ବିମୁଦ୍ରାୟନ, ଜିଏସଟି ଯୋଗୁଁ ଅଭିବୃଦ୍ଧି ମାନ୍ଦା

News Story - Posted on 2018-02-22

ବଡ଼ ନୋଟର ବିମୁଦ୍ରାୟନ ଏବଂ ବସ୍ତୁ ଓ ସେବା କର ବ୍ୟବସ୍ଥା ଯୋଗୁଁ ଭାରତର ଅଭିବୃଦ୍ଧି ହାର ଧିମେଇ ଯାଇଛି ବୋଲି କହିଛି ଆମେରିକା । ଆମେରିକା ରାଷ୍ଟ୍ରପତିଙ୍କ ଆର୍ଥନୀତିକ ରିପୋର୍ଟରେ ଏହି କଥା ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁସାରେ ଭାରତର ବୃଦ୍ଧି ପାଉଥିବା ଅଚଳ ଋଣ ମଧ୍ୟ ଅଭିବୃଦ୍ଧି ପଥରେ ପ୍ରତିବନ୍ଧକ ସୃଷ୍ଟି କରିଛି ।

 

ଆଗାମୀ ଦିନଗୁଡ଼ିକରେ ଆମେରିକା ଅର୍ଥନୀତିର ଗୋଲାପୀ ଚିତ୍ର ଆଙ୍କିବା ସହିତ ଏହି ରିପୋର୍ଟରେ ଭାରତର ଆର୍ôଥର୍କ ପ୍ରଗତି ମନ୍ଥର ହୋଇଯାଇଥିବା ଉଲ୍ଲେଖ ରହିଛି । ଏଥିରେ କୁହାଯାଇଛି ଯେ ୨୦୧୬ ନଭେମ୍ବର ୮ ତାରିଖରେ ଭାରତ ସରକାର ଘୋଷଣା କରିଥିବା ବିମୁଦ୍ରାୟନ ନିଷ୍ପତ୍ତି ଯୋଗୁଁ ଦେଶର ଅଭିବୃଦ୍ଧି ହାର ମାନ୍ଦା ପଡ଼ିଯାଇଛି । କାରଣ ହେଉଛି ଭାରତୀୟ ବଜାରରେ ୯୦ ପ୍ରତିଶତ କାରବାର ନଗଦ ଆକାରରେ ହୋଇଥାଏ । ସରକାର ପ୍ରଚଳନରେ ଥିବା ୮୬ ପ୍ରତିଶତ ନୋଟ ନିଷିଦ୍ଧ କରିଦେବାରୁ ବଜାର କାରବାର ପ୍ରଭାବିତ ହୋଇଥିଲା ।

 

ସେହିପରି ୨୦୧୭ ଜୁଲାଇ ମାସରେ ସରକାର ବସ୍ତୁ ଓ ସେବା କର ନାମରେ ଏକ ବିକଳ୍ପ କର ବ୍ୟବସ୍ଥା ପ୍ରଚଳନ କଲେ । ଏହି ବ୍ୟବସ୍ଥାରେ ଭିନ୍ନଭିନ୍ନ ଦ୍ରବ୍ୟ ଓ ସେବା ପାଇଁ ଭିନ୍ନଭିନ୍ନ କର ଧାର୍ଯ୍ୟ ହେଲା । ଏହି ବ୍ୟବସ୍ଥା ଦ୍ୱାରା ପ୍ରଚଳନରେ ଥିବା ପୁରୁଣା କର ବ୍ୟବସ୍ଥା ବାତିଲ ହୋଇଗଲା । ଏହାର ପ୍ରଭାବରେ ବଜାରରେ ସ୍ୱଳ୍ପକାଳୀନ ଅନିଶ୍ଚିତ ଅବସ୍ଥା ସୃଷ୍ଟି ହେଲା । ଏହା ମଧ୍ୟ ଅଭିବୃଦ୍ଧିର ଗତି ମନ୍ଥର କରିବାରେ ସହାୟକ ହେଲା ।

 

ଭାରତରେ ବିଭିନ୍ନ ବ୍ୟାଙ୍କର ନନ୍-ପର୍ଫମିଂ ଲୋନ୍ (ଏନପିଏଲ) ବା ଅଚଳ ଋଣ ପରିମାଣ ବୃଦ୍ଧି ପାଇବା ମଧ୍ୟ ଆର୍ଥନୀତିକ ଅଭିବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫକୁ ଦିଆଯାଇଥିବା ସୂଚନା ଅନୁସାରେ ଭାରତୀୟ ବ୍ୟାଙ୍କଗୁଡ଼ିକ ଦେଇଥିବା ମୋଟ ଋଣ ସହିତ ଅଚଳର ଋଣର ଅନୁପାତି ୯.୭ ପ୍ରତିଶତରେ ପହଂଚିଛି । ଚୀନରେ ଏହି ଅନୁପାତ ହେଉଛି ୧.୭ ପ୍ରତିଶତ । ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଦେଶର ମୋଟ ବ୍ୟାଙ୍କ ଋଣ ସହିତ ଏନପିଏଲ ଅନୁପାତ ୨୦୧୮ ପ୍ରଥମ ଚଉମାସିଆ ସୁଦ୍ଧା ୧୦.୮ ପ୍ରତିଶତ ଓ ୨୦୧୮ ସେପ୍ଟେମ୍ବର ସୁଦ୍ଧା ୧୧.୧ ପ୍ରତିଶତକୁ ବୃଦ୍ଧି ପାଇଥିବ । ୨୦୧୪-୧୫ ବର୍ଷରୁ ବ୍ୟାଙ୍କଗୁଡ଼ିକର ଏନପିଏଲ ବୃଦ୍ଧି ପାଇଚାଲିଛି । ଏହା ଭାରତର ଆର୍ଥନୀତିକ ଅଭିବୃଦ୍ଧି ପଥରେ ଅନ୍ୟତମ ବାଧକ ବୋଲି ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶାସନ ଆକଳନ କରିଛି ।

 

ତେବେ ବ୍ୟାଙ୍କଗୁଡ଼ିକର ପୁଂଜି ପୁନର୍ଗଠନ ପ୍ରକ୍ରିୟାରେ ସରକାର ୩୨୪୦ କୋଟି ଡଲାର ଦେବାକୁ ଘୋଷଣା କରିଥିବାରୁ ଆଗାମୀ ଦିନରେ ବ୍ୟାଙ୍କ ପରିସ୍ଥିତି ସୁଧୁରିବା ସହିତ ବଜାରରେ ଅର୍ଥ କାରବାର ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆମେରିକା ସରକାର ଆକଳନ କରିଛନ୍ତି ।

 

ଏହି ରିପୋର୍ଟରେ ଏକଥା ବି ଉଲ୍ଲେଖ କରାଯାଇଛି ଯେ ଆମେରିକା ଓ ୟୁରୋପ ସହିତ ବାଣିଜ୍ୟ କାରବାର ନେଇ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନର ନିୟମ ମାନୁ ନାହିଁ । ସେହିପରି ଗାଟ୍ ବା ଜେନେରାଲ ଏଗ୍ରିମେଣ୍ଟ ଅନ୍ ଟ୍ରେଡ଼ ଆଣ୍ଡ ଟ୍ରାଫିକ ଚୁକ୍ତିରେ ଭାରତ ସ୍ୱାକ୍ଷର କରିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏହି ଚୁକ୍ତିକୁ ସମ୍ମାନ ଦେଉନାହିଁ । ମୁଖ୍ୟତଃ କୃଷିଜାତ ଦ୍ରବ୍ୟ କାରବାରରେ ଭାରତ ଗାଟ୍ ଓ ଡବ୍ଲ୍ୟୁଟିଓ ନିୟମ ମାନୁ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top