ଫଲ୍ଗୁର ଅବିର ରଙ୍ଗଠୁଁ ସୁନ୍ଦର!

News Story - Posted on 2018-02-27

୧୯୮୨ ମସିହା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ବସନ୍ତ ପଂଚମୀରେ ଗଂଜାମ ମାଟିର ମହାନ ସାରସ୍ୱତ ସାଧକଙ୍କ ଉଦ୍ୟମରେ ଜନ୍ମ ନେଇଥିଲା ବ୍ରହ୍ମପୁର ସହରର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ‘ଫଲ୍ଗୁ’ ସାହିତ୍ୟ ସଂସଦ । ଓଡ଼ିଆ ଭାଷା ସାହିତ୍ୟର ସାରଥୀମାନଙ୍କ ମଧ୍ୟରେ ବିପିନ ବିହାରୀ ଖମାରୀ, ମହିମୋହନ ତ୍ରିପାଠୀ (ଜଗନ୍ନାଥ ସଂସ୍କୃତ ଗବେଷକ ତଥା ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ଶ୍ରୀମନ୍ଦିର), ଭଂଜ ଭୂମିର ଅନନ୍ୟ ଭଂଜ ପ୍ରବକ୍ତା ବରିଷ୍ଠ ସାହିତ୍ୟିକ ତଥା ରେଭେନସା ମହାବିଦ୍ୟାଳୟର ପ୍ରାକ୍ତନ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବାଉରିବନ୍ଧୁ ସାହୁ, ପ୍ରଫେସର ନିଖିଳାନନ୍ଦ ପାଣିଗ୍ରାହୀ, ଗାଳ୍ପିକ ରଘୁନନ୍ଦନ ପାଣିଗ୍ରାହୀ ପ୍ରମୁଖଙ୍କ ସହ ଆଜିର ସମ୍ବର୍ଦ୍ଧିତ ପ୍ରତିଭା ଗବେଷକ ଡ. ସୂର୍ଯ୍ୟ ନାରାୟଣ ଦାସଙ୍କ ଉଦ୍ୟମରେ ଫଲଗୁ ପରିବାରର ଆଦ୍ୟ ପର୍ବ ରଚିତ ହୋଇଥିଲା ।

 

‘ଫଲ୍ଗୁ’ର ଲକ୍ଷ୍ୟ ଥିଲା ସୃଜନଶୀଳ ସାହିତ୍ୟ ସୃଷ୍ଟିକୁ ଉତ୍ସାହିତ କରିବା ସହ ସହରର ତଥା ଜିଲ୍ଲାର କବି, ସାହିତ୍ୟିକ, ଗାଳ୍ପିକ, ସାମ୍ବାଦିକ, ପ୍ରାବନ୍ଧିକ, ନାଟ୍ୟକାର ଓ କଳାକାରଙ୍କୁ ନେଇ ସମୃଦ୍ଧ ସନ୍ଦେଶ ଦେବା । ଫଲ୍ଗୁ ଇତିମଧ୍ୟରେ ଅନେକ ଲେଖକଙ୍କ ସହଯୋଗରେ କିଛି ବହି ଛପାଇ ପାରିଛି । ୩୦୦ରୁ ଉଦ୍ଧ୍ୱର୍ ସାହିତ୍ୟ ସଭା, ଶହେରୁ ଉଦ୍ଧ୍ୱର୍ ପ୍ରବନ୍ଧ ହଜାରରେ ଉଦ୍ଧ୍ୱର୍ କବିତାର କର୍ମଶାଳାରେ ମହୀୟାନ ଫଲ୍ଗୁ ବ୍ରହ୍ମପୁର ଉକ୍ରଳ ଆଶ୍ରମ ପରିସରରେ ପାଳନ କରିବାକୁ ଯାଉଛି ୩୭ତମ ସ୍ୱନକ୍ଷତ୍ର ଉତ୍ସବ ।

 

ଫଲ୍ଗୁ ଉପବନର ପାରିଜାତ ପୁଷ୍ପ ସମାନ ଦୁଇଜଣ ବରିଷ୍ଠ ସାହିତ୍ୟିକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଏବଂ ଗାଳ୍ପିକ ତଥା ଭଂଜ ବିହାରର ଅବସରପ୍ରାପ୍ତ କୁଳପତି ପ୍ରଫେସର ହରିହର ଦାସଙ୍କ ପରାମର୍ଶରେ ବର୍ଣ୍ଣାଢ଼୍ୟ ସାହିତ୍ୟ ସମାବେଶ ଅନୁଷ୍ଠିତ ହେବ । ବରିଷ୍ଠ ପଦାର୍ଥ ବିଜ୍ଞାନୀ ସ୍ତମ୍ଭକାର ଲେଖକ ବ୍ୟଙ୍ଗ ସାହିତ୍ୟିକ ପ୍ରଫେସର ନିଖିଳାନନ୍ଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱନକ୍ଷତ୍ର ଦିବସରେ ସାଂପ୍ରତିକ ସମୟ ଭାଷା ସାହିତ୍ୟ ଓ ସମାଜ ଗଠନର ମୂଲ୍ୟବୋଧର ସାହିତ୍ୟ ଅନୁଷ୍ଠାନର ଗୁରୁତ୍ୱକୁ ନେଇ ଏକ ବୌଦ୍ଧିକ ଆଲୋଚନା ହେବ । ଭାଷାକୁ ନେଇ ଜାତିର ଇତିହାସ ଗଢ଼ାଯାଏ । ଭାଷା ହିଁ ଆମର ଅସ୍ମିତା । ଓଡ଼ିଆ ମାତୃଭାଷାର ଗରୀମାମୟ କୃତି ବିଶ୍ୱବିଦିତ । ଏଠାକାର ସାହିତ୍ୟ ଆଦି ସମଗ୍ର ବିଶ୍ୱକୁ ଓଡ଼ିଆ ଭାଷାର ସନ୍ଦେଶ ଦେବା ସହ ଲୋକ କଳା ଲୋକ ସାହିତ୍ୟ ଲୋକ ସଂଗୀତର ଅନନ୍ୟ ଛାପ ଛାଡ଼ିଦେଇଛି ।

 

କବି ସମ୍ରାଟ ଓ କବି ସୂର୍ଯ୍ୟଙ୍କ କାଳଜୟୀ କୀର୍ତ୍ତିରାଜିର ଅନନ୍ୟ ସନ୍ଦେଶ ବହନ କରୁଥିବା ଗଂଜାମ ମାଟିରେ ‘ଫଲ୍ଗୁ’ ସାହିତ୍ୟ ଅନୁଷ୍ଠାନ ୩୭ ବର୍ଷର ଜୟଯାତ୍ରାର ବିନ୍ଧାଣୀମାନଙ୍କ ମଧ୍ୟରେ ପ୍ରଫେସର ବ୍ରଜମୋହନ ସାସମଲ ଏବଂ ଯୁବ ପ୍ରତିଭା ସ୍ୱାଭିମାନୀ ଭାଷାପ୍ରେମୀ କବିରାଜ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀଙ୍କ ଶ୍ରମ ସ୍ୱୀକାର୍ଯ୍ୟ । ଏହା ସହ ଫଲ୍ଗୁ ପରିବାରର ବହୁମୁଖୀ ପ୍ରତିଭାମାନେ ମାସିକ କର୍ମଶାଳାରେ ବହୁ ସ୍ରଷ୍ଟାଙ୍କୁ ନିଜର କରିଛି । ବ୍ରହ୍ମପୁର ମାଟିରେ ଫଳପ୍ରସୂ ସାହିତ୍ୟ ଧାରା ଜାହ୍ନବୀ ସମାନ ବିଶେଷାଙ୍କ ପ୍ରକାଶ ସହ ବାର୍ଷିକ ଉତ୍ସବରେ ଫଲ୍ଗୁର ସ୍ୱନକ୍ଷତ୍ର ବିଶେଷାଙ୍କ ପ୍ରକାଶ ସହ ବାର୍ଷିକ ଉତ୍ସବରେ ଫଲ୍ଗୁ ପୁଣି ଏକ ନବ ଉନ୍ମାଦନା ସୃଷ୍ଟି କରୁ ଏହା ପ୍ରଭୁଙ୍କଠାରେ ପ୍ରାର୍ଥନା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top