ପୌରସଂସ୍ଥା ଦାୟିତ୍ୱ ତୁଲାଉ ନାହିଁ

News Story - Posted on 2018-02-07

କିଶୋର କୁମାର ପଟ୍ଟନାୟକ

 

ସ୍ଥାନୀୟ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାପାଳ ଡଃ ଅଜିତ ମିଶ୍ର ମୁନିସିପାଲିଟିର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନବରଙ୍ଗପୁର ସହରର ଅବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରିବା ସହ ଏହାର ସମାଧାନ ପାଇଁ ସେ ଜନ ସାଧାରଣଙ୍କ ସେଯୋଗ କାମନା କରିଥିଲେ। ନୂତନ ଭାବେ ସେ କାର୍ଯ୍ୟରେ ଯୋଗ ଦେବାପରେ ନବରଙ୍ଗପୁର ସହର ବୁଲି ଯାହା ଅନୁଭବ କଲେ ସେ ସଂମ୍ପର୍କରେ ଡଃ ମିଶ୍ର ଗଣମାଧ୍ୟମକୁ ଅବଗତ କରିଥିଲେ।

 

ତାଙ୍କ କହିବାନୁଯାୟୀ, ନବରଙ୍ଗପୁର ପୌରାଞ୍ଚଳରେ ବହୁ ସମସ୍ୟା ରହିଛି। ସହରଟି ଅଳିଆ ଆବର୍ଜନାରେ ଭରପୂର ରହିଛି। ପର୍ଯ୍ୟାପ୍ତ ପରିମାଣରେ ଡଷ୍ଟବିନ ଓ ସୁଇପରମାନେ ନଥିବା ସେ ଆଶଙ୍କା ପ୍ରକାଶ କରିଥିଲେ। ସୁଇପରମାନେ ସେମାନଙ୍କ ୟୁନିଫର୍ମ ପରିଧାନ କରୁନଥିବା ସେ ଅଭିଯୋଗ ଉଠାଇଥିଲେ। ସହରର ଉପକଣ୍ଠରେ ଆଲୋକିକରଣ କରାଯାଇଥିବାବେଳେ ସହର ଭିତରେ ଅନ୍ଧାର ରହୁଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ସହରର ପରିମଳ ବ୍ୟବସ୍ଥା ସଂମ୍ପର୍କରେ ମତ ରଖିବା ଅବସରରେ ସେ ସହରରେ ନାଳ ନର୍ଦ୍ଦମା ଆବର୍ଜନାରେ ଭରପୂର ରହିଥିବା ପ୍ରକାଶ କରିଥିଲେ। ସହର ମଧ୍ୟଦେଇ ଯେଉଁ ଜାତୀୟ ରାଜପଥ ଯାଇଛି ସେହି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ନାଳ ଖୋଲା ରହିଛି। ଏହାବ୍ୟତୀତ ନାଳ ଉପରେ ପ୍ଲେଟ ବନ୍ଦ ରଖାଯାଇଥିବା ଅଞ୍ଚଳରେ ଆବର୍ଜନା ପୂର୍ଣ୍ଣ ରହିଛି। ଏହା ଆଗାମୀ ଦିନରେ ସହରବାସୀଙ୍କୁ ସମସ୍ୟା ସୃଷ୍ଟି କରିବ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ।

 

ସହରରେ ଆମୋଦ ପ୍ରମୋଦ ପାଇଁ ରହିଥିବା ପାର୍କଗୁଡିକର ପୁନଃ ଉଦ୍ଧାର କରିଯିବ ବୋଲି ସେ ସୂଚନା ଦେଇଥିଲେ। ଏହାବ୍ୟତୀତ ପର୍ଯ୍ୟଟନ ମାନ୍ୟତା ପାଇଥିବା ହିର୍ଲୀ ଡଙ୍ଗରର ଉନ୍ନତି କରଣ କରିବା ପାଇଁ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ। ସହରକୁ ଲାଗିକିଥିବା ଜିଲ୍ଲାର ଏକ ମାତ୍ର କାରାଖାନା ମଙ୍ଗଳମ ଟିମ୍ୱର ରାସ୍ତାର ଦୁରାବସ୍ଥାକୁ ଦେଖି ସେ ଚିନ୍ତିତ ହୋଇପଡିଥିବା କହିଥିଲେ। ଏହି ରାସ୍ତାର ଧୂଳି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହେବାସହ ଏହାଦ୍ୱାରା ଜନସାଧାରଣ ଆସ୍ଥାମା ଓ ଯକ୍ଷ୍ନା ରୋଗରେ ଆକ୍ରାନ୍ତ ହେବେ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ। ସହରର ଟ୍ରାଫିକ ସମସ୍ୟା ସମ୍ପର୍କରେ ଆଲୋଚନା ଅବସରରେ ସହରର ୨୬ ନମ୍ୱର ରାଜପଥରେ ଥିବା ସଂକୀର୍ଣ୍ଣ ଅଞ୍ଚଳଗୁଡିକରେ ଜବରଦଖଲ ଉଛେଦ ପାଇଁ ସେ ସବକଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଥିଲେ।

 

ସେ ଏ ସଂର୍କରେ ବିସ୍ତୃତ ଆଲୋଚନା ପାଇଁ ବୁଧବାର ଦିନ ସହରର ବୁଦ୍ଧିଜିବୀ, ସାମ୍ୱାଦିକ, ବାର ଏସୋସିଏସନ,ବ୍ୟବସାୟୀ ଆଦି ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ବୈଠକ ଜିଲ୍ଲାପାଳ ଡାକିଛନ୍ତି। ଏହି କାର୍ଯ୍ୟରେ ସେ ସହରର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top