ଅମ୍ବାନୀକୁ ବିକ୍ରି ହେବ ଗିଫ୍ଟ ପ୍ରେସ୍!

News Story - Posted on 2018-02-09

ଭାରତର ପୂର୍ବ, ମଧ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳରେ ଏକମାତ୍ର ପାଠ୍ୟପୁସ୍ତକ ମୁଦ୍ରଣାଳୟକୁ ଭାରତ ସରକାର ବନ୍ଦ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚଳାଇଛନ୍ତି । ୨୨.୦୯.୨୦୧୭ ତାରିଖ କେନ୍ଦ୍ର କ୍ୟାବିନେଟର ଏକ ନିଷ୍ପତ୍ତି ଅନୁସାରେ ଅନ୍ୟ ୧୧ଟି ମୁଦ୍ରଣାଳୟ ସହ ଏହି ମୁଦ୍ରଣାଳୟକୁ ବନ୍ଦ କରିବାକୁ ସ୍ଥିର କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । କେବଳ ପିଆଇବିର ପ୍ରେସ୍ ନୋଟ୍ ଜରିଆରେ ଏହି ବିଷୟ ପ୍ରଚାରିତ ହେବା ପରେ କେତେକ ମୁଷ୍ଟିମେୟ ଅମଲା ଏହି ପ୍ରେସଗୁଡିକୁ ବନ୍ଦ କରିବା ପାଇଁ ଜୋରଦାର ଚକ୍ରାନ୍ତ ଚଳାଇଛନ୍ତି । ଶୁଣାଯାଉଛି ଏହି ପ୍ରେସଗୁଡ଼ିକୁ ଅମ୍ବାନୀ ଗୋଷ୍ଠୀକୁ ଶାଗମାଛ ମୂଲ୍ୟରେ ହସ୍ତାନ୍ତର କରାଯିବ ।

 

ପ୍ରାଥମିକ ସ୍ତରରେ ମୁଦ୍ରଣ ନିର୍ଦ୍ଦେଶାଳୟ ଜରିଆରେ ବନ୍ଦ ହେଉଥିବା ୧୧ଟି ପ୍ରେସର କର୍ମଚାରୀଙ୍କୁ ନେଇ ଆଧୁନିକୀକରଣ ନାମରେ ୫ଟି ପ୍ରେସରେ ବାଧ୍ୟତାମୂଳକ ଭାବେ ଅବସ୍ତାପିତ କରାଯାଇଛି । ଏହା କର୍ମଚାରୀ ମହଲରେ କୋକୁଆଭୟ ସୃଷ୍ଟି କରିଛି । ଦୀର୍ଘ ୩୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଲହୁଲୁହ ଢ଼ାଳି ପ୍ରେସକୁ ଗଢ଼ି ତୋଳିବାର ପ୍ରଚେଷ୍ଟା ଜାରି ରଖିଥିବା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଚାକିରିର ଶେଷ ସମୟରେ ହଠାତ୍ ବାହାର ରାଜ୍ୟକୁ ବଦଳି କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ହାହାକାର ଏବଂ ଆତଙ୍କ ସୃଷ୍ଟି ହୋଇଯାଇଛି । ଡିସେମ୍ବର ୩୧ ସୁଦ୍ଧା ଭୁବନେଶ୍ୱର ପ୍ରେସ୍ କର୍ମଚାରୀଙ୍କୁ କଲିକତାସ୍ଥିତ ଟେମ୍ପଲ ଷ୍ଟ୍ରିଟ୍ ପ୍ରେସକୁ ବଦଳି କରି ତୁରନ୍ତ ସେଠାରେ ଯୋଗଦେବାକୁ କୁହାଯାଇଛି । ଏ ବିଷୟରେ କର୍ମଚାରୀ ଗଣ ବିଭିନ୍ନ ରାଜନୈତିକ ନେତୃବର୍ଗଙ୍କ ଶରଣାପନ୍ନ ହେଲେ ମଧ୍ୟ କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ବିଚାରାଳୟର ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ରୀୟ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ କର୍ମଚାରୀମାନଙ୍କ ବଦଳି ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ।

 

ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଶିକ୍ଷାର ବିକାଶ ପାଇଁ ୧୯୭୦ ଦଶକରେ ୟୁନେସ୍କୋର ଦାନରେ ତକ୍ରାଳୀନ ପଶ୍ଚିମ ଜର୍ମାନୀ ସରକାରଙ୍କ ସହାୟତାରେ ଆମଦେଶରେ ପ୍ରତିଷ୍ଠା କରାଯାଇଥିବା ୩ଟି ପାଠ୍ୟପୁସ୍ତକ ମୁଦ୍ରଣାଳୟ ମଧ୍ୟରୁ ଭୁବନେଶ୍ୱର ପ୍ରେସ ଅନ୍ୟତମ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶାସନ କାଳ ୧୯୬୨ ମସିହାରେ ପ୍ରସ୍ତାବିତ ଏବଂ ତାଙ୍କର ଜବରଦସ୍ତ ଉଦ୍ୟମ ଫଳରେ ଏହି ଅତ୍ୟାଧୁନିକ ମୁଦ୍ରଣ ଶିଳ୍ପଟି ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିଲା । ତକ୍ରାଳୀନ ରାଜ୍ୟ ସରକାର ଏଥିପାଇଁ ଭୁବନେଶ୍ୱର ଉପକଣ୍ଠସ୍ଥ ଚନ୍ଦ୍ରଶେଖରପୁରଠାରେ ୧୦୦ ଏକର ଜମି ଯୋଗାଇଦେବା ସହ ଘରଦ୍ୱାର, ରାସ୍ତାଘାଟ, ପାଣି ଏବଂ ବିଦ୍ୟୁତ୍ ସରବରାହ ଇତ୍ୟାଦି ସୁବିଧା ଯୋଗାଇ ଦେଇଥିଲେ । ସେହି ଦିନଠାରୁ ଉକ୍ତ ମୁଦ୍ରଣାଳୟ ବହୁବାଧାବିଘ୍ନ ସତ୍ତେ୍ୱ ନିରବଚ୍ଛିନ୍ନ ଭାବେ ଉତ୍ପାଦନ କରି ଆସୁଅଛି । କିନ୍ତୁ ତାହା ସତ୍ତେ୍ୱ ୨୦୦୨ ଏବଂ ୨୦୦୭ ମସିହାରେ ୨ ଥର ଉକ୍ତ ମୁଦ୍ରଣାଳୟକୁ ବନ୍ଦ ଏବଂ ଘରୋଇକରଣ କରିବାର ଅପଚେଷ୍ଟା କରି ବିଫଳ ହେବାପରେ ୨୦୧୭ ମସିହାରେ ପୁନର୍ବାର ଚକ୍ରାନ୍ତ କରି ଏହାକୁ ବନ୍ଦ କରି କଲିକତାସ୍ଥିତ ଟେମ୍ପଲ ଷ୍ଟ୍ରିଟର ୨୦୦ ବର୍ଷର ବ୍ରିଟିଶ୍ ଅମଳର ଏକ ପୁରୁଣା ପ୍ରେସ୍ ସହିତ ମିଶ୍ରଣ କରିବାକୁ ଯୋଜନା କରିଛନ୍ତି ।

 

ଏ ବିଷୟରେ କେନ୍ଦ୍ରରେ ଥିବା ଓଡ଼ିଶାର ୨ ଜଣ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେମାନେ ନଜାଣିଲା ଭଳି ବ୍ୟବହାର କରିଛନ୍ତି । ଓଡ଼ିଶାରୁ ଏକ ଅତ୍ୟାଧୁନିକ ମୁଦ୍ରଣାଳୟକୁ କୌଣସି କାରଣ ନଥାଇ ବନ୍ଦ କରି ଏହାର ବିଦେଶୀ ଯନ୍ତ୍ରପାତିଗୁଡିକୁ ଶାଗମାଛ ଦାମରେ ଶିଳ୍ପପତିମାନଙ୍କୁ ବିକ୍ରି କରିଦେବାର ଅପଚେଷ୍ଟା କରାଯାଉଛି । ଶୁଣାଯାଉଛି ଅମ୍ବାନୀ ଶିଳ୍ପଗୋଷ୍ଠୀକୁ ବନ୍ଦ କରାଯାଉଥିବା ସମସ୍ତ ପ୍ରେସ ହସ୍ତାନ୍ତର କରାଯିବ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରର ଗିଫ୍ଟ ପ୍ରେସରେ ପ୍ରାୟ ୨ ବର୍ଷର ମୁଦ୍ରଣ ଆଦେଶ ପଡ଼ିରହିଥିବା ବେଳେ ମୁଦ୍ରଣ ନିର୍ଦ୍ଦେଶାଳୟର ଅବୈଧ ଆଦେଶ ବଳରେ ସବୁ ମୁଦ୍ରଣକାମକୁ ଏଠାକାର ଅଣ ଓଡ଼ିଆ ଅଧିକାରୀ ବନ୍ଦ କରି ରଖିବା ସହି ମୁଦ୍ରଣାଳୟର ବନ୍ଦ କରିବାକୁ ତ୍ୱରାନ୍ୱିତ ଉଦ୍ୟମ ଚଳାଇଛନ୍ତି ।

 

ପ୍ରଣିଧାନଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ୧୦୦ ଏକର ଲିଜ୍ ଜମି ଉପରେ ୭୦ ଦଶକରେ ଗଢ଼ି ଉଠିଥିବା ଏହି ଗିଫ୍ଟ ପ୍ରେସର ସଂପ୍ରସାରଣ ନହେବାରୁ ପ୍ରାୟ ୪୦ ଏକର ଜମି ପୂର୍ବତଟ ରେଳ ଜୋନକୁ ହସ୍ତାନ୍ତର କରାଯାଇଛି । ସେଠାରେ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ଚାଲିଥିବା ବେଳେ ୨୦୧୩ ମସିହାରେ ଏହି ମୁଦ୍ରଣାଳୟଟି ପୂର୍ବତଟ ରେଳ ଜୋନକୁ ହସ୍ତାନ୍ତର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ୨୦୧୦ ମସିହାରେ ଏହି ମୁଦ୍ରଣାଳୟକୁ ଅଧିଗ୍ରହଣ କରିବାକୁ ପୂର୍ବତଟ ରେଳ ଜୋନର ଆବେଦନକୁ କେନ୍ଦ୍ର ସହରୀ ବିକାଶ ମନ୍ତ୍ରଣାଳୟ ଆଧୁନିକୀକରଣ ନାମରେ ଖାରଜ କରିଦେଇଥିଲେ । କିନ୍ତୁ ବର୍ତ୍ତମାନ ମୁଦ୍ରଣାଳୟର ଆଧୁନିକୀକରଣ ବଦଳରେ ସମ୍ପୂର୍ଣ୍ଣ ବନ୍ଦ କରି ଦେଇ ଏହାର ମୂଲ୍ୟବାନ ବିଦେଶୀ ଯନ୍ତ୍ରପାତିକୁ ଘରୋଇ ସଂସ୍ଥାକୁ ନ୍ୟୁନତମ ମୂଲ୍ୟରେ ବିକ୍ରି କରିଦେବା ସହ କେନ୍ଦ୍ର ସରକାରଙ୍କର ସବୁ ବିଭାଗ ଛାପା କାର୍ଯ୍ୟକୁ ଏଠାରୁ ଯାଇଥିବା ଯନ୍ତ୍ରପାତିରେ ପରିଚାଳିତ ଘରୋଇ ଶିଳ୍ପପତିଙ୍କ ଛାପାଖାନାରେ ଛାପି ତାଙ୍କୁ ମାଲେମାଲ କରିବାକୁ ଚକ୍ରାନ୍ତ ଚାଲିଛି । ଏହାକୁ କ୍ଷତିଗ୍ରସ୍ତ କର୍ମଚାରୀମାନେ ଘୋର ବିରୋଧ କରୁଛନ୍ତି । କିନ୍ତୁ ଏନେଇ ରାଜ୍ୟର ନେତାମାନେ ଏଯାଏଁ ଏହା ବିରୋଧରେ ଥରେ ହେଲେ ବି ସ୍ୱର ଉତ୍ତୋଳନ କରି ନାହାନ୍ତି । ଏହି ମୁଦ୍ରଣାଳୟକୁ ପୂର୍ବତନ ରେଳଜୋନ୍ କିମ୍ବା କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଅଧିଗ୍ରହଣ କରି ଦକ୍ଷତା ବିକାଶ କାର୍ଯ୍ୟରେ ଲଗାଇ ପାରନ୍ତେ କିମ୍ବା ଓଡ଼ିଶା ସରକାର ନେଇ ରାଜ୍ୟ ପାଠ୍ୟ ପୁସ୍ତକ ଯୋଗାଣର ଅଭାବ ଦୂର କରିବାରେ ସହାଚ ହୋଇ ପାରନ୍ତେ ବୋଲି ଜନସାଧାରଣରେ ଦାବି ହେଉଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top