କା ସାହସରେ ବେଲଗାମ‌୍‍ ଲୁଟ‌୍‍?

News Story - Posted on 2018-03-01

ସ୍ବତନ୍ତ୍ର ପ୍ରତିନିଧି

 

ଯାଜପୁର ଜିଲ୍ଲାରେ ଚାଲିଥିବା ବେଆଇନ‌୍‍ ଲଘୁ ଖଣିଜ ଲୁଟ‌୍‍ପାଟ‌୍‍ ଓ ଚୋରାଚାଲାଣ ରୋକିବା ଏବଂ ଏହି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚଳିତ ମାସ ପ୍ରଥମ ସପ୍ତାହରେ ଯାଜପୁର ଜିଲ୍ଲାପାଳ ଓ ଏସ‌୍‍ପି ରାସ୍ତାକୁ ଓହ୍ଲାଇ ଆସିଥିବା ଦେଖିବାକୁ ମିଳିଥିଲା। ଉଭୟ ଅଧିକାରୀ ଅନ୍ୟ ଅଧିକାରୀମାନଙ୍କୁ ଧରି ରାତିଅଧିଆ ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ‌୍‍ ବାଲିଘାଟ ଓ ସଇରାତ ଅଞ୍ଚଳରେ ଚଢାଉ ଆରମ୍ଭ କରି ଦେଇଥିଲେ। ଯାହାକି ମାଫିଆମାନଙ୍କ ମଧ୍ୟରେ ଏକ ପ୍ରକାର କୋକୁଆଭୟ ସୃଷ୍ଟି କରିଥିଲା। ମାତ୍ର ଦିନ କେଇଟା ପରେ ପ୍ରଶାସନ ଓ ପୋଲିସ‌୍‍ ପାଖରେ ଆଉ ସେଭଳି ଟାଣ ପଣ ପରିଲକ୍ଷିତ ହେଉନାହିଁ। ସେଥିରୁ ଲାଗୁଛି ସତେ ଯେମିତି କୌଣସି ଏକ ଅଜଣା ଚାପରେ ଜିଲ୍ଲାରେ ଚାଲିଥିବା ମାଫିଆ ରାଜ ବିରୁଦ୍ଧରେ ଜିଲ୍ଲାପାଳ ଓ ଏସପିଙ୍କ ରଣହୁଙ୍କାର ଏବେ ଶିଥିଳ ପଡିଯାଇଛି। 

 

ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ଲୁଟପାଟ‌୍‍କୁ ଦୃଢ ହସ୍ତରେ ଦମନ କରିବା ଏବଂ ତଦ‌୍‍ଜନିତ ରାଜସ୍ୱ କ୍ଷତିକୁ ରୋକିବା ପାଇଁ ଗତ ଡିସେମ୍ୱର ମାସରେ ରାଜସ୍ୱ ସଚିବ ଚନ୍ଦ୍ରଶେଖର କୁମାର  ୬ ଗୋଟି ଜିଲ୍ଲାକୁ ନେଇ ଏକ ଟାସ୍କ‌୍‍ ଫୋର୍ସ ଗଠନ କରି ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲ୍ଲା ସମେତ ୩ ଗୋଟି ଜିଲ୍ଲାରେ ଟାସ୍କ‌୍‍ ଫୋର୍ସ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏଥିନେଇ ମଧ୍ୟ ରାଜ୍ୟ ସରକାର ୧୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ଓ ଏସ‌୍‍ପିଙ୍କୁ ନେଇ ଟାସ୍କଫୋର୍ସ ଗଠନ କରି ଏହା ଉପରେ ପଦକ୍ଷେପ ନେବାକୁ ଶ୍ରୀ କୁମାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଗତ ୧୩ ତାରିଖ ଦିନ ରାଜ୍ୟ ପୋଲିସ‌୍‍ ମହା ନିର୍ଦ୍ଦେଶକ ମଧ୍ୟ ରାଜ୍ୟରେ ଲଘୁ ଖଣିଜ ଲୁଟ‌୍‍କୁ ନେଇ ଚାଲିଥିବା ମାଫିଆ ରାଜ ଉପରେ ଲଗାମ ଦେବାକୁ ରାଜ୍ୟର ସମସ୍ତ ଏସ‌୍‍ପିମାନଙ୍କୁ ବି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ  ଯାଜପୁର ଜିଲ୍ଲାପାଳ ଓ ଏସପି ଚଳିତ ମାସରେ ଲଘୁ ଖଣିଜ ଓ ମାଫିଆଙ୍କ ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ। କିନ୍ତୁ ଜିଲ୍ଲାରେ ଜିଲ୍ଲାପାଳ ଓ ଏସ‌୍‍ପିଙ୍କ ଚଢ଼ାଉର ପ୍ରଭାବ ମାତ୍ର ସପ୍ତାହେ ଧରି ରହିଥିବା ପରିଲକ୍ଷିତ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଜିଲ୍ଲା ଅଧିକାରୀମାନଙ୍କ ଏଥିନେଇ ଅସମ୍ଭବ ନିରବତା ଏବଂ ସ୍ଥାନୀୟ ପୋଲିସ‌୍‍ ଓ ତହସିଲଦାରମାନଙ୍କ ବେଖେୟାଲ‌୍‍ ମନୋଭାବକୁ ନେଇ ଏବେ ସାଧାରଣରେ ଭିନ୍ନମତ ପ୍ରକାଶ ପାଇଛି। ଯେହେତୁ ଜିଲ୍ଲା ବ୍ୟାପି ଲଘୁ ଖଣିଜ ଲୁଟପାଟ‌୍‍ ଘଟଣାରେ ଶାସକ ଦଳର ଛତ୍ରଛାୟାରେ ହିଁ ସମ୍ପନ୍ନ ହୋଇ ଆସୁଛି ଏବଂ ଅନେକ ବିଧାୟକଙ୍କ ସହଯୋଗୀମାନଙ୍କର ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବେ ସଂପୃକ୍ତି ଥିବାର ଦେଖାଯାଏ, ତେଣୁକରି ରାଜନୈତିକ ଚାପରେ ହିଁ ଏବେ ପ୍ରଶାସନ ଓ ପୋଲିସର ପଦକ୍ଷେପ ଶିଥିଳ ପଡ଼ିଥିବା କଥା ସାଧାରଣରେ ଚର୍ଚ୍ଚା ହେଉଛି।

 

କେବଳ ଯଦି ଦର୍ପଣ ତହସିଲ କଥା ବିଚାରକୁ ନିଆଯାଏ, ତେବେ ସେହି ଚର୍ଚ୍ଚା ଏହାକୁ ହିଁ ପୁଷ୍ଟ କରୁଛି। କାରଣ ଦର୍ପଣ ତହସିଲ ଅଂଚଳର ଲଘୁ ଖଣିଜ ଲୁଟ‌୍‍ପାଟ‌୍‍କୁ ନେଇ ଗତ ୧୫ ତାରିଖରେ ବିଭିନ୍ନ ଖବର କାଗଜରେ ବିସ୍ତୃତ ରିପୋର୍ଟମାନ ପ୍ରକାଶ ପାଇଥିଲା। ଫଳରେ ସେହି ରାତିରେ ଜିଲ୍ଲାପାଳ ଓ ଏସ‌୍‍ପି ସ୍ଥାନୀୟ ପୋଲିସ‌୍‍ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ବିଭିନ୍ନ ସ୍ଥାନରେ ରାତି ଅଧିଆ ଚଢ଼ାଉ କରିଥିଲେ। ଖୋଦ‌୍‍ ଜିଲ୍ଲାପାଳ ଓ ଏସ‌୍‍ପି ମଧ୍ୟ ଅନ୍ୟ ଅଧିକାରୀମାନଙ୍କୁ ଧରି ଚଣ୍ଡିଖୋଲ ଓ ଅନ୍ୟ ସ୍ଥାନମାନଙ୍କରେ ଚଢ଼ାଉ କରିବା ଫଳରେ ଗୋଟିଏ ଦିନରେ ହିଁ ଲଘୁ ଖଣିଜ ପରିବହନ କାର୍ଯ୍ୟରେ ନିୟୋଜିତ ମୋଟ‌୍‍ ୪୩ ଗୋଟି ଟ୍ରକ ଜବତ କରିବାକୁ ସକ୍ଷମ ହୋଇଥିଲେ ଏବଂ ତଦ୍ୱାରା ପ୍ରାୟ ୧୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ପ୍ରଶାସନ ଏଥିରୁ ଅସୁଲ କରିବାରେ ସଫଳ ହୋଇଥିଲା। କିନ୍ତୁ ଏହାପରେ ଜିଲ୍ଲା କିମ୍ୱା ସ୍ଥାନୀୟ ପ୍ରଶାସନ ଓ ପୋଲିସ‌୍‍ ଏହା ଉପରେ ଆଉ ଦୃଷ୍ଟି ନଦେଇ ନିରବ ରହିବା କାରଣରୁ ଚଢ଼ାଉର ଦୁଇ ତିନି ଦିନ ପରଠାରୁ ପୂର୍ବପରି ଲୁଟପାଟ‌୍‍ ଚାଲିଥିବା ଦେଖିବାକୁ ମିଳୁଛି। ଏବେ ପୁଣି ସାଧାରଣରେ ଗୋଟିଏ କଥା ଆଲୋଚନା ହେଉଛି ଯେ, କୁଆଡେ ବେଆଇନ‌୍‍ ଖନନକାରୀ ଏବଂ ପରିବହନକାରୀମାନେ ଥାନା ଓ ତହସିଲ ଦ୍ୱାରା ପରିଚାଳିତ ଦୋଳମେଲଣ ପାଇଁ ମୋଟା ଅଙ୍କର ଚାନ୍ଦାଦେଇ ପୁଣି ନିଜର ଲୁଟ‌୍‍ପାଟ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଫଳରେ ମାଫିଆମାନେ ଏବେ ନିର୍ଭୟରେ ଦିନରାତି ଖନନ ଓ ପରିବହନ କାର୍ଯ୍ୟ ବେଲଗାମ ଭାବେ ଜାରି ରଖିଛନ୍ତି।

 

ଏହି ତହସିଲ‌୍‍ ଅନ୍ତର୍ଗତ ବୈରୀ, ଅମୀୟଝରୀ, ବରୁଣିଆ, ଚାରିଗୋଛିଆ, ପାରିଆ, ନିମଢିଅ, ସମିଆଁ, ସାତମାଣ, ବନ୍ଧପଲ୍ଲୀ, ବାଉଁଶମୂଳୀ, ଭାଲୁମରା ଏବଂ କୋଲସାହି ଆଦି ମୌଜାର ଘରୋଇ, ସରକାରୀ ଏବଂ ଜଙ୍ଗଲ ଜମିର ବିଭିନ୍ନ ସ୍ଥାନରୁ ବେଆଇନ‌୍‍ ଭାବେ ଦିନରାତି ମେସିନ‌୍‍ ସାହାଯ୍ୟରେ ମାଙ୍କଡ଼ା ପଥର ଖନନ କରି ଦୈନିକ ଶତାଧିକ ଟ୍ରକ ପଥର ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ ଚାଲିଛି। ଯାହାକି ପ୍ରଶାସନର ଜ୍ଞାତସାରରେ ରହିଥିଲେ ମଧ୍ୟ ଏବେ ଆଉ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

 

ଠିକ‌୍‍ ସେମିତି ହରିଦାସପୁର-ପାରାଦ୍ୱୀପ ରେଳରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଏସ‌୍‍.ଇ.ଡ଼ବ୍ଲ୍ୟୁ. - ଟି.ଟି.ଆଇ.ପି.ଏଲ‌୍‍. (ଯୌଥସଂସ୍ଥା) ନାମକ ସଂସ୍ଥା ଦର୍ପଣ ତହସିଲ‌୍‍ ଅଞ୍ଚଳରେ ସର୍ବାଧିକ ଲୁଟପାଟ‌୍‍ କରୁଥିବା ପରିଲକ୍ଷିତ ହୋଇଆସିଛି। ଏହି ସଂସ୍ଥା ପୂର୍ବରୁ ଚଣ୍ଡିତଳ, ଖରମଙ୍ଗୀ, କୋଲସାହି, ଜୋରାବାଟୀ, ମାଣ୍ଡୁକା, କେଶରାଇପୁର, ଚାରିନଙ୍ଗଳ ଓ ଅସିଆ ଆଦି ମୌଜାରୁ ମୋରମ‌୍‍ ଓ ମାଟି ଲୁଟ‌୍‍ କରି ନେଇ ରେଳରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିଥିବା ବେଳେ ଏବେ ଅଚ୍ୟୁତବସନ୍ତ ଓ ମଝିପଡ଼ା ସମେତ ମାଣ୍ଡୁକା, ଜୋରାବାଟୀ, କୋଲସାହି ଓ ଖଟୁଆପଡ଼ା ମୌଜାରୁ ରାତି ଅଧିଆ ବ୍ୟାପକ ପରିମାଣର ମୋରମ‌୍‍ ଲୁଟ‌୍‍ କରୁଛି। ପ୍ରଶାସନ ପକ୍ଷରୁ କେବଳ କେବେ କେବେ କାଁ ଭାଁ କିଛି ପରିମାଣର ରୟାଲ୍ଟି ଅସୁଲ କରି ନିଜର ପାରିବା ପଣିଆକୁ ଜାହିର କରୁଛି ସତ ମାତ୍ର ଏଭଳି ବେଆଇନ‌୍‍ ଓ ବେପରୁଆ ଭାବେ ମୋରମ‌୍‍ ଉତ୍ତୋଳନ ଦ୍ୱାରା ପରିବେଶ ଆଇନ‌୍‍, ଖଣି ଆଇନ‌୍‍ ଏବଂ ଓଡ଼ିଶା ରାଜ୍ୟ ଲଘୁ ଖଣିଜ ଆଇନ‌୍‍ ପରାହତ ହେବା ସହ ମାନ୍ୟବର ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ‌୍‍ ଟ୍ରିବ୍ୟୁନାଲ‌୍‍ଙ୍କ ଆଦେଶର ଖୋଲା ଉଲଘଂନ ହେଉଛି।

 

ଅନ୍ୟପଟେ ବିଭିନ୍ନ ଗ୍ରାମ୍ୟ ଓ ଗ୍ରାମ ସଡ଼କ ଉପରେ ବଡ଼ ବଡ଼ ଭାରୀଯାନ ମାଧ୍ୟମରେ ମାଲ‌୍‍ ପରିବହନ ଯୋଗୁଁ ସଂପୃକ୍ତ ରାସ୍ତା ଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ବେଳେ ସେ ସବୁ ଖନନ ସ୍ଥାନଗୁଡ଼ିକରେ ବଡ଼ ବଡ଼ ଖାଲମାନ ସୃଷ୍ଟିହୋଇ ସ୍ଥାନୀୟ ଅଂଚଳର ପରିବେଶ ବ୍ୟାପକ ଭାବେ ପ୍ରଦ୍ୟୁଷିତ ହେବା ସଂଗେ ସଂଗେ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ସେହିଭଳି ଏହି ସଂସ୍ଥା ବେଣାପୁର, ସୁର୍ଖାଦେଇପୁର ଓ ସାଉଡ଼ିଆ ନିକଟରୁ ବିଭିନ୍ନ ସମୟରେ ନଦୀରୁ ହଜାର ହଜାର ଟ୍ରକ‌୍‍ ବାଲି ଉତ୍ତୋଳନ କରି ନିଜ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରି ଆସୁଥିଲେ ମଧ୍ୟ ପ୍ରଶାସନ କେଉଁ ସ୍ୱାର୍ଥରେ ଏଥିନେଇ ବେଫିକର‌୍‍ ରହି ଆସିଛି ତାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏବେ ପୁଣି ପ୍ରଶାସନ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ କୋଲସାହି ମ୍ଭୋଜାର ଏକ ଗୋଚର ଜମିକୁ ମୋରମ ଲୁଟିବାକୁ ଏହି ସଂସ୍ଥା ହାତରେ  ଟେକି ଦେଇଛନ୍ତି। ଏଥିନେଇ ସ୍ଥାନୀୟ ବାସିନ୍ଦା ବିଭିନ୍ନ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କମରିବା ସତ୍ୱେ କୌଣସି ପ୍ରତିକାର ନହେବାରୁ ସେମାନେ ବାଧ୍ୟ ହୋଇ ଏବେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।

 

ପ୍ରଶାସନର ଏଭଳି ଆଭିମୁଖ୍ୟର ସୁଯୋଗ ନେଇ ଆଉ କିଛି ମାଫିଆ ଗୋଷ୍ଠୀ ମଧ୍ୟ ମାଣ୍ଡୁକା ଓ ଅଶିଆ ମୌଜାରୁ ମୋରମ‌୍‍  ଏବଂ ସାଉଡ଼ିଆ ନିକଟରୁ ନଦୀରୁ ବାଲି ଉଠାଇ ପଡ଼ୋଶୀ ଜିଲ୍ଲାମାନଙ୍କୁ ପ୍ରତ୍ୟହ ଶହ ଶହ ଟ୍ରକ‌୍‍ ଚୋରା ଚାଲାଣ କର ିଆସୁଥିଲା ବେଳେ ସେଥିପ୍ରତି ମଧ୍ୟ ପୋଲିସ‌୍‍ କିମ୍ୱା ପ୍ରାଶାସନ କେବେ କ୍ଭୋଣସି ପଦକ୍ଷେପ ଗ୍ରହଣ କରିନଥିବା ଘଟଣା ସେମାନଙ୍କର ପାରିବା ପଣିଆକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି। ଏବେ ସେମିତି ବୈରୀ ମୌଜାରୁ ମଧ୍ୟ ମୋରମ‌୍‍ ଲୁଟ‌୍‍ ହୋଇ ବିଭିନ୍ନ ଅଂଚଳକୁ ଚୋରା ଚାଲାଣ ଚାଲିଛି।

 

ଇତି ମଧ୍ୟରେ ଏହି ତହସିଲ ଅଞ୍ଚଳରୁ ମାଙ୍କଡାପଥର, ମୋରମ ଓ ନଦୀବାଲି ଲୁଟ‌୍‍ ଦ୍ୱାରା ସରକାର ବହୁ କୋଟି ଟଙ୍କାର ରାଜସ୍ୱ ହରାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ପରିବେଶ ବ୍ୟାପକ ଭାବେ ପ୍ରଦୂଷିତ ହୋଇଆସୁଛି। ଏଭଳି ବେପରୁଆ ଖନନ ଯୋଗୁଁ ସେସବୁ ସ୍ଥାନରେ ବଡ଼ବଡ଼ ଖାଲ ମାନ ସୃଷ୍ଟି ହୋଇ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଖୋଦ‌୍‍ ତହସିଲଦାରଙ୍କ ସମେତ କେତେକ କ୍ଷେତ୍ର କର୍ମଚାରୀ ଏବଂ ବଡ଼ଚଣା ଓ ବୈରୀ ଥାନାର କର୍ମଚାରୀଙ୍କ ସହିତ ବେଆଇନ ଖନନକାରୀ ଓ ଚୋରା ଚାଲଣକାରୀଙ୍କ ମିଳିତ ସଲାସୁତୁରାରେ ସଂଗଠିତ ଭାବେ ଏଭଳି ବେଆଇନ‌୍‍ କାର୍ଯ୍ୟ ସବୁ ସମ୍ପାଦିତ ହୋଇ ଆସୁଥିବା ନେଇ ଦୀର୍ଘଦିନ ହେବ ଲଗାତର ଭାବେ ଏଭଳି ବେଆଇନ‌୍‍ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଆସିଥିବା ଆଇନ‌୍‍ଜୀବୀ ଉଦୟନାଥ ସାହୁ ଅଭିଯୋଗ କରିଛନ୍ତି। ଜନସ୍ୱାର୍ଥ ଦୃଷ୍ଟିରୁ ଦର୍ପଣ ତହସିଲ‌୍‍ ଅଞ୍ଚଳରୁ ବେଆଇନ‌୍‍ ମାଙ୍କଡ଼ା ପଥର ଖନନ ଓ ମୋରମ‌୍‍ ଉତ୍ତୋଳନକୁ ବନ୍ଦ କରିବା ପାଇଁ ଏଥିନେଇ ଗଠିତ ଟାସ୍କ ଫୋର୍ସ ଦୃଢ ପଦକ୍ଷେପ ଗ୍ରହଣ କରିବା ସହିତ ବେଆଇନ‌୍‍ ଖନନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନେ ଖନନ କରି ଲୁଟିନେଇଥିବା ଲଘୁ ଖଣିଜ ପରିମାଣ ବାବଦରେ ରୟାଲ୍ଟି ଓ କଠୋର ପରିମାଣର ଜରିମାନା ଆଦାୟ ସାଙ୍ଗକୁ ସେମାନଙ୍କ ବିରୁଦ୍ଧରେ ଫେ୍ଭାଜଦାରୀ ଆଇନ ମତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାହୁ ରାଜସ୍ୱ ସଚିବ ଓ ରାଜ୍ୟ ପୋଲିସ‌୍‍ ମହା ନିର୍ଦ୍ଦେଶକଙ୍କ ନିକଟରେ ଦାବି କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top