ସର୍ପକୁଳେ ଜାତ କଲୁ ମତେ...

News Story - Posted on 2018-02-11

ସେମାନେ ସେମାନଙ୍କ ଚେହେରା ଦେଖେଇଲେ । ଆଉ ଏମାନେ ବି ଏମାନଙ୍କ ଚରିତ୍ର ପଦାରେ ପକାଲେ । ପାଣ୍ଡିଆନ ପ୍ରସଙ୍ଗରେ ଏ ଦୁଇ ଗୋଷ୍ଠୀର ଅସଲ ପରିଚୟ ଧରାପଡ଼ିଲା ।

 

ପାଣ୍ଡିଆନ ଜଣେ ସର୍ବଭାରତୀୟ ସେବାର ପ୍ରାଶାସନିକ ଅଧିକାରୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଜର ବ୍ୟକ୍ତିଗତ ସଚିବ ପଦରେ ଅବସ୍ଥାପିତ କରିଛନ୍ତି । ତାଙ୍କ ଉପରେ ତାଙ୍କର ଭରସା ଥିବ । ସେଇ ଭରସାରେ ସେ ତାଙ୍କ ଦ୍ୱାରା ଅନେକ କାର୍ଯ୍ୟ କରାଉଥିବେ । ଯଦି ମୁଖ୍ୟମନ୍ତ୍ରୀ କୌଣସି ଅନୈତିକ ଆଦେଶ ଦେଉଥିବେ ତେବେ ଅବଶ୍ୟ ତାହା ପ୍ରତ୍ୟାଖ୍ୟାନ କରିବାର ଅଧିକାର ପାଣ୍ଡିଆନ ମହାଶୟଙ୍କର ଅଛି । କିନ୍ତୁ ଏଭଳି ସାହସ ଆଜିକାଲି ସଂଖ୍ୟାଧିକ ସରକାରୀ କର୍ମଚାରୀଙ୍କର ନାହିଁ । ସାଧାରଣ ଲୋକ ଓ ସାମ୍ବାଦିକଙ୍କ ପରି ପ୍ରାଶାସନିକ ଅଧିକାରୀମାନେ ମଧ୍ୟ କେଉଁ ଯୁଗରୁ ଦୁର୍ନୀତିର ବଳୟ ଭିତରେ ଫସିଯାଇ ନୈତିକ ସାହସ ଓ ମୂଲ୍ୟବୋଧ ହରାଇସାରିଛନ୍ତି ।

 

ଏହି ନୈତିକ ସାହସ ଓ ମୂଲ୍ୟବୋଧର ଅବକ୍ଷୟ କାରଣରୁ ପାଣ୍ଡିଆନ ଯଦି ବି କିଛି ଭୁଲ କାମ କରୁଥିବେ ତେବେ ସେଥିପାଇଁ ତାଙ୍କୁ ଦାୟୀ କରିବା ଅପେକ୍ଷା ତାଙ୍କୁ ଯିଏ ନିଯୁକ୍ତ କରିଛନ୍ତି ତାଙ୍କୁ ଦାୟୀ କରାଯିବା ଅଧିକ ନ୍ୟାୟସଙ୍ଗତ । ଭାରତୀୟ ଜନତା ପାର୍ଟିର ଯେଉଁ ବୀରପୁରୁଷମାନେ ଏ ସରକାର ଦୁର୍ନୀତିଗ୍ରସ୍ତ ଓ ଦୁରାଚାରୀ ବୋଲି ଅଭିଯୋଗ କରୁଛନ୍ତି ସେମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା କଥା । ତାଙ୍କୁ ଘେରାଉ କରିବା କଥା । ସରକାର ବୋଲି ବୁଝା ଯାଉଥିବା ସଚିବାଳୟ, ବିଧାନସଭା ଘେରାଉ କରିବା କଥା । ତା’ କରି ସେମାନେ ଜଣେ ସାଧାରଣ ସରକାରୀ ଅଧିକାରୀଙ୍କ ସରକାରୀ ବାସଭବନକୁ ଘେରାଉ କରିବାକୁ ଯାଇଁ ଗେଟ୍ ଖୋଲି ଭିତରେ ପଶିବା ଓ ଭଙ୍ଗାରୁଜା କରିବା କଦାପି ସୁସ୍ଥ ଗଣତନ୍ତ୍ରର ପରିଚାୟକ ନୁହେଁ । ଏହା ଶୁଦ୍ଧ ଗୁଣ୍ଡାଗିରି ।

 

ଓଡ଼ିଶାର ଲକ୍ଷଲକ୍ଷ କୋଟି ଟଙ୍କାର ଖଣିଜ ପଦାର୍ଥ ଲୁଟ୍ ହେଲାବେଳେ ସେମାନେ ଏ ପ୍ରକାର ଗୁଣ୍ଡାଗିରି ଦେଖାଇଥିଲେ ତାହାର କିଛିଟା ଯଥାର୍ଥତା ହୁଏତ ଥାଆନ୍ତା । ଡାଲି, ବିହନ, ପାଣି, ଜମି ଓ ଚାରା ଦୁର୍ନୀତି ଆଦି ଅନ୍ୟ ଶହଶହ ଦୁର୍ନୀତିର ମୁକାବିଲା କରିବା କ୍ଷେତ୍ରରେ ବିଜେପି କର୍ମୀମାନଙ୍କର ଏପ୍ରକାର ବୀରତ୍ୱ ଓ ସାହସ କେବେ ଦେଖିବାକୁ ମିଳିନାହିଁ । ଏବେ ସେମାନେ ଯାହା କରିଛନ୍ତି ତାହା ସେମାନଙ୍କର ଅସଲ ପରିଚୟ । ସେମାନେ ସାଧାରଣ ଲୁଟ୍ ହେବା ସହିବେ କିନ୍ତୁ ରାଜନୀତିକ କ୍ଷମତା ପାଇବାକୁ ଗୁଣ୍ଡାଗିରି କରିବେ ।

 

ଆଉ ଏ ଯେଉଁ ପଞ୍ଝାଏ ଶାସକ ଦଳରେ ଅଛନ୍ତି ସେମାନଙ୍କ ଚରିତ୍ର ବି କେମିତି ଫୁଟି ବାହାରୁଛି ଦେଖନ୍ତୁ । ପାଣ୍ଡିଆନଙ୍କ ବିରୋଧରେ ବିଜେପିର ଧର୍ମେନ୍ଦ୍ର ପ୍ରଧାନ, ବିଜେଡିର ବୈଜୟନ୍ତ ପଣ୍ଡାଙ୍କଠାରୁ ଆରମ୍ଭ କରି ଅନେକ ନେତା ଅନେକ ସମୟରେ ସିଧାସଳଖ ଓ ବୁଲେଇବଙ୍କେଇ ଅନେକ କଥା କହିଛନ୍ତି । ସେ କାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିମିଆ କରି ନିଜେ ରାଜ୍ୟ ଚଳାଉଛନ୍ତି- ଦଳ ଓ ସରକାରକୁ ନିୟନ୍ତ୍ରଣରେ ରଖିଛନ୍ତି । ତେବେ ଏଭଳି ଅଭିଯୋଗକୁ ବିଜୁ ଜନତା ଦଳର ମୁଖପାତ୍ରମାନେ ସବୁବେଳେ ଖଣ୍ଡନ କରିଛନ୍ତି । ମାତ୍ର, ପାଣ୍ଡିଆନଙ୍କ ଘରେ ଗୁଣ୍ଡା ପଶିବାରୁ ସେମାନେ କେଇ ମିନିଟ ଭିତରେ ସାମ୍ବାଦିକ ସମ୍ମିଳନୀ ଡାକି ତାହାର ନିନ୍ଦା କଲେ । ତାଙ୍କ ଘରେ ରୁଣ୍ଡ ହୋଇ ଏକତା ପ୍ରଦର୍ଶନ କଲେ । ରାଜ୍ୟର ଅନ୍ୟ ବହୁ ଅଫିସର ଏପରି ଅନେକ କ୍ଷେତ୍ରରେ ଗୁଣ୍ଡାଗିରିର ଶିକାର ହୋଇଛନ୍ତି । ପାଣ୍ଡିଆନଙ୍କ ଉପରେ ଆକ୍ରମଣ ଏକ ବିରଳ ଘଟଣା ନୁହେଁ । ଅନେକ ସମୟରେ ଶାସକ ଦଳ ସହିତ ଜଡ଼ିତ ଅନେକ ଖଣି ମାଫିଆ ଅନେକ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଏଇ ସପ୍ତାହେ ହେଇନି ଯାଜୁପରର ଲଘୁ ଖଣିଜ ମାଫିଆମାନେ ଜଣେ ପରିବହନ ଅଧିକାରୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କଲେ । ତାହାକୁ ବିଜେଡ଼ି ନେତାମାନେ ଏଯାଏଁ ନିନ୍ଦା କରି ନାହାନ୍ତି । ଏଭଳି ଘଟଣାର ସଂଖ୍ୟା ଗଣିଲେ ଗତ ୧୮ ବର୍ଷ ଭିତରେ ଶତାଧିକ ହେବ । କିନ୍ତୁ ପାଣ୍ଡିଆନଙ୍କ ପାଇଁ ପଦାକୁ ବାହାରି ସେମାନେ କ’ଣ ପ୍ରତିପାଦନ କଲେ? ଧର୍ମେନ୍ଦ୍ର ଓ ବୈଜୟନ୍ତ ସତ କହିଛନ୍ତି- ଏଇଆ ନା?

 

ଆଇଏଏସ, ଓଏଏସ ଓ ଅନ୍ୟ କର୍ମଚାରୀ ସଂଗଠନଗୁଡ଼ିକ ଏଭଳି ଘଟଣାକୁ ନିନ୍ଦା କରିବା ସ୍ୱାଭାବିକ । ସେମାନେ ସେମାନଙ୍କ ଗୋଷ୍ଠୀର ସୁରକ୍ଷା ପାଇଁ ସଂଘ ଗଢ଼ିଛନ୍ତି । ମାତ୍ର, ଯେତେବେଳେ ଅନ୍ୟ ବହୁ କ୍ଷେତ୍ରରେ ଅନ୍ୟ ସରକାରୀ ଅଧିକାରୀମାନଙ୍କ ପ୍ରତି ଅନ୍ୟାୟ ହୋଇଛି ସେତେବେଳେ ସେମାନେ ଏମିତି ତତ୍ପରତାର ସହିତ ନିନ୍ଦା କରିଥିଲେ ସେମାନଙ୍କ ଆଚରଣ ନିରପେକ୍ଷ ଓ ନ୍ୟାୟସଙ୍ଗତ ହୋଇଥାନ୍ତା । ଥାନା, ଡାକ୍ତରଖାନା ଓ ତହସିଲ ଆଦି ସରକାରୀ ଅନୁଷ୍ଠାନରେ ଏମିତି ଅନେକ ଅଫିସର ମାଡ଼ ଖାଉଛନ୍ତି । ଏମିତିକି ଜିଲ୍ଲାପାଳ ଅଫିସ, ନିର୍ଦ୍ଦେଶାଳୟ ଓ ସଚିବାଳୟରେ ମଧ୍ୟ ଏଭଳି ଘଟଣା ବିରଳ ନୁହେଁ । କିନ୍ତୁ ଏଭଳି ଅଧିକାଂଶ ଘଟଣାରେ ଆଇଏଏସ ଓ ଓଏଏସ ସଂଘ ମୁଣ୍ଡ ପୂରାଏ ନାହିଁ । ଅଧସ୍ତନ ସରକାରୀ କର୍ମଚାରୀଙ୍କ ସଂଘ ମଧ୍ୟ ସବୁ ଗୁଣ୍ଡାଗିରିର ପ୍ରତିବାଦ କରେ ନାହିଁ । ଏହି ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ କେବେ ବି କୌଣସି ପ୍ରକାର ଦୁର୍ନୀତି ଓ ଲୁଟତରାଜ ବିରୋଧରେ ମୁହଁ ଖୋଲନ୍ତି ନାହିଁ । ଏମାନେ କେବଳ ନିଜ ବିରାଦାରି ପାଇଁ ପଦାକୁ ବାହାରନ୍ତି । ଏବେ ସେମାନେ ପାଣ୍ଡିଆନଙ୍କ ପାଇଁ ବାହାରି ସେଇ ବିରାଦାରିର ପରିଚୟ ଦେଇଛନ୍ତି ।

 

ଏସବୁ ଦେଖି, ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତର ପଦଟିଏ ମନକୁ ଆସୁଛି- ସର୍ପକୁଳେ ଜାତ କଲୁ ମତେ, ସ୍ୱଭାବ ଛାଡ଼ିବି କେମନ୍ତେ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top