ଗୋଆରେ ୮୮ ଖଣିର ଲିଜ୍ ରଦ୍ଦ

News Story - Posted on 2018-02-07

ଗୋଆରେ ୮୮ ଖଣିର ଲିଜ୍ ପଟ୍ଟା ରଦ୍ଦ କରିଛନ୍ତି ସୁପ୍ରିମ କୋର୍ଟ । ଏସବୁ ଖଣିର ଲିଜ୍ ଦ୍ୱିତୀୟ ଥର ପାଇଁ ନବୀକରଣ କରିଥିଲେ ଗୋଆ ସରକାର । ଏହି ସମସ୍ତ ଲୁହା ଖଣି ହୋଇଥିବାରୁ ରାଜ୍ୟରେ ଲୁହା ପଥର ଉତ୍ତୋଳନ ଏକରକମ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ବିଚାରପତି ମଦନ ବି. ଲୋକୁର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ରାୟ ଦେଇ କହିଛନ୍ତି ରାଜ୍ୟ ସରକାର ଦେଶରେ ପ୍ରଚଳିତ ଥିବା ଆଇନ ଓ ସୁପ୍ରିମ କୋର୍ଟଙ୍କ ପୂର୍ବାଦେଶ ଉଲ୍ଲଙ୍ଘନ କରି ଏସବୁ ଖଣିର ଲିଜ୍ ପଟ୍ଟା ନବୀକରଣ କରିଥିଲେ । କୋର୍ଟଙ୍କ ଆଦେଶ ଓ ସଂଶୋଧିତ ଆଇନ ଅନୁସାରେ କୌଣସି ଖଣିର ଲିଜ୍ ଅବଧି କେବଳ ନିଲାମ ଜରିଆରେ ବୃଦ୍ଧି କରାଯାଇ ପାରିବ । ସେହି ଦୃଷ୍ଟିରୁ ଖଣ୍ଡପୀଠ ଏହି ୮୮ ଖଣିର ଲିଜ୍ ପଟ୍ଟା ରଦ୍ଦ କରିବା ସହିତ ନିଲାମ ଜରିଆରେ ସେଗୁଡ଼ିକୁ ପୁଣି ଥରେ ଲିଜ୍ ଦେବାକୁ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଦେଇଛନ୍ତି ।

 

ସେହିପରି ଯେଉଁ ଖଣି କମ୍ପାନୀ ପ୍ରଚଳିତ ଆଇନ ଉଲ୍ଲଙ୍ଘନ କରି ଖଣିଜ ପଦାର୍ଥ ଉତ୍ତୋଳନ ଓ ବିପଣନ କରିଛନ୍ତି ସେମାନଙ୍କଠାରୁ ଖଣିଜ ପଦାର୍ଥ ମୂଲ୍ୟ ଆଦାୟ କରିବାକୁ ଚାର୍ଟାଡ଼ ଆକାଉଣ୍ଟାଣ୍ଟମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ୱତନ୍ତ୍ର ତଦନ୍ତକାରୀ ଦଳ କେଉଁ ଖଣିରୁ କେତେ ମୂଲ୍ୟର ଖଣିଜ ପଦାର୍ଥ ବେଆଇନ ଭାବେ ଉତ୍ତୋଳିତ ହୋଇଛି ତାହା ନିର୍ଦ୍ଧାରଣ କରିବେ । ସେହିପରି ଏସବୁ ଖଣିକୁ ନିଲାମ ପଦ୍ଧତିରେ ପୁନର୍ବାର ଲିଜ୍ ଦିଆଯିବା ପରେ ସେଗୁଡ଼ିକୁ ସାନି ପରିବେଶ ମଂଜୁରୀ ପ୍ରଦାନ କରିବା ପାଇଁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

ସୂଚନାଯୋଗ୍ୟ ଯେ ଏହି ୮୮ ଖଣିର ଲିଜ୍ ଅବଧି ୨୦୦୭ ମସିହାରୁ ଶେଷ ହୋଇଯାଇଥିଲା । ଏହା ପରେ ଖଣି ଦୁର୍ନୀତି ଅଭିଯୋଗ ଉଠିବା ପରେ ସରକାର ସେଗୁଡ଼ିକର ଲିଜ୍ ଅବଧି ବଢ଼ାଇ ନଥିଲେ । କିନ୍ତୁ ୨୦୧୫ ମସିହାରେ ଗୋଆର ବିଜେପି ସରକାର ପିଛିଲା ଭାବେ ଏସବୁ ଖଣିର ଲିଜ୍ ଅବଧିକୁ ଆଉ ୨୦ ବର୍ଷ ପାଇଁ ବଢ଼ାଇ ଦେଇଥିଲେ । ଏବେ ଏହିସବୁ ଖଣିର କାର୍ଯ୍ୟ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ଶେଷ କରିବାକୁ କୋର୍ଟ ଖଣି ପଟ୍ଟାଦାରମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ତା’ ପରଠୁଁ ଏହିସବୁ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

ସୁପ୍ରିମ କୋର୍ଟଙ୍କର ଏହି ରାୟ ପରେ ଓଡ଼ିଶାର କେତେକ ଖଣି ପଟ୍ଟାଦାର ମଧ୍ୟ ବିପଦ ଆଶଙ୍କା କରୁଛନ୍ତି । କାରଣ ଓଡ଼ିଶା ସରକାର ମଧ୍ୟ ବର୍ଷେ ଦୁଇ ବର୍ଷ ଭିତରେ କେତେକ ଖଣିର ଲିଜ୍ ନବୀକରଣ କରିଛନ୍ତି । ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ଅଳ୍ପ କେତେକ ଖଣିକୁ ନିଲାମ ପଦ୍ଧତିରେ ଲିଜ୍ ଦିଆଯାଇଥିଲେ ବି ଅନେକ ଖଣିର ଲିଜ୍ ଅବଧି ପୁରୁଣା ପଦ୍ଧତିରେ ୨୦ ବର୍ଷ ପାଇଁ ବଢ଼ାଇ ଦିଆଯାଇଛି । ଏବେ ଯଦି କେହି ସୁପ୍ରିମ କୋର୍ଟରେ ଏହି ବିଷୟ ଉଠାନ୍ତି ତେବେ ଗୋଆ ରାୟ ଓଡ଼ିଶା କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହେବାର ସମ୍ଭାବନା ରହିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top