ସରକାର ତୁମ କେତେ ମୁହଁ?

News Story - Posted on 2018-02-07

ଦେବେନ୍ଦ୍ର ପୃଷ୍ଟି

 

ଚାରି ମାସରେ ପାଂଚଟା ତଦନ୍ତ ଘୋଷଣା । ପ୍ରଥମେ ସ୍ଥାନୀୟ ପୁଲିସ ଥାନାର ତଦନ୍ତ । ତା’ପରେ ରାଜ୍ୟ ପୁଲିସର ମାନବାଧିକାର ସୁରକ୍ଷା ପ୍ରକୋଷ୍ଠର ତଦନ୍ତ । ସେଥିରେ କିଛି ହେଲାନି ଯେ ପୁଣି କ୍ରାଇମ ବ୍ରାଞ୍ଚ ତଦନ୍ତ । ତା’ପରେ ନ୍ୟାୟିକ ତଦନ୍ତ । ଏବେ ପୁଣି ଘୋଷଣା ହେଲା ଏସଆଇଟି- ସ୍ୱତନ୍ତ୍ର ତଦନ୍ତ ଦଳ ।

 

ଏତେ ସବୁ ତଦନ୍ତ ଘୋଷଣା କେବଳ ଗୋଟିଏ ଘଟଣା ପାଇଁ । ୨୦୧୭ ଅକ୍ଟୋବର ୮ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଗଣଧର୍ଷଣର ଶିକାର ହୋଇଥିବା ୧୪ ବର୍ଷ ବୟସ୍କା ନବମ ଶ୍ରେଣୀ ଝିଅଟିକୁ ନ୍ୟାୟ ଦେବା ନାଁରେ ଏଭଳି ପାଂଚ ପାଂଚ ଥର ତଦନ୍ତ ବଦଳାଇଲେଣି ରାଜ୍ୟ ସରକାର । ସରକାରଙ୍କଠାରୁ ନ୍ୟାୟ ଆଶାରେ ଥିବା ଝିଅଟି ଶେଷରେ ନିରାଶ ହୋଇ ଜାନୁଆରୀ ୨୨ ତାରିଖରେ ଆତ୍ମହତ୍ୟା କରିଦେଲା ।

 

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁନ୍ଦୁଲି ଝିଅର ଗଣଧର୍ଷଣ ଘଟଣାର ତଦନ୍ତ ସ୍ୱତନ୍ତ୍ର ତଦନ୍ତ ଦଳ କରିବେ ବୋଲି ଘୋଷଣା କରିଛନ୍ତି । ତାଙ୍କର ଏହି ଘୋଷଣାରୁ ଅନେକ ସଂକେତ ମିଳୁଛି । ଏହା ପୂର୍ବରୁ ଯେତେ ତଦନ୍ତ ହୋଇଛି ସବୁ ବିଫଳ ହୋଇଛି ବୋଲି ସେ ଯଦି ବୁଝି ନଥାନ୍ତେ ତେବେ କାହିଁକି ପୁଣି ଏକ ନୂଆ ତଦନ୍ତ ଘୋଷଣା କରିଥାନ୍ତେ?

 

ପ୍ରଥମେ ସଂପୃକ୍ତ ଥାନାର ପୁଲିସ ତଦନ୍ତ କଲେ । ସେମାନେ ଧର୍ଷିତାର ଅଭିଯୁକ୍ତମାନଙ୍କୁ ଜେରା କରିବା ପରିବର୍ତ୍ତେ ତା’ର ଆତ୍ମୀୟ ସ୍ୱଜନଙ୍କୁ ଥାନାକୁ ଜେରା କଲେ । ଅଭିଯୋଗ ମିଛ ବୋଲି ସ୍ୱୀକାର କରିବାକୁ ଧମକ ଦେଲେ । ସେମାନେ ସେକଥା ଅଭିଯୋଗ କରିବାରୁ ତଦନ୍ତ କରିବାକୁ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଗୃହ ବିଭାଗର ମାନବାଧିକାର ସୁରକ୍ଷା ପ୍ରକୋଷ୍ଠର ଅଧିକାରୀ । ସେ ବି ଜଣେ ପୁଲିସ । ସେ କେଇ ଘଣ୍ଟାର ତଦନ୍ତ କରି ଘୋଷଣା କଲେ ଯେ ଧର୍ଷଣ ହୋଇନାହିଁ ।

 

ଏତବେଳକୁ ଘଟଣାରେ ବିରୋଧୀ ଦଳସବୁ ମୁଣ୍ଡ ଖେଳେଇଲେଣି । ତେଣୁ ଏଚଆରପିସି ବା ମାନବାଧିକାର ସୁରକ୍ଷା ପ୍ରକୋଷ୍ଠର ତଦନ୍ତକୁ ସେମାନେ ବିରୋଧ କଲେ । ସେଠୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁଲିସ ଡିଜି କ୍ରାଇମ ବ୍ରାଞ୍ଚ ପୁଲିସକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କଲେ । ସେମାନେ ଦିନେ ଦୁଇ ଦିନ ତଦନ୍ତ କରି ରିପୋର୍ଟ କଲେ ଯେ ଏହା ଧର୍ଷଣ ନୁହେଁ, ପ୍ରେମଜନିତ ଘଟଣା! ତା’ ପୂର୍ବରୁ ଅବଶ୍ୟ ଜିଲ୍ଲା ଏସପି ଓ ପୁଲିସ ଡିଜି କହିସାରିଥିଲେ କୌଣସି ଯବାନ ଧର୍ଷଣ କରିନାହାନ୍ତି ।

 

ଏହା ପରେ ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତ ଘୋଷଣା କରି କହିଲେ ଜଣେ କାର୍ଯ୍ୟରତ ବିଚାରପତି ଏହାର ତଦନ୍ତ କରିବେ । କିନ୍ତୁ ଏ ଘୋଷଣା କରିବା ପୂର୍ବରୁ ସେ ବୋଧହୁଏ ନ୍ୟାୟିକ ତଦନ୍ତର ପଦ୍ଧତି ସଂପର୍କରେ କିଛି ଜାଣି ନଥିଲେ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି କାର୍ଯ୍ୟରତ ବିଚାରପତିଙ୍କୁ ତଦନ୍ତ ଦାୟିତ୍ୱ ଦେବା ପୂର୍ବରୁ ସୁପ୍ରିମ କୋର୍ଟ କିମ୍ବା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅନୁମତି ନେବାକୁ ପଡ଼ିବ । ତେଣୁ ୨୦୧୭ ନଭେମ୍ବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତ ଘୋଷଣା କରିଥିଲେ ବି ୨୦୧୮ ଫେବୃଆରୀ ୭ ତାରିଖ ଯାଏଁ ନ୍ୟାୟିକ ତଦନ୍ତ ଆରମ୍ଭ ହୋଇପାରିଲା ନାହିଁ ।

 

ତା’ ଭିତରେ ହଜି ଯାଇଥିବା କ୍ରାଇମ ବ୍ରାଞ୍ଚ ତଦନ୍ତ ରାଜ୍ୟ ଫୋରେନ୍ସିକ ଲାବୋରେଟୋରିରେ ଝିଅଟିର ଅନ୍ତର୍ବାସ ପରୀକ୍ଷା ରିପୋର୍ଟ ଏପଟସେପଟ ଘଟଣାର ତଦନ୍ତ କରିବ ବୋଲି ଘୋଷଣା ହେଲା । ତେଣୁ କ୍ରାଇମ ବ୍ରାଞ୍ଚ ପୁଲିସ ପୁଣି ଥରେ କୁନ୍ଦୁଲି ଗଲେ । ସେମାନେ କି ତଦନ୍ତ କଲେ ତାହା ଏବେ ଯାଏଁ ପଦାକୁ ଆସି ନାହିଁ ।

 

ୟା’ ଭିତରେ ବିଜେଡିର ଦଳିତ ପ୍ରକୋଷ୍ଠର ପ୍ରତିନିଧିମାନେ ଯାଇ ତଦନ୍ତ କରି ଫେରିଥିଲେ ଓ ପ୍ରକୋଷ୍ଠର ମୁଖ୍ୟ ବିଷ୍ଣୁ ଦାସ କହିଥିଲେ ଯେ ଦଳିତ ଝିଅଟିକୁ କୋବ୍ରା ବାହିନୀର ଯବାନମାନେ ଧର୍ଷଣ କରିଛନ୍ତି । ପରେ ସେ କାହା ଚାପରେ କେଜାଣି କଥା ବଦଳାଇଲେ । ରାଜନୀତିକ ଫାଇଦା ପାଇଁ ପହଂଚିଲେ କଂଗ୍ରେସ ଓ ବିଜେପି ଦଳ । ସେମାନେ ବି ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ସିବିଆଇ ତଦନ୍ତ ଦାବି କଲେ । ବିଜେଡି ନେତାମାନେ କହିଲେ ଆମ ତଦନ୍ତ ନିରପେକ୍ଷ । ଦୋଷୀ ନିଶ୍ଚୟ ଧରା ପଡ଼ିବ ।

 

କେଇ ଦିନ ତଳେ ସରୋଜା ପାଣ୍ଡେଙ୍କ ନେତୃତ୍ୱରେ ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଦଳ ଆସି ତଦନ୍ତ କରି ଫେରିଲେ । ସେମାନେ କହିଲେ, ରାଜ୍ୟ ପୁଲିସ ଠିକ ଭାବେ ତଦନ୍ତ କରିନାହିଁ । ତା’ ପରେ ଆସିଲେ ଜାତୀୟ ମାନବାଧିକାର କମିଶନର ଏକ ଦଳ, ରବି ସିଂହଙ୍କ ନେତୃତ୍ୱରେ । ସେମାନେ କୁନ୍ଦୁଲି ଝିଅର ପରିବାରବର୍ଗଙ୍କୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କଲେ, ସ୍ଥାନୀୟ ସମାଜସେବୀ ଓ ସରକାରୀ ଅଧିକାରୀମାନଙ୍କୁ ଭେଟିଲେ ।

 

ଏହା ପରେ ହଠାତ ମୁଖ୍ୟମନ୍ତ୍ରୀ ବୁଝିଗଲେ ଯେ ମାମଲା ଗମ୍ଭୀର । ସେ ତେଣୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘୋଷଣା କଲେ । କିନ୍ତୁ, ଏହି ସ୍ୱତନ୍ତ୍ର ତଦନ୍ତ କରିବ କିଏ? ତାଙ୍କ ବିଭାଗର ପୁଲିସ ନା କେନ୍ଦ୍ର ସରକାରଙ୍କ ସିବିଆଇ? ଏ ସ୍ୱତନ୍ତ୍ର ତଦନ୍ତ ଦଳର ପୁଲିସ କ’ଣ ଓଡ଼ିଶା ଗୃହ ବିଭାଗ ଅଧୀନରେ କାମ କରନ୍ତି ନାହିଁ? ସେମାନଙ୍କୁ ପୁଣି ବାଛିବ କିଏ? ମୁଖ୍ୟମନ୍ତ୍ରୀ ନହେଲେ ତାଙ୍କ ଡିଜି ନହେଲେ ତାଙ୍କ ବିଭାଗର ଅନ୍ୟ କେହି ତ’? ତେବେ ଏଥିରେ ସ୍ୱତନ୍ତ୍ରତା କ’ଣ? ସେଇମାନେ ତ ଏଯାଏଁ ତଦନ୍ତ କରୁଛନ୍ତି!

 

ପୁଣି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହାଇକୋର୍ଟ ଏହି ତଦନ୍ତର ତଦାରଖ କରିବେ? ହାଇକୋର୍ଟ କ’ଣ ମୁଖ୍ୟମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି ଶୁଣି ତଦାରଖ କରିବେ? ନା ସେଥିପାଇଁ ହାଇକୋର୍ଟଙ୍କୁ ରାଜ୍ୟ ସରକାର ଅନୁରୋଧ କରିବେ? ହାଇକୋର୍ଟଙ୍କ ଅନୁମତି ନନେଇ ମୁଖ୍ୟମନ୍ତ୍ରୀ କେମିତି ନିଜ ଆଡ଼ୁ କହିଦେଲେ ଯେ ହାଇକୋର୍ଟ ତଦାରଖ କରିବେ? ହାଇକୋର୍ଟ କ’ଣ ତାଙ୍କ ଦପ୍ତରର ଗୋଟେ ସେକ୍ସନ? ଯଦି ବି ହାଇକୋର୍ଟ ତଦାରଖ କରିବେ ତେବେ ତଦନ୍ତ ଦଳ ହାଇକୋର୍ଟ ଗଠନ କରିବେ ନା ନାହିଁ? ସେଥିପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କୁ ଅନୁରୋଧ କରିବାକୁ ପଡ଼ିବ । ସରକାର କେବେ ଅନୁରୋଧ କରିବେ, ହାଇକୋର୍ଟ କେବେ ସରକାରଙ୍କ ଅନୁରୋଧ ରକ୍ଷା କରିବାକୁ ସମ୍ମତି ଦେବେ, ତାହା ଭବିଷ୍ୟତର କଥା ।

 

ତେବେ, ୨୦୧୭ ଅକ୍ଟୋବର ୮ ତାରିଖରୁ ୨୦୧୮ ଫେବୃଆରୀ ୭ ତାରିଖ ମଧ୍ୟରେ କୁନ୍ଦୁଲି ଝିଅର ଧର୍ଷଣ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କର ଅନେକ ପ୍ରକାର ତଦନ୍ତ ଘୋଷଣା ପରି ଅନେକ ପ୍ରକାର କଥା କହିଛନ୍ତି ରାଜ୍ୟ ପୁଲିସ, ଫୋରେନ୍ସିକ ଲାବୋରେଟୋରି, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଓ ଶାସକ ଦଳର ନେତାମାନେ । ଯବାନ ଧର୍ଷଣ କରିନାହାନ୍ତି । ଧର୍ଷଣ ହୋଇନାହିଁ । ପ୍ରେମଜନିତ ଘଟଣା । ଝିଅର ସତୀତ୍ୱ ଅକ୍ଷୁର୍ଣ୍ଣ ଅଛି । ଝିଅ ମାନସିକ ଭାବେ ଦୁର୍ବଳ । ତା’ ଅନ୍ତର୍ବାସରେ ଦୁଇ ଜଣ ପୁରୁଷଙ୍କ ଶୁକ୍ର ଲାଗିଥିଲା । ନା, ସେଥିରେ ସେଭଳି କିଛି ଲାଗି ନଥିଲା । ହଁ, ଯାହା ଲାଗିଥିଲା ତାହା ପୁରୁଷର ଶୁକ୍ର ନୁହେଁ ନାରୀର ଯୋନିରସ । ଏଥିରୁ ଅନେକ କଥା ପରସ୍ପର ବିରୋଧୀ ।

 

ଆଉ ଏହି ସମୟ ମଧ୍ୟରେ କେବେ ବି କଥା ବଦଳାଇ ନଥିଲେ ସେହି ପୀଡ଼ିତା, ଯିଏ ଏବେ ମୃତା । ସେ, ତାଙ୍କ ମା, ତାଙ୍କ ସଂପର୍କୀୟ ଭାଇ, ତାଙ୍କ ଖୁଡ଼ି, କେହି ହେଲେ ଏହି ସମୟ ମଧ୍ୟରେ କଥା ବଦଳାଇ ନାହାନ୍ତି । ବରଂ ସେମାନେ ଆହ୍ୱାନ ଦେଇଛନ୍ତି, ଯଦି ସେମାନେ ମିଛ କହୁଛନ୍ତି ସେମାନଙ୍କୁ ଫାଶୀ ଦିଆଯାଉ । ସେମାନେ ପୁଲିସ ଯାଚିଥିବା ଲାଞ୍ଚ ପ୍ରତ୍ୟାଖ୍ୟାନ କରିଛନ୍ତି । ଅଭିଯୋଗ କରିଛନ୍ତି, ପୁଲିସ ସେମାନଙ୍କୁ ଧମକ ଦେଇଛି । ଝିଅର ସୁଇସାଇଡ ନୋଟ ନେଇଯାଇଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଝିଅକୁ ସୁଯୋଗ ଦିଆଯାଇ ନାହିଁ ଅର୍ଥାତ ଟିଆଇ ପ୍ୟାରେଡ ହୋଇନାହିଁ ।

 

ତେବେ କାହାର କେତେଟା ମୁହଁ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top