ତ୍ୟାଗ ଓ ଯୋଗର ରାତ୍ରି

News Story - Posted on 2018-02-14

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ଓଁ କାର ବିନ୍ଦୁ ସଂଯୁକ୍ତ ନିତ୍ୟଧ୍ୟାୟନ୍ତି ଯୋଗିନଃ

କାମଦଂ ମୋକ୍ଷଦଂ ଶ୍ଚୈବ ଓଁକାରାୟ ନମୋନମଃ।

 

ମହାଶିବରାତ୍ରିର ପୁଣ୍ୟ ମୁହୂର୍ତ୍ତରେ କାମନାର ବିନାଶ କରି ମୋକ୍ଷ ପ୍ରଦାନ କରୁଥିବା ଓଁକାର ଧ୍ୱନି, ଯାହାକୁ ଯୋଗୀ ଋଷିମାନେ ପ୍ରତିନିତ୍ୟ ଧ୍ୟାନ କରି ସେହି ମହାଯୋଗୀଙ୍କ ଚରଣରେ ନିଜକୁ ସମର୍ପଣ କରନ୍ତି ସେହି ପବିତ୍ର ଧ୍ୱନିକୁ ଶତତ ପ୍ରଣାମ। ଏହି ଓଁକାର ହେଉଛି ସୃଷ୍ଟି, ସ୍ଥିତି, ବିଲୟର ପ୍ରତୀକ।

 

ହିନ୍ଦୁ ଧର୍ମର ବୈଶିଷ୍ଟ୍ୟକୁ ନେଇ ପର୍ଯ୍ୟାଲୋଚନା କଲେ ଆମେ ଜାଣି ପାରିବା ଇହ ଲୋକରେ ମନୁଷ୍ୟ ଏକ ଶ୍ରେଷ୍ଠ ପ୍ରାଣୀ ହିସାବରେ ପରଜନ୍ମରେ ଦିବ୍ୟଗତି ପ୍ରାପ୍ତି ନିମନ୍ତେ ଷଡ଼ଜୟନ୍ତୀ ପାଳନ କରିବା ଆବଶ୍ୟକ। ସେଗୁଡିକ ହେଲା ବୈଶାଖ ଶୁଳ୍କ ଚତୁର୍ଦ୍ଦଶୀ ନୃସିଂହ ଜନ୍ମ, ଭାଦ୍ରବ କୃଷ୍ଣ ଅଷ୍ଟମୀ ଜନ୍ମାଷ୍ଟମୀ, ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ବାମନ ଜନ୍ମ, ଆଶ୍ୱିନ ଶୁକ୍ଳ ଅଷ୍ଟମୀ ମହାଷ୍ଟମୀ, ଫାଲ‌୍‍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ମହାଶିବରାତ୍ରି ଓ ଚୈତ୍ର ଶୁକ୍ଳ ନବମୀ ଶ୍ରୀରାମ ନବମୀ।  ଏହି ଷଡଜୟନ୍ତୀ ମଧ୍ୟରୁ ମହାଶିବରାତ୍ରି  ଅନ୍ୟତମ।

 

ମହାଶିବରାତ୍ରି ପାଳନର ତାତ୍ପର୍ଯ୍ୟକୁ ଅନୁଧ୍ୟାନ କଲେ ଜଣା ପଡେ ଯେ ଏହିଦିନ ପ୍ରଭୁ ସଦାଶିବ ସୃଷ୍ଟି ରକ୍ଷା ନିମନ୍ତେ ସମୁଦ୍ର ମନ୍ଥନ ସମୟରେ ଉତ୍ପତି ହୋଇଥିବା ହଳାହଳ ବିଷକୁ ଅକୁଣ୍ଠିତ ଚିତ୍ତରେ ପାନ କରିଥିଲେ। ମୂର୍ଚ୍ଛିତ ଅବସ୍ଥାରେ ପଡିଥିବା ସଦାଶିବଙ୍କ ଆଶୁ ଆରୋଗ୍ୟ କାମନା କରି ଦେବତାମାନେ ରାତ୍ରି ଉଜାଗର ରହି ଜଳାଭିଷେକ ପୂର୍ବକ ତାଙ୍କର ଉପାସନା କରିଥଲେ। ତୀବ୍ର ହଳାହଳର ପ୍ରଭାବରେ ପ୍ରଭୁଙ୍କ କଣ୍ଠ ନୀଳବର୍ଣ୍ଣ ହୋଇଥିଲା। ତେଣୁ ତାଙ୍କର ଅନ୍ୟନାମ ନୀଳକଣ୍ଠ। ଏହି ଦିନ ମାନବ ସମାଜ ରାତ୍ରି ଉଜାଗର ରହି  ଉପାସନା କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି।

 

ଶିବ ପୂଜାର ମହିମାକୁ ବ୍ୟାଖ୍ୟା କଲେ ଆମେ ଜାଣିପାରିବା ହରି ହର ପରସ୍ପରର ପରିପୂରକ। ହର ଯୋଗ ମୁଦ୍ରାରେ ହରିଙ୍କୁ ଧ୍ୟାନ କଲାବେଳେ ହରି ଯୋଗ ନିଦ୍ରାରେ ହରଙ୍କୁ ଧ୍ୟାନ କରନ୍ତି। ମହାଦେବଙ୍କ ପ୍ରତ୍ୟେକ ନାମର ବୈଶିଷ୍ଟ୍ୟ ରହିଛି। ସେ ସବୁ ମଙ୍ଗଳର କାରଣ। ସେ ସୁଖ, ଶାନ୍ତି, ଆନନ୍ଦ ଓ ଜ୍ଞାନର ସାଗର। ସେ ନିରାକାର। ସେ ଦିଗମ୍ୱର। ମହା ଶିବରାତ୍ରି ଅବସରରେ ଆଜି ଦେଶ ସାରା ତଥା ବିଶ୍ୱର ସବୁ ଶୈବପୀଠ ଚଳଚଂଚଳ। ଭାରତର ଉତ୍ତରରେ ଅମରନାଥ, ଦକ୍ଷିଣରେ ରାମେଶ୍ୱରମ‌୍‍, ପୂର୍ବରେ କାଶୀ ବିଶ୍ୱନାଥ ଏବଂ ପଶ୍ଚିମରେ ସୋମନାଥଙ୍କ ସମେତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପୂଜା ପାଉଛନ୍ତି।

 

ଶିବ ହେଉଛନ୍ତି ତ୍ୟାଗ ଓ ଯୋଗର ପ୍ରତୀକ। ତେଣୁ ଆଜିର ଏହି ପବିତ୍ର ଦିବସ ଅବସରରେ ମନୁଷ୍ୟ ସମାଜ ଷଡ଼ରିପୁକୁ ତ୍ୟାଗ କରି ମନ, ବଚନ ଓ କର୍ମରେ ଶୁଦ୍ଧତା ପୂର୍ବକ ମହାଦେବଙ୍କୁ ଉପାସନା କରିବା ହିଁ ମହାଶିବ ରାତ୍ରିର ମାହାତ୍ମ୍ୟ।

 

ଓଁ ନମଃ ଶିବାୟ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top