ଟାଟା ଓ ଇମ୍ଫା ଦେବେ ଜରିମାନା!

News Story - Posted on 2018-02-17

ବେଆଇନ ଖଣି ଖନନ ପାଇଁ ଲୁହା ଓ ମାଙ୍ଗାନିଜ ଖଣି ପଟ୍ଟାଦାରଙ୍କଠାରୁ ପ୍ରାୟ ୧୨ ହଜାର କୋଟି ଟଙ୍କାର ଜରିମାନା ଆଦାୟ କରିବା ପରେ ଅନ୍ୟ ଖଣିଗୁଡ଼ିକରୁ ୨୭ ହଜାର କୋଟି ଟଙ୍କାର ଜରିମାନା ଆଦାୟ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କୋଇଲା, କ୍ରୋମାଇଟ, ବକ୍ସାଇଟ, ଚୂନପଥର ଓ ଅନ୍ୟ ଖଣିଗୁଡ଼ିକ ଉପରେ ଏହି ଜରିମାନା ଲାଗିବ ।

 

ଲୁହା ଓ ମାଙ୍ଗାନିଜ ଖଣି ପରି ରାଜ୍ୟରେ ଥିବା ଅନେକ କ୍ରୋମାଇଟ୍, ବକ୍ସାଇଟ, କୋଇଲା, ଲାଇମଷ୍ଟୋନ ଓ ଅନ୍ୟାନ୍ୟ ଖଣିରେ ମଧ୍ୟ ବେଆଇନ ଖଣି ଖନନ ହୋଇଛି । ଅନେକ ଖଣି ଜଙ୍ଗଲ ଓ ପରିବେଶ ମଂଜୁରୀ ନଥାଇ ଖଣିଜ ଉତ୍ତୋଳନ କରିଛନ୍ତି । ସେହିପରି ଅନ୍ୟ କେତେକ ଖଣି ଅନୁମୋଦିତ ପରିମାଣଠାରୁ ଅଧିକ ପରିମାଣରେ ଖଣିଜ ଉତ୍ତୋଳନ କରିଛନ୍ତି । ଏ ସଂପର୍କରେ ଏସବୁ ଖଣିର ପଟ୍ଟାଦାର କମ୍ପାନୀଙ୍କୁ ପୂର୍ବରୁ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । କେତେକ ଖଣି ପଟ୍ଟାଦାର ଏଭଳି ନୋଟିସ ପାଇବା ପରେ ଖଣି ବିଭାଗରେ ଆସି ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି । ତେବେ ବିଭାଗ ଲୁହା ଓ ମାଙ୍ଗାନିଜ ଓ ଅନ୍ୟ ଖଣି କ୍ଷେତ୍ରରେ କୌଣସି ବାଛବିଚାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତେଣୁ ଲୁହା ଓ ମାଙ୍ଗାନିଜ ଖଣିଗୁଡ଼ିକ ଉପରୁ ଯେପରି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଜରିମାନା ଆଦାୟ ହେଲା ଏଭଳି ଖଣିଗୁଡ଼ିକରୁ ମଧ୍ୟ ସେହିପରି ଜରିମାନା ଆଦାୟ ହେବ ବୋଲି ନିଷ୍ପତ୍ତି ହୋଇଛି ।

 

ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ କୋଇଲା ଖଣିଗୁଡ଼ିକରେ ହୋଇଥିବା ଅନିୟମିତତା ପାଇଁ ୨୨ ହଜାର କୋଟି ଟଙ୍କାର ଜରିମାନା ଆଦାୟ ହୋଇପାରିବ । ସେହିପରି କ୍ରୋମାଇଟ ଓ ବକ୍ସାଇଟ ପରି ଅନ୍ୟ ଅଲୌହ ଖଣିରୁ ୫ ହଜାର କୋଟି ଟଙ୍କାର ଜରିମାନା ଆଦାୟ ହୋଇପାରିବ । କୋଲ ଇଣ୍ଡିଆର ମହାନଦୀ କୋଲ ଫିଲ୍ଡ ଓଡ଼ିଶାରେ ଅନେକ ଖଣିର ପଟ୍ଟା ପାଇଛି । ଭାରତ ସରକାରଙ୍କ ଅଧୀନସ୍ତ ଏହି କମ୍ପାନୀ ଉପରେ ରାଜ୍ୟ ସରକାର ୨୦,୧୬୯ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରିଛନ୍ତି । ସେହିପରି କ୍ରୋମ ଖଣି ପଟ୍ଟାଦାର ଟାଟା ଷ୍ଟିଲ ଓ ଇମ୍ଫା ଉପରେ ମଧ୍ୟ ସରକାର ଜରିମାନା ଧାର୍ଯ୍ୟ କରିବେ । କୋଇଲା ଖଣି ପାଇଥିବା ଘରୋଇ କମ୍ପାନୀ ଜିଏମଆର ଉପରେ ମଧ୍ୟ ଜରିମାନା ପଡ଼ିବ ବୋଲି ହିସାବ ହୋଇଛି ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ଲୁହା ପଥର ଓ ମାଙ୍ଗାନିଜ ଖଣି କ୍ଷେତ୍ରରେ ଆଇନ ଉଲ୍ଲଙ୍ଘନ କରି ଖଣିଜ ଉତ୍ତୋଳନ କରିଥିବା ପଟ୍ଟାଦାରଙ୍କଠାରୁ ଶହେ ପ୍ରତିଶତ ଜରିମାନା ଆଦାୟ କରିବା ପାଇଁ ସୁପ୍ରିମ କୋର୍ଟ ୨୦୧୭ ଅଗଷ୍ଟ ୨ ତାରିଖରେ ରାୟ ଦେଇଥିଲେ । ସେହି ରାୟ ଅନୁସାରେ ଓଡ଼ିଶା ସରକାର ଇତିମଧ୍ୟରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି । ତେବେ କେବଳ ଲୁହା ଓ ମାଙ୍ଗାନିଜ ଖଣି କ୍ଷେତ୍ରରେ ଓଡ଼ିଶାରେ ଅନିୟମିତତା ହୋଇନାହିଁ । କୋହଳ ଶାସନର ସୁଯୋଗ ନେଇ ଅନେକ କ୍ରୋମାଇଟ, ବକ୍ସାଇଟ, କୋଇଲା, ଲାଇମଷ୍ଟୋନ ଓ ଡୋଲୋମାଇଟ ଖଣିରେ ମଧ୍ୟ ଅନିୟମିତତା ଘଟିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top