ପରଲୋକରେ ପାର୍ବତୀ ଘୋଷ

News Story - Posted on 2018-02-12

ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଯୋଜିକା ଜାତୀୟ ପୁରସ୍କାର ପ୍ରାପ୍ତ ପାର୍ବର୍ତୀ ଘୋଷଙ୍କର ପରଲୋକ ଘଟିଛି । ରବିବାର ବିଳମ୍ବିତ ରାତ୍ରିରେ ଅସୁସ୍ଥତା ହେତୁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କର ଅବର୍ତ୍ତମାନରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସୋମବାର ଦିନ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

 

୧୯୩୩ ମସିହା ମାର୍ଚ୍ଚ ୨୮ ତାରିଖରେ କଟକର ମାନସିଂହପାଟଣାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସ୍ୱର୍ଗତ ଘୋଷ । ମାତ୍ର ଆଠ ବର୍ଷ ବୟସରୁ ଅଭିନୟରେ ପାଦ ଥାପି ଆଉ ପଛକୁ ଫେରି ନଥିଲେ ସେ । ୧୯୫୦ ମସିହାରେ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରି ନିଜର ବଳିଷ୍ଠ ଅଭିନୟ ପାଇଁ ଦୃଷ୍ଟି ଆକର୍ଷଣ କରି ଅଗଣିତ ସିନେପ୍ରେମୀଙ୍କ ଦ୍ୱାରା ଆଦୃତ ହେବା ସହିତ ସାଉଁଟି ଥିଲେ ଢେର ପ୍ରଶଂସା । ଏହା ପରେ ତାଙ୍କର ଚମତ୍କାର ଅଭିନୟର ଛାପ ଦେଖିବାକୁ ମିଳିଥିଲା ଆମରି ଗାଁ ଝିଅ, ଭାଇ ଭାଇ, ମା, ଛ ମାଣ ଆଠ ଗୁଣ୍ଠ, ଭକ୍ତ ସାଲବେଗ ଓ ସଂସାର ଆଦି ଚଳଚ୍ଚିତ୍ରରେ । ଲକ୍ଷ୍ମୀ, ସ୍ତ୍ରୀ ଓ କା ଭଳି ସିନେମାରେ ତାଙ୍କର ଶ୍ରେଷ୍ଠ ସୃଜନଶୀଳତା ପାଇଁ ତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ବ୍ୟାସକବି ଫକିରମୋହନ ସେନାପତିଙ୍କ ରଚିତ ଛଅ ମାଣ ଆଠ ଗୁଣ୍ଠକୁ ନିଜସ୍ୱ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ରୂପେଲୀ ପରଦାରେ ପ୍ରଦର୍ଶୀତ କରିବା ସହିତ ସେ ସମାଜକୁ ଦେଇଥିଲେ ଏକ ସକରାତ୍ମକ ବାର୍ତ୍ତା । ଯାହା ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଥିଲା ଏକ ମାଇଲ ଖୁଣ୍ଟ । ଅଭିନୟ ଓ ପ୍ରଯୋଜନା ସହିତ ତାଙ୍କ ନିର୍ଦ୍ଦେଶୀତ ଚଳଚ୍ଚିତ୍ରରେ ଥିଲା ନାରୀ ସ୍ୱାଧୀନତା ସଶକ୍ତିକରଣର ପ୍ରେରଣା ।

 

ବର୍ଷିଆନ ପ୍ରଯୋଜକ ଓ ନିର୍ଦ୍ଦେଶକ ଗୁରୁ ପ୍ରସାଦ ଘୋଷଙ୍କୁ ବିବାହ କରିବା ପରେ ମାନସିଂହପାଟଣାର ଚପଳା ନାୟକରୁ ସେ ପାଲଟି ଯାଇଥିଲେ ପାର୍ବତୀ ଘୋଷ । ଯେଉଁ ସମୟରେ ରକ୍ଷଣଶୀଳ ପରିବାରର ଓଡ଼ିଆ ଝିଅମାନେ ସିନେମା ଜଗତରେ ପ୍ରବେଶ କରିବାକୁ ଅନିଚ୍ଛା ପ୍ରକଟ କରୁଥିଲେ ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ଚପଳାଙ୍କ ଚପଳାମି ତିଆରି କରିଥିଲା ଭିନ୍ନ ଏକ ଟ୍ରେଣ୍ଡ । ଯେଉଁଥି ପାଇଁ ଓଲିଉଡରେ ତାଙ୍କୁ ଟ୍ରେଣ୍ଡ୍ ସେଟ୍ଟର ଭାବେ ବିବେଚନା କରାଯାଏ । କଳା ପ୍ରତି ଥିବା ତାଙ୍କର ଦୁର୍ବାର ଝୁଙ୍କ ହିଁ ତାଙ୍କ ପାଇଁ ଆଣି ଦେଇଥିଲା ଅନେକ ସଫଳତା ଓ ସମ୍ମାନ । ପ୍ରଥମ ଓଡିଆ ଝିଅ ଭାବେ ଓଡିଆ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ତାଙ୍କ ସ୍ୱାକ୍ଷର ତାଙ୍କର ଅବର୍ତ୍ତମାନରେ ଜୀବନ୍ତ ହୋଇ ରହିବ ବୋଲି ଚଳଚ୍ଚିତ୍ର ଓ ଭାଷା ସାହିତ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ନିଧନରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଶେଷ ଦର୍ଶନ କରି ଦିବଙ୍ଗତ ଆତ୍ମା ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ ।

 

ମୃତ୍ୟୁ ପରେ ସ୍ୱର୍ଗତ ଘୋଷଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ନିମନ୍ତେ ଅନେକ ଓଡିଆ ସିନେ କଳାକାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପହଂଚି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କର ପୁଅ ଓ ଝିଅ ବିଦେଶରେ ଅବସ୍ଥାପିତ ଅଛନ୍ତି । ସେମାନେ ଫେରିବା ପରେ ମଙ୍ଗଳବାର ତାଙ୍କର ଶେଷ କୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ସଂପନ୍ନ ହେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top