ରାଜନୀତି ଓ ଅର୍ଥନୀତିର ଦୋଛକିରେ

News Story - Posted on 2018-02-17

ବିବେକାନନ୍ଦ ନାୟକ

 

ଚଳିତ ବର୍ଷର ବଜେଟ୍ ମୋଦି ସରକାରଙ୍କର ପାରମ୍ପରିକ ଅର୍ଥନୈତିକ ଦୃଷ୍ଟିକୋଣର ବିରୋଧଭାସ କରୁଥିବାର ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି । ଗତ ୪ଟି ବଜେଟରେ ଅର୍ଥନୈତିକ ଅଭିବୃଦ୍ଧି ଉପରେ ସଂପୂର୍ଣ୍ଣ ଧ୍ୟାନ ଥିଲା । ସେ ସମୟରେ ଗୋଟିଏ ଅଭିଯୋଗ ଆସୁଥିଲା– ଏହା ବ୍ୟବସାୟୀ ଓ ପୁଞ୍ଜିପତିମାନଙ୍କୁ ସହାଇଲା ପରି ବଜେଟ । ପ୍ରତିକ୍ରିୟାରେ ବିଜେପି, ‘ଏହା ବିକାଶର ବଜେଟ୍ ଏବଂ ଦୃଢ ଅଭିବୃଦ୍ଧି ଦ୍ୱାରା ସାଧାରଣ ଜନତାଙ୍କ ଜନକଲ୍ୟାଣ ଯୋଜନା ପାଇଁ ସମ୍ବଳ ସମ୍ଭବ ହେବ’ ବୋଲି କହୁଥିଲା । କିନ୍ତୁ ଏହି ବଜେଟରେ ନୀତିଗତ ମୌଳିକ ପରିବର୍ତ୍ତନ ହୋଇଛି । ଏହା ସଂପୂର୍ଣ୍ଣ ଭାବରେ ନିମ୍ନ ସ୍ତରରେ ଥିବା ଜନସାଧାରଣଙ୍କର ଆବଶ୍ୟକତା ଓ ଗ୍ରାମୀଣ ବିକାଶ ଉପରେ କେନ୍ଦ୍ରିତ ହୋଇଛି । ଗତ କିଛିଦିନ ତଳେ ପ୍ରକାଶିତ ଆନ୍ତର୍ଜାତିକ ସଂସ୍ଥା ଅକ୍ସଫାମର ସର୍ବିକ୍ଷଣରୁ ଜାଣାଯାଏ, ଭାରତରେ ସର୍ବୋଚ୍ଚ ୧% ଧନୀ ଲୋକମାନେ ଗତ ବର୍ଷର ଉତ୍ପାଦିତ ସଂପଦର ୭୩% ଅଧିକାର କରିଛନ୍ତି । ଏହି ଅବାଂଛିତ ବିଶାଳ ଆୟ ଅସମାନତା ଦୃଷ୍ଟିକୋଣରୁ ଗ୍ରାମାଂଚଳର ବିକାଶ ତଥା ମାନବ ସମ୍ବଳର ସମୃଦ୍ଧି ଉପରେ ଯୋଜନାଗୁଡ଼ିକ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ମାତ୍ର ଅର୍ଥନୀତିର ଅଭିବୃଦ୍ଧିକୁ ଅଣଦେଖା କରି, ଖାଲି ଜନକଲ୍ୟାଣ କାର୍ଯ୍ୟକୁ ବହୁଦିନ ଧରି ଚାଲୁ ରଖିହେବ ନାହିଁ ।

 

ଗତ ଗୁଜରାଟ ନିର୍ବାଚନରେ ବିଜେପି ଶାସନକୁ ଆସିଥିଲେ ମଧ୍ୟ ଆଶାନୁରୂପ ସଫଳତା ପାଇ ନଥିଲା । ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଗୁଜରାଟରେ ଗ୍ରାମାଂଚଳରେ ଥିବା ଆସନରେ ବିଜେପିର ପ୍ରଦର୍ଶନ ସନ୍ତୋଷଜନକ ନଥିଲା । ପ୍ରଥମେ ବିମୁଦ୍ରାୟନ ଓ ତା’ପରେ ଜିଏସଟି ପରି କର ସଂସ୍କାର ପ୍ରଣୟନ ଦ୍ୱାରା ନିମ୍ନବିତ୍ତ ଓ ଗ୍ରାମାଂଚଳରେ ରହୁଥିବା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଜାହିର କରିଥିଲେ ।

 

ଏହି ସବୁ କଥାକୁ ଆଖି ଆଗରେ ରଖି ବଜେଟରେ ବହୁ ଜନକଲ୍ୟାଣ ଯୋଜନା ଘୋଷଣା କରାଯାଇଛି । ମାତ୍ର କେତେକ ଯୋଜନାରେ ବ୍ୟୟ ବରାଦକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଯେଉଁ ଯୋଜନାମାନ କରିଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ସମ୍ବଳର ଅଭାବ ଯୋଗୁଁ ବା ପ୍ରାଶାସନିକ କାରଣରୁ ତାହା ଯଦି କାର୍ଯ୍ୟକାରୀ ନ ହୁଏ ତାହା ମଧ୍ୟ ବୁମେରାଂ ହେବାର ସମ୍ଭାବନା ଅଛି । ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ତତକାଳୀନ କଂଗ୍ରେସ ସରକାରର ୬୦,୦୦୦ କୋଟି ଟଙ୍କାର କୃଷି ଋଣ ଛାଡ଼ ଯୋଜନା ଏକ ନିର୍ବାଚନିକ ମନଲୋଭା ଘୋଷଣାର ଉଦାହରଣ । ଏହି ଯୋଜନା ଦ୍ୱାରା ଅର୍ଥନୈତିକ ଲାଭ କ୍ଷତି କେତେ ହୋଇଛି ବା କୃଷକର ଉନ୍ନତି ହୋଇଛି କି ନାହିଁ ତାହାର ହିସାବ ନିକାଶ କେବେ ହୋଇନାହିଁ । ସରକାର ସଚେତନ ରହିବା ଉଚିତ ଯେ ଯେକୌଣସି ପ୍ରକାର ଜନକଲ୍ୟାଣ ଯୋଜନା ଯେପରି ମୌଳିକ ଅର୍ଥନୈତିକ ପ୍ରକ୍ରିୟା ଉପରେ କୁପ୍ରଭାବ ନ ପକାଏ ।

 

କୃଷିଭିତ୍ତିକ ଅବ୍ୟବସ୍ଥା ଓ କୃଷକର ଦୁରବସ୍ଥାକୁ ଲକ୍ଷ୍ୟ ରଖି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଖର୍ଚ୍ଚର ଦେଢ଼ଗୁଣା କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କୃଷି ବଜାର ବିକାଶ କୋଷ କରିବା ପାଇଁ ୨୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । କୃଷକ ଉତ୍ପାଦନକାରୀ ଭାବେ ତାଲିକାଭୁକ୍ତଙ୍କୁ ଅଧିକ ସକ୍ଷମ କରିବା ପାଇଁ ପ୍ରଥମ ୫ ବର୍ଷ ପାଇଁ ସେମାନଙ୍କୁ ୧୦୦% କର ରିହାତି ଦିଆଯାଇଛି । ଭାରତ ପରି କୃଷିପ୍ରଧାନ ଦେଶରେ ଏହି ଯୋଜନାଗୁଡିକ ଏକ ବଡ଼ ବର୍ଗର ଲୋକମାନଙ୍କୁ ସକ୍ଷମ କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଅଧିକ କ୍ରିୟାଶୀଳ କରିବ । ଏହି ବଜେଟରେ ସବୁଠାରୁ ବଡ଼ ଘୋଷଣା ହେଲା– ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ୧୦ କୋଟି ପରିବାର ବା ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା । ଏହା ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟସେବା ଯୋଜନା । ଆମେରିକାର ଓବାମା କେୟାର ପରି ଏହାକୁ ମୋଦି କେୟାର ଭାବେ ଅଭିହିତ କରାଯାଉଛି । ଏହି ଯୋଜନା ପାଇଁ ମାତ୍ର ୨୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାର ପ୍ରଣୟନ ପଦ୍ଧତିକୁ ନେଇ କୌଣସି ସୂଚନା ମଧ୍ୟ ଦିଆଯାଇ ନାହିଁ । ତଦ୍ୱାରା ଏହାର ପ୍ରଣୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳା ଓ ଶିଶୁ ସେବା ସହିତ ବିନା ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଯୋଗାଇବା ପାଇଁ ଦେଢ଼ ଲକ୍ଷ ସହାୟତା କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ଏହା ଖାଲି ଏକ ମାନବୀୟ ପଦକ୍ଷେପ ନୁହେଁ, ମାନବ ସମ୍ବଳ ସଦୁପଯୋଗ ପାଇଁ ଏକ ବଡ଼ ଅର୍ଥନୈତିକ ଯୋଜନା । ମୁଦ୍ରାଋଣ ପାଇଁ ବ୍ୟୟ ବରାଦକୁ ଗତ ବର୍ଷର ୨.୪୪ ଲକ୍ଷ କୋଟିରୁ ବୃଦ୍ଧି କରାଯାଇ ୩ ଲକ୍ଷ କୋଟି ଟଙ୍କା କରାଯାଇଛି । ତାହା ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ । ଗ୍ରାମୀଣ ଭିତ୍ତିଭୂମି ସୃଷ୍ଟି ଓ ଉପାର୍ଜନ କ୍ଷମତା ବୃଦ୍ଧି ପାଇଁ ମୋଟ ୧୪.୩୪ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ଗ୍ରାମୀଣ ଅର୍ଥନୀତିକୁ ଅଧିକ ବିକଶିତ କରିବ ।

 

ବୃହତ ଜନକଲ୍ୟାଣକାରୀ ବା ଲୋକପ୍ରିୟ ଯୋଜନାକୁ ଭରଣା କରିବାକୁ ଯାଇ ଅପ୍ରତ୍ୟାଶିତ ଭାବେ କରଦାତା, ବିଶେଷ କରି କର୍ମଜୀବୀମାନଙ୍କ ଉପରେ ଅଧିକ ବୋଝ ଲଦି ଦିଆଯାଇଛି । କ୍ରମାଗତ ଦାବୀ ସତ୍ତେ୍ୱ ମୂଳ କରସୀମା ଛାଡ଼ ବଢ଼ି ନାହିଁ । ଅନ୍ୟପକ୍ଷରେ ଆୟ ଉପରେ ଲାଗୁଥିବା ଶିକ୍ଷା ଓ ସ୍ୱାସ୍ଥ୍ୟ ଉପକର (ସେସ୍)କୁ ୩%ରୁ ବଢ଼ାଇ ୪% କରାଯାଇଛି । ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସାଧାରଣ ଛାଡ଼ର ପୁନଃ ପ୍ରଚଳନ ଆୟକର ଦାତାଙ୍କୁ ବିଶେଷ ସହାୟତ କରିପାରିବନି । କାରଣ ଏହା ସ୍ୱାସ୍ଥ୍ୟ ଓ ଯାନବାହନ ଖର୍ଚ୍ଚ ଛାଡ଼ ପରିବର୍ତ୍ତେ ମିଳିଛି । ତେଣୁ ମୋଟ ଉପରେ କିଛି ନିମ୍ନ ଶ୍ରେଣୀର ଥିବା କର୍ମଚାରୀଙ୍କୁ ଛାଡ଼ିଦେଲେ, ଅନ୍ୟ କର୍ମଜୀବୀମାନଙ୍କର କିଛି ଲାଭ ନାହିଁ । ସେହିପରି ଏ ବଜେଟରେ ସବୁଠାରୁ ବିବାଦୀୟ କର ହେଲା– ୧୦% ହାରରେ ଦୀର୍ଘ ମିଆଦୀ ପୁଞ୍ଜି ଲାଭ କର । ୨୦୦୪ ରେ ଏଲ୍.ଟି.ସି.ଜି. କରକୁ ଉଠାଯାଇ, ଅନ୍ୟ ଏକ କର ସିକ୍ୟୁରିଟି ଟ୍ରାନ୍ଜାକ୍ସନ୍ ଟ୍ୟାକ୍ସ ପ୍ରଣୟନ କରାଯାଇଥିଲା । କିନ୍ତୁ ଏକା ସାଥିରେ ଏହି ଦୁଇ କର ଲାଗୁ ହେଉଥିବାରୁ ମଧ୍ୟବିତ୍ତ ବର୍ଗର ଲୋକ ତଥା ସେୟାର ବଜାରରେ ପୁଞ୍ଜି ନିବେଶକାରୀମାନେ ବିଶେଷ ନିରାଶ ହୋଇଛନ୍ତି । ଜିଏସଟି, ଏସଟିଟି ଏବଂ ଅନ୍ୟ ଶୁଳ୍କ ଦ୍ୱାରା କେନ୍ଦ୍ର ସରକାର ସେୟାର ମାର୍କେଟରୁ ବହୁ ରାଜସ୍ୱ ପାଇଥାନ୍ତି । ଖାଲି ଏସଟିଟିରୁ ୧୧ ହଜାର କୋଟିରୁ ଅଧିକ କର ପାଇଥାଆନ୍ତି । ଏପରି ପରିସ୍ଥିତିରେ ଏଲଟିସିଜିର ପୁନଃ ପ୍ରଚଳନ ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ନିତ କରିଛି । ସରକାର ଏଥିରୁ ୨୦ ହଜାର କୋଟି ଟଙ୍କା ପାଇବା ପାଇଁ ଆଶା ରଖିଛନ୍ତି । ତାହା ନିଶ୍ଚିତ ଦେଶର ଅର୍ଥନୈତିକ ଅବସ୍ଥା ଓ ପୁଞ୍ଜି ନିବେଶକାରୀଙ୍କ ଆଗ୍ରହ ଉପରେ ନିର୍ଭର କରେ ।

 

ମୋଟ ଘରୋଇ ଉତ୍ପାଦନକୁ ଲକ୍ଷ୍ୟ କଲେ, ବଜେଟ୍ ବ୍ୟୟ ବରାଦର ସେମିତି କିଛି ଫରକ୍ ଦେଖାଯାଇ ନାହିଁ । ଗତ ୨୦୧୭-୧୮ରେ ବ୍ୟୟ ବରାଦର ପରିମାଣ ମୋଟ ଘରୋଇ ଉତ୍ପାଦର ୧୩%ରୁ ଅଧିକ ଥିଲାବେଳେ, ଏ ବର୍ଷ (୨୦୧୮-୧୯)ରେ ତାହା କମି ୧୨.୯% ରହିଛି । ଏଥିରୁ ସିଂହ ଭାଗ କୃଷି, ସ୍ୱାସ୍ଥ୍ୟ ଏବଂ ଗ୍ରାମାଂଚଳ ଭିତ୍ତିଭୂମିର ଉନ୍ନତି ଉପରେ ରହିଛି । ଅର୍ଥମନ୍ତ୍ରୀ ବିତ୍ତୀୟ ନିଅଣ୍ଟକୁ ନିର୍ଦ୍ଧାରିତ ୩.୨%ରେ ରଖିବାକୁ ସଫଳ ହୋଇନାହାନ୍ତି । ୨୦୧୭-୧୮ ପାଇଁ ବିତ୍ତୀୟ ନିଅଣ୍ଟ ୩.୫% ଆକଳନ କରାଯାଇଥିବା ବେଳେ, ୨୦୧୮-୧୯ ପାଇଁ ଏହା ୩.୩% ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ନିଶ୍ଚିତ ଭାବରେ ଏକ ନୈରାଶ୍ୟଜନକ ଅବସ୍ଥା । ଭାରତ ପରି ଏକ ୨.୫ ଲକ୍ଷକୋଟି ଡଲାରର ବୃହତ୍ତ ଅର୍ଥନୀତିରେ ଏପରି ଅବସ୍ଥା ବେଶୀ ଦିନ ଚାଲିପାରିବ ନାହିଁ । ଏହା ଉଭୟ ବିଦେଶୀ ପୁଞ୍ଜିନିବେଶକାରୀ ଏବଂ କ୍ରେଡ଼ିଟ୍ ରେଟିଂ ସଂସ୍ଥାକୁ ନିରୁତ୍ସାହିତ କରିବ । ଉଲ୍ଲେଖଯୋଗ୍ୟ ଯେ, ଭାରତର ସୁଧର ପରିମାଣ ବଜେଟର ପ୍ରାୟ ୩% ରୁ ୩.୫% । ତେଣୁ ବାସ୍ତବରେ ଋଣକରି ସୁଧ ଭରଣା ହେଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ଅନ୍ୟପକ୍ଷରେ ଭାରତ ନିଜ ପାଖରେ କୌଣସି ଆୟ ହେଉ ନଥିବା ବା ବିଶେଷ ଆୟ ଦେଉ ନଥିବା ୧ ଲକ୍ଷକୋଟି ଡଲାର ସରକାରୀ ସଂପତ୍ତି (ସରକାରୀ କଂପାନୀ/ସଂସ୍ଥା) ଧରି ବସିଛନ୍ତି । ପୁଞ୍ଜି ବିନିବେଶର ଦୃଢ଼ ପଦକ୍ଷେପ ନେଇ ବିଶାଳ ବିତ୍ତୀୟ ନିଅଣ୍ଟକୁ କମାଯାଇ ପାରିଥାନ୍ତା, ତାହା ସହିତ ମଧ୍ୟ ଭିତ୍ତିଭୂମିର ବିକାଶ ହୋଇପାରିଥାନ୍ତା । ବଜେଟରେ ସେପରି କିଛି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ ।

 

୨୦୧୯ ସାଧାରଣ ନିର୍ବାଚନ ତଥା ଏ ବର୍ଷର ଆସୁଥିବା ୮ଟି ରାଜ୍ୟ ନିର୍ବାଚନ ବଜେଟର ରୂପରେଖକୁ ପ୍ରଭାବିତ କରିଛି ବୋଲି ବିରୋଧିମାନେ ସମାଲୋଚନା କରିଛନ୍ତି । ଯାହା ହେଉନା କାହିଁକି, ରାଜନୈତିକ ବିରୋଧିମାନେ ଜନକଲ୍ୟାଣ ଯୋଜନାର ବ୍ୟୟ ବରାଦକୁ ସିଧାସଳଖ ସମାଲୋଚନା କରିପାରି ନାହାନ୍ତି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିଭିନ୍ନ ଶ୍ରେଣୀର ଆୟ ଅସମାନତାକୁ ଆଖି ଆଗରେ ରଖି ନିମ୍ନ ଶ୍ରେଣୀର ଲୋକଙ୍କ ଆବଶ୍ୟକତା ଓ ଗ୍ରାମୀଣ ଉନ୍ନତି ପାଇଁ ବ୍ୟୟ ବରାଦ ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ । ମାତ୍ର ଭାରତ ପରି ବିକାଶଶୀଳ ବୃହତ ଅର୍ଥନୀତିରେ ଅଭିବୃଦ୍ଧି ହିଁ ମୂଳମନ୍ତ୍ର ହେବାର ଆବଶ୍ୟକତା ଅଛି । ଅଭିବୃଦ୍ଧି ହାର ୭% ଉପରେ ରହିଲେ ହିଁ ଏହି ବିତ୍ତୀୟ ନିଅଣ୍ଟର ଆହ୍ୱାନକୁ ସମ୍ମୁଖୀନ କରିହେବ । ଭାରତ ପରି ଗଣତନ୍ତ୍ରରେ ବହୁଳ ଜନକଲ୍ୟାଣ ଯୋଜନାର ଯେତିକି ଆବଶ୍ୟକତା ଅଛି, ଅର୍ଥନୀତିର ସାମଗ୍ରିକ ବିକାଶ ପାଇଁ ବିତ୍ତୀୟ ଶୃଙ୍ଖଳା ସହିତ ଜାତୀୟ ସଂପତ୍ତିର ସୁବିନିଯୋଗ ମଧ୍ୟ ସେତିକି ଜରୁରୀ ।

 

ଭଦ୍ରକ, ଓଡ଼ିଶା ।
ମୋ.-୯୪୩୯୯୫୫୮୦୪ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top