ସଙ୍ଘୀ ଛଡ଼ାଇ ଆଣିବେ ପୋକ୍!

News Story - Posted on 2018-02-12

କିଛି ଭୁଲ କହି ନାହାନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ । ତିନି ଦିନ କାହିଁକି ତିନି ଘଣ୍ଟାରେ ବି ତାଙ୍କ ନେତୃତ୍ୱାଧୀନ ଠେଙ୍ଗାବାଡ଼ି ବାହିନୀ ଭାରତର କୌଣସି ଗାଁ ଓ ସହରରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିପାରିବେ । ଏହି ସଂସ୍ଥାର ଗଠନଠାରୁ ଆଜି ଯାଏଁ ଏହା ବିରୋଧରେ ଏଭଳି ଅନେକ ଅଭିଯୋଗ ରହିଛି । ସେମାନେ ଯାହାକୁ ଶତ୍ରୁ ବୋଲି ବିବେଚନା କରନ୍ତି ତାଙ୍କ ବିରୋଧରେ ଏକେ-୪୭ ବନ୍ଧୁକ, ବୋଫର୍ସ କମାଣ, ପରମାଣୁ ବୋମା ଇତ୍ୟାଦି ବ୍ୟବହାର କରନ୍ତି ନାହିଁ । ଶତ୍ରୁକୁ ମୂଳପୋଛ କରିବା ପାଇଁ ସେମାନଙ୍କ ପାଖରେ ମିଛ, ଗୁଜବ, ପେଟ୍ରୋଲ, ଦେଶୀ ପିସ୍ତଲ ଆଦି ଅସ୍ତ୍ରଶସ୍ତ୍ର ରହିଛି । ଏବକୁ ସେମାନେ ଟୁଇଟର ଓ ଫେସବୁକ୍ ପରି ସୋସିଆଲ ମିଡିଆକୁ ମଧ୍ୟ ଅସ୍ତ୍ର ଭାବେ ବ୍ୟବହାର କଲେଣି । ସେମାନେ ଚାହିଁଲେ ନିମିଷକରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଗୁଜବରେ ମାରି ଦେଇପାରନ୍ତି । ଛଅ ଶତାବ୍ଦୀ ତଳକୁ ଫେରିଯାଇ ବାବରଙ୍କୁ ତାଙ୍କ କବର ଖୋଳି ବାହାର କରିପାରନ୍ତି । ସେମାନଙ୍କ ମାରଣ ଶକ୍ତିର ପରିଚୟ ଏ ଦେଶ ଆଉ କେଉଁଠି ନହେଲେ ମଧ୍ୟ ଗୁଜରାଟରେ ଦେଖିଛି, ୨୦୦୨ ମସିହାରେ ।

 

ଏବେ ଏଇ କଥାକୁ କେବଳ ଦୋହରାଇଛନ୍ତି ମୋହନ ଭାଗବତ । ବିହାରର ମୁଜାଫରପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା ଆରଏସଏସ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ ସେ କହିଛନ୍ତି ଯେ ଦେଶ ପାଇଁ ଦରକାର ହେଲେ ସଂଘ ମାତ୍ର ତିନି ଭିତରେ ସେନା ପ୍ରସ୍ତୁତ କରିପାରିବ । ଏହି କାମ କରିବାକୁ ସେନା ବାହିନୀକୁ ୬ ମାସ ସମୟ ଲାଗେ । ତାଙ୍କର ଏପରି ବୟାନ ବିରୋଧରେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିରୋଧୀ ଦଳର ନେତା ତୀବ୍ର ନିନ୍ଦା କରିବା ପରେ ସଂଘ ତରଫରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । ସଂଘ କହିଛି ଯେ ଭାଗବତ ଭାରତୀୟ ସେନା ସହିତ ସଂଘକୁ ତୁଳନା କରି ନଥିଲେ । ସେ କେବଳ କହିଥିଲେ ଯେ ସମ୍ବିଧାନ ଓ ସରକାର ଚାହିଁଲେ ସଂଘ ଦେଶରେ ସେନା ପରି ଶୃଙ୍ଖଳା ପ୍ରତିଷ୍ଠା କରିପାରିବେ । ଅବଶ୍ୟ ଏହି ସ୍ପଷ୍ଟୀକରଣ ନେତାଙ୍କ ପରି ହୋଇଛି । ନେତାମାନେ ଯେମିତି ଗୋଟେ ଗର୍ହିତ କଥା କହି ସମାଲୋଚନାର ଶରବ୍ୟ ହେବା ପରେ କୁହନ୍ତି ଯେ ମୋ କଥାକୁ କଦର୍ଥ କରାଯାଇଛି, ଏହା ସେହିପରି କଥା ।

 

ଏବେ ମୋହନ ଭାଗବତଙ୍କ ଗୁରୁଭାଇ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି । ଫେବୃଆରୀ ୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ବିତର୍କରେ ଭାଗ ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ସପକ୍ଷରେ ଯୁକ୍ତି କରିବା ପରିବର୍ତ୍ତେ ନେହରଙ୍କୁ ଗାଳି କରି କାଶ୍ମୀର ସମସ୍ୟା କଥା ଉଠାଇଥିଲେ । ସେ କହିଥିଲେ ସେତେବେଳେ ସର୍ଦ୍ଦାର ପଟେଲ ପ୍ରଧାନମନ୍ତ୍ରୀ ହୋଇଥିଲେ ଆଜି କାଶ୍ମୀରର ଖଣ୍ଡେ ପାକିସ୍ତାନ କବ୍ଚାରେ ନଥାନ୍ତା । ଏହା ଅବଶ୍ୟ ଅଲଗା କଥା ଯେ ସର୍ଦ୍ଦାର ପଟେଲ ପ୍ରଧାନମନ୍ତ୍ରୀ ହୋଇଥିଲେ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହିଁ ନଥାନ୍ତା ଓ ମୋଦି ସେଥିରୁ ଜନ୍ମ ନେଇ ନଥାନ୍ତେ । କାରଣ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଏଇ ସର୍ଦ୍ଦାର ପଟେଲ ହିଁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ଉପାସକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ନିଷିଦ୍ଧ କରିଥିଲେ । ହଉ, ସେକଥା ଭୁଲିଯିବା । ହେଲେ ଏବେ ତ ଦେଶପ୍ରେମର ମୂର୍ତ୍ତିମନ୍ତ ଅବତାର ମୋଦି ସାହେବ ପ୍ରଧାନମନ୍ତ୍ରୀ ଅଛନ୍ତି, ସେ କାହିଁକି ପାକିସ୍ତାନରୁ ସେହି କାଶ୍ମୀର ଖଣ୍ଡଟିକୁ ଛିଡ଼େଇ ଆଣୁ ନାହାନ୍ତି? ତାଙ୍କ ପାଖରେ ଥିବା ସେନା ବାହିନୀ ଯଦି ତାହା ପାରୁ ନାହିଁ ତେବେ ସେ ମୋହନ ଭାଗବତଙ୍କ ସେନାପତିତ୍ୱରେ ସଂଘୀମାନଙ୍କୁ ପାକ୍ ଅଧିକୃତ କାଶ୍ମୀରକୁ ପଠାନ୍ତୁ । ପାକିସ୍ତାନୀ କର୍ତ୍ତୃପକ୍ଷ ଯେମିତି ଆତଙ୍କବାଦୀମାନଙ୍କୁ ତାଲିମ ଦେଇ ଭାରତକୁ ଅନୁପ୍ରବେଶ କରାଇ ସେମାନଙ୍କ ଜରିଆରେ କାଶ୍ମୀରରେ ହିଂସା ଓ ଆତଙ୍କବାଦର ପ୍ରସାରଣ କରୁଛି, ଭାଗବତ ସେହିପରି କାର୍ଯ୍ୟରେ ସଂଘୀମାନଙ୍କୁ ନିୟୋଜିତ କରୁନ୍ତୁ । ସେମାନେ ପାକ୍ ଅଧିକୃତ କାଶ୍ମୀରରେ ଯାଇଁ ଭାରତର ତ୍ରିରଙ୍ଗା ଉଡ଼ାଇ ଦେଶପ୍ରେମର ପ୍ରମାଣ ଦିଅନ୍ତୁ ।

 

ମୁଜାଫରପୁରରେ ସେ ତ ନିଜେ କହିଛନ୍ତି ଯେ ସଂଘ କର୍ମୀମାନେ ଦେଶ ପାଇଁ ଆତ୍ମବଳି ଦେବାକୁ ସଦାସର୍ବଦା ପ୍ରସ୍ତୁତ । ସୀମାନ୍ତରେ ସେମାନେ ପାକ୍ ଆତଙ୍କବାଦୀଙ୍କର ମୁକାବିଲା କରି ସେହି ବଳିଦାନର ନିଦର୍ଶନ ଦିଅନ୍ତୁ । ଏପଟେ ଚୀନ ସୀମାନ୍ତରେ, ଲାଦାଖ ଓ ଡୋକଲାମରେ, ସିଆଚୀନ ଗ୍ଲାସିଅରରେ ସଂଘୀମାନେ ଯାଇଁ ଚୀନ ସେନାର ମୁକାବିଲା କରନ୍ତୁ । ପ୍ରଧାନମନ୍ତ୍ରୀ ମୋଦି ଏଥିରେ ସେମାନଙ୍କୁ ସହାୟତା କରନ୍ତୁ । ଏବେ ତ ନେହରୁ ନାହାନ୍ତି କି ତାଙ୍କ ବଂଶର ରାଜୁତି ଚାଲି ନାହିଁ । ସେ ଡରୁଛନ୍ତି କାହିଁକି? ଏମିତି ବି ସ୍ୱୟଂସେବକମାନଙ୍କୁ ତ ସରକାରଙ୍କ ନିର୍ଦ୍ଦେଶର ଆବଶ୍ୟକତା ନାହିଁ । ସେମାନେ ସ୍ୱେଚ୍ଛାରେ ଦେଶମାତୃକାର ସେବା କରିବା ପାଇଁ କାଳେ ଶପଥ ନେଇଛନ୍ତି । ସେଇ ଶପଥ କଥା ମନେ ପକାଇ ଭାଗବତ ଓ ତାଙ୍କର ଅନୁଚର ବର୍ଗ କାଶ୍ମୀର ଓ ତିବ୍ବତରେ ଅନୁପ୍ରବେଶ କରି ନିଜ ଦେଶପ୍ରେମର ପରିଚୟ ଦେଲେ ଜଣାପଡ଼ିବ ଯେ ଭାରତର ସେନା ବାହିନୀ ମହାନ ନା ଆରଏସଏସର ଲାଠି ବାହିନୀ!

 

ସଂଘକୁ ଭାରତୀୟ ସେନାଠାରୁ ଅଧିକ ଦକ୍ଷ ଓ ଦେଶଭକ୍ତ ଭାବେ ଉପସ୍ଥାପିତ କରି ମୋହନ ଭାଗବତ ମୋଦି ସରକାର ଓ ସମଗ୍ର ଦେଶବାସୀଙ୍କୁ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା କି ପ୍ରକାର ଦେଶପ୍ରେମ? ଦେଶ ପାଇଁ ଭାରତର ବୀର ସୈନିକମାନଙ୍କର ବଳିଦାନଠାରୁ କ’ଣ ଗୁଜରାଟ ଦଙ୍ଗା ଓ ଅଯୋଧ୍ୟା ବାବ୍ରି ମସଜିଦ ଭଙ୍ଗା ଘଟଣା ଅଧିକ ଗୌରବାବହ? ଦେଶପ୍ରେମର ନିଦର୍ଶନ? ଆଜି ନହେଲେ ବି କାଲି ଏ ପ୍ରଶ୍ନର ଉତ୍ତର ମାଗିବେ ଦେଶବାସୀ । ସେତେବେଳକୁ ନେହରୁଙ୍କ ପରି ଭାଗବତ ଓ ମୋଦି ନଥାଇ ପାରନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top