କର୍କଟ ନିଦାନ ଛତିଶଗଡ଼ୀ ଧାନ!

News Story - Posted on 2018-02-18

ଛତିଶଗଡ଼ରେ ଚାଷ ହେଉଥିବା ତିନି ପ୍ରକାର ପାରମ୍ପାରିକ ଧାନରେ କର୍କଟ ରୋଗ ବିରୋଧୀ ଗୁଣ ଥିବାର ସନ୍ଧାନ ପାଇଛନ୍ତି କେତେକ ବୈଜ୍ଞାନିକ । ରାୟପୁରର ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ ଏବଂ ମୁମ୍ବାଇର ଭାବା ଆଣବିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ଏହି ସନ୍ଧାନ ପାଇଥିବା ନେଇ ଘୋଷଣା କରିଛନ୍ତି ବୈଜ୍ଞାନିକ ଦୀପକ ଶର୍ମା । ଏହି ତିନି ପ୍ରଜାତିର ଧାନର ସ୍ଥାନୀୟ ନାମ ହେଲା ଗଥବାନ, ମହାରାଜୀ ଏବଂ ଲାଇଚା ।

 

ରାୟପୁର ସ୍ଥିତ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟର ଜିନତତ୍ତ୍ୱ ଏବଂ ଉଦ୍ଭିଦ ପ୍ରଜନନ ବିଭାଗର ମୁଖ୍ୟ ଦୀପକ ଶର୍ମା କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟରେ ସଂରକ୍ଷିତ ଥିବା ଏହି ତିନି ପ୍ରଜାତି ଧାନ ଉପରେ ଗବେଷଣା କରାଯାଇଥିଲା । ସେଥିରୁ ଜଣାପଡ଼ିଥିଲା ଯେ ଏହି ତିନିଟି ଯାକ ଧାନରେ ଫୁସଫୁସ ଓ ସ୍ତନ କର୍କଟ ନିବାରଣର ଗୁଣ ରହିଛି । ସାଧାରଣ କୋଷକୁ କୌଣସି ପ୍ରକାର କ୍ଷତି ନପହଂଚାଇ ଏହି ଧାନ ଏ ଦୁଇ ପ୍ରକାର କର୍କଟ ରୋଗ ଭଲ କରିପାରିବ । ଏ ତିନି ପ୍ରକାର ଧାନ ମଧ୍ୟରୁ ଲାଇଚାର ଶକ୍ତି ଅଧିକ । ଏହା କର୍କଟ କୋଷ ବ୍ୟାପିବାକୁ ପ୍ରତିରୋଧ କରିବା ସହିତ ଏଗୁଡ଼ିକୁ ନଷ୍ଟ କରିଦେଇଥାଏ ।

 

ଏହି ଗବେଷଣାର ମୁଖ୍ୟ ମାର୍ଗଦର୍ଶକ ହେଉଛନ୍ତି ଭାବା ଆଣବିକ ଗବେଷଣା କେନ୍ଦ୍ରର ଜୈବ ବିଜ୍ଞାନ ବିଭାଗର ସହଯୋଗୀ ନିର୍ଦ୍ଦେଶକ ଭିପି ବେଣୁଗୋପାଳନ । ଗତ ବର୍ଷ ଏହିସବୁ ଧାନ ସମେତ ଅନ୍ୟ କେତେକ ଶସ୍ୟ ଉପରେ ଗବେଷଣା କରିବା ନିମନ୍ତେ ଏହି କୃଷି ବିଶ୍ୱବିଦ୍ୟାଳୟ ଭାବା ଆଣବିକ ଗବେଷଣା କେନ୍ଦ୍ର ବା ବାର୍କ ସହିତ ରାଜିନାମା ସ୍ୱାକ୍ଷର କରିଥିଲା । ଏହି ଗବେଷଣାର ସଂଯୋଜକ ଥିବା ପ୍ରଫେସର ଶର୍ମା କହିଛନ୍ତି ଯେ ବସ୍ତର ଅଂଚଳର ଆଦିବାସୀମାନେ ଗଥବାନ, ମହାରାଜୀ ଏବଂ ଲାଇଚା ଧାନକୁ ଔଷଧ ଭାବରେ ବ୍ୟବହାର କରିଥାନ୍ତି । ଆଦିବାସୀମାନେ ଆର୍ଥିରିଟିସ ବା ଗଣ୍ଠି ସମସ୍ୟାର ସମାଧାନ ପାଇଁ ଗଥବାନ ଧାନକୁ ବ୍ୟବହାର କରିଥାନ୍ତି । ସେହିପରି ଲାଇଚା ଧାନକୁ ଚର୍ମରୋଗର ନିଦାନ ଭାବେ ବ୍ୟବହାର କରାଯାଇଥାଏ ।

 

ପ୍ରଫେସର ଶର୍ମା କହିଛନ୍ତି ଯେ ଏହିସବୁ ଧାନରେ ଥିବା କେତେକ ଉପାଦାନ ଦେହରେ କର୍କଟ କୋଷ ସଂକ୍ରମଣକୁ ରୋକିବା ସଙ୍ଗେସଙ୍ଗେ ସେଗୁଡ଼ିକୁ ନଷ୍ଟ କରିଦେଇଥାଏ । ଏହି ପ୍ରଜାତିର ଚାଉଳ ଦିନକୁ ୨୦୦ ଗ୍ରାମ କରି ନିୟମିତ ଖାଇଲେ କର୍କଟ ରୋଗର ଉପଶମ ହୋଇଥାଏ ବୋଲି ଗବେଷଣାରୁ ପ୍ରମାଣିତ ହୋଇଥିବା ପ୍ରଫେସର ଶର୍ମା କହିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଭାବା ଆଣବିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ଏହିସବୁ ଧାନରୁ କର୍କଟ ନିରୋଧୀ ଉପାଦାନ ସଂଗ୍ରହ କରି ତାହାକୁ ମୂଷାଙ୍କ ଦେହରେ ପରୀକ୍ଷା କରିବାକୁ ଯୋଜନା କରିଛନ୍ତି ବୋଲି ପ୍ରଫେସର ଶର୍ମା କହିଛନ୍ତି ।

 

ଏ ସଂପର୍କରେ ମତ ଦେଇ ବିଶ୍ୱବିଦ୍ୟାଳୟର କୁଳପତି ଏସକେ ପାଟିଲ କହିଛନ୍ତି, ଖୁବଶୀଘ୍ର ଏହି ତିନି ପ୍ରକାର ଧାନ କର୍କଟ ରୋଗର ଔଷଧ ରୂପେ ବ୍ୟବହୃତ ହେବ । ଏହି ବିଶ୍ୱବିଦ୍ୟାଳୟରେ ପୂର୍ବରୁ ମଧ୍ୟ ଏହିପରି ଅନେକ ପ୍ରକାର ଔଷଧୀୟ ଧାନ ସଂରକ୍ଷିତ ରହିଛି । ଏବେ ସେସବୁର ଔଷଧୀୟ ଗୁଣ ଉପରେ ଗବେଷଣା ହେବ ବୋଲି ସେ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top