ମାଳଦ୍ୱୀପରେ ଭାରତ ହସ୍ତକ୍ଷେପ କରୁ

News Story - Posted on 2018-02-09

ମାଳଦ୍ୱୀପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଭାରତ ହସ୍ତକ୍ଷେପ କରିବା ଉଚିତ । ନହେଲେ ଭାରତର ପଡ଼ୋଶୀ ଏହି ଦ୍ୱୀପ ଦେଶଟି ଭାରତର ଶତ୍ରୁପକ୍ଷର କବ୍ଚାକୁ ଚାଲିଯିବାର ସମ୍ଭାବନା ଖୁବ ଅଧିକ । ଭାରତ ସେଠାରେ ସାମରିକ ହସ୍ତକ୍ଷେପ କରିବା ପାଇଁ ସୁଯୋଗ ସହିତ ଯୁକ୍ତି ବି ଅଛି । ସେପରି କରିବାକୁ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ଅନୁରୋଧ କରିଛନ୍ତି । ୧୯୮୮ ମସିହାରେ ତକ୍ରାଳୀନ ରାଷ୍ଟ୍ରପତି ମାମୁନ ଅବ୍ଦୁଲ ଗାୟୁମଙ୍କ ଅନୁରୋଧ କ୍ରମେ ଭାରତ ମାଳଦ୍ୱୀପରେ ସାମରିକ ହସ୍ତକ୍ଷେପ କରିଥିଲା ଓ ଦସ୍ୟୁମାନଙ୍କର ଏକ ବିଦ୍ରୋହ ଦମନ କରି ରାଷ୍ଟ୍ରପତିଙ୍କୁ ମୁକ୍ତ କରିଥିଲା । ଏବେ ମାଳଦ୍ୱୀପରେ ସେହି ପ୍ରକାର ପରିସ୍ଥିତି । ଦେଶରେ ସାମରିକ ଶାସନ ଜାରି ହୋଇ ନଥିଲେ ମଧ୍ୟ ଗଣତନ୍ତ୍ର ଅପହୃତ ହୋଇଯାଇଛି । ଏବେକାର ରାଷ୍ଟ୍ରପତି ଅବ୍ଦୁଲ୍ଲା ୟାମିନ ସେନା ସହାୟତାରେ ହିଁ ଏକଛତ୍ରବାଦ ଚଳାଇଛନ୍ତି ।

 

ସଂପ୍ରତି ଭାରତୀୟ ଉପମହାଦେଶରେ ଭାରତ ଚାରି ପଟେ ଥିବା ଦେଶଗୁଡ଼ିକରେ ଗଣତନ୍ତ୍ର ଦୁର୍ବଳ । ଗଣତନ୍ତ୍ର ନଥିବା ଦେଶଗୁଡ଼ିକର ଆଭିମୁଖ୍ୟ ଭାରତ ପ୍ରତି ଭଲ ନୁହେଁ । ପାକିସ୍ତାନରେ ନାମକୁ ମାତ୍ର ଗଣତନ୍ତ୍ର ଥିଲେ ବି ସେଠା ସରକାର ପାକ୍ ସେନା ଓ ଆତଙ୍କବାଦୀଙ୍କ ବୋଲକରା ଭଳି କାର୍ଯ୍ୟ କରୁଛି । ଏହି ଦେଶଟି ଏକଦା ଭାରତର ଅଂଶବିଶେଷ ଥିଲେ ବି ଦେଶ ବିଭାଜନ ପରଠାରୁ ଆତଙ୍କବାଦକୁ ଅସ୍ତ୍ର କରି ଭାରତକୁ ଖଣ୍ଡବିଖଣ୍ଡିତ କରିବା ଉଦ୍ୟମ ଚଳାଇ ଆସିଛି । ଏହି ଦେଶ ଭାରତକୁ ତା’ର ଏକ ନମ୍ବର ଶତ୍ରୁ ଭାବେ ବିବେଚନା କରୁଛି । ପରିବର୍ତ୍ତିତ ଅନ୍ତର୍ଜାତୀୟ ପରିସ୍ଥିତିରେ ଆଫଗାନିସ୍ତାନ ଏବେ ଭାରତର ମିତ୍ର ହୋଇଥିଲେ ମଧ୍ୟ ଏହି ଦେଶ ଏବେ ମଧ୍ୟ ଆତଙ୍କବାଦରୁ ମୁକ୍ତ ନୁହେଁ । ପାକିସ୍ତାନର ଆତଙ୍କବାଦୀମାନେ ଆଫଗାନିସ୍ତାନକୁ ନିଜର ନିରାପଦ ଆଶ୍ରୟସ୍ଥଳ ଭାବେ ଗ୍ରହଣ କରିଛନ୍ତି ଓ ସେଠାରେ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ପ୍ରାୟ ପ୍ରତିଦିନ ନରସଂହାର ଚଳାଇଛନ୍ତି । ସେଠାକାର ଶକ୍ତିଶାଳୀ ଆତଙ୍କବାଦୀମାନେ ମଧ୍ୟ ଭାରତ ବିରୋଧରେ ଷଡ଼ଯନ୍ତ୍ର ଚଳାଇଛନ୍ତି ।

 

ଭାରତରର ବୃହତ୍ତମ ପଡ଼ୋଶୀ ଚୀନ ସହିତ ଭାରତର ସଂପର୍କ କେତେବେଳ ଉଷ୍ମ ତ କେତେବେଳେ ଶୀତଳ । ଏହି ଦେଶରେ ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସନ ଚାଲିଛି । ରାଜତନ୍ତ୍ରରୁ ମୁକ୍ତ ହେଲା ପରଠାରୁ ଚୀନରେ ଗୋଟିଏ ଦଳର ଶାସନ ବରକରାର ରହିଛି । ସେଠାରେ ଅନ୍ୟ କୌଣସି ରାଜନୀତିକ ଦଳର ଉପସ୍ଥିତି ନାହିଁ । କାହିଁ କେଉଁ ଯୁଗରୁ ଭାରତୀୟ ଜୀବନଧାରା ଓ ସଂସ୍କୃତି ସହିତ ଜଡ଼ିତ ରହିଥିବା ତିବ୍ବତକୁ ଚୀନ ଅକ୍ତିଆର କରିବା ପରଠାରୁ ଭାରତର ଅନ୍ୟ କେତେକ ଅଂଚଳକୁ ମଧ୍ୟ ନିଜ ଭୂଗୋଳରେ ମିଶାଇବାକୁ ଚକ୍ରାନ୍ତ କରି ଆସିଛି । ଅରୁଣାଚଳ ପ୍ରଦେଶ ଓ ସିକ୍କିମର କେତେକ ଅଂଚଳକୁ ନିଜର ବୋଲି ଦାବି କରି ଚୀନ ସରକାର ସୀମାନ୍ତରେ ସାମରିକ ଉତ୍ତେଜନା ସୃଷ୍ଟି କରିବା ସେମାନଙ୍କର ଏକ ସ୍ଥାୟୀ ନୀତି ହୋଇଗଲାଣି । ଭାରତର କେତେକ ଅଂଚଳକୁ ପାକିସ୍ତାନ ମାଡ଼ିବସିବା ପରେ ସେଥିରୁ କିଛି ଅଂଚଳ ଚୀନକୁ ଦେଇସାରିଛି । ଏହି ଅଂଚଳ ଏବେ ଅକ୍ସାଇ ଚୀନ ନାମରେ ପରିଚିତ । ଏବେ ପାକ୍ ଅଧିକୃତ କାଶ୍ମୀର ଦେଇ ଚୀନ ଓ ପାକିସ୍ତାନ ଏକ ଶିଳ୍ପ ଓ ବ୍ୟବସାୟ କରିଡର ନିର୍ମାଣରେ ବ୍ୟସ୍ତ । ତା’ ସହିତ ପାକିସ୍ତାନରେ ସାମରିକ ଘାଟୀ ଓ ବନ୍ଦର ପ୍ରତିଷ୍ଠା କରି ଚୀନ ଭାରତ ବିରୋଧରେ ନିଜର ସାମରିକ ଜାଲ ବିଛାଇବାରେ ଲାଗିଛି ।

 

ସଭ୍ୟତା ଓ ସଂସ୍କୃତି ଦୃଷ୍ଟିକୋଣରୁ ନେପାଳ ଭାରତର ଅତ୍ୟନ୍ତ ଘନିଷ୍ଠ ରାଷ୍ଟ୍ର ହେବା । ଅନେକ ଦିନ ଧରି ଭାରତ ଓ ନେପାଳ ମଧ୍ୟ ଦୁଇ ଭାଇ ଭଳି ଚଳୁଥିଲେ । ନେପାଳର ବିକାଶରେ ଭାରତର ଅନେକ ଅବଦାନ ରହିଛି । କିନ୍ତୁ ଭାରତର ଭୁଲ ନେପାଳ ନୀତି ଯୋଗୁଁ ହେଉ ବା କେତେକ ପ୍ରସଙ୍ଗରେ ଉଦାସୀନତା କାରଣରୁ ହେଉ ନେପାଳ ଏବେ ଭାରତ ଅପେକ୍ଷା ଚୀନ ସହିତ ସଂପର୍କ ଦୃଢ଼ କରିବାକୁ ଅଧିକ ଆଗ୍ରହୀ । ସେଠାରେ ମଧ୍ୟ ଚୀନ ତାଲିମ ପ୍ରାପ୍ତ ମାଓବାଦୀମାନେ ରାଜନୀତିକ ପକ୍ଷ ବିସ୍ତାର କରିସାରିଛନ୍ତି । ଏବେ ସେଠାରେ ମାଓବାଦୀ ଓ କମ୍ୟୁନିଷ୍ଟମାନଙ୍କର ମିଳିତ ସରକାର ହେବାକୁ ଯାଉଛି । ତା’ର କିଛି ବର୍ଷ ପୂର୍ବରୁ ନେପାଳରେ ମାଓବାଦୀ ଆଦର୍ଶର ପ୍ରତିଷ୍ଠାତା ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ମାଓବାଦୀମାନେ କେବେ ଶାନ୍ତିପୂର୍ଣ୍ଣ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ନାହିଁ । ସେଠାକାର ପରିବର୍ତ୍ତିତ ରାଜନୀତିକ ପରିସ୍ଥିତି ଯୋଗୁଁ ଭାରତ-ନେପାଳ ସୀମାରେ ଅନେକ ସମୟରେ ବାଣିଜ୍ୟବ୍ୟବସାୟ ବନ୍ଦ ରହୁଛି । ଏହା ଉଭୟ ଦେଶ ପାଇଁ କ୍ଷତିକାରକ ସାବିତ ହୋଇଛି ।

 

ଭାରତରୁ ଅଲଗା ହୋଇ ପାକିସ୍ତାନ ଓ ପରେ ପାକିସ୍ତାନରୁ ସ୍ୱତନ୍ତ୍ର ହୋଇଥିବା ବାଂଲାଦେଶରେ ମଧ୍ୟ ଗଣତନ୍ତ୍ର ଅତ୍ୟନ୍ତ ଦୁର୍ବଳ । କେଇ ଦଶନ୍ଧି ତଳେ ସେଠାରେ ସାମରିକ ଶାସନ ଚଳାଇଥିବା ଏଚଏମ ଏର୍ସାଦ ଏବେ ଅତୀତ ହୋଇଯାଇଥିଲେ ବି ମୌଳବାଦୀ ଓ ଧର୍ମାନ୍ଧମାନଙ୍କର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ତାମିଲ ଆତଙ୍କବାଦୀଙ୍କ ଯୋଗୁଁ ଏକଦା ଶ୍ରୀଲଙ୍କା ସହିତ ଭାରତର ସଂପର୍କ ଖରାପ ହୋଇଯାଇଥିଲା । ସେହି ସମସ୍ୟା ଏବେ ନାହିଁ । ତଥାପି ଶ୍ରୀଲଙ୍କାରେ ଏବେ ଚୀନର ଉପସ୍ଥିତି ବୃଦ୍ଧି ପାଉଛି । କେବଳ ଭୁଟାନ ଭାରତ ସହିତ ରହିଛି । ଏହାର କାରଣ ଭୁଟାନକୁ ଭାରତ ସାମରିକ ଦୃଷ୍ଟିରୁ ସୁରକ୍ଷା ଦେବାକୁ ଚୁକ୍ତବଦ୍ଧ ।

 

ଭାରତୀୟ ଉପମହାଦେଶରେ ଏଭଳି ଭାରତ ବିରୋଧୀ ଶକ୍ତି ସୁଦୃଢ଼ ହେଉଥିବାବେଳେ ଭାରତ ମହାସାଗରର ଦ୍ୱୀପଦେଶ ମାଳଦ୍ୱୀପରେ ଯଦି ନୂଆକରି ପକ୍ଷ ବିସ୍ତାର କରିଥିବା ଗଣତନ୍ତ୍ର ଲୋପ ପାଇବ ଓ ପୁଣିଥରେ ସେହି ଦେଶରେ ଏକଛତ୍ରବାଦୀ ଶାସନ ଚାଲିବ ତେବେ ତାହା ଭାରତ ପାଇଁ ଶୁଭଙ୍କର ନୁହେଁ । ବର୍ତ୍ତମାନର ରାଷ୍ଟ୍ରପତି ୟାମିନ ଭାରତ ଅପେକ୍ଷା ଚୀନ ସହିତ ଅଧିକ ସଂପର୍କ ରଖିଛନ୍ତି ଏବଂ ଚୀନ ମଧ୍ୟ ମାଳଦ୍ୱୀପରେ ଅନେକ ବିକାଶମୂଳକ ପ୍ରକଳ୍ପରେ ପୁଂଜିନିବେଶ କରିଛି । ଏବେ ସେଠାରେ ୟାମିନ ଯଦି ଏକଛତ୍ରବାଦୀ ଶାସନ ଚଳାଇବାରେ ସଫଳ ହୋଇଯାନ୍ତି ତେବେ ତାହା ଚୀନର ଏକ ଉପନିବେଶରେ ପରିଣତ ହୋଇପାରେ । ଏହି କାରଣରୁ ବେଳ ଗଡ଼ିଯିବା ପୂର୍ବରୁ ଭାରତ ସରକାର ସେଠାରେ ସାମରିକ ହସ୍ତକ୍ଷେପ କରି ବନ୍ଦୀ ପୂର୍ବତନ ରାଷ୍ଟ୍ରପତି ଓ ସୁପ୍ରିମ କୋର୍ଟ ବିଚାରପତିଙ୍କୁ ମୁକ୍ତ କରିବା ସହିତ ସେଠାରେ ସାନି ନିର୍ବାଚନ କରାଇ ନୂଆ ସରକାରକୁ ଦାୟିତ୍ୱ ଦେବା ଯାଏଁ ଶକ୍ତ ଭାବେ ଉପସ୍ଥିତ ରହିବା ଦରକାର ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top