ସୂର୍ଯ୍ୟଠୁଁ ହଜାରେ ଗୁଣ ବଡ଼ କୃଷ୍ଣ ଗର୍ତ୍ତ ଠାବ!

News Story - Posted on 2018-02-26

ବିଶ୍ୱ ବ୍ରହ୍ମାଣ୍ଡରେ କେତେକ ସର୍ବବୃହତ କୃଷ୍ଣ ଗର୍ତ୍ତର ସନ୍ଧାନ ପାଇଛନ୍ତି ବୈଜ୍ଞାନିକ । ନାସାର ଚନ୍ଦ୍ର ଏକ୍ସଂରେ ଟେଲିସ୍କୋପ ବ୍ୟବହାର କରି ଏସବୁ କୃଷ୍ଣଗର୍ତ୍ତର ସନ୍ଧାନ କରାଯାଇଛି । ବୈଜ୍ଞାନିକଙ୍କ ଆକଳନ ଅନୁସାରେ ଏସବୁ ବିଶାଳ କୃଷ୍ଣ ଗର୍ତ୍ତ ପୃଥିବୀଠାରୁ ୩୫୦ କୋଟି ଆଲୋକ ବର୍ଷ ଦୂରରେ ମହାକାଶରେ ଅବସ୍ଥାପିତ ଅଛନ୍ତି ।

 

ଅନେକ ବର୍ଷ ତଳୁ ମହାକାଶରେ ରହିଥିବା କୃଷ୍ଣ ଗର୍ତ୍ତଗୁଡ଼ିକ ସଂପର୍କରେ ଆଗ୍ରହର ସହିତ ଗବେଷଣା କରି ଆସୁଛନ୍ତି ଅନେକ ଦେଶର ମହାକାଶ ବିଜ୍ଞାନୀ । ବ୍ରହ୍ମାଣ୍ଡରେ ଏଗୁଡ଼ିକ ବହୁ ସଂଖ୍ୟାରେ ରହିଛନ୍ତି । କୃଷ୍ଣ ଗର୍ତ୍ତ ସବୁ ମାଧ୍ୟାକର୍ଷଣ ଶକ୍ତିକୁ ମଧ୍ୟ ନିଜ ଭିତରେ ବିଲୀନ କରିବାର କ୍ଷମତା ରଖିଛନ୍ତି । କେତେକ କୃଷ୍ଣ ଗର୍ତ୍ତ ମହାକାଶରେ ଯାଯାବର ପରି ଏଣେତେଣେ ଘୂରି ବୁଲୁଥିବାବେଳେ କେତେକ ଗୋଟିଏ ସ୍ଥାନରେ ଲଟକି ରହିଛନ୍ତି । ଅନ୍ୟ କେତେକ ସେମାନଙ୍କ ପାଖାପାଖି ଥିବା ତାରକାମାନଙ୍କୁ ଖାଇ ହଜମ କରିଦିଅନ୍ତି ।

 

କାନାଡ଼ାର ମଣ୍ଟ୍ରିଲ ବିଶ୍ୱ ବିଦ୍ୟାଳୟ ଓ ସ୍ପେନର ମହାକାଶ ବିଜ୍ଞାନ ପ୍ରତିଷ୍ଠାନ ତରଫରୁ ବିଶ୍ୱ ବ୍ରହ୍ମାଣ୍ଡର କେତେକ ବୃହତ୍ତମ ଛାୟାପଥ ମଣ୍ଡଳରେ ଥିବା ୭୨ଟି ଛାୟାପଥ ଉପରେ ଅନୁଧ୍ୟାନ ଚଳାଇଥିବାବେଳେ କେତେକ ସର୍ବବୃହତ କୃଷ୍ଣ ଗର୍ତ୍ତର ସନ୍ଧାନ ପାଇଥିବା ଦାବି କରିଛନ୍ତି । ସାଧାରଣତଃ ଛାୟପଥଗୁଡ଼ିକର ମଧ୍ୟ ଭାଗରେ ହିଁ କୃଷ୍ଣ ଗର୍ତ୍ତ ରହିଥାଏ । ଅନୁଧ୍ୟାନ କରାଯାଇଥିବା ଏସବୁ ଛାୟାପଥର ମଧ୍ୟ ଭାଗରେ ମଧ୍ୟ ଏସବୁ କୃଷ୍ଣ ଗର୍ତ୍ତଗୁଡ଼ିକୁ ଠାବ କରାଯାଇଛି । କୃଷ୍ଣ ଗର୍ତ୍ତ ହେଉଛି ମହାକାଶରେ ଏମିତି ଏକ ସ୍ଥାନ ଯାହାର ମାଧ୍ୟାକର୍ଷଣ ଶକ୍ତି ଅତ୍ୟନ୍ତ ବିଶାଳ ଓ ତୀବ୍ର ।

 

ମଣ୍ଟ୍ରିଲ ବିଶ୍ୱବିଦ୍ୟାଳୟ ଓ ସ୍ପେନର ମହାକାଶ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଚନ୍ଦ୍ର ଏକ୍ସ-ରେ ଟେଲିସ୍କୋପ ଜରିଆରେ ଆହରଣ କରିଥିବା ରେଡିଓ ପ୍ରବାହର ଅନୁଶୀଳନ କରି ଏସବୁ କୃଷ୍ଣ ଗର୍ତ୍ତର ବସ୍ତୁତ୍ୱ ସଂପର୍କରେ କିଛିଟା ଧାରଣା କରିପାରିଛନ୍ତି । ଏହି ବୈଜ୍ଞାନିକମାନେ ସନ୍ଧାନ କରିଥିବା କୃଷ୍ଣ ଗର୍ତ୍ତଗୁଡ଼ିକ ମଧ୍ୟରୁ ଅଧେ ଏତେ ବିଶାଳ ଯେ ସେଗୁଡ଼ିକର ବସ୍ତୁତ୍ୱ ସୂର୍ଯ୍ୟଙ୍କ ବସ୍ତୁତ୍ୱଠାରୁ ୧୦୦୦ ଗୁଣ ଅଧିକ । ପୂର୍ବରୁ ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ ଏସବୁର ବସ୍ତୁତ୍ୱ ସୂର୍ଯ୍ୟଙ୍କଠାରୁ ମାତ୍ର ୧୦୦ ଗୁଣ ଅଧିକ । ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଛାୟାପଥରେ ତାରକାମାନଙ୍କ ଅଭିବୃଦ୍ଧିଠାରୁ ଅଧିକ ଗତିରେ କୃଷ୍ଣ ଗର୍ତ୍ତଗୁଡ଼ିକର ବୃଦ୍ଧି ଘଟିଚାଲିଛି ।

 

ଏହି ଅନୁସନ୍ଧାନ ସଂପର୍କରେ ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟିର ମାସିକ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ନିଉଜୱିକ ପତ୍ରିକାରେ ଏହି ଖବର ପ୍ରଥମେ ପ୍ରକାଶ ପାଇଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top