ବିଜ୍ଞାନ ଦିବସ କାହିଁକି?

News Story - Posted on 2018-03-01

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ଭାରତରୁ ଇଂଲଣ୍ଡକୁ ଜାହାଜ ମାଧ୍ୟମରେ ଯାତ୍ରା କରୁଥିବା ସମୟରେ ଭୂମଧ୍ୟସାଗର ଜଳରାଶିର ଗାଢ ନୀଳ ରଙ୍ଗର ରହସ୍ୟ ଯାହାଙ୍କ ମନକୁ ବାରମ୍ୱାର ଆନ୍ଦୋଳିତ କରିଥିଲା ଏବଂ ସେହି ରହସ୍ୟ ଉନ୍ମୋଚନ କରିଥିବା ସେହି ଯୁବ ବିଜ୍ଞାନୀ ହେଉଛନ୍ତି ଭାରତ ରତ୍ନ ସାର‌୍‍ ଚନ୍ଦ୍ରଶେଖର ଭେଙ୍କଟ ରମଣ। ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଯୁଗାନ୍ତକାରୀ ଅବଦାନ ପାଇଁ ସେ ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ଭାବେ ନୋବେଲ ପୁରସ୍କାରର ଅଧିକାରୀ ହୋଇ ପାରିଥିଲେ।

 

୧୯୨୮ ମସିହା ଫେବୃୟାରୀ ମାସ  ଆଜିର ଦିନରେ ବୈଜ୍ଞାନିକ ସିଭି ରମଣ ରମଣ ପ୍ରଭାବ ଆବିଷ୍କାର କରିଥିଲେ।  ଆଲୋକ ବିଚ୍ଛୁରଣ ସମ୍ୱନ୍ଧରେ ପରୀକ୍ଷା କରି ସେ ଯେଉଁ ନୂଆ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ତାହା ରମଣ ସିଦ୍ଧାନ୍ତ ନାମରେ ସୁପରିଚିତ। ଆଲୋକ ଏକ ସ୍ୱଚ୍ଛ ମାଧ୍ୟମ ଦେଇ ଗତି କଲାବେଳେ ନିର୍ଦ୍ଦିଷ୍ଟ ବିନ୍ଦୁରେ କେନ୍ଦ୍ରୀଭୂତ ହୁଏ ଏବଂ ଏହା ବିଭିନ୍ନ ଦିଗରେ ବିଚ୍ଛୁରିତ ହୁଏ। ଏହି ବିକ୍ଷିପ୍ତ ଗୁଣକୁ ରମଣ ପ୍ରଭାବ କୁହାଯାଏ।

 

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏହି ଉଲ୍ଲେଖନୀୟ ଅବଦାନ ପାଇଁ  ୧୯୩୦ ମସିହାରେ ତାଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଧୁନିକ ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ମୌଳିକ ଆବିଷ୍କାର ହେଉଛି ରମଣ ସିଦ୍ଧାନ୍ତ। ସେ ଜଣେ ଗଣିତଜ୍ଞ ଭାବେ ମଧ୍ୟ ସୁପରିଚିତ। ଦକ୍ଷିଣ ଭାରତର ବିଶିଷ୍ଟ ବାଦ୍ୟଯନ୍ତ୍ର ମୃଦଙ୍ଗମ‌୍‍ରୁ କିଭଳି ସୁମଧୁର ତାଳ ସୃଷ୍ଟି ହୋଇ ପାରିବ ତାହାର କଂପନ ବା ଆବୃତ୍ତିର ସାଂଖ୍ୟିକ ମୂଲ୍ୟ ଓ ଗାଣିତିକ ସୂତ୍ର ନିରୁପଣ କରି ପାରିଥିଲେ। ରମଣଙ୍କ ବୈଜ୍ଞାନିକ କୃତୀକୁ ସମ୍ମାନ ଜଣାଇ ଭାରତ ସରକାର ଫେବୃୟାରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରିଆସୁଛନ୍ତି।

 

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟ ବସ୍ତୁ ଉପରେ ଆଲୋଚନା ହୁଏ। ଏବର୍ଷର ବିଷୟ ବସ୍ତୁ ହେଲା ଭବିଷ୍ୟତରେ ସ୍ଥାୟୀ ବା ଦୀର୍ଘକାଳୀନ ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ‌୍‍ତି ବିଦ୍ୟାର ଭୂମିକା। ଚଳିତ ବର୍ଷ ବିଜ୍ଞାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ‌୍‍ କି ବାତ‌୍‍ କାର୍ଯ୍ୟକ୍ରମ ମାଧ୍ୟମରେ ବିଜ୍ଞାନ, ଗଣିତ, ଓ ମେଡିସିନ‌୍‍ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ମୃତି ଚାରଣ କରିଥିଲେ। ବିଜ୍ଞାନ ଶବ୍ଦର ଉଚ୍ଚାରଣ ମାତ୍ରେ ହିଁ ଭାରତରତ୍ନ ସାର‌୍‍ ସିଭି ରମଣ ମନେ ପଡନ୍ତି। ଗଣିତ କ୍ଷେତ୍ରରେ ଆର୍ଯ୍ୟଭଟ୍ଟ, ଭାସ୍କର, ବ୍ରହ୍ମଗୁପ୍ତଙ୍କଠାରୁ ଆରମ୍ଭ କରି ମେଡିସିନ‌୍‍ କ୍ଷେତ୍ରରେ ଚରକ, ସୁଶ୍ରୁତ ଏବଂ ବିଜ୍ଞାନ କ୍ଷେତ୍ରରେ ସାର‌୍‍ ଜଗଦୀଶ ଚନ୍ଦ୍ର ବୋଷ, ହରଗୋବିନ୍ଦ ଖୁରାନା, ସତ୍ୟେନ୍ଦ୍ର ନାଥ ବୋଷ ପ୍ରଭୃତିଙ୍କ ଅବଦାନ ଯୋଗୁଁ ଭାରତ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

 

ଯେଉଁ ଦେଶର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯେତେ ଉନ୍ନତ ସେହି ଦେଶ ସେତେ ବିକଶିତ। ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ରହିଛି। ଏହାର ସଦୁପଯୋଗ ଆମ ପାଇଁ ଆଶୀର୍ବାଦ ହୋଇଥବାବେଳେ ଏହାର ଦୁରୁପଯୋଗ ଆମ ପାଇଁ ଅଭିଶାପ ପାଲଟିଯିବ। ଦେଶରେ ବିଜ୍ଞାନର ପ୍ରଚାର ଓ ପ୍ରସାର ସହ ବିଜ୍ଞାନର ଜୟଯାତ୍ରା ବିଷୟରେ ସମସ୍ତ ମହଲରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।  


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top