ୍କରେ ରଖାଯାଏ। ଆଉ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତି ଦୋଳରେ ବସି ଘରକୁ ଘର ବୁଲି ଭୋଗ ଖାଇ ଆସିବା ପରେ ଆରମ୍ଭ ହୁଏ ‘ଅଇଘରା’ ଉତ୍ସବ। ଗାଁ ମୁଣ୍ଡରେ ସ୍ତୂପୀକୃତ ନଡ଼ିଆ ବରଡ଼ା , ଜମା କରାଯାଇଥିବା କାଠ, ନଡ଼ା ଓ ଝାଟି ଦେଇ ଅନ୍ୟ ଏକ କୁଡ଼ିଆ ଘର ଭଳି ତିଆରି କରାଯାଏ। କେତେକ ସ୍ଥାନରେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥରେ ନିର୍ମିତ ଗୋଟିଏ ମେଷର ପ୍ରତିକୃତି ରଖି ଦିଆଯିବା ବେଳେ ଆଉ କେତେକ ସ୍ଥାନରେ ସେହି ପ୍ରତିକୃତି ସହିତ ଏକ ଜୀବନ୍ତ ମେଷକୁ ତାରି ଭିତରେ ରଖି ଦିଆଯାଏ। ଶେଷରେ ଅଇଘରାରେ ଅଗ୍ନି ସଂଯୋଗ କରିବା ପୂର୍ବକ ତାହାକୁ ପୂଜାର୍ଚ୍ଚନା କରି ଜଳାଇ ଦିଆଯାଏ। ଠାକୁରଙ୍କୁ ମଧ୍ୟ ପୂଜା କରିବାର ବିଧି ରହିଛି। ଘରଟି ହୁତ‌୍‍ ହୁତ‌୍‍ ହୋଇ ଜଳିବା ସମୟରେ ଘଣ୍ଟ, କାହାଳୀ ଏବଂ ବିଭିନ୍ନ ବାଦ୍ୟ, ହରିବୋଲ, ହୁଳହୁଳି ସହିତ ଅଇଘରା ଚାରି ପାଖେ ବିମାନରେ ଠାକୁରଙ୍କୁ ସାତ ଥର ପବିତ୍ର ପ୍ରଦକ୍ଷିଣ କରି ବୁଲାଯାଏ। ଅଗ୍ନି ସଂଯୋଗ ହେବା ପରେ ଜୀବନ୍ତ ମେଷଟି ବାହାରକୁ ଖସି ଆସିଥାଏ ସ୍ୱାଭାବିକ ଭାବେ ଏବଂ ତାରି ପ୍ରତିକୃତିଟି ରହିଯାଏ ସେହି ଅଗ୍ନି ମଧ୍ୟରେ। ଅନ୍ୟତ୍ର ମେଣ୍ଢାସୁରର ବିରାଟ ଅବୟବକୁ ସେହି ଅଗ୍ନି ଉପରକୁ ନିକ୍ଷେପ କରି ଦଗ୍ଧ କରାଯାଏ। ସେହି ରାକ୍ଷସର ଯବ, ବାଳୁଙ୍ଗା ଓ ଅଙ୍କରାନ୍ତି ନିର୍ମିତ ଗୃହକୁ ପୋଡ଼ି ଠାକୁର କ୍ରୀଡ଼ା କରିଥିଲେ ବୋଲି ଏହି ଦୋଳପୂର୍ଣ୍ଣିମା ପୂର୍ବ ରାତ୍ରିରେ ମେ‹ାପୋଡ଼ି ଉତ୍ସବ ପାଳନ କରାଯାଏ। ଏହି ଠାରୁ ଆରମ୍ଭ ହୁଏ ଠାକୁରଙ୍କୁ ନାଲି ଅବିରରେ ଅର୍ଚ୍ଚନା। ତ’ପରେ ଠାକୁର ମନ୍ଦିରକୁ ବାହୁଡ଼ନ୍ତି। 

 

ଅନ୍ୟ ଏକ କାହାଣୀ ମତେ ସାଗର ରାଜାଙ୍କ କନ୍ୟା ଅଲକ୍ଷ୍ମୀ (ହୋଲିକା)ଉଦ୍ଦାଳକ ଋଷିଙ୍କୁ ବିବାହ କରି ତାଙ୍କର ବିରୁଦ୍ଧାଚରଣ କରିବାରୁ ତାଙ୍କର ଅଭିଶାପ ଯୋଗୁଁ ଏହି ଦିନ ଦହନ ହୋଇ ଯାଇଥିଲେ। ଏହାକୁ ଅସୁର ଶଂଖଚୂଡ଼ର ଦହନ ବୋଲି କେହି କେହି କହିଥାନ୍ତି। ଆଉ ଏକ କିଂବଦନ୍ତି ଅନୁସାରେ ହିନ୍ଦୁମାନଙ୍କ ବର୍ଷକୁ ସମ୍ୱତ କୁହାଯାଏ। ତାଙ୍କର ଗୋଟିଏ ଭଉଣୀ ଥିଲା। ନାଁଟି ତାଙ୍କର ହୋଲି ବା ହୋଲିକା। ଥରେ ସବୁ କାର୍ଯ୍ୟର ଆରମ୍ଭରେ ସମ୍ୱତ ଦେହତ୍ୟାଗ କଲେ। ଅତ୍ୟନ୍ତ ଭ୍ରାତୃପେମ୍ରରେ ହୋଲିକା ଭାଇର ଚିତାରେ ନିଜକୁ ଉତ୍ସର୍ଗ କରିଦେଲେ। ଭଉଣୀର ଅଦ୍ଭୁତ ଭଲ ପାଇବାରେ ସମ୍ୱତ‌୍‍ ଜୀବନ ଫେରି ପାଇଥିଲେ। ଏହି ଦୁଃଖଦ ଘଟଣାର ସ୍ମୃତିରେ ଅଗ୍ନ୍ୟୁତ୍ସବ ପାଳନ କରାଯାଉଛି। ହୋଲିକା ଦହନରୁ ଜାତ ପାଉଁଶ ଅତି ଫଳପ୍ରଦ ଓ ପ୍ରଭାବଶାଳୀ ବୋଲି ମନେ କରାଯାଏ। ଶସ୍ୟର ଶତ୍ରୁକୁ ସେ ପରାହତ କରି ରୋଗ ନିବାରକ ରୂପେ ଚମତ୍କାର କାମ କରିଥାଏ। ଇଂଲଣ୍ଡରେ ଥିବା ୟୁଲେ ଲଗ ପରି ଏହା ଭୂତପ୍ରେତମାନଙ୍କୁ ଘଉଡ଼ାଇ ଦେଇଥାଏ। ବହୁ ଉତ୍ସାହ ଓ ଉଦ୍ଦୀପନା ସହକାରେ ସେଦିନ ସକାଳେ ହୋଲି ଉତ୍ସବ ପାଳନ କରାଯାଏ।

 

ଭାରତର ବିଭିନ୍ନ ରାଜ୍ୟରେ ଦୋଳ ଓ ଅଗ୍ନ୍ୟୁତ୍ସବ : ଦୋଳର ଭୂଗୋଳ ସାରା ଭାରତରେ ପରିବ୍ୟାପ୍ତ। କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦୋଳୋତ୍ସବ ପାଳିତ ହୁଏ ନାହିଁ।  ଏଥିରେ ଆବାଳବୃଦ୍ଧବନିତା ଭାଗ ନେଇଥା’ନ୍ତି। ‘ଦାୟ ଭାଗୁର’ ଜଣାପଡେ଼ ଯେ ଏହି ଉତ୍ସବରେ ପାଳିତ ହେଉଥିବା କ୍ରୀଡ଼ାକୌତୂକ ପ୍ରଥମେ ପଶ୍ଚିମ ଭାରତରେ ଏବଂ ପରେ ଉତ୍ତର ଭାରତୀୟମାନଙ୍କ ଠାରୁ ଅନ୍ୟାନ୍ୟ ସ୍ଥାନରେ ସଂପ୍ରସାରିତ ହେଲା। ଓଡ଼ିଶା ଛଡ଼ା ବିହାର, ବୃନ୍ଦାବନ, ମଥୁରା ଓ ଅଯୋଧ୍ୟାରେ ଦୋଳ ସଂପ୍ରଦାୟ ବା ପାରମ୍ପରିକ ମହୋେତ୍ସବ।

 

ପୂର୍ବୋକ୍ତ ଅଇଘରା ପରମ୍ପରା ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ଦେଖାଯାଏ। ପୂର୍ଣ୍ଣିମା ରାତ୍ର ଶେଷରେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ଦୋଳିରେ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଏ। ଉତ୍ତରପ୍ରଦେଶ ବିଶେଷତଃ ମଥୁରା, ବୃନ୍ଦାବନରେ ‘ଚାଚର’ ଉତ୍ସବ ନାମରେ ମେଷାସୁର ବଧ ପାଳନ କରାଯାଏ। ଚାଉଳ ଚୁନା ଅଟାରେ ମେଷାସୁର ମୂର୍ତ୍ତି ନିମାର୍ଣ କରାଯାଇ ଶାସ୍ତ୍ରମତେ ପୂଜା କରି ଅଗ୍ନିରେ ନିକ୍ଷେପ କରାଯାଇ ଥାଏ। ଏହାକୁ ବଙ୍ଗଳାରେ ‘ମେଧାରଘର ପୋଡ଼ାଣ’, ମହାରାଷ୍ଟ୍ରରେ ‘ହୋଲାଚ୍ଛା’ ଓ ଉତ୍ତର ଭାରତରେ ବହୁ ସ୍ଥାନରେ ‘ଦଣ୍ଡରାକ୍ଷସୀ’ ପୂଜା କୁହାଯାଏ।  ଭଗବାନ ଶ୍ରୀବିଷ୍ଣୁ ଜଗତରେ ଶାନ୍ତି, ସଦ୍ଭାବ, ସଂପ୍ରୀତି, ଓ ସତ୍କର୍ମର ପ୍ରତିଷ୍ଠା ନିମନ୍ତେ ଫାଲଗୁନ ପୂର୍ଣ୍ଣିମା ଦିନ ଶଂଖଚୂଡ଼ ବା ବା ହୋରୀ ବା ହୋଲିକାକୁ ଭସ୍ମ କରିଥିଲେ। ତେଣୁ ସେହି ଦିନକୁ ସ୍ମରଣୀୟ ରଖିବା ପାଇଁ ଭାରତର ଶ୍ରୀବିଷ୍ଣୁ ବା ଶ୍ରୀକୃଷ୍ଣ ଙ୍କ ପୀଠରେ ଦୋଳୋତ୍ସବ ପାଳିତ ହୁଏ। ଏହି ଉତ୍ସବରେ ‘ଅଇଘରା’ ଦହନର ତାପିର୍ଯ୍ୟ ହେଲା ଅଜ୍ଞାନତା ଓ ଆସୁରୀ ପ୍ରବୃତ୍ତିକୁ ଜଳାଇ ପରମେଶ୍ୱରଙ୍କ ଚରଣରେ ଶରଣ ପଶିବା। ଅଗ୍ନି ଜଳାଇବା ଦ୍ୱାରା ଶୀତଋତୁକୁ ବିଦାୟ ଏବଂ ବସନ୍ତ ଋତୁର ଆଗମନକୁ ସ୍ୱାଗତ କରାଯାଏ ବୋଲି କେତେକ କହିଥା’ନ୍ତି। କେହି କେହି ଅଗିରା ବା ଅଗ୍ନି ଦେବତାଙ୍କ ଉତ୍ସବ ବୋଲି କହନ୍ତି।

 

ଫଗୁଖେଳର ବୈଜ୍ଞାନିକ ମହତ୍ତ୍ୱ ଓ ଲୋକବିଶ୍ୱାସ : ସ୍ୱାସ୍ଥ୍ୟ ରକ୍ଷା ଦୃଷ୍ଟିରୁ ଏହି ଉତ୍ସବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ହୋଲିକୁ ସ୍ୱାଗତ କରାଯିବା ଉଚିତ। କାରଣ ବସନ୍ତ ଋତୁରେ ମଣିଷ ଶରୀର ଉପରେ ବସନ୍ତ ରୋଗର ପ୍ରାଦୁର୍ଭାବ ପରିଲକ୍ଷିତ ହୁଏ। ହୋଲିରେ ବ୍ୟବହୃତ ‘ଅବିର’ବସନ୍ତ ରୋଗର ନିରାକରଣ ପୂର୍ବକ ଆରୋଗ୍ୟ ନିମନ୍ତେ ପ୍ରତିଷେଧକ ମହୌଷଧି। ଫଗୁଖେଳ ଚନ୍ଦନ, କପୂର୍ର, କସ୍ତୂରୀ, ମିଶ୍ରିତ ଅବୀର ଜଳ ପିଚକାରୀ ଦ୍ୱାରା କ୍ରୀଡ଼ା କରିବା ଦ୍ୱାରା ବସନ୍ତରୋଗକୁ ପ୍ରତିରୋଧ କରି ହୁଏ। ଏହି ଫଗୁରଙ୍ଗ ପାଳୁଅ, ଶତାବରୀ, ମୁଥା, ଅଙ୍କରାନ୍ତି ଓ ସିନ୍ଦୂରରେ ତିଆରି ହୋଇଥାଏ। ଉପର୍ଯ୍ୟୁକ୍ତ ଚେରମୂଳୀର ଗୁଣ୍ଡ କେବଳ ଖେଳ ପାଇଁ ଉଦ୍ଦିଷ୍ଟ ନଥିଲା। ଏହା ଔଷଧୀୟ ଗୁଣାବଳୀରେ ସମୃଦ୍ଧ। ଏହା ସ୍ୱାସ୍ଥ୍ୟଭିତ୍ତିକ ଓ ଜୀବାଣୁନାଶକ। ପ୍ରତ୍ୟେକ ପୁରାଣ ଓ ସାଂସ୍କୃତିକ ଅନୁଷ୍ଠାନର ମୂଳ ଭିତ୍ତିରେ ନିର୍ଦ୍ଦିଷ୍ଟ ବୈଜ୍ଞାନିକ କାରଣ ନିହିତ। ଏହା ପ୍ରାମାଣିକ ସତ୍ୟ। ମିଳିମିଳା ବସନ୍ତ ଓ ଅନ୍ୟାନ୍ୟ ଚର୍ମରୋଗ ନାଶକ ହୋଇଥିବାରୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମାଜରେ ଫଗୁଖେଳକୁ ଉଭୟ ସ୍ୱାସ୍ଥ୍ୟ ଓ ମନୋରଞ୍ଜନ ଦୃଷ୍ଟିରୁ ପ୍ରବର୍ତ୍ତନ କରାଯାଇଥିଲା। ଅତଏବ ବିଜ୍ଞାନ ଭିତ୍ତିକ ରଙ୍ଗ ଖେଳ ଲୋକମାନଙ୍କ ମନରେ ଧାର୍ମିକ ମାଦକତା ଭରିଦେଇ ଥାଏ। ଶୂଶ୍ରୁତ ସଂହିତାରେ ଭେଷଜତତ୍ତ୍ୱ କହେ-‘ବସନ୍ତେ ଅଗ୍ନିସେବନମ‌୍‍’। ଅର୍ଥାତ ମାଘମାସ ପୂର୍ଣ୍ଣମୀ ଠାରୁ ଫାଲଗୁନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରାତିରେ ଅଗ୍ନି ପ୍ରଜ୍ୱଳନ କରିବା ବିଧେୟ। ଏହା ଦେହ ପାଇଁ ହିତକାରକ ହୋଇଥିବାରୁ ‘ମେଣ୍ଢାପୋଡ଼ି’ ଉତ୍ସବର ଆୟୋଜନ ଉଦ୍ଦିଷ୍ଟ। ଦକ୍ଷିଣ ଭାରତରେ ହୋଲିକା ଦହନ ସମୟରେ ସେଠାରେ ତାପମାତ୍ରା ୪୫ ଡ଼ିଗ୍ରୀ ପର୍ଯ୍ୟନ୍ତ ସୃଷ୍ଟି ହୁଏ। ଏହି ନିଆଁ ଚତୁଃପାର୍ଶ୍ୱରେ ପରିକ୍ରମା କଲେ ଶରୀରରେ ଥିବା ଶତ୍ରୁ କବକଗୁଡ଼ିକ ନଷ୍ଟ ହୋଇଯାଏ। ହୋଲିକା ଦହନ ପରେ ଏହି ପାଉଁଶ ଜୀବାଣୁନାଶକ ହୋଇଥିବାରୁ ଶରୀରରେ ବୋଳା ଯାଏ।

 

ହୋଲିର ପବିତ୍ରତା ଓ ମାଦକତା ବର୍ତ୍ତମାନ ଆଉ ନାହିଁ। ଏଭଳି ମହାନ‌୍‍ ଉତ୍ସବରେ କ୍ରମେ ଅବିର, ଫଗୁ ଓ ଚନ୍ଦନକର୍ପୂର ରଙ୍ଗୀନ‌୍‍ ଜଳପିଚକାରି ବଦଳରେ ପୋଡ଼ା ମୋବିଲି, ଆଲକାତରା ଠାରୁ ଆରମ୍ଭ କରି ଏସିଡ଼‌୍‍ ପରି ମାରାତ୍ମକ ଉଗ୍ର ରାସାୟନିକ ମିଶ୍ରଣ କରାଯାଉଛି। ଏହା ଚର୍ମ, ଚକ୍ଷୁ ଏବଂ ଜୀବନ ପାଇଁ ମଧ୍ୟ ବିଦଜ୍ଜନକ। ଏ ପ୍ରସଙ୍ଗରେ ଆମକୁ କେତେକ ସାଧରଣ ବିଷୟ ଜାଣି ସେଥିପ୍ରତି ସଜାଗ ହେବାକୁ ପଡ଼ିବ। ହୋଲି ସମୟରେ ତିନୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। (୧) ବିଷାକ୍ତ ରାସାୟନିକ ରଙ୍ଗର ବ୍ୟବହାର, (୨)ହୋଲି ପାଇଁ ନିଆଁ ଜାଳିବା ସମୟରେ କାଠର ବ୍ୟବହାର, (୩)ହୋଲି ଖେଳି ସାରିବା ପରେ ଜଳ ନଷ୍ଟ। ବିଗତ ବହୁ ବର୍ଷ ଧରି ଡ଼ାକ୍ତରମାନେ ରାସାୟନିକ ରଙ୍ଗ ବ୍ୟବହାର ନକରିବା ପାଇଁ ଉପଦେଶ ଦେଇ ଆସୁଛନ୍ତି। ଡ଼ାକ୍ତରଙ୍କ ମତରେ ଶୁଖିଲା ରଙ୍ଗ ବ୍ୟବହାରକଲେ ଏହା ପରିବେଶ ଉପଯୋଗୀ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟି କୋଣରୁ ଆମେ ବ୍ୟବହାର କରୁଥିବା କଳାରଙ୍ଗର ରାସାୟନିକ ରଙ୍ଗରେ ଲିଡ଼‌୍‍ ଅକ୍ସାଇଡ଼‌୍‍ ନାମକ ରସାୟନ ଥିବାରୁ ଏହା ଆମ ଶରୀରରେ ମୂତ୍ରାଶୟ ସମ୍ୱନ୍ଧୀୟ ରୋଗ ସୃଷ୍ଟି କରିଥାଏ। ସବୁଜ ରାସାୟନିକ ରଙ୍ଗରେ କପର ସଲଫେଟ‌୍‍ ଥିବାରୁ ତାହା ବ୍ୟବହାର କରିବା ଦ୍ୱାରା ଆଖିରେ ଆଲର୍ଜି ଓ ସାମୟିକ ଦୃଷ୍ଟିଦୋଷ ହୋଇଥାଏ। ସିଲଭର ରଙ୍ଗରେ ଆଲୁମିନିୟମ ବ୍ରୋମାଇଡ଼‌୍‍ ନାମକ ରସାୟନ ଥିବାରୁ ଏହା କ୍ୟାନସର ସୃଷ୍ଟି କରିଥାଏ। ନୀଳ ରାସାୟନିକ ରଙ୍ଗରେ ପ୍ରୁସିୟାନ‌୍‍ ବ୍ଲୁ ଥିବାରୁ ସଂକ୍ରମଣଜନିତ ରୋଗ ଓ ଲାଲ‌୍‍ ସାୟାନିକ ରଙ୍ଗରେ ମରକ୍ୟୁରି ସଲଫାଇଟି ବିଷାକ୍ତ ହୋଇଥିବାରୁ ଏହା ବ୍ୟବହାର କଲେ ଚର୍ମକର୍କଟ ସୃଷ୍ଟି ହୋଇଥାଏ। ଆଜିକାଲି ହରବାଲ ହୋଲିର ଆଦର ଦେଖିବାକୁ ମିଳୁଛି। ଘରୋଇ ସାମଗ୍ରୀକୁ ନେଇ ପରିବେଶ ଅନୁକୂଳ ରଙ୍ଗ ପ୍ରସ୍ତୁତ କରାଯାଇ ପାରୁଛି। ହଳଦିଆ ରଙ୍ଗ ପ୍ରସ୍ତୁତ ପାଇଁ ହଳଦୀଗୁଣ୍ଡ, ବେସନଗୁଣ୍ଡ, ଓ ଗେଣ୍ଡୁଫୁଲର ସିଝାପାଣିକୁ ବ୍ୟବହାର କରାଯାଉଛି।

 

ସେହିପରି ପିଙ୍କ‌୍‍ ରଙ୍ଗ ପ୍ରସ୍ତୁତି ପାଇଁ ବିଟ‌୍‍କୁ କାଟି ଛୋଟ ଛୋଟ ଖଣ୍ଡରେ ପରିଣତ କରି ପାଣିରେ ଦୀର୍ଘ ସମୟ ଭିଜାଇ କିମ୍ୱା ସାମାନ୍ୟ ସିଝାଇ ଦିଆଯାଉଛି। ହେନା ବା ମେହେନ୍ଦୀକୁ ଜଳରେ ମିଶାଇ କମଳା ରଙ୍ଗ ପ୍ରସ୍ତୁତ କରାଯାଉଛି। ପରିବେଶକୁ ସୁରକ୍ଷା କରିବା ପାଇଁ ହୋଲି ପ୍ରଜ୍ୱଳନ ସମୟରେ କେବଳ ସାମାନ୍ୟ ନଡ଼ା ବ୍ୟବହାର କରାଯାଇ ପାରିବ। ଅଯଥା ଗଛ କାଟି କାଠ ନଷ୍ଟ କଲେ ଏହା ପରିବେଶ ଉପରେ କୁପ୍ରଭାବ ପକାଇଥାଏ। ଜଳ ଅମୂଲ୍ୟ ସମ୍ପଦ। ତେଣୁ ହୋଲି ଖେଳି ସାରିବା ପରେ ଦେହରୁ ରଙ୍ଗ ସଫା କରିବା ପାଇଁ ଯେପରି ଅଧିକ ଜଳ ନଷ୍ଟ ନହୁଏ ସେଥିପାଇଁ ଦୃଷ୍ଟି ଦେବାକୁ ପଡ଼ିବ। ଶୁଖିଲା ବା ଘରୋଇ ରଙ୍ଗ ବ୍ୟବହାର ବ୍ୟବହାର କଲେ ଏହି ସମସ୍ୟା ଦୂର ହୋଇଥାଏ। ହୋଲିରଙ୍ଗ ଛଡ଼ାଇବା ପାଇଁ ଜଳରେ ସ୍ନାନ କଲାବେଳେ ଜୀବନ ଯିବା କିଛି ନୂଆକଥା ନୁହେଁ। ପୁନଶ୍ଚ ହୋଲି ସମୟରେ ନିଶା ସେବନ ଏକ ମାରାତ୍ମକ ପରମ୍ପରା। ନିଶା ସେବନ କରି ଗାଡ଼ି ଚଳାଇବା ଦ୍ୱାରା ଅଯଥା ଦୁର୍ଘଟଣା ହୋଇଥାଏ। କେତେକ ହୀନ ବ୍ୟକ୍ତି ହୋଲିର ପବିତ୍ର ଅବସରରେ ପୂର୍ବ କ୍ରୋଧ ବା ରାଜନୈତିକ ଆକ୍ରୋଶ ରଖି ହିଂସା ଆଚରି ଭୟାବହ କାଣ୍ଡ ଭିଆଇ ବହୁ ଧନଜୀବନ ନଷ୍ଟ କରିଥାନ୍ତି। ଏ ସବୁ ବିଷୟ ପ୍ରତି ଯଥୋଚିତ ଧ୍ୟାନ ଦିଆଗଲେ ହୋଲିର ପ୍ରକୃତ ଆନନ୍ଦ ଉଠାଇ ହେବ।ଶୀତର ପ୍ରସ୍ଥାନ ଓ ବସନ୍ତର ଆଗମନ ଅବସରରେ ହୋଲି ଫସଲ ଅମଳ ଶେଷ ହୋଇ ଯାଇଥାଏ। ଲୋକେ ଆଶ୍ୱସ୍ତ ହୋଇ ଅଳସୁଆ ଭାବ ପ୍ରକାଶ କରିଥା’ନ୍ତି। ହୋଲି ଖେଳିବା ଦ୍ୱାରା ଶରୀରରେ ନୂତନ ଉନ୍ମାଦନା ଆସିଥାଏ। ଶରୀର ଅଧିକ ଚଞ୍ଚଳ ହୋଇ ଉଠେ। ଦୋଳଗୋବିନ୍ଦଙ୍କୁ ଦୋଳାରେ ଦର୍ଶନ କରି ଅବିର ଓ ଆମ୍ୱ କଷି ଅର୍ପଣ କଲେ ବସନ୍ତ ଋତୁରେ ବସନ୍ତ ରୋଗହୁଏ ନାହିଁ ବୋଲି ଲୋକବିଶ୍ୱାସ ଅଛି।

  

ଦୋଳ ଉତ୍ସବପାଳନର ବିଧିବିଧାନରେ ଦ୍ୱାରୀଭୋଗ :  ସ୍ୱଭାବତଃ ରାଧାକୃଷ୍ଣ ମନ୍ଦିରଗୁଡ଼ିକ ଫାଲଗୁନ ଶୁକ୍ଳ ଦଶମୀ ଠାରୁ  ଉତ୍ସବମୁଖର ହୋଇ ଉଠେ। ଉକ୍ତ ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନ ଠାରୁ ଅବିର ଅର୍ପଣ କରାଯାଇଥାଏ।  ଏହାକୁ ଫଗୁ ଦଶମୀ କୁହାଯାଏ। ପୂର୍ଣ୍ଣିମା ପର୍ଯ୍ୟନ୍ତ ବୈଷ୍ଣବ ଧମାର୍ବଲମ୍ୱୀଙ୍କ ମତାନୁଯାୟୀ ବୃନ୍ଦାବନ ଗୋପୀମାନେ ସେମାନଙ୍କର ପରମ ଆରାଧ୍ୟ ଓ ପରମ ପ୍ରେମିକ ଶ୍ରୀକୃଷ୍ଣଙ୍କ ସହ ଚାଚେରୀ ଖେଳିଥିଲେ। ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଫୁଲହାରରେ ମଣ୍ଡନ କରି ଦୋଳି ଖେଳାଇଥିଲେ। ତାଙ୍କ ସହ ଫଗୁ ଖେଳି ଆମୋଦ ପ୍ରମୋଦରେ ମଗ୍ନ ଥିଲେ। ସେହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ରାଜଦୋଳ ଅବସରରେ ଦୋଳଗୋବିନ୍ଦ ଓ ଶ୍ରୀରାଧାଙ୍କ ପ୍ରତିମାକୁ ସୁସଜ୍ଜିତ ଚିତ୍ତାକର୍ଷକ ବର୍ଣ୍ଣାଢ୍ୟ ଛୋଟ ଛୋଟ କାଠନିର୍ମିତ ବିମାନରେ ମହା ଆଡ଼ମ୍ୱର ସହକାରେ ଗାଁ ଗାଁ ବୁଲାଇ ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ। ସାଧାରଣତଃ ଦେବାଳୟରୁ ଏବଂ ପାରମ୍ପରିକ ବିଧି ରକ୍ଷା କରୁଥିବା ପରିବାରରୁ ଏଇ ସୁସଜ୍ଜିତ ବିମାନସବୁ ପରିକ୍ରମା ପାଇଁ ଦାଣ୍ଡକୁ ଆସନ୍ତି। ରାତିରେ ଦ୍ୱାରଦ୍ୱାର ବୁଲନ୍ତି ଭକ୍ତମାନେ। ଏହି ସମୟରେ ସୁବାସିତ କେତକୀ ଫୁଲ ଦେବଦେବୀଙ୍କୁ ଅର୍ପଣ କରାଯାଇ ତାର ବ୍ୟବହାର ଆରମ୍ଭ କରାଯାଏ। ଠାକୁର ଆସିବେ ବୋଲି ଗ୍ରାମବାସୀମାନେ ବଡ଼ ଶ୍ରଦ୍ଧାରେ ନିଜ ନିଜର ଘର ଆଗରେ ଲିପିପୋଛି ଝୋଟି ପକାଇ ଆସ୍ଥାନକୁ ପରିଷ୍କାର ପରିଛନ୍ନ କରିଥାନ୍ତି। ଯେଉଁମାନେ ଠାକୁରମାନଙ୍କ ପାଇଁ ନୂଆବସ୍ତ୍ର ତଳେ ପକାଇ ଥା’ନ୍ତି ଦୋଳବିମାନ ତାଙ୍କ ଦୁଆର ମୁହଁରେ ବସନ୍ତି, ଅନ୍ୟଥା ଠିଆ ଠିଆ ଭୋଗ ଖାଇ ଦ୍ରୁତ ଗତିରେ ଆଗକୁ ପଳାଇ ଯା’ନ୍ତି।

 

ବିମାନ ପରିକ୍ରମା ସମୟରେ ଠାକୁରଙ୍କ ସାଙ୍ଗରେ ଘଣ୍ଟ, କାହାଳୀ ବାଦ୍ୟ, ତରାସ, ଛତି, ଚାମର,ମଶାଲ ଓ ଆତସବାଜି ଇତ୍ୟାଦି ବ୍ୟବହାର କରାଯାଏ। ନାନା ପ୍ରକାର ନୃତ୍ୟ, ଗୀତ, ସାହି ଯାତ୍ରା ବିମାନ ଆଗରେ ଚାଲିଥାଏ। ଶଂଖ, କାହାଳୀ, ହୁଳହୁଳି, ହରିବୋଲରେ ଗଗନ ପବନ ମୁଖରିତ ହୋଇ ଉଠେ। ବିମାନକାନ୍ଧିଆ ଠାରୁ ଆରମ୍ଭ କରି କାହାଳିଆ, ବାଦ୍ୟକାର, ଛତ୍ରଧାରୀ, ମଶାଲଧାରୀ, ବିଭିନ୍ନ କାଳକାର, ବ୍ୟବସାୟୀ, ଭକ୍ତ, ସାଧୁ,ସନ୍ଥ, ସମସ୍ତେ ଏଥିରେ ସଂଶ୍ଲିଷ୍ଟ ହୋଇ ପଡ଼ୁଥିବାରୁ ଏହା ଏକ ଅପବୂର୍ ସମାବେଶ ସୃଷ୍ଟି କରେ। ନାମକୀର୍ତ୍ତନରେ ଗାଁଦାଣ୍ଡ ଫାଟିପଡୁଥାଏ ଼। ଏହି ପରିକ୍ରମାକୁ ‘ଚାଚେରୀ’ କୁହାଯାଏ। ସବୁ ବର୍ଣ୍ଣ, ସବୁ ଜାତି, ସବୁ ବୟସର ପୁଅଝିଅ, ନାରୀ, ପୁରୁଷ ଏଥିରେ ଭାଗ ନେଉଥିବା ହେତୁ ଏହା ଏକ ଜାତୀୟ ସଂହତିର ପ୍ରତୀକ ରୂପେ ପ୍ରତୀୟମାନ ହୁଏ। ଭକ୍ତମାନଙ୍କ ପଟୁଆରରେ ଠାକୁର ଦ୍ରୁତ ଗତିରେ ଚାଲୁଥାନ୍ତି। ମଣିଷ ତାର ପ୍ରିୟଦେବତାଙ୍କୁ ଘଣ୍ଟଧ୍ୱନିକୁ ଶୁଣି ଅପେକ୍ଷା କରି ରହିଥାଏ ସ୍ୱାଗତ କରିବ ବୋଲି। ରାଧାମାଧବ ପୁରେ ପୁରେ ଗ୍ରାମବାସୀଙ୍କୁ ଦର୍ଶନ ଦେଇଥାନ୍ତି। ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ମଣିଷମନରେ ଭରି ଦିଏ ଆଧ୍ୟାତ୍ମିକ ଚେତନା ଓ ରାଧାକୃଷ୍ଣଙ୍କ ଅପୂର୍ବ ତଥା ନୈସର୍ଗିକ ପ୍ରେମ। ପ୍ରଭୁ ସବୁରି ଘରେ ଆତିଥ୍ୟ ଗ୍ରହଣ କରିଥା’ନ୍ତି। ଏହି ସମୟରେ ରାଧାମାଧବଙ୍କ ଠାରେ ଖଜା, ଫେଣା, ଚଣା,ଶାକର, ଖଇ, ମୁଆଁ, ଉଖୁଡ଼ା ଇତ୍ୟାଦି ପ୍ରଧାନ ଭୋଗ ରୂପେ ଲାଗି ହୋଇଥାଏ। ଏହି ଉତ୍ସବରେ ଆଉ ଗୋଟିଏ ବିଶେଷତ୍ୱ ହେଉଛି ବସନ୍ତର ଆଗମନୀର ସନ୍ତକ ସ୍ୱରୂପ ଠାକୁରଙ୍କୁ ଆମ୍ୱକଷି ଲାଗି ହୁଏ। ଆଉ ପ୍ରଥମ କରି ଡେ଼ଣ୍ଠଲଗା କଞ୍ଚା ଆମ୍ୱ କଷି ଅର୍ଘ୍ୟ ଭାବରେ ଅର୍ପଣ କଲେ ଯାଇ ମଣିଷ ତାହା ଖାଦ୍ୟ ରୂପେ ଗ୍ରହଣ କରିଥାଏ। ଠାକୁରଙ୍କୁ ଭୋଗ ଲାଗି କରିବା ସହିତ ପୁରୋହିତଙ୍କୁ  ମଧ୍ୟ ଦକ୍ଷିଣା ଦିଆଯାଇଥାଏ। ପୁରୋହିତ ଆଦରରେ କିଛି ଅବିର ଦେଇଥାନ୍ତି। ଲାଲ ଓ ପୀତ ବସ୍ତ୍ର ପରିବେଷ୍ଟିତ ମନୋହର ମୂର୍ତ୍ତି ବିମାନ ଭିତରୁ ତାଙ୍କ ପ୍ରିୟ ମଣିଷକୁ ଆଶୀର୍ବାଦର ବାରି ବର୍ଷଣ କରୁଥା’ନ୍ତି। ପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ  ଆନନ୍ଦରେ ଲୋକେ ପରସ୍ପର ଭିତରେ ଅବିର ଫିଙ୍ଗାଫିଙ୍ଗି ବୋଳାବୋଳି ହୋଇ ନାଚି ଉଠନ୍ତି। ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ‘ଦ୍ୱାରୀ ଭୋଗ’ ବା ‘ଚାଚେରୀ ଭୋଗ’ କୁହାଯାଇଥାଏ। ଏହିପରି ରାଧାମାଧବ ବୁଲି ବୁଲି ଠାକୁର ଚାଚେରୀ ଖାଇ ଥାନ୍ତି। ଓଡ଼ିଶାରେ ଏହା ଚାଚେରୀ ଲୀଳା  ନାମରେ ଅଭିହିତ। ଭଗବାନ ସବୁବେଳେ ଭକ୍ତଙ୍କର। ଭକ୍ତମାନେ ସବୁବେଳେ ଠାକୁରଙ୍କୁ ଦର୍ଶନ କରୁଥିଲେ ମନ୍ଦିରରେ। ନୈବେଦ୍ୟ ଅର୍ପଣ କରୁଥିଲେ ଭଗବାନଙ୍କ ପୀଠସ୍ଥଳୀରେ। କିନ୍ତୁ ଦୋଳ ଉତ୍ସବ ପାଳନ କରାଯାଉଥିବା ବେଳେ ତାଙ୍କର ସୁଉଚ୍ଚ ସିଂହାସନ ଉପରୁ ଠାକୁରେ ଓହ୍ଲାଇ ଆସନ୍ତି ରାଜଦାଣ୍ଡକୁ। ଭକ୍ତର ଦ୍ୱାର ନିକଟକୁ ଅପୂର୍ବ ଲୀଳାମାଧୁରୀର ସରସତାରେ। ସେମାନଙ୍କ ନିକଟକୁ ଯାଇ ଭକ୍ତିନୈବେଦ୍ୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରା। 

 

ଏମ‍୍‌.ଆଇ.ଜି.-୨୭୫, କାନନ ବିହାର, ପଟିଆ, ଭୁବନେଶ୍ୱର-୭୫୧୦୩୧

ମୋ.୯୪୩୭୭୭୬୯୦୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top