ହରଙ୍କ ହାତରେ ବାଜିବ ଶଙ୍ଖ!

News Story - Posted on 2018-02-09

ହେମାଙ୍ଗ ପ୍ରସାଦ ରାଉଳ

 

୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗଂଜାମ ରାଜନୀତି ସହ ଜଡ଼ିତ କେତେକ ନେତାଙ୍କ ଅଭ୍ୟୁଦୟ ମାର୍ଗ ପ୍ରଶସ୍ତ ହେବାର ସମ୍ଭାବନା ରହିଛି। ଗଂଜାମରେ କଂଗ୍ରେସର ପତନ ପରେ ବିଜୁ ଜନତା ଦଳର ବିଜୟ ଧାରା ଅବ୍ୟାହତ ରହିଛି। ୨୦୧୯ ନିର୍ବାଚନରେ ଜିଲ୍ଲା ରାଜନୀତିରେ ବହୁତ କିଛି ପରିବର୍ତ୍ତନର ସମ୍ଭାବନା ନଥିଲେ ମଧ୍ୟ ଯଦି କୌଣସି ନେତାଙ୍କର ରାଜନୈତିକ ପତିଆରା ବଢ଼ିବାର ସମ୍ଭାବନା ନେଇ ଆଲୋଚନା ହେଉଛି ତେବେ ସେ ହେଉଛନ୍ତି କୋଦଳାର ଚାଟୁଣା ନେତା ହର ସାହୁ।

 

ଜିଲ୍ଲାର ରାଜନୀତିକ ଇତିହାସରେ ଗଂଜାମ ଟାଇଗର ନାମରେ ଖ୍ୟାତ ରାମକୃଷ୍ଣ ପଟ୍ଟନାୟକଙ୍କ ଦୁର୍ଗ କୋଦଳା ନିର୍ବାଚନ ମଣ୍ଡଳୀ ସମ୍ଭାଳିଥିବା ହର ସାହୁଙ୍କୁ ନେଇ ବହୁ କଳ୍ପନା କରିଥିବା ଅଂଚଳବାସୀ ନିରାଶ ହୋଇଥିଲେ ଯେତେବେଳେ ହର ସାହୁ ବିଧାୟକ ପ୍ରାର୍ଥୀ ଭାବେ ଶାସକ ଦଳରେ ଗ୍ରହଣୀୟ ହୋଇ ପାରିଲେ ନାହିଁ। ଖଲିକୋଟ ରାଣୀ ସୁଜ୍ଞାନୀ ଦେବୀ ହିଁ ରାମକୃଷ୍ଣ ପଟ୍ଟନାୟକଙ୍କ ପରେ ସବୁଠୁ ଶକ୍ତିଶାଳୀ ହୋଇ ଖଲିକୋଟ, କବିସୂର୍ଯ୍ୟନଗର ଓ ନୂତନ ଭାବରେ ଗଢ଼ି ଉଠିଥିବା ପୋଲସରା ନିର୍ବାଚନ ମଣ୍ଡଳୀରେ ବେଶ‌୍‍ ଜନପ୍ରିୟ ହେବା ସହ ଅନେକ କର୍ମୀଙ୍କ ପ୍ରତ୍ୟକ୍ଷ ସଂପର୍କ ରଖିଲେ। ହର ସାହୁ କ୍ରମଶଃ ନିଷ୍ପ୍ରଭ ହୋଇଗଲେ ମଧ୍ୟ କୋଦଳା ଏନଏସିରେ ନିଜର ଦୃଢ଼ ସଂଗଠନ ବଜାୟ ରଖିଛନ୍ତି। ଏବେ ତାଙ୍କର ଧର୍ମପତ୍ନୀ କୋଦଳାର ଅଧ୍ୟକ୍ଷା ପଦରେ ଥିବାବେଳେ ହର ସାହୁ ନିଜେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।

 

ସୁଜ୍ଞାନୀଙ୍କ ଶକ୍ତ ଚାଲେଞ୍ଜର ସମ୍ମୁଖୀନ ହୋଇ ମଧ୍ୟ ହର ସାହୁ ନିଜ ଗୋଟି ଚାଳନାରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଜୟୀ ହୋଇଛନ୍ତି। ହର ସାହୁ କୋଦଳାବାସୀଙ୍କ ଗ୍ରହଣୀୟ ହେବାର ଏକମାତ୍ର କାରଣ ତାଙ୍କର କର୍ମୀଙ୍କ ସହ ସୁଦୃଢ଼ ସଂପର୍କ। ଦୁଇ ଦଶନ୍ଧି ତଳେ ସେ ପ୍ରଭୁ ଦଣ୍ଡେଶ୍ୱରଙ୍କ ପୀଠରେ ପୋଲସରା ମାଳ ଅଂଚଳରେ ଆରାଧ୍ୟ ଦେବୀ ଠାକୁରାଣୀ ମା’ ସିଂହାସନୀଙ୍କ ପୀଠକୁ ସାଇକେଲ ଯାତ୍ରାକରି ସମଗ୍ର କୋଦଳା, ପୋଲସରା ଅଂଚଳବାସୀଙ୍କ ଆଖି ଆଗରେ ଉଦୀୟମାନ ଟାଣୁଆ ନେତା ଭାବରେ ଉଦୟ ହୋଇଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ତାଙ୍କ ସହଧର୍ମୀଣୀ କୋଦଳା ନଗରପାଳ ପଦରେ ଆସୀନ ଅଛନ୍ତି। ସ୍ୱାଧୀନ ପ୍ରାର୍ଥୀ ହୋଇ ମଧ୍ୟ କୌଣସି ଦଳର ସହୟତା ନ ନେଇ ଅଂଚଳବାସୀଙ୍କ ସୁଖଦୁଃଖ ଓ ଉନ୍ନତିମୂଳକ ଯୋଜନାରେ ଏହି ଦଂପତ୍ତି ନିଖୁଣ ବିନ୍ଧାଣୀ।

 

ଶୁଣାଯାଉଛି ରାଣୀ ସୁଜ୍ଞାନୀ ଦେବୀଙ୍କ ଶାରୀରିକ ଅସୁସ୍ଥତା କ୍ରମଶଃ ତାଙ୍କୁ ଅବଶ କରିଦେଉଛି। ଏହି କାରଣରୁ ହୁଏତ ସେ ଆଉ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ନରହି ପାରନ୍ତି। ଯଦି ସେ ଆସନ୍ତା ନିର୍ବାଚନରୁ ଦୂରେଇ ରହନ୍ତି ତେବେ ହର ସାହୁଙ୍କ ଉତ୍ଥାନ ସୁନିଶ୍ଚିତ। ତାଙ୍କର ସାଂଗଠନିକ ଶକ୍ତ ିଦୃଷ୍ଟିରୁ ସେ ଉଭୟ କବିସୂର୍ଯ୍ୟନଗର ଓ ଖଲିକୋଟ ନିର୍ବଚାନ ମଣ୍ଡଳୀରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବେ। ହରଙ୍କ ଉପରେ ଦୁଇ ନିର୍ବାଚନ ମଣ୍ଡଳୀର ଭାଗ୍ୟ ଓ ଭବିଷ୍ୟତ ଯୋଡ଼ି ହୋଇଯାଇଛି।

 

ସେହିପରି ପୋଲସରା ନିର୍ବାଚନ ମଣ୍ଡଳୀରେ ଶ୍ରୀକାନ୍ତ ସାହୁଙ୍କ ସ୍ଥିତି ଭଲ ନଥିବାରୁ ତାଙ୍କ ସ୍ଥାନରେ ନିରଂଜନ ପ୍ରଧାନ ପୁନଶ୍ଚ ଗଡ଼ ସମ୍ଭାଳିବାର ସମ୍ଭାବନା ରହିଛି। ହର ଓ ନିରଂଜନଙ୍କ ମଧ୍ୟରେ ସୁଂସପର୍କ ଥିବାରୁ ଆଗାମୀ ଦିନରେ ଏହି ଯୋଡ଼ି ଗଂଜାମ ରାଜନୀତିରେ ଆଉ ଏକ ଇତିହାସ ଲେଖିବେ। କବିସୂର୍ଯ୍ୟନଗର, ଖଲିକୋଟ, କୋଦଳା ଓ ପୋଲସରା ନିର୍ବାଚନ ମଣ୍ଡଳୀରେ ହର ଯଦି ବିଜେଡିର ସାରଥୀ ହୁଅନ୍ତି ତେବେ ଅନେକ ନୂଆ କାହାଣୀ ସୃଷ୍ଟି ହେବ।

 

ବିଜୁ ଜନତା ଦଳ ପାଇଁ ହର ସାହୁ ଯେ ଏକ ଆସେଟ‌୍‍ ହୋଇ ରହିଛନ୍ତି ତାହାର ସଂକେତ ସଂପ୍ରତି ବିଜେପୁର ନିର୍ବାଚନ ମଣ୍ଡଳୀରେ ତାଙ୍କର ଆବିର୍ଭାବରୁ ସ୍ପଷ୍ଯ ହୋଇଯାଇଛି। ଦଳୀୟ ହାଇକମାଣ୍ଡଙ୍କ ବିନା ଅନୁମତିରେ ସେ ସୁଦୂର ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହି ନଥାନ୍ତେ। ସେଠାରେ ହରଙ୍କ ଉପସ୍ଥିତି ଏହା ପ୍ରମାଣିତ କରୁଛି ଯେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଏନଏସି ଜିଣିଥିଲେ ବି ବିଜୁ ଜନତା ଦଳରେ ତାଙ୍କ ସ୍ଥିତି ମଜବୁତ ଅଛି। ଏଥିରୁ ଜିଲ୍ଲା ରାଜନୀତିରେ ସେ ଯେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଛନ୍ତି ତାହାର ସଂକେତ ମିଳୁଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top