ଗୋବର ବୁଦ୍ଧି!

News Story - Posted on 2018-02-11

ଦେବେନ୍ଦ୍ର ପୃଷ୍ଟି

 

ଗୋଟେ ଦୃଷ୍ଟିରୁ ଦେଖିଲେ ଏହା କାଣି ବିଲେଇର କୁଜି ଅସରପା ଉପରେ ଆକ୍ରମଣ । ଅନ୍ୟ ଗୋଟେ ଦୃଷ୍ଟିରୁ ଦେଖିଲେ ଏହା ବିଶୁଦ୍ଧ ଗୋବର ବୁଦ୍ଧି । ଏଥିରେ ସିଂହାସନରେ ବସିଥିବା ନୀଳବର୍ଣ୍ଣ ଶୃଗାଳ ରୂପୀ ବଣର ରାଜାଟିର କ୍ଷତି ହେବା ଜାଗାରେ କାଣି ବିଲେଇର ଗୁଣ୍ଡାଗିରି ପଦାରେ ପଡ଼ିଲା ଯାହା!

 

ହଉ, ମାନିନେବା ଯେ ପାଣ୍ଡିଆନ ମହାଶୟ ସବୁ ନାଟର ଗୋବର୍ଦ୍ଧନ! ନବୀନ ପଟ୍ଟନାୟକ କିଛି ନୁହନ୍ତି । ତେବେ ବି କ’ଣ ଫେବୃଆରୀ ୧୦ ତାରିଖରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଯେଉଁ ଗୋବରାସ୍ତ୍ର ଛାଡ଼ିଲେ ତାହା ଠିକ? ଖାଲି ଗୋବରାସ୍ତ୍ର ମାରି ଅଟକି ଯାଇଥାନ୍ତ ଭଲା! ତାଙ୍କ ଗେଟ୍ ଖୋଲି ଘର ଭିତରେ କାହିଁକି ପଶିଲ? ସେଠି ଫୁଲକୁଣ୍ଡ କାହିଁକି ଭାଙ୍ଗିଲ? ତାଙ୍କ ଘରର କାଚ ଭାଙ୍ଗିଲ କାହିଁକି? ସେତେବେଳେ ସେ ତାଙ୍କ ଘରେ ନଥିଲେ, ତାଙ୍କ ପିଲାଛୁଆ ଥିଲେ । ମହିଳା ଓ ଶିଶୁଙ୍କୁ ଡରେଇ କେଉଁ ଯଶବାନା ଉଡ଼େଇଲ?

 

ପ୍ରତିବାଦର ତରିକ୍କା କ’ଣ ଏଇଆ? ଗଣତନ୍ତ୍ର କ’ଣ ଏଇ ଶିକ୍ଷା ଦେଇଛି? ପ୍ରତିବାଦ କରିବାର ଥିଲା ତ’ ତାଙ୍କ ଘର ଆଗରେ ଦିନଟିଏ କଳା ଛତା ଟାଙ୍ଗି ବସି ରହିଲନି? କିଏ ମନା କରୁଥିଲା? ମୋଦି ବି ତ ମହାତ୍ମାଙ୍କୁ ମାନିଲେଣି । ସେଇ ମହାତ୍ମାଙ୍କ ପ୍ରଦର୍ଶୀତ ମାର୍ଗରେ ଗଲେନି? ସତ୍ୟାଗ୍ରହ କରିଥିଲେ କ’ଣ କଥାଟା ଖରାପ ହୋଇଥାନ୍ତା? ଦିନଟିଏ ଅନଶନ କରିଥିଲେ କ’ଣ ଟୋକାଗୁଡ଼ାଙ୍କର ଦେହ ଭାଙ୍ଗି ଯାଇଥାନ୍ତା?

 

ନା, ସେ ବାଟରେ ସାପ ମରିଥାନ୍ତା ଅଥଚ ବାଡ଼ି ଭାଙ୍ଗି ନଥାନ୍ତା!

 

ରାଜ୍ୟ ବିଜେପିର ମଙ୍ଗୁଆଳଙ୍କୁ କିଏ ଏ ବୁଦ୍ଧି ଦେଲା କେଜାଣି? ଆଜି କାହିଁକି ଧର୍ମେନ୍ଦ୍ର ପ୍ରଧାନ ଏଭଳି ହିଂସାକାଣ୍ଡକୁ ନିନ୍ଦା କରୁଛନ୍ତି? ସେ କ’ଣ ତାଙ୍କ ଦଳର ଟୋକାମାନେ ଏପରି କରିବେ ବୋଲି ଆଗରୁ କିଛି ଜାଣି ନଥିଲେ? ତାଙ୍କ ବିନା ଅନୁମୋଦନରେ ଆଜିକା ବିଜେପିର କେଉଁ ନେତା ଏଭଳି ଏକ ଅପରିଣାମଦର୍ଶୀ କାର୍ଯ୍ୟକ୍ରମକୁ ରୂପ ଦେଲେ? ସେମାନଙ୍କ ପାଇଁ ଦଳର ଭାବମୂର୍ତ୍ତିରେ ଯେଉଁ କ୍ଷତି ହେଲା ତାହାର ଭରଣା କିଏ କରିବ? ଧର୍ମେନ୍ଦ୍ର ଯେଉଁ ହିଂସାକାଣ୍ଡକୁ ଆଜି ନିନ୍ଦା କରୁଛନ୍ତି ତାହା ଭିଆଇଥିବା ଟୋକା ବା ନେତାମାନଙ୍କ ବିରୋଧରେ ତାଙ୍କ ଦଳ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ନା, ବିଜେଡି ବି ଏପରି କରେ ବୋଲି ସଫେଇ ଦେଇ ଚୁପ୍ ରହିବ?

 

କାହା ଘରେ ଗୋବର ଲେପିଦେଲେ ଯଦି ସେ ପବିତ୍ର ହେଇଯାଉଥାଆନ୍ତେ ତ ବୁଝିବାକୁ ହେବ ଏ ଦେଶରେ ମାଟିଘରେ ରହୁଥିବା ଅଧିକାଂଶ ଲୋକ ପବିତ୍ର । ତେବେ, ମୋଦି କାହିଁକି ସମସ୍ତଙ୍କ ଘରକୁ ପକ୍କା କରିବାର ଶପଥ ନେଇଛନ୍ତି? ଆଉ ଗୋବର ଲେପିବା ପରେ ଯଦି ପାଣ୍ଡିଆନ ପବିତ୍ର ହୋଇଗଲେ ବା ତାଙ୍କର ପାପସବୁ ଧୋଇଗଲା, ବିଜେପି ଆଉ ତାଙ୍କ ବିରୋଧରେ ଅଭିଯୋଗ କରିବ ନାହିଁ ତ’? ନା, ଗୋବର ଉପରେ ବି ସଂଘୀମାନଙ୍କର ବିଶ୍ୱାସ ନାହିଁ?

 

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯାହା କହୁଛନ୍ତି ତାହା କ’ଣ ଏକଦମ ଭୁଲ? ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ସେଥିରୁ ତାଲିମ ପାଇ ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରକାରର ସଂଘୀମାନେ ରାଜସ୍ଥାନ, ଗୁଜରାଟ, ହରିଆନା, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ଯେପରି ହିନ୍ଦୁତ୍ୱ ନାମରେ ଗୁଣ୍ଡାଗିରି ପ୍ରଦର୍ଶନ କରୁଛନ୍ତି ତାହା ଓଡ଼ିଶାକୁ ଆମଦାନୀ ହେଲା କି? କେହି ଲେଖକ ତାଙ୍କର ମୁକ୍ତମତ ଦେଲେ ତାଙ୍କୁ ହତ୍ୟା କରିବ? କେହି କାହାକୁ ଭଲ ପାଇଲେ ତାଙ୍କୁ ହତ୍ୟା କରିବ? କେହି ଗୋଟେ ଐତିହାସିକ ବିଷୟକୁ ନେଇ ଫିଲ୍ମ ତିଆରି କଲେ ତାଙ୍କୁ ହତ୍ୟା ଧମକ ଦେବ? କେହି ଗାଈଗୋରୁ ବ୍ୟବସାୟ କଲେ ତାଙ୍କୁ ପିଟିପିଟି ମାରିବ? କେହି ଭାଲେଣ୍ଟାଇନ ଡେ ପାଳିଲେ ତାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବ?

 

ଏଇ କ’ଣ ସ୍ୱାଧୀନତା? ଏଇ କ’ଣ ସ୍ୱତନ୍ତ୍ରତା? ଏଇ କ’ଣ ସମାନତା? ଏଇ କ’ଣ ନ୍ୟାୟ ଓ ଭ୍ରାତୃତ୍ୱଭାବ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସମ୍ବିଧାନକୁ ଦେଶ ଶାସନର ଶ୍ରୀମଦଭଗବଦ ଗୀତା ବୋଲି କହୁଛନ୍ତି । ସଂଘୀମାନେ ତାଙ୍କୁ ବି ମାନନ୍ତି ନାହିଁ କି? ନା, ସେମାନେ ଜାଣିଛନ୍ତି ମୋଦି କେବଳ ଛଳନା କରୁଛନ୍ତି, ତେଣୁ ଆମେ ତାଙ୍କରି ସଂସ୍କାର ଅନୁସାରେ ମୁହଁରେ ଗୋଟେ କଥା କହିବୁ, ଆଉ କାମରେ ଆଉ ଗୋଟେ କଥା କରିବୁ?

 

ହେଲା, ଦେଶରକ୍ଷା ପାଇଁ ବେଳେବେଳେ ଯୁଦ୍ଧ ଦରକାର ପଡ଼େ । ଦେଶର ଲୋକମାନଙ୍କୁ ସୁରକ୍ଷା ଦେବାକୁ ବେଳେବେଳେ ଅସ୍ତ୍ର ଉଠାଇବାକୁ ପଡ଼େ । ଦେଶର ଜାତୀୟ ସଂପଦର ସୁରକ୍ଷା ପାଇଁ ବି ଯୁଦ୍ଧ ଦରକାର ପଡ଼େ । ଓଡ଼ିଶାର ଲକ୍ଷଲକ୍ଷ କୋଟି ଟଙ୍କାର ଖଣିଜ ସଂପଦ ଲୁଟ୍ ହେଉଥିଲାବେଳେ ଏ ଦେଶଭକ୍ତମାନେ କୁଆଡ଼େ ଥିଲେ । ଏବେ ବି ଓଡ଼ିଶାର ଲକ୍ଷଲକ୍ଷ କୋଟି ଟଙ୍କାର ଲଘୁ ଖଣିଜ ପଦାର୍ଥ ଚୋରି ହେଉଛି । ଏ ଦେଶଭକ୍ତମାନେ ସେହି ମାଫିଆମାନଙ୍କ ବିରୋଧରେ କେତେ ଥର ଗୋବରାସ୍ତ୍ର ଛାଡ଼ିଲେଣି? ଯେଉଁମାନେ ପେଟ୍ରୋଲ ଓ ଡିଜେଲ ଜରିଆରେ ଲୋକମାନଙ୍କୁ ଦିନ ଦି’ପହରେ ଲୁଟୁଛନ୍ତି ସେମାନଙ୍କୁ ଏହି ଦେଶଭକ୍ତମାନଙ୍କର ଜବାବ କ’ଣ? ଯେଉଁମାନେ ଦେଶର ସଂପତ୍ତି ନିର୍ଦ୍ଦିଷ୍ଟ କେଇ ଗୋଷ୍ଠୀର ଶିଳ୍ପପତିମାନଙ୍କ ହାତରେ ଟେକି ଦେଉଛନ୍ତି ସେମାନଙ୍କ ବିରୋଧରେ ଏମାନେ କେତେ ଟେକାପଥର ଫିଙ୍ଗିଲେଣି?

 

ଏଇ ମାମୁଲି ବୁଦ୍ଧି ସେମାନଙ୍କ ଦଳର କି କ୍ଷତି କରିବ ସେମାନେ ହୁଏତ ତାହା ଜାଣନ୍ତି ନାହିଁ । ଏଣକି ହେଜନ୍ତୁ, ନିଜକୁ ବଦଳାନ୍ତୁ, ଦେଶ ଆପେ ଆପେ ବଦଳିଯିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top