ଚିର ନିଦ୍ରାରେ ଅରବିନ୍ଦ

News Story - Posted on 2018-03-01

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ଆଉ ଶୁଭିବନି କଳା ସାଆନ୍ତେ ଅଛ କେମନ୍ତେ.....। ନୀରବିଗଲା ଏହି ଦରଦି ସ୍ୱର। ସ୍ତବ୍ଧ ହୋଇଗଲା ସାରା ଓଡିଶା। କେବଳ ଭଜନ ମାଧ୍ୟମରେ ଓଡିଶାବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା ବିଶେଷ କରି ଜଗତର ନାଥ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଥିବା ସେହି ଲୋକ ପ୍ରିୟ ଭଜନ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି ଆଉ ଆମ ଗହଣରେ ନାହାଁନ୍ତି। ଗତକାଲି ବିଳମ୍ୱିତ ରାତିରେ ହୃଦଘାତରେ ୫୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ଓଡିଶା ସଂଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଭଜନ ସମ୍ରାଟ ଭିକାରୀ ବଳଙ୍କ ସ୍ୱର ସହ ଅରବିନ୍ଦଙ୍କ ସ୍ୱର ମେଳ ଖାଉଥିଲା। ଯେଉଁ ଥି ପାଇଁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥଲେ।

 

ସଂଗୀତ କ୍ୟାରିୟର ଭିତରେ ୩ ହଜାରରୁ ଅଧିକ ଭଜନ ପରିବେଷଣ କରିବା ସହ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠ ଦାନ କରି ବେଶ ଖ୍ୟାତି ଅର୍ଜନ କରିପାରିଥିଲେ। ନିଜ ଲମ୍ୱା କ୍ୟାରିୟରରେ ସେ ବହୁ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ସ୍ୱର ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ ତାଙ୍କ କ୍ୟାରିୟର ମାଇଲଖୁଣ୍ଟ ସଦୃଶ। ଚହଳ ପଡିଛି, କାହ୍ନା ଆସେ ନନ୍ଦିଘୋଷରେ, ପିଞ୍ଜିରୀ ପିଞ୍ଜା, ତୋ ବଡ ଦେଉଳ, ସବୁ କାଳିଆର କାମ .....ଭଳି ଭଜନ ଓଡିଶାର ଘରେ ଘରେ ବେଶ ପରିଚିତ।

 

ସେପ୍ଟେମ୍ୱର ୧, ୧୯୬୧ ମସିହାରେ ଖୋର୍ଦ୍ଧା ଜିଲ୍ଲାର ଖଣତି ଗାଁରେ ଜନ୍ମ ଗ୍ରହଣ କରିଥିଲେ ଏହି ବିଶିଷ୍ଟ ଭଜନ ଗାୟକ। ତାଙ୍କ ଅବର୍ତ୍ତମାନରେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି। ସଂଗୀତ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ପ୍ରଶଂସକ ଓ ପରିବାର ଲୋକ ଶେଷ ଦର୍ଶନ  କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ।

 

ଜୀବନର ୫୬ଟି ଫଗୁଣ ଅତିକ୍ରମ କରି ସାରିଥିବା ସେହି ଅଷ୍ଟମୀ ଚାନ୍ଦ ଆଜି ଫାଲ‌୍‍ଗୁନ ପୂର୍ଣମୀରେ ଅସ୍ତମିତ ହୋଇଯାଇଛନ୍ତି। ସେହି ଅମର ଆତ୍ମାର ସଦ‌୍‍ଗତି କାମନା କରିବା ସହ ସମସ୍ତ ଓଡିଆଙ୍କ ତରଫରୁ ବିନମ୍ର ଶ୍ରଦ୍ଧାଞ୍ଜଳି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top