ପିପିଟି ପଣ୍ୟ କାରବାର ୧୬% ବୃଦ୍ଧି

News Story - Posted on 2018-02-07

୨୦୧୭ ଏପ୍ରିଲ ମାସରୁ ୨୦୧୮ ଜାନୁଆରୀ ମଧ୍ୟରେ ଦେଶର ବୃହତ ବନ୍ଦରଗୁଡ଼ିକ ମିଳିତ ଭାବେ ୫୬୦.୯୭ ନିୟୁତ ଟନ ପଣ୍ୟ ପରିବହନ ପରିଚାଳନା କରି ୪.୫୮% ଅଭିବୃଦ୍ଧି ହାସଲ କରିଛନ୍ତି । ଗତ ବର୍ଷ ଏହି ଅବଧିରେ ବନ୍ଦରଗୁଡ଼ିକ ୫୩୬.୪୧ ନିୟୁତ ଟନ ପଣ୍ୟ ପରିବହନ କରିଥିଲେ । ଏହି ସମୟ ମଧ୍ୟରେ ପାରାଦୀପ ବନ୍ଦରର ପଣ୍ୟ କାରବାରରେ ୧୬.୦୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

 

୨୦୧୭ ଏପ୍ରିଲରୁ ୨୦୧୮ ଜାନୁଆରୀ ମଧ୍ୟରେ କୋଲକାତା (ହଳଦିଆ ସମେତ), ପାରାଦୀପ, ବିଶାଖାପଟ୍ଟନମ୍, ଚେନ୍ନାଇ, କୋଚିନ୍, ନ୍ୟୁମାଙ୍ଗାଲୋର, ଜେଏନପିଟି ଏବଂ ଦୀନଦୟାଲ ଆଦି ୮ଟି ବନ୍ଦର ଜାହାଜ ଚଳାଚଳ କ୍ଷେତ୍ରରେ ସକରାତ୍ମକ ଅଭିବୃଦ୍ଧି ହାସଲ କରିଛନ୍ତି । ସବୁଠାରୁ ଅଧିକ ପଣ୍ୟ ପରିବହନ (୧୮.୩୬%) ହୋଇଛି କୋଚିନ ବନ୍ଦରରେ । ଏହା ପଛକୁ ଅଛି ପାରାଦୀପ (୧୬.୦୧%), କୋଲକାତା (ହଳଦିଆ ସମେତ) (୧୩.୪୭%), ନ୍ୟୁମାଙ୍ଗାଲୋର (୭.୩୭%) ଏବଂ ଜେଏନପିଟି (୫.୯୫%) ।

 

କୋଚିନ ବନ୍ଦରରେ ବିଶେଷକରି ପିଓଏଲ (ପେଟ୍ରୋଲିୟମ ଆଣ୍ଡ ଲୁବ୍ରିକାଂଟସ) (୨୪.୫୪%), କଂଟେନରସ (୧୧.୪୫%) ଏବଂ ଅନ୍ୟାନ୍ୟ ପଣ୍ୟ (୧.୦୨%) ଯୋଗୁ ଅଭିବୃଦ୍ଧି ହୋଇଛି । କୋଲକାତା ବନ୍ଦରରେ ମୋଟ ଉପରେ ଅଭିବୃଦ୍ଧି ୧୩.୪୭% । କୋଲକାତା ଡକ୍ସିଷ୍ଟମ (କେଡିଏସ୍) ରେ ଜାହାଜ ଚଳାଚଳ ୧.୧୨% ବୃଦ୍ଧି ହୋଇଥିବା ବେଳେ ହଳଦିଆ ଡକ୍ କଂପ୍ଲେକ୍ସ (ଏଚଡିସି)ରେ୧୯.୬୩% ଅଭିବୃଦ୍ଧି ହୋଇଛି, ଯାହାକି ସମସ୍ତ ବନ୍ଦର ମଧ୍ୟରେ ସର୍ବାଧିକ ।

 

୨୦୧୭ ଏପ୍ରିଲରୁ ୨୦୧୮ ଜାନୁଆରୀ ମଧ୍ୟରେ ଦୀନଦୟାଲ (କାଣ୍ଡଲା) ବନ୍ଦର ୯୦.୯୯ ନିୟୁତ ଟନ୍ (୧୬.୨୨% ଅଂଶ) ପଣ୍ୟ ପରିବହନ ହୋଇଥିବା ବେଳେ ଏହା ପଛକୁ ଅଛି ପାରାଦୀପ ବନ୍ଦର (୮୪.୫୭ ନିୟୁତ ଟନ୍/୧୫.୦୮% ଅଂଶ) । ଜେଏନପିଟି ୫୪.୫୨ ନିୟୁତ ଟନ୍ (୯.୭୨% ଅଂଶ)ପଣ୍ୟ ପରିବହନ କରିଥିବା ବେଳେ ମୁମ୍ବାଇ ବନ୍ଦର ୫୨.୭୧ ନିୟୁତ ଟନ୍ (୯.୪୦% ଅଂଶ), ବିଶାଖାପଟ୍ଟନମ ବନ୍ଦର ୫୨.୪୪ ନିୟୁତ ଟନ୍ (୯.୩୫% ଅଂଶ) ପଣ୍ୟ ପରିବହନ କରିଛନ୍ତି । ଏହି ପାଂଚଟି ବନ୍ଦର ମିଳିତ ଭାବେ ବୃହତ ବନ୍ଦରଗୁଡ଼ିକର ୬୦% ପଣ୍ୟ ପରିବହନ କରିଛନ୍ତି ।

 

ପଣ୍ୟୱାରି ପରିବହନ : ପିଓଏଲ୍ ୩୩.୭୪%, କଂଟେନର ୧୯.୭୦%, ଥର୍ମାଲ ଏବଂ ଷ୍ଟିମ୍ କୋଇଲା ୧୩.୭୨%, ଅନ୍ୟାନ୍ୟ ପଣ୍ୟ ୧୨.୦୯%, କୋକିଙ୍ଗ ଏବଂ ଅନ୍ୟାନ୍ୟ କୋଇଲା ୭.୬୦%, ଲୁହାପଥର ଏବଂ ପେଲେଟ୍ ୬.୭୨%, ଅନ୍ୟାନ୍ୟ ତରଳ ପଣ୍ୟ ୪.୧୫%, ପ୍ରକ୍ରିୟାକୃତ ସାର ୧.୧୭% ଏବଂ ଏଫଆରଏମ୍ ୧.୧୧% ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top