ସଦ୍ମା ଦେଇଗଲେ ଚାନ୍ଦିନୀ!

News Story - Posted on 2018-02-25

ଆଉ ନାହାନ୍ତି ବଲିଉଡ଼ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ । ଦୁବାଇରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି । କୋଟି ହୃଦୟରେ ବଜ୍ରପାତ ଘଟାଇ ହାୱା ହୋଇଯାଇଛନ୍ତି ମିଷ୍ଟର ଇଣ୍ଡିଆର ହାୱା ହୱାଇ ଓରଫ ଚାନ୍ଦିନୀର ଚାନ୍ଦିନୀ । ପଛରେ ରହିଯାଇଛି ୫୪ ବର୍ଷ ବୟସରୁ ୫୦ ବର୍ଷର ଅଭିନୟ ଓ ନୃତ୍ୟର ଜୀବନ ।

 

ଜଣେ ସଂପର୍କୀୟ ମୋହିତ ମାରୱାଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ସପରିବାରେ ଦୁବାଇ ଯାଇଥିଲେ ଶ୍ରୀଦେବୀ । ସାଙ୍ଗରେ ଥିଲେ ସ୍ୱାମୀ ତଥା ଚିତ୍ର ପ୍ରଯୋଜକ ବୋନି କପୁର ଏବଂ ସାନ ଝିଅ ଖୁସି । ବଡ଼ ଝିଅ ଜାହ୍ନବୀ ତା’ର ପ୍ରଥମ ଚଳଚ୍ଚିତ୍ର ‘ଧଡ଼କ’ର ସୁଟିଂ ପାଇଁ ବ୍ୟସ୍ତ ଥିବାରୁ ଦୁବାଇ ଯାଇ ନଥିଲେ । ଶନିବାର ରାତିରେ ବିବାହ ଉତ୍ସବରେ ଯୋଗଦେଇ ଶ୍ରୀଦେବୀ ରହୁଥିବା ଜୁମେରାହ ଏମିରେଟ ହୋଟେଲକୁ ଫେରିଥିଲେ । ମଧ୍ୟରାତ୍ରରେ ସେ ଗାଧୁଆ ଘରେ ଥିବାବେଳେ ତାଙ୍କର ହୃଦଗାତ ଘଟିଥିଲା ଓ ସେ ଚେତା ହରେଇ ପଡ଼ି ଯାଇଥିଲେ । ଏହା ପରେ ସଙ୍ଗେସଙ୍ଗେ ତାଙ୍କୁ ଦୁବାଇର ରଶିଦା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

ରବିବାର ସକାଳୁ ସକାଳୁ ଏ ଖବର ବ୍ୟାପିବା ପରେ ତାଙ୍କ ଦିଅର ସଂଜୟ କପୁରଙ୍କ ସମେତ ଅନ୍ୟ ସଂପର୍କୀୟମାନେ ଯାଇଁ ଦୁବାଇରେ ପହଂଚିଛନ୍ତି । ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସୁରୀଙ୍କ ସହିତ ଯୋଗାଯୋଗ କରି ମୃତଦେହ ତୁରନ୍ତ ଭାରତ ଆଣିବା ବ୍ୟବସ୍ଥା କରାଯାଉଛି । ଏହା ଏକ ସ୍ୱାଭାବିକ ମୃତ୍ୟୁ ବୋଲି ଡାକ୍ତର ସାର୍ଟିଫିକେଟ ଦେଇଥିବାରୁ ତାଙ୍କର ସେଠାରେ ପୋଷ୍ଟ ମର୍ଟମ ହେବ ନାହିଁ ଦୂତାବାସ ତରଫରୁ ପ୍ରଥମେ କୁହାଯାଇଥିଲା । ତେବେ ଶ୍ରୀଦେବୀ ପୂର୍ବରୁ କେବେ ବି ହୃଦରୋଗର ସମ୍ମୁଖୀନ ହୋଇ ନଥିଲେ ବୋଲି ଦିଅର ସଂଜୟ କପୁର କହିବା ପରେ ତାଙ୍କ ମୃତ୍ୟୁ ନେଇ କେତେକ ମହଲରେ ସନ୍ଦେହ ସୃଷ୍ଟି ହୋଇଛି । ଆଜି ମଧ୍ୟ ରାତ୍ରରେ ଅନୀଲ ଅମ୍ବାନୀଙ୍କର ଏକ ସ୍ୱତନ୍ତ୍ର ଘରୋଇ ବିମାନ ଯୋଗେ ତାଙ୍କର ମର ଶରୀର ମୁମ୍ବାଇରେ ପହଂଚିବ । ଆସନ୍ତାକାଲି ସୋମବାର ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ଏହି ୧୩ ଆସନ ବିଶିଷ୍ଟ ସ୍ୱତନ୍ତ୍ର ବିମାନ ମୁମ୍ବାଇରୁ ଦୁବାଇ ଯିବ ଓ ସେଠାରୁ ମର ଶରୀର ନେଇ ଫେରିବ ।

 

ବଲିଉଡ଼ର ଏହି ପ୍ରଥମ ମହିଳା ସୁପର ଷ୍ଟାରଙ୍କ ଅକାଳ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ବଲିଉଡ଼ର ସମସ୍ତ ଆଗଧାଡ଼ିର ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ନିର୍ଦ୍ଦେଶକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସମସ୍ତେ ଏହି ଖବରରେ ମର୍ମାହତ ଓ ସ୍ତମ୍ଭୀଭୁତ । କେହି ଏହା ବିଶ୍ୱାସ କରିପାରୁ ନାହାନ୍ତି ।

 

ହିମ୍ମତୱାଲାର ନୟନୋଁ ମେଁ ସପନା ସପନୋଁ ମେଁ ସଜନା ହେଉ ତ ତୋଫା ଫିଲ୍ମର ତାଥେୟା ତାଥେୟା ହୋଅଅ ବା ମିଷ୍ଟର ଇଣ୍ଡିଆର କାଟେ ନେହିଁ କଟତେ ଅଥବା ବିଜଲି ଗିରାନେ ମେ ହୁଁ ଆୟି କିଂବା ଚାନ୍ଦିନୀର ତେରେ ମେରେ ହୋଠୋଁ ମେଁ ମିଠେ ମିଠେ ଗୀତ... ଆଦି ଗୀତରେ ତାଙ୍କ ନୃତ୍ୟ ଲକ୍ଷଲକ୍ଷ ଦର୍ଶକଙ୍କ ମନ ଓ ହୃଦୟରେ ଆଜି ବି ଚମକ ଖେଳେଇ ଦିଏ । ମାତ୍ର ୪ ବର୍ଷ ବୟସରୁ ଜଣେ ଶିଶୁ କଳାକାର ଭାବେ ଜୀବନ ଆରମ୍ଭ କରିଥିବା ଶ୍ରୀଦେବୀ ଗଲା ୫୦ ବର୍ଷ ଧରି ସିନେମା ଜଗତ ସହିତ ଜଡ଼ିତ ଥିଲେ । ତାଙ୍କର ନିଖୁଣ ଅଭିନୟ ଓ ନୃତ୍ୟ ନିପୁଣତା ପାଇଁ ସେ ପାଞ୍ଚ ପାଞ୍ଚ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ । ଭାରତ ସରକାର ମଧ୍ୟ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରି ସିନେମା ପ୍ରତି ସମର୍ପିତ ତାଙ୍କ ପ୍ରତିଭାକୁ ରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ ।

 

ଶ୍ରୀଦେବୀଙ୍କର ପିଲାବେଳର ନାମ ହେଉଛି ଶ୍ରୀ ଆମ୍ମା ୟାଙ୍ଗର ଆୟପ୍ପାନ । ସେ ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୪ ବର୍ଷ ବୟସରେ ସେ ଏମଏ ତିରୁମୁଘମଙ୍କ ତୁନାଇବନ ନାମକ ଏକ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ସିନେମା ପ୍ରବେଶ କରିଥିଲେ । ଏହା ପରେ ସେ ଅନେକ ତାମିଲ, ତେଲୁଗୁ, ମାଲୟାଲାମ ଓ କନ୍ନଡ଼ ଫିଲ୍ମରେ ଅଭିନୟ କରି ଦକ୍ଷିଣ ଭାରତୀୟ ସିନେ ଜଗତରେ ପ୍ରତିଷ୍ଠା ଅର୍ଜନ କରିଥିଲେ । ବଲିଉଡ଼ରେ ମଧ୍ୟ ସେ ଜଣେ ଶିଶୁ କଳାକାର ଭାବେ ଜୀବନ ଆରମ୍ଭ କରିଥିଲେ ୧୯୭୫ ମସିହାରେ ଜୁଲି ଫିଲ୍ମରେ । ପରେ ୧୯୭୮ରେ ନିର୍ମିତ ସୋଲୱା ସାୱନରେ ସେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । କିନ୍ତୁ ୧୯୮୩ ମସିହାରେ ନିର୍ମିତ ହିମ୍ମତୱାଲା ହିଁ ତାଙ୍କୁ ସିନେପ୍ରେମୀଙ୍କ ହୃତୟର ରାଣୀ ଆସନରେ ବସାଇଥିଲା ।

 

ହିମ୍ମତୱାଲା, ତୋଫା, ମାୱାଲି, ଚାନ୍ଦିନୀ, ନାଗିନା, ଲମ୍ହେ, ଗୁମରାହ, ଚାଲବାଜ, ସଦମା, ମାଷ୍ଟରଜୀ, ନଜରାନା, ମିଷ୍ଟର ଇଣ୍ଡିଆ, ଇଂଲିଶ ବିଂଲିଶ, ମମ୍ ଆଦି ଅନେକ ସୁପର ଡୁପର ହିଟ୍ ଫିଲ୍ମରେ ଅଭିନୟ କରି ଶ୍ରୀଦେବୀ ବଲିଉଡ଼ର ପ୍ରଥମ ମହିଳା ସୁପର ଷ୍ଟାର ଖ୍ୟାତି ଅର୍ଜନ କରିଥିଲେ । ପ୍ରାୟ ୩୦୦ ଫିଲ୍ମରେ ଅଭିନୟ କରି ସେ ଏକଦା ଦକ୍ଷିଣ ଭାରତ ଓ ବଲିଉଡ଼ରେ ଛାଇ ଯାଇଥିଲେ । ଅଶି ଓ ନବେ ଦଶକରେ ଶ୍ରୀଦେବୀଙ୍କ ନାଁରେ ହିଁ ଫିଲ୍ମ ହିଟ୍ ହେଉଥିଲା । ସେ ମଧ୍ୟ ବଲିଉଡ଼ର ପ୍ରଥମ ଥଣ୍ଡର ଥାଇ! ତାଙ୍କର ମନମୋହିନୀ ଚାହାଣୀ ଓ ମାଦକଭରା ନୃତ୍ୟ ତାଙ୍କୁ ସେ ସମୟର ସବୁଠୁଁ ସେକ୍ସି ଅଭିନେତ୍ରୀ ଭାବେ ପରିଚିତ କରିଥିଲେ ମଧ୍ୟ ସଦମା ପରି ଫିଲ୍ମରେ ସେ ନିଜ ଅଭନିୟ ପରାକାଷ୍ଠାର ପ୍ରମାଣ ଦେଇଥିଲେ । ସେ ଉଭୟ ବାଣିଜ୍ୟିକ ଓ କଳାତ୍ମକ ଫିଲ୍ମରେ ନିଜର ଅଭିନୟ ଦକ୍ଷତାର ପ୍ରମାଣ ଦେଇ କୋଟି ହୃଦୟରେ ବସା ବାନ୍ଧିଥିଲେ । ଦକ୍ଷିଣ ଭାରତୀୟ ଫିଲ୍ମରେ ରଜନୀକାନ୍ତ ଓ କମଳ ହାସନଙ୍କଠାରୁ ଆରମ୍ଭ କରି ବଲିଉଡ଼ରେ ସେ ଜିତେନ୍ଦ୍ର, ଅମିତାଭ ବଚ୍ଚନ, ଅନୀଲ କପୁର, ଋଷି କପୁର, ବିନୋଦ ଖାନ୍ନା, ଧର୍ମେନ୍ଦ୍ର, ସନ୍ନି ଦେଓଲ ପ୍ରମୁଖ ବିଭିନ୍ନ ବୟସ ଓ ବର୍ଗର ଅଭିନେତାଙ୍କ ସହିତ ଅଭିନୟ କରିଛନ୍ତି । ୧୯୯୬ରେ ବୋନି କାପୁରଙ୍କ ବିବାହ କରିବା ପରେ ସେ ପ୍ରାୟ ୧୫ ବର୍ଷ ଧରି ଅଭିନୟ ଜଗତରୁ ଓହରି ଯାଇଥିଲେ । କିନ୍ତୁ ଇଂଲିଶ ବିଂଲିଶ ଓ ମମ୍ ଫିଲ୍ମ ଜରିଆରେ ସେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ ଓ ପୁଣି ଥରେ ନିଜ ନିପୁଣ ଅଭିନୟ ବଳରେ ଦର୍ଶକ ଓ ସମାଲୋଚକଙ୍କ ପ୍ରଶଂସାର ପାତ୍ର ହୋଇଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top