ରାଜନୀତିରେ ରାମଙ୍କ ଦୁର୍ଦ୍ଦଶା

News Story - Posted on 2018-02-14

ସୂର୍ଯ୍ୟମଣି ମିଶ୍ର

 

ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଶତକୋଟି ଜନତାର ପରମ ଆରାଧ୍ୟ ଦେବତା। ସେହି ପରମ ଆରାଧ୍ୟଙ୍କୁ ଭାରତୀୟ ଗଣତନ୍ତ୍ରର ପ୍ରତୀକ ଭାବେ ଗ୍ରହଣ କରାଯାଉଥିବା ବେଳେ ତାଙ୍କୁ ଆଗରେ ରଖି ତାଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏକ ମସଜିଦକୁ ଭାଙ୍ଗିଦିଆଗଲା। ତାଙ୍କ ପ୍ରତୀକର ପ୍ରତିମାକୁ ରାଜନୈତିକ କ୍ଷମତା ହାସଲ ପାଇଁ ଅସ୍ତ୍ର କରାଯିବା ଦ୍ବାରା ସାଂପ୍ରଦାୟିକ ବିଦ୍ବେଷ-ହିଂସା ଭାରତୀୟ ସମାଜ-ଗଣତନ୍ତ୍ର ପାଇଁ ଯେପରି ବେଦନାଦାୟକ ସେହିପରି ଚିନ୍ତାର କାରଣ ହୋଇଛି।

 

ପ୍ରାୟ ୨୮ ବର୍ଷ ପୂର୍ବେ ଶ୍ରୀରାମଙ୍କ ନାମ ଏବଂ ତାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଲାଲକୃଷ୍ଣ ଆଭାନୀ ରଥଯାତ୍ରା ଅଭିଯାନ ଆରମ୍ଭ କରିଥିଲେ। ଠିକ୍ ୨୮ ବର୍ଷ ପରେ ପୁଣି ଥରେ ରାମରାଜ୍ୟ ରଥଯାତ୍ରା ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ତାମିଲନାଡ଼ୁର ରାମେଶ୍ବର ଯାଏ ଚଳିତ ଫେବୃୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୧୩ରୁ ମାର୍ଚ୍ଚ ୨୩ ମଧ୍ୟରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ୪୦ଟି ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

 

ମହାରାଷ୍ଟ୍ର ରାମଦାସ ୟୁନିଭରସାଲ୍ ସୋସାଇଟିର ସାଧାରଣ ସଂପାଦକ ଶ୍ରୀ ଶ୍ରୀ ଶକ୍ତି ସନ୍ଥାନନ୍ଦ ମହାରାଜଙ୍କ ସ୍ବାକ୍ଷରରେ ଏଭଳି ରଥଯାତ୍ରା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଯାଇଛି। ଏଭଳି ସମ୍ଭାବ୍ୟ ରଥଯାତ୍ରାକୁ ନେଇ ଦେଶର ନାଗରିକଙ୍କ ମହଲରେ ବିତର୍କ ଏବଂ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଶ୍ରୀରାମ ଭକ୍ତଙ୍କ ମଧ୍ୟରେ ଶଙ୍କା, ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। କାରଣ ଏହି ରଥଯାତ୍ରା ଉତ୍ତର ପ୍ରଦେଶରୁ ଆରମ୍ଭ ହୋଇ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଦେଇ କେରଳର ରାମେଶ୍ବରରେ ପହଞ୍ଚିବ। ଏହି ଅବସରରେ ଉତ୍ତର ପ୍ରଦେଶର ଅଯୋଧ୍ୟା ନିକଟବର୍ତ୍ତୀ କରସେବକ ପୁରମରେ ଉଦଘାଟିତ ହେବ ସନ୍ଥ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସନ୍ଥ ସମ୍ମିଳନୀକୁ ଅପରାହ୍ନରେ ପତାକା ଦେଖାଇ ଉଦଘାଟନ କରିବେ। ରଥଯାତ୍ରାର ଲକ୍ଷ୍ୟ ସଂପର୍କରେ ଉଲ୍ଲେଖ କରାଯାଇଛି ଯେ ରାମରାଜ୍ୟ ପୁନଃ ସ୍ଥାପନ, ଶିକ୍ଷା ପାଠ୍ୟକ୍ରମରେ ରାମାୟଣ ସାମିଲ, ରାମ ଜନ୍ମଭୂମିରେ ଶ୍ରୀରାମ ମନ୍ଦିର ନିର୍ମାଣ, ଜାତୀୟ ଛୁଟିଦିନ ଭାବରେ ରବିବାର ପରିବର୍ତ୍ତେ ଗୁରୁବାର ଘୋଷଣା। ସୂଚନା ଯୋଗ୍ୟ ଯେ, ୨୦୧୭ ଦୀପାବଳି ଉତ୍ସବ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଯୁ ନଦୀ ତଟରେ ୧୦୦ ଫୁଟ ଉଚ୍ଚତାର ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ବିଶ୍ବ ହିନ୍ଦୁ ପରିଷଦ ସାଧାରଣ ସଂପାଦକ ଚମ୍ପକଲାଲ ଏହା ମଧ୍ୟରେ ପ୍ରସ୍ତାବିତ ରଥଯାତ୍ରା ପାଇଁ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସହଯୋଗ-ଅଂଶଗ୍ରହଣ କରିବାକୁ ଚିଠି ଲେଖିଛନ୍ତି।

 

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଥିବା ରଥଯାତ୍ରା ଅଭିଯାନ ପଛରେ କାରଣ କ’ଣ? ଏହାର ଆବଶ୍ୟକତା କ’ଣ? ଦେଶ ଉପରେ ଏହାର ପ୍ରଭାବ କ’ଣ ହେବ? ରଥଯାତ୍ରା ଶ୍ରୀରାମଙ୍କ ଆଦର୍ଶର ପରିପନ୍ଥୀ ନା ନୁହେଁ ତାହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ହିନ୍ଦୁ ମୌଳବାଦୀମାନେ ଶ୍ରୀରାମଙ୍କୁ ନେଇ ଏକାଠି ହେବାର ଏବଂ ମନ୍ଦିର ନିର୍ମାଣର ବାର୍ତ୍ତା ଦେଉଥିବା ବେଳେ ମୁସଲମାନଙ୍କ ମଧ୍ୟରେ ଥିବା ମୌଳବାଦୀ ବାବ୍ରି ମସଜିଦ୍ ପୁନଃ ନିର୍ମାଣକୁ ନେଇ ମତ-ମନ୍ତବ୍ୟ ଦେଉଛନ୍ତି। ଏହା ଦେଶର ସଂହତି-ସାଂସ୍କୃତିକ ବିବିଧତାର ସୁରକ୍ଷା ନେଇ ଦେଶବାସୀଙ୍କ ଆଗରେ ପ୍ରଶ୍ନ ଉଠାଇଛି।

 

ଏହି ପରିପ୍ରେକ୍ଷୀରେ ଶ୍ରୀରାମ ଏବଂ ଭାରତୀୟ ଗଣତନ୍ତ୍ରକୁ ନେଇ ସମୀକ୍ଷା କରାଯିବା ପ୍ରାସଙ୍ଗିକତା ବହନ କରିଛି। ଗଣତନ୍ତ୍ରର ପ୍ରତୀକ ଶ୍ରୀରାମଙ୍କର ଯୁଦ୍ଧ ଏକଛତ୍ରବାଦୀ, ସାମନ୍ତବାଦୀ, ଅତ୍ୟାଚାରୀ, ବୌଦ୍ଧିକ ଅହଂକାରୀ ରାବଣଙ୍କ ବିରୁଦ୍ଧରେ ଥିଲା। ଭଲ୍ଲୁକ, ବାନର, ଦଳିତ, କିନ୍ନର, ଆଦିବାସୀ ଯେଉଁମାନେ ସମାଜରେ ଉପେକ୍ଷିତ ସେହିମାନଙ୍କୁ ସଂଗରେ ନେଇ ଅତ୍ୟାଚାରୀ, ଅହଂକାରୀ, ସାମନ୍ତବାଦୀ ରାବଣ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ରାମ।

 

ସମ୍ବେଦନଶୀଳ, ଧାର୍ମିକ, ସାଂସ୍କୃତିକ ପ୍ରସଙ୍ଗକୁ ରାଜନୈତିକ ଭାଷଣରେ ଦେଖିବା ଏବଂ ଦେଖାଇବା ଶ୍ରୀରାମଙ୍କ ଆଦର୍ଶର ବିରୁଦ୍ଧାଚରଣ। ରାମଙ୍କୁ କେନ୍ଦ୍ରରେ ରଖି କ୍ଷମତା ହାସଲର ଲକ୍ଷ୍ୟ ରଖିବା ଉଚିତ୍ ନୁହେଁ। ରାମଙ୍କ ବିବେକ, ଜ୍ଞାନ, କର୍ମ ଗଣତନ୍ତ୍ର ପାଇଁ କେଉଁ ବାର୍ତ୍ତା ଦେଉଛି ତାହାର ତର୍ଜମା କରି ସେହି ବାଟରେ ନିଜକୁ ତିଆରି କରିବା ପରିବର୍ତ୍ତେ ରାମ ନାମରେ କ୍ଷମତା ହାସଲର ଦୌଡ଼କୁ ସଂଗଠିତ କରିବା ଯୁକ୍ତିହୀନ ନିଶ୍ଚୟ, ଅଲୋଡ଼ା ଏବଂ ଅପ୍ରାସଙ୍ଗିକ। କାରଣ ରାମ-ରାବଣ ଯୁଦ୍ଧ ସୁର-ଅସୁର ଅର୍ଥାତ୍ ବିପରୀତ ସଭ୍ୟତା ମଧ୍ୟରେ ଯୁଦ୍ଧଥିଲା। ରାମଙ୍କ ପାଖରେ ବ୍ୟବସ୍ଥିତ ସେନା ନଥିଲେ। ଯାହା ଆଜି ଦିନରେ ରାମ ମନ୍ଦିର ନିର୍ମାଣ ଦୌଡ଼ରେ ଥିବା ବ୍ୟକ୍ତି ଏବଂ ସଂଗଠନ ପାଖରେ ରହିଛି। କୌରବ-ପାଣ୍ଡବ ମଧ୍ୟରେ ଯୁଦ୍ଧ ଥିଲା କୌଶଳପୂର୍ଣ୍ଣ। ଏହାକୁ ଯଥାର୍ଥରେ କୁହାଯାଏ ଅତିରିକ୍ତ ବୈଚାରିକ ଉତ୍କର୍ଷ। ମହର୍ଷି ବେଦବ୍ୟାସ ମହାଭାରତର ଶାନ୍ତିପର୍ବରେ ଯୁଦ୍ଧର ଚିତ୍ରକୁ ଚିତ୍ରିତ କରାଇଛନ୍ତି।

 

ତେଣୁ ଇସଲାମ ଧର୍ମର ଅନୁଗାମୀଙ୍କ କହିବା କଥା ବାବର ଭାରତକୁ ୫୦୦ ବର୍ଷ ପୂର୍ବେ ଆସିଥିଲେ। ତାଙ୍କ ନାମରେ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ହୋଇଛି। ଆତ୍ମଘୋଷିତ ରାମଙ୍କ ଭକ୍ତମାନଙ୍କ କହିବା କଥା ଏହା ପୂର୍ବରୁ ଯେଉଁଠାରେ ବାବ୍ରି ମସଜିଦ୍, ସେହିଠାରେ ଶ୍ରୀରାମଙ୍କ ମନ୍ଦିର ଥିଲା। ଏହା ପୌରାଣିକ ଯୁକ୍ତି। କିନ୍ତୁ ଐତିହାସିକ ତଥ୍ୟର ପ୍ରାମାଣିକତା ଏଯାଏ ଅଦାଲତରେ ବିଚାରାଧୀନ। ତେବେ ଧର୍ମ ଆଧାରରେ ସଂପ୍ରଦାୟିକ ବିଦ୍ବେଷ ଅଛି, ଏହା ମାଧ୍ୟମରେ କ୍ଷମତା ଦଖଲ ପାଇଁ ମୌଳବାଦୀ ଶକ୍ତି କ୍ରିୟାଶୀଳ।

 

କୁହାଯାଇଛି ଯେ, ରାମ ମନ୍ଦିରକୁ ମୋଗଲ ଶାସନ ସମୟରେ ଭାଙ୍ଗି ଦିଆଗଲା। ଇଂରେଜ ଶାସକମାନେ ଏହି ମନ୍ଦିର-ମସଜିଦ୍ ପ୍ରସଙ୍ଗକୁ ନେଇ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଥିବା ଭାଇଚାରାକୁ ଭାଙ୍ଗିଦେବା ପାଇଁ ଉଦ୍ୟମ କରିଥିଲେ। ଇଂରେଜ ଶାସକ ଚାହୁଁଥିଲେ ଏଭଳି ବିଭେଦ ଦ୍ବାରା ତାଙ୍କ ଶାସନ ସୁରକ୍ଷିତ ହେବ। ବିବାଦ ଏପରି ଅଧିକ ଉଗ୍ର ରୂପ ନେଲା ଯେ ବହୁବର୍ଷ ଧରି ମସଜିଦରେ ତାଲା ପଡ଼ିଲା। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଏହି ତାଲାକୁ ଖୋଲି ଦିଆଗଲା। ଏହାପରେ ଆରମ୍ଭ ହେଲା କ୍ଷମତା ଦୌଡ଼ରେ ଥିବା ସାଧୁ, ଅବସର ପ୍ରାପ୍ତ ପ୍ରଶାସକ, ପୁଞ୍ଜିପତି, ଧାର୍ମିକ ଏଜେଣ୍ଟ ଏବଂ ମୌଳବାଦୀଙ୍କର ତାମସା ପର୍ବ।

 

ସମ୍ଭାବ୍ୟ ରଥଯାତ୍ରା ପୂର୍ବରୁ ପ୍ରଶ୍ନ ହେଉଛି କେତେ ସଂଖ୍ୟକ ହିନ୍ଦୁ ଅଯୋଧ୍ୟା ଅବା ଅନ୍ୟ ବ ତୀର୍ଥସ୍ଥଳ ଥିବା ଚାରିଧାମକୁ ଯାଆନ୍ତି। ମନ୍ଦିର ନିର୍ମାଣର ଲାଭ ନିଶ୍ଚିତ ଭାବେ ପୂଜାରୀ, ଧାର୍ମିକ ଏଜେଣ୍ଟ, ହୋଟେଲ ବ୍ୟବସାୟୀ, କ୍ଷମତା ଦୌରେ ଥିବା ମୌଳବାଦୀ ନେତାଙ୍କୁ ମିଳିବ। ନଡ଼ିଆ, ଲଡୁ, ଫୁଲ, ଶାଲ୍, ଶାଢୀ, ଧୋତି ବ୍ୟବସାୟୀ ମଧ୍ୟ ଅଧିକ ଭାବେ ଉପକୃତ ହେବେ। ତିରୁପତି-ଶିରିଡ଼ି ଏହା ମଧ୍ୟରେ ବଡ଼ ଧାର୍ମିକ ଉଦ୍ୟୋଗରେ ପରିଣତ ହୋଇପାରିଛି। ରାମ ମନ୍ଦିର ହେଲେ କ’ଣ ହେବ? ମନ୍ଦିରରୁ ତ ଆଭୂଷଣ ଚୋରି ହେଉଛି। ବାବା-ମାତା, ମୁଲ୍ଲା-ମୌଲବୀଙ୍କ ଆଶ୍ରମ-ଧାମରେ ତ ବ୍ୟଭିଚାରର ଅଭିଯୋଗ ସଂଖ୍ୟା ଦିନକୁ ଦିନ ଅଧିକ ବୃଦ୍ଧି ପାଉଛି। ମଦ୍ରାସାରେ ଆତଙ୍କବାଦୀ ପ୍ରଶିକ୍ଷଣ ଦିଆଯାଉଥିବା ଅଭିଯୋଗ ହେଉଛି। ମୁଲ୍ଲା-ମୌଲବୀ ଏବଂ ସାଧୁ-ସାଧ୍ବୀ ତ ବମ୍ ଫିଙ୍ଗୁଛନ୍ତି। ହିଂସାକାଣ୍ଡରେ ନିଜକୁ ଯୋଡୁଛନ୍ତି। ଏହା ହିନ୍ଦୁ ଅବା ଇସଲାମ୍ ଧର୍ମର ଏବଂ ମାନବଧର୍ମର ବିରୁଦ୍ଧାଚାରଣ ନିଶ୍ଚୟ।

 

ଆଶଙ୍କା ହେଉଛି ମନ୍ଦିର ପ୍ରତିଷ୍ଠା ଏବଂ ପ୍ରସ୍ତାବିତ ରଥଯାତ୍ରାକୁ ନେଇ ଦୁଇ ଧାର୍ମିକ ସମୁଦାୟ ମଧ୍ୟରେ ଥିବା ବିଭେଦକୁ ଅଧିକ ବ୍ୟାପକ ଓ ହିଂସାତ୍ମକ କରି ଦିଆଯାଇପାରେ। ଧାର୍ମିକ ମୌଳବାଦୀଙ୍କ ଉପରେ କ’ଣ ଭରସା? ଅବଶ୍ୟ ସୁପ୍ରିମ୍ କୋର୍ଟ କହିଛନ୍ତି, ଦୁଇପକ୍ଷ ସତ୍ୟପାଠ ଦାଖଲ କରନ୍ତୁ। କୋର୍ଟର ନିଷ୍ପତ୍ତି ଯାହାହେବ ତାହାକୁ ଉଭୟ ପକ୍ଷ ମାନିନେବେ। ଦେଶରେ ଶାନ୍ତି ବଜାୟ ରଖିବାର ଗ୍ୟାରେଣ୍ଟି ଦିଅନ୍ତୁ। ଅଶାନ୍ତି ହେଲେ ରାଜଦ୍ରୋହରେ ଅପରାଧୀ ସାବ୍ୟସ୍ତ ହେବେ।

 

ଅବତାର ବା ପ୍ରତୀକ ପୁରୁଷ ରାମ। ରାମଙ୍କ ସ୍ମୃତିକୁ ଦେଶରୁ କେହି ହଟାଇ ପାରିବେ ନାହିଁ। ପୂର୍ବର ଦେବତାଙ୍କଠାରୁ କାହିଁ କେତେ ଉଚ୍ଚରେ ରାମ। ରାମ ନାମ ସତ୍ୟ ହେ ହିନ୍ଦୁ ବିଶ୍ବାସରେ ରାମ ଚରିତର ନୈତିକ ପ୍ରମାଣପତ୍ର। ତେବେ ରାମଙ୍କ ଆଦର୍ଶ ଯାହା ତାହା ହେଲା ଯେଉଁ ବ୍ୟକ୍ତି ଅନ୍ୟର ଭଲ ପାଇ ବଂଚିନାହିଁ ସେ ରାମଭକ୍ତ ହୋଇନପାରେ।

 

ରାମ ଶବରୀର ଅଇଁଠା ଖାଇଥିଲେ, ହନୁମାନ, ବାନରଙ୍କ ହୃଦୟ ଜିତିଥିଲେ। ବଶିଷ୍ଠଙ୍କ ପାଦତଳେ ପଡ଼ିଥିଲେ। ଆଦିବାସୀ, ଦଳିତ ଏବଂ ବଶିଷ୍ଠଙ୍କ ସାନ୍ନିଧ୍ୟରେ ଥିଲେ ରାମ। ବାଲ୍ମିକୀ ଏକଥା କହନ୍ତି, ରାମଙ୍କଠାରୁ ଦେଶ ବଡ଼, ଏହା ତ ରାମଙ୍କ ବାର୍ତ୍ତା। ଅଯୋଧ୍ୟା ହେଉଛି ଅଯୋଦ୍ଧା, ଯେଉଁଠି ଯୁଦ୍ଧ ହେଉ ନଥିଲା ତାହା ଥିଲା ଅଯୋଧ୍ୟା। ରାମ ଲଙ୍କା ସହ ଯୁଦ୍ଧ ପରେ ରାଜଧାନୀର ନାମ ରଖିଥିଲେ ଅଯୋଧ୍ୟା। ମଥୁରା- କୈକେୟୀଙ୍କ ଷଡ଼ଯନ୍ତ୍ର ଓ ଦଶରଥଙ୍କ ପତ୍ନୀ ଆସକ୍ତି ମଧ୍ୟରେ ରାମ ନିର୍ଯାତିତ। କିନ୍ତୁ ସବୁବର୍ଗ ବିଶେଷତଃ ଉପେକ୍ଷିତ ବର୍ଗଙ୍କ ସହ ଥିଲେ ରାମ।

 

ରାମଙ୍କ ପ୍ରତିନିଧି, ବାବର ନାମାର ପ୍ରବକ୍ତା ଏହା ଜାଣିବା ଉଚିତ୍। ଏଦେଶର ନାଗରିକଙ୍କୁ ଧାର୍ମିକ ବିଶ୍ବାସର ଗ୍ୟାରଣ୍ଟି ସଂବିଧାନ ଦେଇଛି। ରାମ ଦେବତା ନୁହଁନ୍ତି, ରାଜା ନୁହଁନ୍ତି, ସେ ହେଉଛନ୍ତି ଗଣତନ୍ତ୍ରର ଧାର୍ମିକ ପରିଚୟ। ଇସଲାମ ମଧ୍ୟ ମଣିଷ ବିଶ୍ବାସର ହଲଫନାମା।

 

ତେଣୁ ମନ୍ଦିର-ମସଜିଦକୁ ନେଇ ରଥଯାତ୍ରା, ପ୍ରତିବାଦର ଆବଶ୍ଯକତା ଦେଶ ପାଇଁ ଆଦୌ ଆବଶ୍ୟକ ନୁହେଁ। କାରଣ ଆଜି ଦିନରେ ମଧ୍ୟ ଦେଶର ୮୦ ଭାଗ ଜନତା ମଣିଷ ଭଳି ସମ୍ମାନର ବଂଚିବାର ଅଧିକାର ପାଇପାରିନାହାନ୍ତି। ତେଣୁ ଧର୍ମ ନାମରେ ବିବାଦ ଓ ରକ୍ତପାତ ଅବା ବିଦ୍ବେଷର ବିହନବୁଣା କାର୍ଯ୍ୟକ୍ରମ ମାନବତାର ବିରୋଧୀ, ଗଣତନ୍ତ୍ରର ବିରୋଧୀ ଆଉ ସେହିପରି ଶ୍ରୀରାମଙ୍କ ଆଦର୍ଶ ବିରୋଧୀ।

 

ସାମ୍ବାଦିକ, ଭୁବନେଶ୍ବର

ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top