ଘାଟି ତଳକୁ ଟିପର ଖସି ୯ ମୃତ

News Story - Posted on 2018-02-13

ଗଜପତି ଜିଲ୍ଲା ପ୍ରତିନିଧି

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଲୁହାଝୋଲ ଘାଟିରେ ଇଟା ବୋଝେଇ ଟିପର ଓଲଟି ପଡ଼ିବା ଫଳରେ ୯ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୨ ଜଣ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୫ ଜଣ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

 

ମୃତ ଲୋକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୩ ଜଣ ହେଉଛନ୍ତି ପୁରୁଷ ଏବଂ ୨ଜଣ ନାବାଳକ । ମୃତକମାନେ ହେଲେ ଅନୁକୁମ୍ବା ଗୁଡାର ଗାଁର ସୀତା ଗମାଙ୍ଗ(୩୦), କେସିନି ଗମାଙ୍ଗ(୪୫), ଆସ୍ପାନି ଗମାଙ୍ଗ(୩୦), ମିଲିକା ଗମାଙ୍ଗ(୪୦), ଦିନେଶ ଭୂୟାଁ(୨୮), ମଇଷ୍ଟନ ଭୂୟାଁ(୧୩), ସୁଜନ ଗମାଙ୍ଗ(୪୫), ଅଭିଯାନ ଗମାଙ୍ଗ(୧୨) ଏବଂ ତୁବୁରଡା ଗାଁର ନାନୋ ରଇତ(୨୫) ।

 

ସେହିଭଳି ଆହତମାନେ ହେଲେ ମୋହିନୀ ଗମାଙ୍ଗ(୨୭), ଜୁବିଲା ଗମାଙ୍ଗ(୨୪), ଦିଲ୍ଲୀପ ଗମାଙ୍ଗ(୩୧), ଜେମସ ଭୂୟାଁ(୩୦), ଆନସ ଭୂୟାଁ(୨୭) ଏବଂ ଅସୟ ରଇତ(୨୧) । ସମସ୍ତ ଆହତ ଅନୁକୁମ୍ବା ଗାଁର ବୋଲି ଜଣାପଡିଛି । ଟିପରର ଡ୍ରାଇଭର ନିର୍ଭୟ ରଇତ(୨୩)କୁ ପ୍ରଥମେ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତି ସମୟରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

 

ଆଜି ସକାଳ ପ୍ରାୟ ୮ଟା ବେଳେ ପାର୍ତଡା ଗାଁ ନିକଟସ୍ଥ ଏକ ଇଟା ଭାଟିରୁ ଦୁର୍ଘଟଣାଗ୍ରସ୍ତ ଟିପରରେ ଇଟା ବୋଝେଇ କରିଥିଲେ ଶ୍ରମିକମାନେ । ଏହାପରେ ଟିପରଟି ପ୍ରାୟ ସାଢେ ୯ଟା ସମୟରେ ପାରଳାଖେମୁଣ୍ଡି ଅଭିମୁଖେ ବାହାରିଥିଲା । ଏଥିରେ ବସିଥିଲେ ୧୫ ଜଣ ଶ୍ରମିକ । ଟିପରଟି କିଛି ବାଟ ଆସିବା ପରେ ଲୁହାଝୋଲ ଘାଟିର ଏକ ତୀକ୍ଷ ବୁଲାଣିରେ ଏହାର ଡ୍ରାଇଭର ଭାରସାମ୍ୟ ହରାଇଥିଲେ । ଫଳରେ ଟିପରଟି ରାସ୍ତ କଡ଼କୁ ପ୍ରାୟ ୬୦ ଫୁଟ ତଳକୁ ଖସିପଡିଥିଲା ।

 

ଖବର ପାଇ ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକଙ୍କ ନେତୃତ୍ୱରେ ପୁଲିସ ଏବଂ ଗୁମ୍ମା ବିଡିଓ ସୁବାଦାର ପ୍ରଧାନ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଘଟଣା ସ୍ଥଳରେ ହିଁ ସୀତା ଗମାଙ୍ଗ, କେସିନି ଗମାଙ୍ଗ, ଆସ୍ପାନି ଗମାଙ୍ଗ, ମିଲିକା ଗମାଙ୍ଗ ଏବଂ ନାନୋ ରଇତଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୧୦ ଜଣ ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଦିନେଶ ଭୂୟାଁ, ମଇଷ୍ଟନ ଭୂୟାଁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

 

ଅନ୍ୟ ୮ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅଭିଯାନ ଗମାଙ୍ଗ ଏବଂ ସୁଜନ ଗମାଙ୍ଗଙ୍କ ମୃତ୍ୟୁ ହୋଇଯାଇଛି । ବ୍ରହ୍ମପୁର ଯାଇଥିବା ଅନ୍ୟ ୨ ଜଣଙ୍କ ଅବସ୍ଥା ଏବେବି ସଂକଟାପନ୍ନ ରହିଥିବା ଜଣାପଡିଛି । ପାରଳାଖେମୁଣ୍ଡିରେ ଥିବା ଅନ୍ୟ ୪ ଜଣଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।

 

ଏହି ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତ ଲୋକଙ୍କ ସଂପର୍କୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏହା ସହିତ ସମସ୍ତ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top