କୁଆଁରୀ

News Story - Posted on 2018-02-09

ଡଃ ରୀନା ରାଉତରାୟ

 

ଅସ୍ତବ୍ୟସ୍ତ ଓ ବିକଳ ହୋଇ ଏଣେ ତେଣେ ଅନେଇଲା କୁଆଁରୀ। କାଖରେ ଛଅ ମାସର ଲଙ୍ଗଳା କଅଁଳ ଛୁଆଟି ଭୋକରେ ଆତୁର ହୋଇ ରାହା ଧରି କାନ୍ଦୁଛି। ଏଣେ ଗାଁ ମୁରବିଙ୍କ ସହିତ ଅନ୍ୟ ଲୋକମାନଙ୍କର ଶାଣିତ ଚାହାଣୀ ଓ ଅନେକ ପ୍ରଶ୍ନ। ଯାହାର ଉତ୍ତର ସିଏ ନିଜେ ବି ଜାଣେନି। କେମିତି ବୁଝେଇବ ବା ସେମାନଙ୍କୁ? ଆଖିରେ ଆଖିଏ ଲୁହ, ପେଟରେ ଭୋକ ଓ ଦେହରେ ଖଣ୍ଡିଏ ସାତ ସିଆଁ ଗାମୁଛା। କୋଳରେ ୬ ମାସର ରୋଗା ଛୁଆକୁ ଧରି ନିଜ ଗାଁକୁ, ନିଜ ଭିଟାମାଟିକୁ ଫେରୁଥିଲା କୁଆଁରୀ। ଦୀର୍ଘ ୨ ବର୍ଷ ପରେ ଟିକିଏ ଆଶ୍ରୟ, ଟିକିଏ ସୁରକ୍ଷା ଓ ଖାଦ୍ୟ ପାଇଁ ବହୁତ ଆଶା କରି ଆସିଛି ସିଏ।

 

ଗାଁର ଜଣେ କଣ୍ଟ୍ରାକ୍ଟର ବାବୁଙ୍କ ପରାମର୍ଶରେ ମାତ୍ର ୧୪ ବର୍ଷ ବୟସରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲା କୁଆଁରୀ। ଦୁଇ  ବର୍ଷ ପରେ ଗାଁକୁ ଫେରିଛି, ସାଙ୍ଗରେ ଅଛି ୬ ମାସର କୁନି ଝିଅଟି। ଗାଁ ଲୋକଙ୍କ ପ୍ରଶ୍ନ ବାଣରେ ସିଏ ଆକ୍ତମାକ୍ତା। କୁଆଁରୀ ତୁ ବାହା ହୋଇଛୁ? ତୋ ଗେରସ୍ତ କାହିଁ? କିଏ ଏଇ ଛୁଆର ବାପା? କ’ଣ ସେ କହିବ ଯାହାର ଉତ୍ତର ସେ ନିଜେ ବି ଜାଣିନି। ଜାଣିନି ସିଏ, କିଏ ତା ଛୁଆର ବାପା?

 

କଣ୍ଟ୍ରାକ୍ଟର ବାବୁ କିଛି ଲୋକଙ୍କୁ ନେଇ ଯାଇଥିଲା ରାଜ୍ୟ ବାହାରେ କାମ କରି ଅଧିକା ମଜୁରୀ ଓ ଅନେକ ସୁଖ ସୁବିଧାର ଲୋଭ ଦେଖାଇ। ଦାରିଦ୍ର୍ୟର ତାଡନାରେ ଅସହାୟ ହୋଇ ରୋଗୀଣା ବା’ କୁ ବହୁତ ବୁଝାଇ ସୁଝାଇ ରାଜ୍ୟ ବାହାରକୁ କାମ ପାଇଁ ଯାଇଥିଲା ସେ। ବହୁତ ପଇସା ରୋଜଗାର କରିବି ବା’, ଶୀଘ୍ର ଫେରିଆସିଲେ ତୋତେ ଡାକତର ପାଖକୁ ନେଇକି ଏଇ ଅଲକ୍ଷଣା ଲଟା କାଶକୁ ଭଲ କରିଦେବି ମୁଁ। ଜମା ବ୍ୟସ୍ତ ହେବୁନି କିଛିଦିନର କଥା ତ। କାମକୁ ଯିବାର ୬ ମାସ ପରେ ଗାଁ ଲୋକଙ୍କ ପାଖରୁ ଖବର ପାଇଲା ବା’ ତାର ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛି। ଦୁଃଖରେ ଭାଙ୍ଗି ପଡ଼ିଲା କୁଆଁରୀ। କାହାପାଇଁ ତେବେ ଆଉ ଗାଁକୁ ଫେରିବି? କେବେ ଇଟା ଭାଟିରେ ତ କେବେ ସୂତା କଳରେ କାମ କରୁଥିଲା। ରହିବା ଖାଇବା କୌଣସିଥିରେ ସୁବିଧା ନ ଥିଲା। ଦିନ ରାତି କାମ କରି ଥକା ହୋଇ ଆସି କ’ଣ ଦି’ଟା ପାଟିରେ ପକାଇ ସମାନେ ସମସ୍ତେ ଧାଡ଼ି ହୋଇ ଶୋଇପଡୁଥିଲେ ଟିଣ ଚାଦର ପକା ଛାତ ତଳେ। ମଜୁରୀ କଥା ପଚାରିଲେ ବାବୁ କହେ ଏକାଥରେ ନେବୁ ସବୁ ପଇସା। ବହୁତ ପଇସା।

 

ଅନେକ ସ୍ବପ୍ନ ଦେଖି ଦେଖି ଶୋଇ ପଡୁଥିଲା ସିଏ। ହଠାତ ନିଦ ଭାଙ୍ଗିଗଲା ତାର, ଅଣନିଃଶ୍ବାସୀ ଲାଗୁଥିଲା କାହାର ଗରମ ନିଃଶ୍ବାସ ଓ ଶକ୍ତ ବାହୁ ବନ୍ଧନୀରେ। କିଏ କିଏ ଚିତ୍କାର କଲାବେଳକୁ ପାଟିରେ ହାତ ଦେଇ ବନ୍ଦ କରି ତା ଦେହକୁ ନିଷ୍ପେଷିତ କରି ଚାଲିଥିଲା ସେହି କଚ କଚ ଅନ୍ଧାରର କାଳ ପୁରୁଷଟା। କୁଆଁରୀ ଧୀରେ ଧୀରେ ନିସ୍ତେଜ ହୋଇ ପଡ଼ିଲା।

 

ସକାଳୁ କଅଁଳିଆ ଖରା ମୁହଁକୁ ପଡ଼ିଲା ବେଳକୁ ଉଠି ଦେଖିଲା କେହି ନାହାନ୍ତି, ସମସ୍ତେ କାମକୁ ବାହାରି ଯାଇଛନ୍ତି। କାହାକୁ କହିବ? କ’ଣ ବା କହିବ? ବହୁତ ଲୁଚେଇ ଲୁଚେଇ କାନ୍ଦିଲା ସେ। ମନକୁ ବୁଝାଇ ପୁଣି କାମକୁ ଗଲା। କ୍ୟାମ୍ପରେ କାମ କରୁଥିବା ପ୍ରତିଟି ପୁରୁଷ ପୁଅଙ୍କୁ ନିରେଖି ନିରେଖି ଅନାଏ କୁଆଁରୀ। କିଏ ଥିଲା ସେ ଲୋକଟି? କିଛି ବି ଜାଣି ପାରେନି।

 

ନିରୀହ ନିଷ୍ପାପ କୁଆଁରୀ ମନର ଆଶଙ୍କା ସତ ହେଲା। କିଛିଦିନ ପରେ ସେ ଗର୍ଭବତୀ ହେଲା। କ୍ୟାମ୍ପରେ ଅନ୍ୟ ସ୍ତ୍ରୀ ଲୋକମାନେ ସତେ ଯେମିତି କିଛି ବି ହୋଇନି ସେମିତି ବ୍ୟବହାର କରୁଥିଲେ। ଗାଁକୁ ନ ଫେରି ସନ୍ତାନଟିକୁ ସେଇଠି ଜନ୍ମ ଦେଲା। କଠିନ ପରିଶ୍ରମ ଓ ପୁଷ୍ଟିହୀନତା ଯୋଗୁ ମା’ ଓ ଛୁଆ ରୋଗଗ୍ରସ୍ତ ହେଲେ। ହଠାତ ଦିନେ ବାବୁ ଆସି ଘୋଷଣା କଲା ଏଠି ଏବେ କାମ ସରିଗଲା, ଏଥର ଅନ୍ୟ ଜାଗାକୁ ଯିବା। ମନା କଲା କୁଆଁରୀ। ମୋ ପାଉଣା ମୋତେ ଦେଇ ଦିଅ ବାବୁ, ମୁଁ ଗାଁକୁ ଫେରିଯିବି। ମନେ ମନେ ଭାବୁଥିଲା, ବହୁତ ପଇସା ତ ହେଇ ଯାଇଥିବ, ଗାଁକୁ ଫେରି ଆମ କୁଡ଼ିଆଟିକୁ ସଜାଡି ମୋ ଝିଅକୁ ଧରି ଗାଁରେ ରହିବି। ମୋ ସହିତ ଯାହା ହେଲା ତାହା ଯେମିତି ମୋ ଝିଅ ସହିତ ନ ହୁଏ।

 

ମନ ଦମ୍ଭ କରି ଗାଁକୁ ଫେରିବାକୁ ଇଛା କଲା ସିଏ। ସେତେବେଳେ କୁଆଁରୀ ବୁଝିପାରୁଥିଲା ଖାଇବାକୁ ନ ଥିଲେ ବି ନିଜ ଗାଁର ପାଣି ପବନ କେତେ ସୁରକ୍ଷିତ ଥିଲା ତା ପାଇଁ। ଟଙ୍କା ହଜାରଟି ଧରେଇ ଦେଇ ବାବୁ କହିଲା ତୋର ହିସାବ ହୋଇଗଲା। ଖାଇବା ଓ ରହିବା ବାବଦକୁ 8 ହଜାର ଟଙ୍କା କଟିଗଲା, ଏବେ ଏତିକି ନେଇକି ଗାଁକୁ ଯିବୁ ଯଦି ଯା। ଏଣେତେଣେ ଅନେଇଲା କୁଆଁରୀ। କେତେ ଟଙ୍କା ଦେବ ବୋଲି ତ ପ୍ରଥମରୁ କିଛି କହି ନ ଥିଲା। କେତେ ଟଙ୍କା ସେ ଦିନକର ମଜୁରୀ ହିସାବରେ ଦେଲା? କିଛି ବି ହିସାବ କରି ପାରୁ ନ ଥିଲା, ଖାଲି ଏତିକି ବୁଝୁଥିଲା ବହୁତ କମ ଟଙ୍କା ପାଇଲା ବୋଲି। ଦିନ ରାତି ଖଟଣି ଅନୁସାରେ ମାତ୍ର ଏତିକି ପଇସା?

 

ତା’ ପରଦିନ କ୍ୟାମ୍ପ ଉଠାଇ ଟ୍ରକରେ ଲୋକଙ୍କୁ ଭର୍ତ୍ତି କରି ପଚାରିଲା ବାବୁ, ଗାଁକୁ ଯିବୁ ନା କାମକୁ ଯିବୁ? ନିଶ୍ଚଳ ହୋଇ ଠିଆ ହୋଇ ରହିଲା କୁଆଁରୀ।  ଉତ୍ତର ନ ପାଇ ଚାଲିଗଲା ବାବୁ। ଗାଁକୁ ଫେରି ଆସିଥିଲା କୁଆଁରୀ। କିଂକର୍ତ୍ତବ୍ୟବିମୁଢ଼ ହୋଇ ଠିଆ ହୋଇଛି ଗାଁ ସଭା ମଝିରେ। ତୁହାକୁ ତୁହା ପ୍ରଶ୍ନ, କହ କିଏ ଏ ଛୁଆର ବାପା? ତୋ ଗେରସ୍ତ କାହିଁ? ବାହା ହେଇଚୁ? ଚୁପ କରି ମୁହଁ ତଳକୁ କରି ଠିଆ ହୋଇଥିଲା ସିଏ। ଉତ୍ତର ନ ପାଇ ବାଛନ୍ଦ କରିଦେଲେ ଗାଁ ବାଲା। ଆଶ୍ଚର୍ଯ୍ୟ ହୋଇ ଯାଉଥିଲା ସିଏ। ବିନା ଚିକିତ୍ସାରେ ବା’ ମୋର ମରିଗଲା  ଅଧା ବୟସରେ, ଗାଁ ବାଲା କୁଆଡ଼େ ଥିଲେ? ମୋତେ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡ଼ିଲା, ଗାଁ ବାଲା କୁଆଡ଼େ ଥିଲେ? ୨ ବର୍ଷ ବାହାରେ ରହିଥିଲି, ମରିଛି କି ବଞ୍ଚିଛି ଖୋଜି ନ ଥିଲେ। ଏବେ ମୋର ଛୁଆଟିର ବାପାର ନାମ ଜାଣିବା କ’ଣ ଏମାନଙ୍କର ଏତେ ଜରୁରୀ? ମୁଁ ତାର ମା’ ସେତିକି ପରିଚୟ କ’ଣ ତା’ର ଯଥେଷ୍ଟ ନୁହେଁ? ସେମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦେବାକୁ କ’ଣ ମୁଁ ବାଧ୍ୟ? ମୋ ଝିଅର ଭବିଷ୍ୟତ କ’ଣ ତେବେ....? ନା...।

 

ଧୀରେ ଧୀରେ ମୁଣ୍ଡ ଟେକି ଠିଆ ହୋଇ ନିଜକୁ ସମ୍ଭାଳୁଥିଲା କୁଆଁରୀ।

 

ଭୁବନେଶ୍ବର,

ମୋ- ୯୪୩୮୨୭୨୧୫୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top