ଓଡ଼ିଶାରେ ମଳ-ରାଜନୀତି!

News Story - Posted on 2018-02-10

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଘରେ ପଶି ଭଙ୍ଗାରୁଜା କରିଛନ୍ତି ବିଜେପି କର୍ମୀ ।ସେହି ସମୟରେ ସେ ଘରେ ନଥିଲେ । ଏହି ଘଟଣାରେ ପୁଲିସ ବିଜେପିର ୪ ଜଣ କର୍ମୀଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ୩୦୭ ଦଫା ଲଗାଯାଇଛି । ସେମାନଙ୍କ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି ।

 

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ୬ ନମ୍ବର ୟୁନିଟ ସ୍ଥିତ ସରକାରୀ ବାସଭବନରେ ପ୍ରାୟ ୩୦-୪୦ ବିଜେପି କର୍ମୀ ହାତରେ ଦଳୀୟ ପତାକା ଧରି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଧସେଇ ପଶିଥିଲେ । ପ୍ରଥମେ ସେମାନେ ମୁଖ୍ୟ ଫାଟକରେ ଗୋବର ପକାଇବା ସହ ଫାଟକକୁ ଜୋରରେ ଗୋଇଠା ମାରିଥିଲେ । ଗେଟକୁ ଜବରଦସ୍ତ ଠେଲି ଖୋଲି ଦେଇଥିଲେ । ଭିତରେ ଥିବା ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ସହିତ କ୍ୱାର୍ଟର ପରିସରରେ ପାଟି ତୁଣ୍ଡ କରିଥିଲେ । କେତେକ ବିଜେପି କର୍ମୀ କ୍ୟାମ୍ପସରେ ଥିବା ଫୁଲ କୁଣ୍ଡକୁ ତାଙ୍କ ଘର ଉପରକୁ ଫୋପଡ଼ା ଫିଙ୍ଗା କରିଥିଲେ । ଏଥିରେ ତାଙ୍କ କାଚ ଝରକା ଭାଙ୍ଗି ଯାଇଥିଲା । ଏହି ସମୟରେ ସେମାନେ ସାବଧାନ ପାଣ୍ଡିଆନ ଲେଖାଥିବା ବ୍ୟାନର ଧରିଥିଲେ । ପାଣ୍ଡିଆନ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ କ୍ଷମତାର ଦୁରୁପଯୋଗ କରି ଶାସକ ବିଜୁ ଜନତା ପାଇଁ କାମ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ ।

 

ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ଅଧିକାରୀ ମାନସ ଗଡ଼ନାୟକ ପହଞ୍ôଚଥିଲେ । ପରେ ପରେ ଏସିପି ଅସୀମ ପଣ୍ଡା, ଖାରବେଳନଗର ଅଧିକାରୀ ଅନୁପ କାନୁନଗୋ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ପାଣ୍ଡିଆନଙ୍କ ଘର ଭିତରକୁ ଧସେଇ ପସିଥିବା ୪ ବିଜେପି କର୍ମୀଙ୍କୁ ଗିରଫ କରିଥିଲେ । ପରେ ୪ ଜଣଙ୍କୁ କୋର୍ଟରେ ହାଜର କରିଥିଲା । ସେଠାରେ ମାନ୍ୟବର କୋର୍ଟ ଜାମିନ ନାମଞ୍ଜୁର କରିବାରୁ ସମସ୍ତଙ୍କୁ ଝାରପଡ଼ା ଜେଲକୁ ପଠେଇ ଦିଆ ଯାଇଛି । ଘଟଣା ପରେ ପରେ ଘଟଣା ସ୍ଥଳରେ ପୁଲିସ କମିଶନର ୱାଇବି ଖୁରାନିଆ, ଡ଼ିସିପି ସତ୍ୟବ୍ରତ ଭୋଇ ପହଞ୍ôଚ ସ୍ଥିତି ପରଖିଥିଲେ ।

 

ବିଜେପି କର୍ମୀମାନଙ୍କୁ କ୍ୟାପିଟାଲ ଥାନାର ଜଣେ କନଷ୍ଟେବଳ ଓ ଜଣେ ଏସଆଇ ଗାଡ଼ିରେ କ୍ୟାପିଟାଲ ଥାନାକୁ ନେଉଥିବା ସମୟରେ ବିଜେପି କର୍ମୀମାନେ ଥାନାକୁ ଯିବା ପୂର୍ବରୁ ଗାଡ଼ିକୁ ଜୋରଜବରଦସ୍ତ କଳ୍ପନା ଛକ ଦିଗକୁ ନେଇଯାଇଥିଲେ । ଫଳରେ ଭୟରେ ଦୁଇ ପୁଲିସ କର୍ମଚାରୀ ପୁଣି ଥାନାକୁ ଖବର ଜଣାଇଥିଲେ । ଖବର ପାଇ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ବିଜେପି କର୍ମୀମାନେ ସେମାନଙ୍କୁ ଅପହରଣ କରିଥିଲେ ବୋଲି ଏହି ଏସଆଇ ଓ କନଷ୍ଟେବଳ ଅଭିଯୋଗ କରିଛନ୍ତି ।

 

ପୁଲିସ କମିଶନର ଶ୍ରୀ ଖୁରାନିଆ କହିଛନ୍ତି ପାଣ୍ଡିଆନଙ୍କ ଘରକୁ ଆଉ ଯୋଉ ଯୋଉ ଲୋକମାନେ ଆସି ଫୁଲ କୁଣ୍ଡ ଭାଙ୍ଗିବା ସହ ଗୋବର ମାଡ଼ କରିଥିଲେ ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାର କିଛି ସମୟ ପରେ ମେୟର ଅନ୍ତ ନାରାୟଣ ଜେନାଙ୍କ ସହ ବିଜେଡ଼ିର ଦୁଇ ବିଧାୟକ ପାଣ୍ଡିଆନଙ୍କ ଘରେ ପହଞ୍ଚି ଘଟଣା ବିଷୟରେ ପଚରା ଉଚୁରା କରିଥିଲେ । ପରେ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ମୋଟର ସାଇକେଲ ର୍ୟାଲି ବାହାର କରାଯାଇ ରାଜଧାନୀର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପାଣ୍ଡିଆନଙ୍କ ଘର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରାଯାଇଥିଲା । ସେହିପରି ଭୁବନେଶ୍ୱର ବିଜେଡି ପକ୍ଷରୁ ମେୟର ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଅନେକ ମହିଳା ମଧ୍ୟ ର୍ୟାଲି କରି ବିଜେପି ବିରୋଧରେ ସ୍ଲୋଗାନ ଦେଇଥିଲେ । ବିଜେଡି କର୍ମୀମାନେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଉକ୍ତ କାଣ୍ଡ ଭିଆଇଥିବା କର୍ମୀମାନଙ୍କୁ ଗିରଫ ଦାବି କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top