ପ୍ରେମ- ୧୧, ୧୨, ୨୧!

News Story - Posted on 2018-02-14

ସମରେନ୍ଦ୍ର ବଳିଆରସିଂହ

               

ସବୁଠି ପ୍ରେମର ଉଜାଣି ଯମୁନା, ପ୍ରେମ ସର୍ବବ୍ୟାପୀ। ଏ ପୃଥିବୀ ପ୍ରେମମୟ। ସେଇଲାଗି ଫି ବର୍ଷ ଆମ ଭାଲେଣ୍ଟାଇନ‍୍‌ ଡେ’ ପାଳନ ବଢିବଢି ଚାଲିଚି। ବିଶ୍ୱତମାମ ସେୟା, ଏ ପାଳନ ବଢି ବଢି ଚାଲିଚି। ସେପଟେ ବିରୋଧୀଙ୍କ ପ୍ରକୋପ ବି ବଢି ବଢି ଚାଲିଚି ପ୍ରତିବର୍ଷ। ବିରୋଧୀ କହୁଛନ୍ତି, ଏ ନଂଗଳା, ମୁକୁଳା ହେଇ ଦାଣ୍ଡରେ ହାଟରେ ପ୍ରେମ କରିବା ବନ୍ଦ କର। ସଫା କଥା..ଯଦି ପ୍ରେମ କରୁଚ, ତା’ହେଲେ ବାହା ହୁଅ।..ଆମେ ତ କହିଚୁ, ପ୍ରେମ ହେଲା ଉଜାଣି ଯମୁନା, ଥଳକୂଳ ମାନେନା, ବାଧାବଂଧନ ମାନେନା, ଜାତି, ଧର୍ମ, ବର୍ଣ୍ଣ ବିଚାର କରେନା..ପ୍ରେମର କିଛି ନୀତି ନିୟମ ନାହିଁ। ଆମ ସଂସ୍କୃତିରେ ପ୍ରେମର ଢେର ଉଦାହରଣ ଅଛି, ହେଲେ ଆମକୁ ଦେଶୀ ଅପେକ୍ଷା ବିଦେଶୀ ବେଶୀ ବାସେ, ବେଶୀ ରସେ। ସେଇ ଖାତିରରେ ଆମେ ସେଣ୍ଟ ଭାଲେଣ୍ଟାଇନଙ୍କୁ ଆମ ଦେଶକୁ ଆବାହନ କରିଆଣିଚୁ। ତେଣୁ ବିରୋଧୀଏ ଯିଏ ଯେତେ ହଙ୍ଗାମା କଲେ ବି ଆମେ ଅଲବତ୍ ପ୍ରେମ କରିବୁ ହିଁ କରିବୁ, ବିଚ‌୍‍ ରାସ୍ତାରେ, ପାର୍କରେ, ସିନେମାହଲ‌୍‍ରେ, ଶିକ୍ଷାନୁଷ୍ଠାନରେ, ପାହାଡ଼ ପର୍ବତରେ..ଆମ ଇଚ୍ଛା ଯୋଉଠି ମାନେ ସେଇଠି କରିବୁ।

 

ଆଜ୍ଞା ପ୍ରେମ ଦିବସ ସଂପର୍କେ ଏମନ୍ତ ଆଲୋଚନା ଉତ୍ତାରୁ ଜଣେ ବଂଧୁ କଟାକ୍ଷ କରି କହିଲେ, ପ୍ରେମ ସଂପର୍କରେ ଯେତେ ଯାହା କୁହ ପଛେ ଆଜିକା ପ୍ରେମୀ କିନ୍ତୁ ୧୧ ୧୨ ୨୧। ହଠାତ୍ ବୁଝିହେଲାନି, କିହୋ ୧୧(ଏଗାର) ୧୨(ବାର) ୨୧(ଏକୋଇଶି)...ଇଏ ହିସାବ କ’ଣ? ଆମେ ଜାଣିଛୁ ୧୪୩ ମାନେ ଆଇ ଲଭ୍ ୟୁ, ଅଥାର୍ତ୍ ଇଂଗ୍ରାଜୀରେ ଆଇ ହେଲା ଗୋଟେ ଅକ୍ଷର, ଲଭ୍ ୪ଟା ଅକ୍ଷର ଆଉ ୟୁ ହେଲା ୩ ଅକ୍ଷର। ଅତଏବ ସାଂକେତିକ ଭାବେ ପ୍ରେମ ନିବେଦନ କରିବା ପାଇଁ ଆପଣ ସଂଖ୍ୟାରେ କହିପାରିବେ ୧୪୩। ଯଦି ଭଲ ପାଉନାହାନ୍ତି, ତେବେ ମଧ୍ୟ କହିପାରିବେ ୧୪୩ ଅଥାର୍ତ୍ ଆଇ ହେଟ‍୍‌ ୟୁ...ଇଏ ବି ସେଇ ଗୋଟେ, ୪ଟା ଆଉ ୩ଟା ଅକ୍ଷର। ହଁ, ଆଇ ଲଭ୍ ୟୁ କୁ ୮୩୧ ମଧ୍ୟ କୁହାଯାଏ। ଅଥାର୍ତ୍ ଆଇ ଲଭ୍ ୟୁ ରେ ୮ଟା ଅକ୍ଷର, ୩ଟା ଶବ୍ଦ ଓ ଗୋଟିଏ ଅର୍ଥ। ଆଇ ହେଟ‍୍‌ ୟୁ ରେ ବି ସେୟା। ଆମେ ଜାଣିଚୁ, ୧୪୩୪୪: ଅଥାର୍ତ୍ ଆଇ ଲଭ୍ ୟୁ ଭେରି ମଚ‍୍‌..ଗୋଟେ, ୪ଟା, ୩ଟା, ୪ଟା ଓ ୪ଟା ଶବ୍ଦ। ପୁଣି ଜାଣିଚୁ, ୧୪୩୭ ମାନେ ଆଇ ଲଭ୍ ୟୁ ଫର‍୍‌ଏଭର।

 

ହେଲେ ୧୧ ୧୨ ୨୧ କ’ଣ ବୁଝିହଉନି?...ଆଜ୍ଞା ୧୪୩, ୮୩୧, ୧୪୩୪୪ ଆଉ ୧୪୩୭...ସବୁ ଇଂଗ୍ରାଜୀ ସଂଖ୍ୟା ଅନୁଯାୟୀ ହିସାବ। ହେଲେ ୧୧, ୧୨ ଆଉ ୨୧ ହଉଚି ଖାଣ୍ଟି ଓଡ଼ିଆ। ବଂଧୁ ଯାହା ବୁଝେଇଲେ, ଆମେ ସେଇ ହିସାବଟା ଆପଣଂକ ପାଖରେ ପେଶ‍୍‌ କରୁଚୁ। ଏ ହିସାବଟା ସଂପୂର୍ଣ୍ଣ ଦେଶୀ ମାନେ ଖାଣ୍ଟି ଓଡ଼ିଆ। ଇଂଗ୍ରାଜୀରେ ଏମନ୍ତ ବ୍ୟାଖ୍ୟା ଆପଣ ପାଇବେନି। ହଁ ଆଜ୍ଞା, ୧୧ ହେଲା ‘ଗୋଡ଼ାଗୋଡ଼ି’ ମାନେ ପ୍ରେମ କରିବାକୁ ଜଣକ ପଛରେ ଆଉ ଜଣେ ପଡ଼ିଚି ମାନେ ଗୋଡ଼ଉଚି, ତାହା ପ୍ରେମିକା ପଛରେ ପ୍ରେମିକ କିମ୍ୱା ପ୍ରେମିକ ପଛରେ ପ୍ରେମିକା ହେଇପାରେ। ୧୨ ହେଲା ‘ଯୋଡାଯୋଡ଼ି’; ଗୋଡ଼ାଗୋଡ଼ି ହେଇ ପ୍ରେମ ହେଲା ଫଳସ୍ୱରୂପ ପ୍ରେମିକ, ପ୍ରେମିକା ପରସ୍ପର ସହ ଯୋଡ଼ି ହେଇଗଲେ। ୧୨ କୁ ଆପଣ ‘ଯୁଗଳବନ୍ଦୀ’ ବା ‘ମିଳନ’ବା ‘ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ’ ଭାବେ ଆଖ୍ୟାୟିତ କରିପାରନ୍ତି। ଆଉ ୟା’ ପରେ ଆସେ ୨୧। ଏ ଦୁଇ ସଂଖ୍ୟା ହେଲେ ବିପରୀତମୁଖୀ, ଜଣକର ମୁହଁ ଏପଟକୁ ତ ଆଉ ଜଣକର ମୁହଁ ସେପଟକୁ, ଅଥାର୍ତ୍ ‘ଛଡ଼ାଛଡ଼ି’। ୧୧ରୁ ପ୍ରେମ ଆରଂଭ ହେଲା ଆଉ ୨୧ରେ ଶେଷ। ମାତ୍ର ୧୦ଟି ସଂଖ୍ୟାର ବ୍ୟବଧାନରେ ପ୍ରେମ ସରିଲା।

 

ହଁ, ବଂଧୁ, ଇଏ ହଉଚି ଆଜିକା ପ୍ରେମ..ଗୋଡ଼ାଗୋଡ଼ି, ଯୋଡ଼ାଯୋଡ଼ି ଆଉ ତା’ ପରେ ଛଡ଼ାଛଡି! ଅଧିକାଂଶ ପ୍ରେମ ସେୟା। ଦିନକୁ ଦିନ ପ୍ରେମର ସଂଖ୍ୟା ବଢି ବଢି ଚାଲିଚି, କିନ୍ତୁ ସଚ୍ଚା ପ୍ରେମର ସଂଖ୍ୟା ବଢୁନି। ଗୋଟେ ହୃଦୟ ଆଉ ଗୋଟେ ହୃଦୟକୁ ଧୋକା ଦେଇପାରୁଚି ବେଶ‍୍‌ ସହଜରେ। ମାନ, ଅଭିମାନ କିଂବା ଟିକେ କଳିତକରାଳରେ ଆଗେ ସଂପର୍କ ଏତେ ସହଜରେ ତୁଟିଯାଉ ନଥିଲା, ହେଲେ ଏବେ ସଂପର୍କ ତୁଟିଯାଉଚି ହଠାତ୍। ଭାବର ସଂପର୍କ ଏବେ ପାଣିଚିଆ ହେଇଯାଇଚି। ସଂପର୍କର ପରିସୀମାରେ ସ୍ୱାର୍ଥ ପଶିଆସୁଚି। ପ୍ରତାରଣାର ସଂଖ୍ୟା ମଧ୍ୟ ବଢି ବଢି ଚାଲିଚି। କୋଉଠି ପ୍ରେମ ହଉଚି ଅର୍ଥ ପାଇଁ ତ କୋଉଠି ସାମୟିକ ମନୋରଂଜନ ବା ଖୁସିବାସି ପାଇଁ କିମ୍ୱା କୋଉଠି ଅନ୍ୟ କୌଣସି ଗୁଢ ସ୍ୱାର୍ଥ ପାଇଁ। ପ୍ରେମ ସଂପର୍କ ବିବାହର ରୂପ ନେବା ପରେ ଅଧିକାଂଶ କ୍ଷେତ୍ରରେ ବିଫଳ ହେଉଚି। ଦିନକୁ ଦିନ ବିବାହ ବିଚ୍ଛେଦ ସଂଖ୍ୟା ବଢି ବଢି ଚାଲିଚି। ସରକାରୀ ହିସାବ ବାଦେ ବି ବିଚ୍ଛେଦ ସଂଖ୍ୟା କିଛି କମ‍୍‌ ନୁହେଁ। କୋଉଠି ଗୋଟିଏ ଘରେ ରହୁଥିବା ପତି-ପତ୍ନୀ ବି ବିଭିନ୍ନ କାରଣରୁ ମାନସିକ ଓ ଶାରୀରିକ ଭାବେ ଅଲଗା ହେଇ ରହୁଛନ୍ତି, କାହା ସହ କାହାର ପଟୁନି। ଏମାନଙ୍କୁ ଆପଣ ମ୍ୟାରେଡ୍ ବ୍ୟାଚେଲର‍୍‌ ବୋଲି କହିପାରିବେ।

 

ଆପଣ ତ ଶୁଣିଥିବେ ବଂଧୁ, ‘ଢାଇ ଅକ୍ଷର ପ୍ରେମ‍୍‌୍ କେ’ ମାନେ ଆମ ଓଡ଼ିଆରେ ‘ପ୍ରେମର ଅଢେଇ ଅକ୍ଷର’ ‘ପ’ ଓ ‘ମ’ ଦୁଇଟି ଅକ୍ଷର ଆଉ ‘ପ’ ରେ ଏକାର ଆଉ ର ଫଳା ମିଶିଲେ ଅଢେଇ ଅକ୍ଷର। ଆଜ୍ଞା ଅଢେଇ ଅକ୍ଷର ପ୍ରେମକୁ ନେଇ କେତେ ସରାଗ ଆଉ ସେଇ ଅଢେଇ ଅକ୍ଷରିଆ ପ୍ରେମର ଆୟୁଷ ବି ବେଳେବେଳେ ମାତ୍ର ଅଢେଇଦିନ ହେଉଛି। ସାଂକେତିକ ଭାବେ କୁହାଯାଇପାରେ, ଆଜିକାଲି ପ୍ରେମ ବିଶେଷ କରି ସଚ୍ଚା ପ୍ରେମର ଆୟୁଷ ଭାରି କମ‍୍‌। ଆଜ୍ଞା, ଏ ଚର୍ଚ୍ଚା କେବଳ ପ୍ରେମ କରୁଥିବା କିମ୍ୱା ପ୍ରେମ କରି ବିବାହ କରୁଥିବା ଦମ୍ପତ୍ତିମାନଙ୍କ କ୍ଷେତ୍ରରେ ନୁହେଁ; ଘର ପରିବାର, ବଂଧୁବାଂଧବ ଦେଖାଚାହାଁରେ ହେଇଥିବା ବାହାଘର କ୍ଷେତ୍ରରେ ମଧ୍ୟ। ବିବାହ ଏବେ ଅନେକଙ୍କ ପାଇଁ ପସ୍ତେଇବାର କାରଣ ହେଇଚି। ପୂର୍ବେ ପତି, ପତ୍ନୀଙ୍କ ଭିତରେ ରହୁଥିବା ସ୍ନେହ, ପ୍ରେମ ଏବେ ଆଉ ସେତେଟା ନାହିଁ।

 

ସ୍ୱାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ପରସ୍ପରର ପରିପୂରକ ହୋଇରହିପାରୁନାହାନ୍ତି। ସ୍ୱାମୀ ହେଉଚି ସ୍ତ୍ରୀର ପରମେଶ୍ୱର ଆଉ ସ୍ତ୍ରୀ ହେଉଚି ସ୍ୱାମୀର ଅର୍ଦ୍ଧାଙ୍ଗିନୀ। ଏସବୁ ମୂଲ୍ୟବୋଧ ଆଉ ବିଚାରଧାରା ଏବେ ଭାରି ଦୁର୍ବଳ। ଆଧୁନିକତାର ପ୍ରାବଲ୍ୟ, ରକ୍ଷଣଶୀଳତାର ସଂକୋଚନ, ନାରୀ ସ୍ୱାଧୀନତା, ସ୍ୱାମୀର େସ୍ୱଚ୍ଛାଚାରିତା, ଅର୍ଥଲୋଲୁପତା(ଯୌତୁକ) ଏବଂ ସର୍ବୋପରି ଭାବଗତ ସଂପର୍କର ଅଭାବ ଏଭଳି ସମସ୍ୟାକୁ ବଢେଇଚାଲିଚି। ଆଜିକା ସଂସାର ଖାଲି ସଁ ସଁ ହେଇଚାଲିଚି...ମଣିଷ ଜଳି ଜଳି ଜଂଜାଳକୁ ମୁଣ୍ଡଉଚି(ସଁ ସଁ ସଂସାର, ଜଳି ଜଳି ଜଂଜାଳ)।

 

‘ବୈକୁଣ୍ଠ ସମାନ ତାହା ଅଟେ ସେହି ଘର’ ଏବେ ଘର ହେଇରହିନାହିଁ, ବୈକୁଣ୍ଠ ସମାନ ହେବା ସ୍ୱପ୍ନର କଥା। ପତି, ପତ୍ନୀଙ୍କୁ ଗୋଟିଏ ଶବ୍ଦରେ ଦମ୍ପତ୍ତି କୁହାଯାଏ, ଇଂଗ୍ରାଜୀରେ କପଲ‍୍‌ କୁହାଯାଏ, କାରଣ ସେମାନଙ୍କ ପରିଚୟ ଭିନ୍ନ ଭିନ୍ନ ନୁହେଁ, ଗୋଟିଏ। ଏଠି ମୁଁ ବା ଅହଂର ସ୍ଥାନ ନାହିଁ। ଅତଏବ ସମାଧାନର ସୂତ୍ରଟି ହେଲା, ‘ଆମେ’। ଏବର ଯୁଗରେ ଯେପର୍ଯ୍ୟନ୍ତ ପତି-ପତ୍ନୀ ନିଜକୁ ଏକ ଓ ଅଭିନ୍ନ ବୋଲି ଭାବିନାହାନ୍ତି, ମୁଁ ବଦଳେ ଆମେ ବୋଲି ବିଚାର କରିନାହାନ୍ତି, ସେପର୍ଯ୍ୟନ୍ତ ଚାଲିଥିବ ଛଡ଼ାଛଡ଼ି। ପ୍ରେମ ସଂପର୍କ, ବିବାହ କ୍ଷେତ୍ରରେ, ପାରିବାରିକ ଜୀବନରେ ଅଶାନ୍ତି ବଢି ବଢି ଚାଲିଥିବ!

 

‘ବିଶ୍ୱାତ୍ମା’, ଏମ‌୍‍-୨୩, ଖୋର୍ଦ୍ଧା ବିଡିଏ କଲୋନୀ, ଖୋର୍ଦ୍ଧା

ଶୂନ୍ୟଭାଷ-୯୪୩୭୨୩୨୮୯୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top