ଚାଲିଗଲେ ଚନ୍ଦ୍ରଶେଖର

News Story - Posted on 2018-02-09

ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଚନ୍ଦ୍ରଶେଖର ରଥଙ୍କ ୮୯ ବୟସରେ ପରଲୋକ ଘଟଛି । କିଛିଦିନ ହେବ ଅସୁସ୍ଥତା ହେତୁ ପ୍ରଫେସର ରଥ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଶୁକ୍ରବାର ଅପରାହ୍ନ ୪ଟା ୧୫ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ରାଜ୍ୟର ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି । ଏଇ ନିକଟରେ ସେ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ ।

 

ବଲାଙ୍ଗିର ମାଲପଡ଼ାରେ ୧୯୨୯ ଅକ୍ଟୋବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିବା ଚନ୍ଦ୍ରଶେଖର ରଥ ଏକାଧାରରେ ଜଣେ ଅଧ୍ୟାପକ, ପ୍ରଶାସକ, ପ୍ରାବନ୍ଧିକ, କବି, ଗାଳ୍ପିକ, ଔପନ୍ୟାସିକ ଏବଂ ଏକାଧରରେ ଜଣେ ସ୍ଥପତି ଓ ଚିତ୍ରଶିଳ୍ପୀ ଭାବେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ । ଓଡିଆ ପ୍ରବନ୍ଧ ଓ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଅତୁଳନୀୟ । ଗଳ୍ପ ଓ ଉପନ୍ୟାସ ରଚନାରେ ସେ ନିଜ ପାଇଁ ସୃଷ୍ଟି କରିଥିଲେ ସ୍ୱତନ୍ତ୍ର ସ୍ଥାନ । ତାଙ୍କ ରଚିତ ଉପନ୍ୟାସ ଯନ୍ତ୍ରାରୁଢ, ଅସୂର୍ଯ୍ୟ ଉପନିବେଶ, କ୍ଷୁଦ୍ରଗଳ୍ପ ନବଯାତକ ଓ କବିତା ସଙ୍କଳନ ପକ୍ଷୀଗାନ ଓ ମୋ ଘର ବହୁତ ଦୂର ପାଠକ ମହଲରେ ବେଶ ଆଦୃତ ହୋଇଥିଲା । ତାଙ୍କର ଅନ୍ୟ କେତେକ ଉଲ୍ଲେଖନୀୟ କୃତି ହେଲା ଅନେକ ବନ୍ୟା ପରେ, ଅଶ୍ୱାରୋହୀର ଗଳ୍ପ ଓ ରଥ ସପ୍ତକ ।

 

ସ୍ୱର୍ଗତ ରଥ ଲକ୍ଷ୍ନୌର କ୍ୟାନିଂ କଲେଜରୁ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ୧୯୫୨ ମସିହାରେ ଇଂରାଜୀ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ୧୯୮୭ ମସିହାରେ ସେ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ । ୨୦୦୮ ମସିହାରେ ଲକ୍ଷେ୍ନø ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଇଂରାଜୀରେ ଡିଲିଟ୍ ଉପାଧି ପ୍ରଦାନ କରାଯିବା ପରେ ୨୦୧୨ରେ ଉକ୍ରଳ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାହିତ୍ୟରେ ଡିଲିଟ୍ ଉପାଧିରେ ସମ୍ମାନିତ କରାଯାଇଥିଲା । ତାଙ୍କର ସାରସ୍ୱତ ସାଧନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ସହିତ ବହୁ ପୁରସ୍କାର ପାଇଥିଲେ । ଚଳିତ ବର୍ଷ ଭାରତ ସରକାରଙ୍କ ପକ୍ଷରୁ ପ୍ରଫେସର ରଥଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ତାଙ୍କର ନିଧନ ଘଟିଛି ।

 

ତାଙ୍କର ନିଧନରେ ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ୱର୍ଗତ ମିଶ୍ରଙ୍କ ଶେଷ ଦର୍ଶନ ପାଇଁ ନୟାପଲ୍ଲୀ ସ୍ଥିତ ବାସଭବନରେ ବହୁ ସାହିତ୍ୟ ଅନୁରାଗୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କର ଭିଡ଼ ଲାଗିଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ସେହିପରି କେନ୍ଦ୍ର ମନ୍ତ୍ରୀ ଜୁଆଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ, ଅସିତ ମହାନ୍ତି, ଗୌରହରି ଦାସ, ଦାଶ ବେନହୁର ପ୍ରମୁଖ ସ୍ୱର୍ଗତ ରଥଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ।

 

ଶନିବାର ଦିନ ତାଙ୍କର ମରଶରୀର ଖଣ୍ଡଗିରି ସ୍ଥିତ ଅରବିନ୍ଦ ଶିକ୍ଷାକେନ୍ଦ୍ରକୁ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ଦର୍ଶନ କରାଯିବ ଏବଂ ସେଠାରୁ ପୁରୀ ଅଭିମୁଖେ ବାହାରି ସ୍ୱର୍ଗଦ୍ୱାରରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରାଯିବ ବୋଲି ତାଙ୍କ ପୁଅ ଶଶିଭୂଷଣ ରଥ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top