ଦୋଷୀ ନେତା ହେବେ କେମିତି?

News Story - Posted on 2018-02-12

ଜଣେ ଅପରାଧୀ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି କୌଣସି ରାଜନୀତିକ ଦଳର ମୁଖ୍ୟ ପଦରେ ରହିବା ପଛରେ ଯୁକ୍ତିକୁ ପ୍ରଶ୍ନ କରିଛନ୍ତି ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ର । ନିର୍ବାଚନ ପ୍ରକ୍ରିୟାର ଶୁଦ୍ଧତା ପ୍ରତି ଏହା ଏକ ଧକ୍କା ବୋଲି ସେ କହିଛନ୍ତି । ଏହିପରି ବ୍ୟକ୍ତି ତାଙ୍କ ଦଳର ମୁଖ୍ୟ ଭାବେ ଦଳୀୟ ପ୍ରାର୍ଥୀଙ୍କୁ ଚୟନ କରିଥାନ୍ତି । ଗଣତନ୍ତ୍ର ପ୍ରତି ଏହା ଅଧିକ ବିପଜ୍ଜନକ ବୋଲି ସେ ଏ ସଂପର୍କୀତ ଏକ ମାମଲାର ଶୁଣାଣି ଅବସରରେ କହିଛନ୍ତି । ଲୋକେ କାହାକୁ ଭୋଟ ଦେବେ ତାହା ଯଦି ଜଣେ ଅପରାଧୀ ସ୍ଥିର କରନ୍ତି ତେବେ ତାହା ଗଣତନ୍ତ୍ରର ମୌଳିକ ମୂଲ୍ୟବୋଧ ବିରୋଧୀ ।

 

ଭାରତର ମୁଖ୍ୟ ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାରଙ୍କ ଯୁକ୍ତି ଶୁଣିବା ଅବସରରେ ଏକ ତିନି ଜଣିଆ ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ଜଣେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି କିପରି ଏକ ରାଜନୀତିକ ଦଳର ପଦବୀରେ ରହିବେ ଏବଂ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରାର୍ଥୀ ଚୟନ କରିବେ? ନିର୍ବାଚନର ଶୁଦ୍ଧତାଠାରୁ ରାଜନୀତିର ଦୁର୍ନୀତିକୁ ଭିନ୍ନ କରିବା ନେଇ ଆମେ ପୂର୍ବରୁ ଦେଇଥିବା ରାୟର ଏହା ଉଲ୍ଲଙ୍ଘନ କରୁଛି ବୋଲି ସେ କହିଛନ୍ତି । ଏଭଳି ପ୍ରକ୍ରିୟାରେ ଜଣେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ନିଜେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ, କିନ୍ତୁ ସେ ନିଜ ଏଜେଣ୍ଟଙ୍କ ଜରିଆରେ ତାହା କରିପାରିବେ । ଏହା ସେହି ପ୍ରକାର ସ୍ଥିତି ବୋଲି ସେ କହିଛନ୍ତି ।

 

ସେ କହିଛନ୍ତି ଯେ ଜଣେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ନିଜେ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ । ତେଣୁ ସେ କିଛି ଲୋକଙ୍କୁ ନେଇ ଗୋଟେ ଦଳ ଗଠନ କରିବେ ଓ ସେହି ଲୋକମାନେ ନିର୍ବାଚନରେ ପ୍ରାର୍ଥୀ ହେବେ । ଯେ କୌଣସି ଲୋକ ସଂଘ ଗଢ଼ି ସମାଜସେବା କରିପାରିବେ, ଡାକ୍ତରଖାନା ବା ସ୍କୁଲ ଖୋଲି ପାରିବେ । କିନ୍ତୁ ଯେତେବେଳେ ଶାସନ ପାଇଁ ସେପରି ସଂଘ ଗଢ଼ାଯାଏ ତାହାର ଅର୍ଥ ଅଲଗା ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

 

ପ୍ରଧାନ ବିଚାରପତିଙ୍କର ଏହି ବ୍ୟାଖ୍ୟା ପରେ ସରକାରଙ୍କ ଆଡିସନାଲ ସଲିସିଟର ଜେନେରାଲ ପିଙ୍କି ଆନନ୍ଦ କହିଛନ୍ତି ଯେ ସରକାରଙ୍କ ଜବାବ ଦାଖଲ ପାଇଁ ତାଙ୍କୁ କିଛି ସମୟ ଦିଆଯିବା ଦରକାର । ଖଣ୍ଡପୀଠ କହିଛନ୍ତି ଯେ ପୂର୍ବ ରାୟ କାର୍ଯ୍ୟକାରୀ କରିବା ପାଇଁ କୌଣସି ଦୋଷୀ ସାବ୍ୟସ୍ତ ବ୍ୟକ୍ତି ରାଜନୀତିକ ଦଳର ପଦପଦବୀରେ ରହିବା ଉଚିତ ନୁହେଁ । ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ।

 

ଜଣେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ କୌଣସି ରାଜନୀତିକ ଦଳର ମୁଖ୍ୟ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଦଳୀୟ ପଦବୀରେ ଅବସ୍ଥାପିତ କରାଯିବା ଉଚିତ ନୁହେଁ ବୋଲି ଯୁକ୍ତି କରି ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମ କୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଗତ ଡିସେମ୍ବର ମାସରେ ଦାଏର ହୋଇଥିବା ଏହି ପିଟିସନକୁ କୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ । ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ପଦରେ ଥିବାବେଳେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଓମ ପ୍ରକାଶ ଚୌତାଲା ଭାରତୀୟ ଜାତୀୟ ଲୋକଦଳର ମୁଖ୍ୟ ପଦରେ ଅବସ୍ଥାପିତ ଅଛନ୍ତି । ସେମାନଙ୍କ ଉଦାହରଣ ଦେଇ ଉପାଧ୍ୟାୟ ଯୁକ୍ତି କରିଛନ୍ତି ଯେ ଏବେକାର ବ୍ୟବସ୍ଥା ଅନୁସାରେ ହତ୍ୟା, ଧର୍ଷଣ, ସ୍ମଗଲିଂ, ବେଆଇନ ଅର୍ଥ ଚାଲାଣ, ଦେଶଦ୍ରୋହ, ଲୁଟ୍, ଡକାୟତି ଆଦି ଭୟଙ୍କର ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ମଧ୍ୟ ରାଜନୀତିକ ଦଳ ଗଠନ କରିପାରିବେ ଓ ତାହାର ସଭାପତି ହୋଇପାରିବେ ।

 

ଏହି ବ୍ୟବସ୍ଥା ଥିବା ୧୯୫୧ ଜନ ପ୍ରତିନିଧି ଆଇନର ୨୯-କ ଧାରା ଏକତରଫା, ଅଯୁକ୍ତିକର ଏବଂ ବେଆଇନ ବୋଲି ସେ ଯୁକ୍ତି କରିବା ସହିତ ଏଭଳି ରାଜନୀତିକ ଦଳଗୁଡ଼ିକର ପଂଜୀକରଣ ରଦ୍ଦ କରିବା ପାଇଁ ନିର୍ବାଚନ କମିଶନଙ୍କୁ କ୍ଷମତା ଦିଆଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି । ନିର୍ବାଚନ ସଂସ୍କାର ପାଇଁ ଗଠିତ ଗୋସ୍ୱାମୀ କମିଶନ ଏଭଳି ସୁପାରିଶ କରିଥିଲେ । ତାହାକୁ ଏଯାଏଁ କାର୍ଯ୍ୟକାରୀ କରାଯାଇ ନାହିଁ । ଗୋସ୍ୱାମୀ କମିଶନ ୧୯୯୦ ମସିହାରେ ଏହି ସୁପାରିଶ କରିଥିଲେ । ୨୦୦୪ ମସିହାରେ ଭାରତର ନିର୍ବାଚନ କମିଶନ ଏହି ସୁପାରିଶ ଆଧାରରେ ଜନ ପ୍ରତିନିଧି ଆଇନର ୨୯-କ ଧାରାରେ ସଂଶୋଧନ ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ତାହା ଏଯାଏଁ ହୋଇନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top