ଉଦାରୀକରଣ ହିଁ ଅସମାନତାର ଜନକ!

News Story - Posted on 2018-02-22

୧୯୯୧ ମସିହାରେ ଆରମ୍ଭ ହୋଇଥିବା ଉଦାରୀକରଣ ପରଠାରୁ ଭାରତରେ ଆର୍ଥିକ ବୈଷମ୍ୟ ବୃଦ୍ଧି ପାଇଚାଲିଛି । ଏହି ଅସମାନତା ଆଉ କେବଳ ଆୟ ଓ ଉପଭୋଗ କ୍ଷେତ୍ରରେ ସୀମୀତ ନାହିଁ । ଏବକୁ ଏହା ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟି, ପରିମଳ ଓ ନିଯୁକ୍ତି ସୁଯୋଗ ଆଦି ଅଣ-ଆୟ କ୍ଷେତ୍ରକୁ ମଧ୍ୟ ପରିବ୍ୟାପ୍ତ ହେଲାଣି । ଅକ୍ସଫାମ ଇଣ୍ଡିଆର ଏକ ରିପୋର୍ଟରେ ଏହି କଥା ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁସାରେ ଏହି ସମୟ ମଧ୍ୟରେ ଭାରତର ଦଳିତ, ଆଦିବାସୀ ଓ ମୁସଲମାନ ଅଧିକ ଅସମାନତାର ସମ୍ମୁଖୀନ ହୋଇଛନ୍ତି ।

 

ଫର୍ବସ ପତ୍ରିକାର ତଥ୍ୟ ଉଦ୍ଧାର କରି ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ଉକ୍ରଟ ଆର୍ଥିକ ଅସମାନତାର ଚିତ୍ର ଉପସ୍ଥାପିତ ହୋଇଛି । ଫର୍ବସର ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ ଭାରତର ଅର୍ବୁଦପତିମାନଙ୍କ ସଂପତ୍ତି ପରିମାଣ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇଛି । କିନ୍ତୁ ସେହି ଅନୁସାରେ ସାଧାରଣ ଲୋକଙ୍କ ଆୟ ଓ ସଂପତ୍ତି ବୃଦ୍ଧି ପାଇନାହିଁ । ବରଂ ତାହା ଏହାଠାରୁ ଅଧିକ ଗୁଣରେ ହ୍ରାସ ପାଇଛି ।

 

ରିପୋର୍ଟ ଅନୁସାରେ ଭାରତରେ ୧୦୦ରୁ କମ୍ ଅର୍ବୁଦପତି ଅଛନ୍ତି । ଶହେ କୋଟିରୁ ଅଧିକ ଟଙ୍କାର ମାଲିକଙ୍କୁ ଅର୍ବୁଦପତି ଭାବେ ଗଣନା କରାଯାଉଛି । ଏହି ଅର୍ବୁଦପତିମାନଙ୍କ ପାଖରେ ଯେତେ ସଂପତ୍ତି ରହିଛି ତାହା ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପିର ୧୫ ପ୍ରତିଶତ ହେବ । ପାଂଚ ବର୍ଷ ତଳେ ଏହି ଅନୁପାତ ଥିଲା ୧୦ ପ୍ରତିଶତ । ଭାରତର ଅଧିକାଂଶ ଅର୍ବୁଦପତି ସେମାନଙ୍କ ସଂପତ୍ତି ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି ।

 

ଏହି ରିପୋର୍ଟ ଅନୁସାରେ ୨୦୧୦ ମସିହାରେ ଭାରତର ୬୯ ଅର୍ବୁଦପତିଙ୍କ ମଧ୍ୟରୁ ୨୭ ଜଣ ସରକାରଙ୍କଠାରୁ ପାଇଥିବା ପ୍ରାକୃତିକ ସଂପଦର ଲିଜରୁ ପ୍ରଚୁର ସଂପତ୍ତି ଅର୍ଜନ କରିଥିଲେ । ୨୦୦୫ରୁ ୨୦୧୦ ମଧ୍ୟରେ ସେମାନଙ୍କ ସହିତ ଯୋଗଦେଲେ ରିୟଲ ଇଷ୍ଟେଟ ବ୍ୟବସାୟୀ । ଏହି ସମୟ ମଧ୍ୟରେ ଏହି ବର୍ଗର ଅର୍ବୁଦପତିମାନଙ୍କର ସଂପତ୍ତି ପରିମାଣ ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଥିଲା । ପ୍ରାକୃତିକ ସଂପଦ ଅର୍ଥାତ ଖଣି ଆଦି ସୂତ୍ରରୁ ଅର୍ବୁଦପତି ହୋଇଥିବା ଲୋକଙ୍କ ସଂଖ୍ୟା ଦେଶର ମୋଟ ଅର୍ବୁଦପତିଙ୍କ ସଂଖ୍ୟାର ୪୩ ପ୍ରତିଶତ ହୋଇଥିଲାବେଳେ ସେମାନଙ୍କ ନିକଟରେ ରହିଥିବା ସଂପତ୍ତିର ପରିମାଣ ହେଉଛି ସମୁଦାୟ ଅର୍ବୁଦପତିଙ୍କ ନିକଟରେ ଥିବା ସଂପତ୍ତିର ୬୦ ପ୍ରତିଶତ ।

 

ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ ଭାରତର ଅର୍ବୁଦପତିମାନେ ସେମାନଙ୍କ ସଂପତ୍ତି କ୍ରୋନି କ୍ୟାପିଟାଲିଜମ ବା ନିଗୂଢ଼ ପୁଂଜିବାଦରୁ ହାସଲ କରିଛନ୍ତି । ଏମାନେ ବଜାର ବ୍ୟବସ୍ଥାରେ ନୂଆ କିଛି ସୃଷ୍ଟି କରି ବା ପରିଶ୍ରମ କରି ଏହି ସଂପତ୍ତି ଅର୍ଜନ କରିନାହାନ୍ତି । ଟୁ-ଜି ସ୍ପେକଟ୍ରମ ଦୁର୍ନୀତି, ଖଣି ଦୁର୍ନୀତି, କୋଇଲା ଦୁର୍ନୀତି ଆଦି ଘଟଣାରୁ ଭାରତର ଅର୍ବୁଦପତିମାନେ କେଉଁ ସୂତ୍ରରୁ ସଂପତ୍ତି କମେଇଛନ୍ତି ତାହା ଜଣାପଡ଼ିଯାଉଛି ବୋଲି ରିପୋର୍ଟରେ କୁହାଯାଇଛି ।

 

ଦେଶର ପ୍ରାକୃତିକ ସଂପଦ କବ୍ଚା କରି ମୁଷ୍ଟିମେୟ ଲୋକ ଏହିପରି ଭାବେ ଧନକୁବେର ହୋଇଚାଲିଥିବାବେଳେ ଦେଶର ଅଧିକାଂଶ ଲୋକଙ୍କ ଆର୍ôଥକ ଅବସ୍ଥା ଦୁର୍ବଳରୁ ଦୁର୍ବଳତର ହୋଇଚାଲିଛି । ବିଶେଷକରି ପାରମ୍ପାରିକ ଭାବେ ଆର୍ଥିକ ପ୍ରଗତିରୁ ବହିଷ୍କୃତ ହୋଇଥିବା ଦଳିତ, ଆଦିବାସୀ ଓ ମୁସଲମାନ ଗୋଷ୍ଠୀ ଏହା ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟି, ନିଯୁକ୍ତି ସୁଯୋଗ ଓ ପରିମଳ ଆଦି କ୍ଷେତ୍ରରେ ମଧ୍ୟରେ ବୈଷମ୍ୟର ଶିକାର ହୋଇଛନ୍ତି । ଧନୀ ଓ ଗରୀବଙ୍କ ମଧ୍ୟରେ ଆର୍ଥିକ ବୈଷମ୍ୟ ବୃଦ୍ଧି ପାଉଥିବାବେଳେ ଗରୀବ ଲୋକମାନେ ଏସବୁ କ୍ଷେତ୍ରରେ ଅବହେଳିତ ରହି ବିକାଶ ଓ ଅଭିବୃଦ୍ଧି ପ୍ରକ୍ରିୟାର ସୁଫଳ ପାଇବାରୁ ବଂଚିତ ରହିଯାଇଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଏ ବିଷୟରେ ଭାରତର ସରକାର ଆଦୌ ଚିନ୍ତା ପ୍ରକଟ କରିନାହାନ୍ତି । ଆର୍ଥନୀତିକ ଅଭିବୃଦ୍ଧି ଘଟୁଥିଲେ ଆର୍ଥିକ ବୈଷମ୍ୟ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ରହିଥିବା ଏକ ଚିନ୍ତାଧାରା ଯୋଗୁଁ ସରକାର ଓ ସମାଜ ବ୍ୟବସ୍ଥା ଏହା ଉପରେ ଚିନ୍ତା ପ୍ରକଟ କରୁନାହିଁ ବୋଲି ଏହି ରିପୋର୍ଟରେ ଅନୁଶୀଳନ କରାଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top