ଗଣଙ୍କଠାରୁ ଦୂରେଇ ଯାଉଛି ଗଣମାଧ୍ୟମ!

News Story - Posted on 2018-02-20

ଗଣମାଧ୍ୟମ ଆଉ ଜନଗଣଙ୍କର ସ୍ୱର ହୋଇ ରହିନାହିଁ । ଲାଭ ଓ ଲୋଭର ପ୍ରତିଯୋଗିତା ମଧ୍ୟରେ ଏଗୁଡ଼ିକ କ୍ରମଶଃ କର୍ପୋରେଟ ହାଉସ ଓ ରାଜନୀତିକ ଦଳମାନଙ୍କର ମୁଖପାତ୍ର ଭାବେ ସଂସ୍କାରଲାଭ କରିଛନ୍ତି । ଏଭଳି ପରିସ୍ଥିତିରେ ଜନ ସମସ୍ୟାର ସମାଧାନ କରିବା ଦିଗରେ ଆଂଚଳିକ ସଂସ୍କରଣ ଓ ଆଂଚଳିକ ଖବରକାଗଜଗୁଡ଼ିକର ପ୍ରଭାବ ଧୀରେ ଧୀରେ ଦୁର୍ବଳରୁ ଦୁର୍ବଳତର ହୋଇଚାଲିଛନ୍ତି । ସୁବର୍ଣ୍ଣପୁରଠାରେ ଇଙ୍କଫେଷ୍ଟ ତରଫରୁ ଆୟୋଜିତ ପୁସ୍ତକ ମେଳା ଅବସରରେ ଅନୁଷ୍ଠିତ ଆଂଚଳିକ ସଂସ୍କରଣ ବନାମ ସ୍ଥାନୀୟ ସମସ୍ୟା ଶୀର୍ଷକ ଆଲୋଚନା ଚକ୍ରରେ ଏହିଭଳି ମତ ପ୍ରକାଶ କରିଛନ୍ତି ଗଣମାଧ୍ୟମ ସହିତ ଜଡ଼ିତ ଆଲୋଚକ ।

 

ଡକ୍ଟର କେଦାରନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ସଭାରେ ବରିଷ୍ଠ ସାମ୍ବାଦିକ ପ୍ରିୟରଂଜନ ସାହୁ, ଦେବେନ୍ଦ୍ର ପୃଷ୍ଟି, ଯତୀନ ଦାଶ ଓ ଅଶୋକ ପ୍ରଧାନ ଯୋଗଦେଇ ପରିବର୍ତ୍ତିତ ସମାଜରେ ଜନ ସମସ୍ୟାର ସମାଧାନ ଦିଗରେ ଗଣମାଧ୍ୟମର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ହିନ୍ଦୁସ୍ଥାନ ଟାଇମ୍ସର ପୂର୍ବତନ ରାଜ୍ୟ ମୁଖ୍ୟ ତଥା ବର୍ତ୍ତମାନର ମୁକ୍ତବୃତ୍ତ ସାମ୍ବାଦିକ ପ୍ରିୟରଂଜନ ସାହୁ କହିଥିଲେ ଯେ ବର୍ତ୍ତମାନର ଖବରକାଗଜଗୁଡ଼ିକ ଏବେ ଅଧିକରୁ ଅଧିକତର ବ୍ୟାବସାୟିକ ଫାଇଦା ଉପରେ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ଏହା ସରକାର ଓ ବ୍ୟାବସାୟିକଙ୍କ ଦୋଷତ୍ରୁଟି ପଦାରେ ପକାଇବା ପରିବର୍ତ୍ତେ ସେମାନଙ୍କର ମୁଖପତ୍ର ଭାବେ କାର୍ଯ୍ୟ କଲା ଭଳି ବୋଧ ହେଉଛି । କାରଣ ସରକାର ଓ କର୍ପୋରେଟ କ୍ଷେତ୍ର ହିଁ ଖବରକାଗଜଗୁଡ଼ିକୁ ଅଧିକ ବିଜ୍ଞାପନ ଯୋଗାଉଛନ୍ତି । ବିଜ୍ଞାପନ ହେଉଛି ଗଣମାଧ୍ୟମ ବ୍ୟବସାୟାର ପ୍ରମୁଖ ଆୟସୂତ୍ର । ଏହି ପରିସ୍ଥିତିରେ ଏବେ ଡିଜିଟାଲ ମିଡିଆ ଓ ସୋସିଆଲ ମିଡିଆ ଲୋକମାନଙ୍କର ସ୍ୱର ତୋଳିବାରେ ପ୍ରମୁଖ ମାଧ୍ୟମ ହୋଇଛି ।

 

ସେହିପରି ସୂର୍ଯ୍ୟପ୍ରଭାର ପରିଚାଳନା ସଂପାଦକ ଦେବେନ୍ଦ୍ର ପୃଷ୍ଟି କହିଥିଲେ ଯେ ବ୍ୟାବସାୟିକ କାରଣରୁ ଖବରକାଗଜ ସବୁ ବିଜ୍ଞାପନ କାଗଜରେ ପରିଣତ ହୋଇଛନ୍ତି । ପ୍ରତି ଖବରକାଗଜ ଖଣ୍ଡର ଉତ୍ପାଦନ ଖର୍ଚ୍ଚ ୭-୧୦ ଟଙ୍କା ହୋଇଥିବାବେଳେ ଏହା ସର୍ବାଧିକ ୫ ଟଙ୍କାରେ ବିକ୍ରି ହେଉଛି । ବିକ୍ରିମୂଲ୍ୟରୁ ଏଜେଣ୍ଟ ଓ ହକରଙ୍କ କମିଶନ କଟିଗଲା ପରେ ମାଲିକଙ୍କ ପାଖରେ ୩-୪ ଟଙ୍କା ପହଂଚୁଛି । ଏଭଳି ପରିସ୍ଥିତିରେ ଯେତେ ବିକ୍ରି ସେତେ କ୍ଷତି । ଏହି କ୍ଷତି ଭରଣା କରିବା ପାଇଁ ଖବରକାଗଜଗୁଡ଼ିକ ବିଜ୍ଞାପନ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ପ୍ରାୟ ସବୁ ବଡ଼ କାଗଜର ଅଧାରୁ ଅଧିକ ପୃଷ୍ଠା ବିଜ୍ଞାପନ ପାଇଁ ଉତ୍ସର୍ଗୀକୃତ ହୋଇଯାଇଛି । ବାକି କେତେକ ପୃଷ୍ଠାରେ ସରକାର, ରାଜନୀତିକ ଦଳ ଓ କର୍ପୋରେଟ କ୍ଷେତ୍ରର ମତ ଓ ମନ୍ତବ୍ୟ ପ୍ରକାଶ ପାଉଛି । ମାତ୍ର ୩-୪ ପୃଷ୍ଠାରେ ଜନ ସମସ୍ୟା ଓ ଜନଗଣଙ୍କ ଖବର ପ୍ରକାଶ ପାଉଛି । ଆଂଚଳିକ ସଂସ୍କରଣ ବୃଦ୍ଧି ପାଇବା ଫଳରେ ପ୍ରକାଶ ପାଉଥିବା ସବୁ ସମସ୍ୟା ମଧ୍ୟ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପହଂଚିପାରୁ ନାହିଁ । ବୌଦ୍ଧ ଖବର ସୁବର୍ଣ୍ଣପୁରର ଲୋକମାନେ ଜାଣି ପାରୁ ନାହାନ୍ତି କି କଟକ ଖବର ଭୁବନେଶ୍ୱର ବାସିନ୍ଦା ପଢ଼ିବାକୁ ପାଉ ନାହାନ୍ତି । ଅନେକ ସମୟରେ ବିଜ୍ଞାପନଦାତାଙ୍କ ସ୍ୱାର୍ଥର ସୁରକ୍ଷା ଉପରେ ଖବରକାଗଜଗୁଡ଼ିକ ଅଧିକ ଗୁରୁତ୍ୱ ଦେଉଛନ୍ତି । କାରଣ ତାହା ସେଗୁଡ଼ିକର ସ୍ଥିତିରକ୍ଷାର ପ୍ରଶ୍ନ । ପୁଣି ଆଧୁନିକ ଗଣମାଧ୍ୟମ କେବଳ ଧନୀ, ପୁଂଜିପତି, ରାଜନେତା ଓ ଅନ୍ୟ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଛୋଟଛୋଟ ଖବରକୁ ବଡ଼ ବଡ଼ ଆକାରରେ ପ୍ରକାଶ କରିବା ଗଣମାଧ୍ୟମ ବିବର୍ତ୍ତନର ଅନ୍ୟ ଏକ ଦିଗ । ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କ ପାଇଁ ଆଂଚଳିକ ସଂସ୍କରଣ ବଦଳରେ ଆଂଚଳିକ ଖବରକାଗଜ ଅଧିକ ଗୁରତ୍ୱ ବହନ କରେ । କାରଣ ଆଂଚଳିକ ସ୍ତରରେ ପ୍ରକାଶ ପାଉଥିବା ଖବରକାଗଜର ପ୍ରସାରଣ ସୀମିତ, ତେଣୁ ଖର୍ଚ୍ଚ କମ୍ ଓ ସ୍ୱାଧୀନତା ଅଧିକ । ଖବରକାଗଜ ଜନଗଣଙ୍କ ପ୍ରତିନିଧି ଭାବେ ଯଦି ଜନ ସମସ୍ୟାର ସମାଧାନରେ ପ୍ରଭାବୀ ଭୂମିକା ଗ୍ରହଣ ନକରେ ତେବେ ଏହା କେବଳ ପରିବେଶ ପ୍ରଦୂଷଣ କରିବ ବୋଲି ସେ ମତ ଦେଇଥିଲେ ।

 

ରଏଟର୍ସର ରାଜ୍ୟ ପ୍ରତିନିଧି ଯତୀନ୍ଦ୍ର ଦାଶ ନିଜ ମତ ରଖି କହିଥିଲେ ଯେ ଖବରକାଗଜ ତୁଳନାରେ ଏବେ ଡିଜିଟାଲ ମିଡିଆ ଓ ସୋସିଆଲ ମିଡିଆ ଅଧିକ ଲୋକାଭିମୁଖୀ ହୋଇପାରିଛି । ଡିଜିଟାଲ ମିଡିଆ ଶସ୍ତା ଓ ସୋସିଆଲ ମିଡିଆ ପ୍ରାୟତଃ ମାଗଣା । ତେଣୁ ଖବରକାଗଜ ତୁଳନାରେ ଏହି ଅତ୍ୟାଧୁନିକ ଗଣମାଧ୍ୟମ ଜରିଆରେ ଜନଗଣଙ୍କ ସମସ୍ୟା ସଂପର୍କରେ ଅଧିକ ଲୋକଙ୍କୁ ସଚେତନ କରିହେଉଛି । ପରିବର୍ତ୍ତିତ ପରିସ୍ଥିତିରେ ସରକାର ମଧ୍ୟ ଖବରକାଗଜ ତୁଳନାରେ ଡିଜିଟାଲ ଓ ସୋସିଆଲ ମିଡିଆରୁ ଜନମତ ଓ ଜନ ସମସ୍ୟାର ଆଭାସ ସନ୍ଧାନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଟାଇମ୍ସ ଅଫ ଇଣ୍ଡିଆର ଓଡ଼ିଶା ମୁଖ୍ୟ ଅଶୋକ ପ୍ରଧାନ ଆଂଚଳିକ ସଂସ୍କରଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଆଂଚଳିକ ସଂସ୍କରଣ ଫଳରେ ବିଶ୍ୱସନୀୟ ଖବରକାଗଜ ଅଧିକ ଲୋକଙ୍କ ପାଖରେ ପହଂଚିପାରୁଛି । ଆଂଚିଳକ ସ୍ତରରେ ପ୍ରକାଶ ପାଉଥିବା ଖବର ମଧ୍ୟ ଅନେକ ସମୟରେ ଜାତୀୟ ପ୍ରସଙ୍ଗରେ ପରିଣତ ହେଉଛି ।

 

ସଭାପତି ଡକ୍ଟର ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଂଚଳିକ ସଂସ୍କରଣ ହେଉ ବା ଆଂଚଳିକ ଖବରକାଗଜ, ସାମ୍ବାଦିକମାନେ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି । କିନ୍ତୁ ବୁଦ୍ଧିଜୀବୀମାନେ ଜନ ସମସ୍ୟା ସଂପର୍କରେ ମତ ପ୍ରକାଶ କରିବା ଧିମେଇ ଯାଇଛି । ବୁଦ୍ଧିଜୀବୀମାନେ ଯଦି ସଂପାଦକୀୟ ପୃଷ୍ଠାରେ ଜନ ସମସ୍ୟା ସଂପର୍କରେ କଲମ ଚାଳନା କରନ୍ତେ ତେବେ ଅନେକ ସମସ୍ୟା ସମାଜ ଓ ସରକାରଙ୍କ ଦୃଷ୍ଟିକୁ ଆସି ପାରନ୍ତା । ଅନୁଷ୍ଠାନ ତରଫରୁ ରାଜୀବ ନାୟକ ଅତିଥିମାନଙ୍କୁ ସ୍ୱଗତ କରିଥିବାବେଳେ ଲକ୍ଷ୍ମୀନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୁଷୋତ୍ତମ ମିଶ୍ର, ବେଣୁଧର ପ୍ରଧାନ, ଘାସିରାମ ପଣ୍ଡା, ଦେବାଶିଷ ପାଣ୍ଡିଆ, ଅମ୍ବୁଜ ବିହାରୀ ଶତପଥୀ ଓ ସ୍ୱାଧୀନ ମେହେର ପ୍ରମୁଖ ସଭାକାର୍ଯ୍ୟରେ ସହଯୋଗ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top