ମନ୍ଦିର ହେଉ କି ମସଜିଦ- ଭାରତ ହେଉ!

News Story - Posted on 2018-02-09

ଦେବେନ୍ଦ୍ର ପୃଷ୍ଟି

 

ଏହା କେମିତି ଏକ ଜମି ବିବାଦ ଯେଉଁଥି ପାଇଁ ସାରା ଦେଶରେ ନିଆଁ ଲାଗିଗଲା? ଏହା ଏମିତି ଏକ ଜମି ବିବାଦ ଯେଉଁଥିପାଇଁ ବଦଳୁଛନ୍ତି କେତେ ସରକାର, ଘଟି ଯାଉଛି କେତେ ଦଙ୍ଗା, ନିହତ ହେଉଛନ୍ତି କେତେ ନିରୀହ ଜନତା, ଉଜୁଡ଼ି ଯାଉଛି କେତେ ଲୋକଙ୍କ ଘର ଓ ପରିବାର! ଏହା କେମିତି ଏକ ଜମି ବିବାଦ ଯେଉଁଥିପାଇଁ ଦେଶର ଦୁଇ ମୁଖ୍ୟ ଧାର୍ମିକ ସଂପ୍ରଦାୟ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ଜଳିଚାଲିଛି ବିଭେଦର ନିଆଁ, ବିଦ୍ୱେଷର ଭାବ ଓ ଘୃଣାର ରାଜନୀତି! ଏହା ଏମିତି ଏକ ଜମି ବିବାଦ ଯାହା ଦଶନ୍ଧି ଧଶନ୍ଧି ଧରି ନେତା ଓ ଜନତାଙ୍କୁ ବାନ୍ଧି ରଖିଛି ସଂକୀର୍ଣ୍ଣ ଭାବନା ଭିତରେ । ଏହା ଏମିତି ଏକ ଜମି ବିବାଦ ଯାହାର ସମାଧାନ ଦଶନ୍ଧି ଦଶନ୍ଧି ଧରି ହୋଇପାରୁ ନାହିଁ । ଫଇଜାବାଦର ତଳ କୋର୍ଟରୁ ଆରମ୍ଭ କରି ଆହ୍ଲାବାଦ ହାଇକୋର୍ଟ ଓ ସୁପ୍ରିମ କୋର୍ଟ ବି ଏହାର ସମାଧାନ କରିପାରି ନାହାନ୍ତି । ତଥାପି, ଏହି ବିବାଦର ତୁରନ୍ତ ସମାଧାନ ହେବ ବୋଲି ସମସ୍ତ ପକ୍ଷ ଆଶା କରନ୍ତି । ବିବାଦର ସମାଧାନ ଅବଶ୍ୟ ଦେଶ ପାଇଁ ମଙ୍ଗଳ, ଦେଶବାସୀଙ୍କ ପାଇଁ ମଙ୍ଗଳ ।

 

ଏ ବିବାଦ ହେଉଛି ଉତ୍ତର ପ୍ରଦେଶ ଅଯୋଧ୍ୟାର, ଯେଉଁଠି ଦିନେ ବାବ୍ରି ମସଜିଦ ଥିଲା । ୧୯୯୨ ଡିସେମ୍ବର ୬ ତାରିଖ ପରେ ତାହା ଭାଙ୍ଗି ଯାଇଛି । କିନ୍ତୁ ପଂଚଦଶ ଶତାବ୍ଦୀର ଏହି ମସଜିଦ ପୂର୍ବରୁ ତାହା କାଳେ ଥିଲା ଏକ ମନ୍ଦିର । ସେଠି କାଳେ ହିନ୍ଦୁମାନଙ୍କର ଦେବତା ରାମଚନ୍ଦ୍ର ଜନ୍ମ ହୋଇଥିଲେ । ସେ ଜମି ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ମୁସଲମାନ ସଂପ୍ରଦାୟ । ସେ ଜମିରେ ମନ୍ଦିର ଗଢ଼ିବାକୁ ଦରକାର ହେଲେ ରକ୍ତର ନଦୀ ବୁହାଇବାକୁ ସଂକଳ୍ପ କରିଛନ୍ତି ହିନ୍ଦୁ ଜନତା ।

 

ବିବାଦ ଆଗରୁ ନଥିଲା । ଦେଶ ସ୍ୱାଧୀନ ହେବା ପରଠାରୁ ହିଁ ଏ ବିବାଦ ଧୀରେ ଧୀରେ ପଦାକୁ ଆସିଲା । ପଦାକୁ ଆସିଲା ବିଭେଦ ଓ ବିଦ୍ୱେଷର ରାଜନୀତି । ସରକାର ସେଥିରେ ଫସିଲେ । ସମାଜ ସେଥିରେ ଫସିଲା । ଏହା ହୋଇଗଲା ଏକ ରାଜନୀତିକ ପ୍ରସଙ୍ଗ । କେବଳ ଅଯୋଧ୍ୟା ବା ଉତ୍ତର ପ୍ରଦେଶ ନୁହେଁ, ଏହି ଜମି ବିବାଦ ସଂଚରି ଗଲା ସମଗ୍ର ଭାରତବର୍ଷ । ଆକ୍ରାନ୍ତ କଲା ଭାରତର ଜନ ସମୁଦାୟକୁ, ସାଂପ୍ରଦାୟିକ ସଦଭାବକୁ, ଦେଶର ଏକତା ଓ ଅଖଣ୍ଡତାକୁ । ଏହି ବିବାଦକୁ ଅସ୍ତ୍ର କରି ରାଜନୀତିକ ଓ ଧାର୍ମିକ କର୍ମୀମାନେ ବୁଣି ଚାଲିଲେ ବିଷୟର ମଂଜି, ଯାହାର ଫଳ ଏବେ ସାରା ଦେଶ ଭୋଗୁଛି । ବିଷାକ୍ତ ହୋଇଯାଇଛି ହଜାରେ ବର୍ଷର ଇତିହାସ, ସଂସ୍କୃତି ଓ ସଂପ୍ରୀତି । ସମାଧି ନେଇଛି ସ୍ୱାଧୀନତା ସଂଗ୍ରାମର ଜାତୀୟ ଏକତା । ଆତ୍ମହତ୍ୟା କରିଛି ସାମୂହିକ ବିବେକ ଓ ବୁଦ୍ଧି, ଜାତୀୟ ଭାବନା ଓ ଦେଶପ୍ରେମ ।

 

ଭାରତବର୍ଷ ସାରା ଅଗଣନ ମନ୍ଦିର ଓ ମସଜିଦ । ଜନସଂଖ୍ୟା ବଢ଼ୁଛି । ବଢ଼ି ଚାଲିଛି ମନ୍ଦିର ଓ ମସଜିଦ ସଂଖ୍ୟା । ଦେଶ ଆଗଉଛି । ପ୍ରଗତି ହେଉଛି । ମାଡ଼ି ଚାଲିଛି ବିକାଶର ଧ୍ୱଜା । ବିଜୟ ହେଉଛି ବିଜ୍ଞାନର, ପ୍ରଯୁକ୍ତିର । ଚନ୍ଦ୍ର ପରେ ମଙ୍ଗଳରେ ପହଂଚିଲାଣି ଭାରତ । ତଥାପି ଦେଶ ଯେମିତି ଅଟକି ଯାଇଛି ଅଯୋଧ୍ୟାର ସେଇ କେଇ ଏକର ଜମିରେ । କେହି କାହାର ହକ୍ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । ନ୍ୟାୟର ନିକିତିରେ ତଉଲିବାକୁ ଚେଷ୍ଟା କରାଯାଉଛି ସାଂପ୍ରଦାୟିକ ଭାବନାକୁ, ରାଜନୀତିର ଘୃଣ୍ୟ ଉଦ୍ଦେଶ୍ୟ ନେଇ ତେଜୀୟାନ କରାଯାଉଛି । ନ୍ୟାୟାଳୟର ରାୟକୁ କେହି ମାନିବାକୁ ପ୍ରସ୍ତୁତ ନୁହନ୍ତି । ତଥାପି ନ୍ୟାୟାଳୟ ପରିସରରେ ପକାଇ ରଖାଯାଇଛି ଏହି ମୁର୍ଦ୍ଦାରକୁ । ତାହାର ଗନ୍ଧ ଏତେ ଉକ୍ରଟ ଯେ ଦେଶର ନେତାମାନେ ତାହାକୁ ନିଜ କାନ୍ଧରେ ବୋହିବାକୁ ରାଜି ନୁହନ୍ତି । ଧର୍ମନିରପେକ୍ଷମାନେ ମ୍ରିୟମାଣ । ଧର୍ମାନ୍ଧମାନେ ମୁମୂର୍ଷ । ତଥାପି କୌଣସି ପକ୍ଷ ଏହି ମୁର୍ଦ୍ଦାରର ସଂସ୍କାର କରିବାକୁ ଚାହୁଁ ନାହାନ୍ତି ।

 

ଆହ୍ଲାବାଦ ହାଇକୋର୍ଟଙ୍କର ଲକ୍ଷ୍ନୌ ଖଣ୍ଡପୀଠ ଦେଶ ହିତରେ ସଠିକ ରାୟ ଦେଇଥିଲେ । ଏତେ ଯଦି ମୋହ, ଏତେ ଯଦି ଦାବି, ତେବେ ନିଜ ନିଜ ଭିତରେ ଆଉ ବିବାଦ କର ନାହିଁ । ପରିବାରର ଭାଇ ଭାଇ ଭଳି ଜମିଟିକୁ ସମାନ ତିନି ଖଣ୍ଡ କରି ଭାଗ କରି ନିଅ । ପକ୍ଷ କହିଲେ ତିନି- ନିର୍ମୋହୀ ଆଖଡ଼ା, ରାମଲାଲା ନ୍ୟାସ ସମିତି ଓ ମୁସଲିମ ୱାକଫ ବୋର୍ଡ଼ । ତମେ ତମ ଜମିରେ ମନ୍ଦର ଗଢ଼, ସେମାନେ ତାଙ୍କ ଜମିରେ ମସଜିଦ ଗଢ଼ନ୍ତୁ । ଭାରତବର୍ଷରେ କେଉଁଠି କ’ଣ ମନ୍ଦିର ଓ ମସଜିଦ ପାଖାପାଖି ରହିନାହିଁ? ଜାତୀୟ ବିବାଦର ରୂପ ନେଇଥିବା ଏହି ଜମିରେ ଯଦି ଉଭୟ ସଂପ୍ରଦାୟ ଏକାଠି ମିଶି ମନ୍ଦିର ଓ ମସଜିଦ ଗଢ଼ିବେ ତେବେ ତା’ଠାରୁ ସୁନ୍ଦର ଆଉ କିଛି ହୋଇପାରିବ କି? ଏହା ହୁଅନ୍ତା ଦେଶପ୍ରେମର ସର୍ବଶ୍ରେଷ୍ଠ ଇମାରତ । ସାଂପ୍ରଦାୟିକ ସଦଭାବର ସର୍ବଶ୍ରେଷ୍ଠ ପ୍ରଦର୍ଶନ । କିନ୍ତୁ ତାହା ହୋଇନାହିଁ । ସବୁ ପକ୍ଷ ଯାଇଛନ୍ତି ସୁପ୍ରିମ କୋର୍ଟ ।

 

ଏବେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ଏହାକୁ କେବଳ ଏକ ମାମୁଲି ଜମି ବିବାଦ ଭାବେ ଦେଖୁଛନ୍ତି । ଧାର୍ମିକ ବିବାଦ ଓ ହିଂସାର ଇତିହାସକୁ ଭୁଲି ଯାଇ ସେ ଏହି ଜମି ବିବାଦର ବିଚାର କରିବେ ବୋଲି ଘୋଷଣା କରିଛନ୍ତି । କ’ଣ ହୁଅନ୍ତା ଏହି ଜମିରେ ମନ୍ଦିର କି ମସଜିଦ ନଗଢ଼ି ଡାକ୍ତରଖାନା, ସ୍କୁଲ ବା କଲେଜ ଗଢ଼ିଦେଲେ? କ’ଣ ହୁଅନ୍ତା ସେଠି ଏକ ଅନାଥାଶ୍ରମ କିମ୍ବା ଜରାଶ୍ରମ ତୋଳିଦେଲେ? କିଏ ଶୁଣିବ ମାନବିକତାର ଡାକ- ସୁପ୍ରିମ କୋର୍ଟ ନା ସରକାର?

 

ତଥାପି, ଆଶା କରାଯାଉ, ଏହି ବିବାଦର ସମାଧାନ ହେଉ, ଏତେ ଶୀଘ୍ର ଓ ଏମିତି ନିରପେକ୍ଷ ଭାବରେ ହେଉ ଯେ କେହି ଯେପରି ଏହାକୁ ଆଉ ଏକ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର ନକରନ୍ତୁ, ବରଂ ଦୁଇ ସମୁଦାୟ ଭିତରେ ପ୍ରେମ ଓ ସଦଭାବର ପୁନଃ ସଂସ୍ଥାପନ କରନ୍ତୁ । ଭୁଲି ହୋଇଯାଉ ଅତୀତ ଓ ଇତିହାସ । ବର୍ତ୍ତମାନ ଓ ଭବିଷ୍ୟତର ଭାରତ ପାଇଁ ଏହା ହିଁ ଦରକାର ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top