ମହାନଦୀ ଟ୍ରିବ୍ୟୁନାଲ ପ୍ରସ୍ତାବ ମଂଜୁର

News Story - Posted on 2018-02-20

ଟ୍ରିବ୍ୟୁନାଲ ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମହାନଦୀ ଅବବାହିକାରେ ଥିବା ରାଜ୍ୟଗୁଡ଼ିକର ଜଳ ଭାଗ ସମ୍ପର୍କରେ ଏହି ଟ୍ରିବ୍ୟୁନାଲ ବିଚାର କରିବେ । ସମ୍ପୂର୍ଣ୍ଣ ମହାନଦୀ ଶଯ୍ୟାରେ ଥିବା ଜଳର ପରିମାଣ, ପ୍ରତ୍ୟେକ ରାଜ୍ୟର ଯୋଗଦାନ, ପ୍ରତ୍ୟେକ ରାଜ୍ୟରେ ବର୍ତ୍ତମାନ ଜଳ ସମ୍ପଦର ଉପଯୋଗ ଏବଂ ଭବିଷ୍ୟତର ବିକାଶ ଲାଗି ରହିଥିବା ସମ୍ଭାବନା ଆଧାରରେ ଟ୍ରିବ୍ୟୁନାଲ ବିଚାର କରିବେ ।

 

ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ (ଆଇଏସଆରଡବ୍ଲ୍ୟୁଡି), ୧୯୫୬ ଅନୁଯାୟୀ ଏହି ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଏବଂ ଅନ୍ୟ ଦୁଇ ଜଣ ସଦସ୍ୟ ରହିବେ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କ ମଧ୍ୟରୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେବେ ଏବଂ ସଦସ୍ୟମାନଙ୍କୁ ଭାରତର ପ୍ରଧାନ ବିଚାରପତି ମନୋନୀତ କରିବେ । ଆହୁରି ଟ୍ରିବ୍ୟୁନାଲର ଶୁଣାଣିରେ ପରାମର୍ଶ ଦେବା ଲାଗି ନଦୀ ଜଳ ସଂକ୍ରାନ୍ତ ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଦୁଇ ଜଣ ଜଳସମ୍ପଦ ବିଶେଷଜ୍ଞଙ୍କୁ ମୂଲ୍ୟାଙ୍କନକାରୀ ଉପଦେଷ୍ଟା ଭାବେ ରଖାଯିବ ।

 

ଆଇଏସଆରଡବ୍ଲ୍ୟୁଡି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ, ଆବଶ୍ୟକତା ସ୍ଥଳେ ଏହାକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଟ୍ରିବ୍ୟୁନାଲ ଗଠନ କରାଯିବା ପରେ ଦୀର୍ଘଦିନ ଧରି ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ରହିଥିବା ବିବାଦର ସମାଧାନ ହୋଇପାରିବ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ଼ ସରକାର ଓଡ଼ିଶା ସରକାରଙ୍କୁ କୌଣସି କତା ନଜଣାଇ ମହାନଦୀର ଉପରମୁଣ୍ଡରେ ପ୍ରାୟ ଡଜନେ ଖଣ୍ଡେ ବନ୍ଧ ଓ ବ୍ୟାରେଜ ନିର୍ମାଣ କରୁଛନ୍ତି । ସେଥିରୁ ଅଧିକାଂଶ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ଛତିଶଗଡ଼ ସରକାରଙ୍କର ଏହି ଓଡ଼ିଶା ବିରୋଧୀ କାର୍ଯ୍ୟର ପ୍ରତିବାଦ କରି ରାଜ୍ୟର ଶାସକ ଦଳ ବିଜେଡି ତରଫରୁ ଏହା ବିରୋଧରେ ବିଭିନ୍ନ ପର୍ଯ୍ୟାୟରେ ଜନ ଆନ୍ଦୋଳନ ସଂଘଟିତ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାରମ୍ବାର ଏହା ବିରୋଧରେ କେନ୍ଦ୍ର ସରକାରଙ୍କୁ ଚିଠ ିଲେଖିଛନ୍ତି । ରାଜ୍ୟ ସ୍ୱାର୍ଥର ସୁରକ୍ଷା ପାଇଁ ରାଜ୍ୟ ବିଧାନସଭାରେ ମଧ୍ୟ ମହାନଦୀ ପ୍ରସଙ୍ଗରେ ସଂକଳ୍ପ ଗ୍ରହଣ କରାଯାଇଛି ।

 

ମହାନଦୀ ଜଳ ବଣ୍ଟନ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ମୂଳରୁ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରୁଥିଲେ । କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ନକରି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ । ତେବେ ଓଡ଼ିଶା ସରକାର ଆଲୋଚନା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ସର୍ତ୍ତ ରଖିଥିଲେ । କିନ୍ତୁ ତା’ ନହେବାରୁ ରାଜ୍ୟ ସରକାର ଆଲୋଚନାରୁ ଓହରି ଆସିଥିଲେ । ପରେ ଟ୍ରିବ୍ୟୁନାଲ ଗଠନ ଦାବିରେ ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ଏକ ମାମଲା ଦାଏର କରିଥିଲେ । ଏହି ମାମଲାର ବିଚାର କରି ସୁପ୍ରିମ କୋର୍ଟ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top