ଆର୍ଥିକ ଅସମାନତା- ଗୃହଯୁଦ୍ଧର ଆଶଙ୍କା

News Story - Posted on 2018-02-07

ସୂର୍ଯ୍ୟମଣି ମିଶ୍ର

 

ମାନବ ଅଧିକାର ‘ସମୂହ ଅକ୍ସଫାମ‍୍‌’ ଦ୍ୱାରା ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ମୋଟ ସମ୍ପତ୍ତିର ୭୩ ପ୍ରତିଶତ ଦେଶର ଏକ ପ୍ରତିଶତ ମହାଧନୀଙ୍କ ପାଖକୁ ଯାଇଛି। ୯୩ ପ୍ରତିଶତ ଜନତାଙ୍କ ପାଖକୁ ମାତ୍ର ୨୭ ପ୍ରତିଶତ ସମ୍ପତ୍ତି ଆସିଛି। ଭାରତର ମୋଟ ସମ୍ପତ୍ତିର ୫୮ ପ୍ରତିଶତ ଭାଗ ମହାଧନୀ ବା ଅରବପତିଙ୍କ ହାତରେ। ଶେଷ ଜନସଂଖ୍ୟାଙ୍କ ପାଖରେ ମୋଟ ସମ୍ପତ୍ତିର ୪୨ ପ୍ରତିଶତ। ୬୭ କୋଟି ଜନସଂଖ୍ୟାର ସମ୍ପତ୍ତି ମାତ୍ର ୧ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୭ରେ ସମୁଦାୟ ବିଶ୍ୱରେ ସୃଷ୍ଟି ହୋଇଥିବା ୮୨ ପ୍ରତିଶତ ସମ୍ପତ୍ତି ୧ ପ୍ରତିଶତ ଲୋକଙ୍କ ପାଖରେ ସୀମିତ ରହିଛି। କିନ୍ତୁ ୩.୭ ଅରବ ଲୋକଙ୍କର ସମ୍ପତ୍ତିର କୌଣସି ବୃଦ୍ଧି ହୋଇନାହିଁ। ଏହା ସମୁଦାୟ ଗରିବୀ ଜନସଂଖ୍ୟାର ଅଧା। ଏହି ରୂପ ସୂଚାଇ ଦେଇଛି ଯେ, ବିଶ୍ୱ ଅର୍ଥ ବ୍ୟବସ୍ଥା ଧନୀକଙ୍କ ପାଇଁ ଅଧିକ ସମ୍ପତ୍ତି ଜୁଟାଇବାରେ ସମର୍ଥ ହୋଇଥିବା ବେଳେ ଲକ୍ଷକୋଟି ଲୋକ ଜୀବନରେ ଜୀଇ ରହିବା ପାଇଁ ସଂଘର୍ଷ ଚଳାଇ ରଖିଛନ୍ତି।

 

ରିପୋର୍ଟ ଅନୁଯାୟୀ ଅରବପତିଙ୍କ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି। ପ୍ରତି ଦୁଇଦିନରେ ଜଣେ ଅରବପତି ସୃଷ୍ଟି ହେଉଛନ୍ତି। ୨୦୧୦ ପରେ ଏହି ମହାଧନୀ ବା ଅରବପତିଙ୍କ ସମ୍ପତ୍ତିରେ ବାର୍ଷିକ ହାରାହାରି ୧୩ ପ୍ରତିଶତ ବୃଦ୍ଧି ହେଉଥିବା ବେଳେ, ସାଧାରଣ କର୍ମଚାରୀଙ୍କ ଦରମା ତୁଳନାରେ ଏହି ବୃଦ୍ଧି ହାର ୬ ଗୁଣା। ଭାରତ ସମ୍ୱନ୍ଧରେ ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୧୭ରେ ୧୭ ଜଣ ନୂଆ ଅରବପତି ବା ମହାଧନୀ ସୃଷ୍ଟି ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ଏହି ମହାଧନୀଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି। ୨୦୧୭ ଆର୍ଥିକ ବର୍ଷରେ ଭାରତୀୟ ମହାଧନୀଙ୍କ ରୂପ ସମ୍ପତ୍ତି ୪.୮୯ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇଁ ୨୦.୭ ଲକ୍ଷ କୋଟି ଟଙ୍କା ହୋଇଛି। ଏହାର ୪.୮୯ ଲକ୍ଷ କୋଟି ଟଙ୍କା ଦେଶର କେତେକ ରାଜ୍ୟର ଶିକ୍ଷା ଓ ସ୍ୱାସ୍ଥ୍ୟ ବଜେଟ‍୍‌ର ୮୫ ପ୍ରତିଶତ।

 

ଏହା ସୂଚାଉଛି ବିକାଶ ଢାଞ୍ଚା ଗରିବଙ୍କ ପାଇଁ ନୁହେଁ, ଧନୀକଙ୍କ ବିଶେଷତଃ ମହାଧନୀଙ୍କ ପାଇଁ ବେଶ‍୍‌ ଅନୁକୂଳ ସାବ୍ୟସ୍ତ ହୋଇଛି। ଉଦାରୀକରଣ ଏବଂ ଜଗତୀକରଣ ଭଳି ମଡେଲ‍୍‌ ଗରିବୀ ଦୂର ପାଇଁ ସଶକ୍ତ ବ୍ୟବସ୍ଥା ବୋଲି କୁହାଯାଉଥିଲା। ସମ୍ପତ୍ତିର ନ୍ୟାୟପୂର୍ଣ୍ଣ ବଣ୍ଟନରେ ଏହି ମଡେଲ‍୍‌ ସମ୍ପୂର୍ଣ୍ଣ ବିଫଳ ହୋଇଛି। କାରଣ ବିତ୍ତୀୟ ପୁଞ୍ଜି ଆଧାରିତ ଏହି ବ୍ୟବସ୍ଥାର ଫାଇଦା ପ୍ରଥମରୁ ଏହି ଧନୀକଙ୍କ ହାତରେ ରହିଯାଇଛି। ସାରା ବିଶ୍ୱର ସରକାର ଏବଂ ଆନ୍ତର୍ଜାତିକ ସଂଗଠନ ଦ୍ୱାରା ଗରିବୀ ଏବଂ ଅସମାନତା ଦୂର ଉଦ୍ୟମ ପରେ ମଧ୍ୟ ଉଦାରୀକରଣ ଏବଂ ଜଗତୀକରଣ ମଡେଲ‍୍‌ ଗରିବମୁକ୍ତ କରିପାରିନାହିଁ, ବରଂ ଗରିବୀ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଛି। ବର୍ତ୍ତମାନର ଆର୍ଥିକ ନୀତି କାରଣରୁ ବିଶ୍ୱ ଅର୍ଥ ବ୍ୟବସ୍ଥାର ଦ୍ରୁତ ଅଭିବୃଦ୍ଧି ଘଟିଛି। ସମ୍ପଦ ଓ ସମୃଦ୍ଧି ଅଧିକ ସୃଷ୍ଟି ହୋଇଛି। କିନ୍ତୁ ଏହି ସମୃଦ୍ଧି ଅଳ୍ପ କେତେଜଣଙ୍କ ହାତରେ ସୀମିତ ରହିଛି।

 

ନୋବେଲ‍୍‌ ପୁରସ୍କାର ବିଜେତା ଯୋଶେଫ ଷ୍ଟିଗ୍ଲିଟଜ୍‌ ନିଜ ପୁସ୍ତକ ‘ପ୍ରାଇସ‍୍‌ ଅଫ୍ ଇନ‍୍‌ଇକ୍ୱାଲିଟି’ରେ କହିଛନ୍ତି ଯେ ଆୟର ଅସମାନତା ଯେଉଁ ପ୍ରକାର ବୃଦ୍ଧି ପାଉଛି, ଏହାଠାରୁ ଅଧିକ ଭାବେ ସମ୍ପତ୍ତିର ଅସମାନତା ବୃଦ୍ଧି ପାଉଛି। ଅକ୍ସଫାମ‍୍‌ ରିପୋର୍ଟ ଅନୁଯାୟୀ ଭାରତର ଏକ ବଡ଼ ବସ୍ତ୍ର ଉଦ୍ୟୋଗର ଶୀର୍ଷ ଅଧିକାରୀ ଗୋଟିଏ ବର୍ଷରେ ଯେତିକି ସମ୍ପତ୍ତି ଅର୍ଜନ କରନ୍ତି, ଗ୍ରାମୀଣ କ୍ଷେତ୍ରରେ ସର୍ବନିମ୍ନ ବେତନ ପାଉଥିବା କର୍ମଚାରୀ ଏହି ପରିମାଣର ଅଧିକାରୀଙ୍କ ସମ୍ପତ୍ତି ଅର୍ଜନ କରିବାକୁ ୯୪୧ ବର୍ଷ ଲାଗିବ। ଏହିପରି ଆମେରିକାର ଜଣେ ସାଧାରଣ କର୍ମଚାରୀ ବର୍ଷସାରା ଯେତେ ଅର୍ଜନ କରନ୍ତି, ଏହାଠାରୁ ବହୁ ଅଧିକ ପରିମାଣର ସମ୍ପତ୍ତି ଯେ କୌଣସି ଏକ କମ୍ପାନୀର ସିଇଓ (ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ) ଗୋଟିଏ ଦିନରେ ଅର୍ଜନ କରିଥାନ୍ତି। କଛିଦିନ ପୂର୍ବେ ଆନ୍ତର୍ଜାତିକ ବିତ୍ତୀୟ ଏଜେନ୍ସି ‘କ୍ରେଡିଟ‍୍‌ ସୁଇସ‍୍‌’ ନିଜ ରିପୋର୍ଟରେ ଭାରତର ମୋଟ ସମ୍ପତ୍ତିର ଅଧାଅଧି ସମ୍ପତ୍ତି ସବୁଠୁ ଅଧିକ ଧନୀ ୧ ପ୍ରତିଶତ ଲୋକଙ୍କ ହାତରେ। ଯେତେବେଳେ ଶୀର୍ଷ ୧୦ ପ୍ରତିଶତଙ୍କ ହାତରେ ଏହାର ହାର ହାରାହାରି ୭୪ ପ୍ରତିଶତ ସମ୍ପତ୍ତି ରହିଛି। ୯ବର୍ଷ ପୂର୍ବେ ଅର୍ଥନୀତିଜ୍ଞ ଅଜୁର୍ନ ସେନଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ଭାରତ ସରକାରଙ୍କ କମିଟି ଏହି ଅସମାନତା ସଂପର୍କରେ ସୂଚାଇଥିଲେ। ସେନଗୁପ୍ତା କମିଟି ନିଜ ରିପୋର୍ଟରେ କହିଥିଲେ ଯେ, ଦେଶରେ ଦ୍ରୁତ ଆର୍ଥିକ ବିକାଶ ସେତ୍ତ୍ୱ ଦେଶର ୭୭ ପ୍ରତିଶତ ଲୋକ ଦୈନିକ ୨୦ ଟଙ୍କାରୁ କମ‍୍‌ ରୋଜଗାର କରିବା ପାଇଁ ସମର୍ଥ ହେଉଛନ୍ତି। ଦେଶର ରାଜନୀତିରେ ଜାତିଗତ ଅସମାନତା ନେଇ ମୁହଁ ଖୋଲୁଥିବା ନେତା ଆର୍ଥିକ ଅସମାନତା ବୃଦ୍ଧିକୁ ନେଇ କେତେବେଳେ ମୁହଁ ଖୋଲନ୍ତି, ତାହା ଦେଖିବାକୁ ମିଳୁନି।

 

ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ରିପୋର୍ଟ ଅନୁଯାୟୀ ଉଦାରୀକରଣ ଧାରାରେ ଏସିଆ ସମୂହ ଦେଶଗୁଡ଼ିକ ବିକାଶର ସମାନତାର ଲକ୍ଷ୍ୟ ହାସଲ କରିପାରିନାହାନ୍ତି। ସ୍ଥାନୀୟ ସ୍ତରରେ ଏହି ଅସମାନତା ବୃଦ୍ଧି ପାଇଛି। ଉଦାରୀକରଣ ନୀତି ଅନୁଯାୟୀ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରର ତଥା ଆର୍ଥିକ ସଂସ୍ଥାର ଘରୋଇ ପ୍ରଭୁତ୍ୱ ବଢ଼ିଛି। ଦ୍ରୁତ ଆର୍ଥିକ ବିକାଶ ଏବଂ ସହରୀକରଣର ପରିଣାମ ହୋଇଛି ଯେ, ଗ୍ରାମୀଣ ଓ ସହର ମଧ୍ୟରେ ଅସମାନତା ଅଧିକରୁ ଅଧିକ ବଢ଼ିଚାଲିଛି। ଏହା ସତ ଯେ ସହର ମଧ୍ୟରେ ଅସମାନତା ବଢ଼ୁଛି। କିନ୍ତୁ ଆମ ଦେଶର ନୀତି ନିର୍ମାତାମାନେ ସହରୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଜାତୀସଂଘ ନିଜର ସଦ୍ୟତମ ରିପୋର୍ଟରେ କହିଛି ଯେ, ଗତ ୨୦ ବର୍ଷ ମଧ୍ୟରେ ଭାରତର ସହରୀକରଣ ସଂଖ୍ୟା ୨୧.୭ କୋଟିରୁ ୩୫.୧ କୋଟିକୁ ବୃଦ୍ଧି ପାଇଛି। ଚାଷ କ୍ଷେତ୍ରରେ ସାର୍ବଜନୀନ ବା ସରକାରୀ ନିବେଶ ଅଧିକ ହେଉନାହିଁ। ଜୀବିକା ଉପାର୍ଜନକୁ ବାଣିଜ୍ୟିକ କରିବା ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି। ସାମାଜିକ ସୁରକ୍ଷା ଢାଞ୍ଚା ଦୃଢ଼ ହେବା ପରିବେର୍ତ୍ତ ଦୁର୍ବଳ ହେବାରେ ଲାଗିଛି। ସାର୍ବଜନୀନ ସୁବିଧା ଏବଂ ସାମାଜିକ ସୁରକ୍ଷା ପାଇଁ ଅଧିକ ବ୍ୟୟବରାଦ କରାଯିବା ଆବଶ୍ୟକ ଥିବା ବେଳେ ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି।

 

ଏ ଦିଗରେ ଦୃଷ୍ଟି ଦିଆଗଲେ ହୁଏତ ଦାରିଦ୍ର୍ୟର ହାର ହ୍ରାସ ଘଟନ୍ତା। କିନ୍ତୁ ଭାରତରେ ଏହା ସରକାରଙ୍କ ଦ୍ୱାରା ଉପେକ୍ଷିତ। ସାମାଜିକ ସୁରକ୍ଷା ପାଇଁ ବ୍ୟୟବରାଦ କମ‍୍‌। ଭାରତର ମୋଟ ଘରୋଇ ଉପିାଦ (ଜିଡିପି)ର  ମାତ୍ର ୩ ପ୍ରତିଶତ ଶିକ୍ଷା ପାଇଁ, ୧.୧ ପ୍ରତିଶତ ସ୍ୱାସ୍ଥ୍ୟ ବ୍ୟୟବରାଦ କରାଯାଉଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଭଳି ଦେଶ ଶିକ୍ଷା ପାଇଁ ୬.୧ ପ୍ରତିଶତ, ସ୍ୱାସ୍ଥ୍ୟ ପାଇଁ ୩.୭ ପ୍ରତିଶତ ବ୍ୟୟ କରିଛି। ଫଳରେ ଆଫ୍ରିକା ଭଳି ଦେଶରୁ ଆର୍ଥିକ ଅସମାନତା ହ୍ରାସ ଘଟୁଥିବା ବେଳେ ଭାରତରେ ଏହା ବୃଦ୍ଧି ପାଉଛି। ଭାରତ ପାଇଁ ଆବଶ୍ୟକ ହେଉଛି ସହରୀକରଣ ସହ ଗ୍ରାମୀଣ ବିକାଶ। କୃଷି କ୍ଷେତ୍ରକୁ ବାଣିଜ୍ୟିକ ଭାବେ ନିର୍ମାଣ କରିବା। ସାମାଜିକ ସୁରକ୍ଷା ପାଇଁ ଅଧିକ ବ୍ୟୟ ବରାଦ କରିବା ଏବଂ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରିବା। କିନ୍ତୁ ଏ ଦିଗରେ ସରକାର ପଦକ୍ଷେପ ନନେଇ ପୁଞ୍ଜିପତି ବା କର୍ପୋରେଟ‍୍‌ ହାଉସ‍୍‌ର ସ୍ୱାର୍ଥ ସୁରକ୍ଷା ଓ ସମୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି।

 

ୱାର୍ଲଡ େୱଲ‍୍‌ଥ ରିପୋର୍ଟ ଅନୁଯାୟୀ ସାଧାରଣ ଜନତାଙ୍କ ମୋଟ ସମ୍ପତ୍ତିରେ ଭାରତ ବିଶ୍ୱର ଷଷ୍ଠ ଧନୀ ଦେଶ ବୋଲି ସୂଚନା ଦିଆଯାଇଛି। ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହି ରିପୋର୍ଟର ସତ୍ୟତା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ରିପୋର୍ଟ ଅନୁସାରେ ଭାରତବାସୀଙ୍କ ମୋଟ ସମ୍ପତ୍ତି ୫୨୬ ଲକ୍ଷ କୋଟି ଟଙ୍କା (ସରକାରୀ ବଜେଟ‍୍‌କୁ ବାଦ‍୍‌ ଦେଇ)। ୨୦୧୭ରେ ଏହି ସମ୍ପତ୍ତି ବୃଦ୍ଧିର ହାର ୨୫ ପ୍ରତିଶତ। ପରିସଂଖ୍ୟାନ ଅନୁସାରେ ଦେଶର ମୋଟ ସମ୍ପତ୍ତି ୫୨୬ ଲକ୍ଷ କୋଟି ଟଙ୍କା। ଏଥିରୁ ୩୦୩ ଲକ୍ଷ କୋଟି ଟଙ୍କା ମହାଧନୀଙ୍କ ପାଖରେ ରହିଛି। ଶେଷ ୯୯ ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୨୨୩ ଲକ୍ଷ କୋଟି ଟଙ୍କା ରହିଛି। ନ୍ୟୁ ୱାର୍ଲଡ଼ େୱଲ‍୍‌ଥ ରିପୋର୍ଟ ଅନୁଯାୟୀ ୬୪,୫୮୪ ଅରବ ଡଲାରର ମୋଟ ସମ୍ପତ୍ତି ସହ ଆମେରିକା ବିଶ୍ୱର ସବୁଠୁ ଧନୀ ଦେଶ। ପିଟିଆଇ ତଥ୍ୟ ଅନୁସାରେ ୨୪,୮୦୩ ଅରବ ଡଲାର ସମ୍ପତ୍ତି ସହ ଚୀନ‍୍‌ ଦ୍ୱିତୀୟ ସ୍ଥାନରେ। ୧୯,୫୨୨ ଡଲାର ସହ ଜାପାନ ତୃତୀୟ ସ୍ଥାନରେ। ୯,୯୧୯ ଅରବ ଡଲାର ସହ ବ୍ରିଟେନ‍୍‌ ଚତୁର୍ଥ ସ୍ଥାନରେ, ୯,୬୬୦ ଅରବ ଡଲାର ସହ ଜର୍ମାନୀ ପଞ୍ଚମ ସ୍ଥାନରେ। ୮,୨୩୦ ଅରବ ଡଲାର ସହ ଷଷ୍ଠ ସ୍ଥାନରେ ଭାରତ। ୬,୬୪୯ ଅରବ ଡଲାର ସହ ଫ୍ରାନ୍ସ ସପ୍ତମ ସ୍ଥାନରେ। ୬,୩୯୩ ଅରବ ଡଲାର ସହ କାନାଡ଼ା ଅଷ୍ଟମ ସ୍ଥାନରେ। ୬,୧୪୨ ଅରବ ଡଲାର ସହ ଅଷ୍ଟ୍ରେଲିଆ ନବମ ସ୍ଥାନରେ ଏବଂ ଇଟାଲୀ ୪,୨୭୬ ଅରବ ଡଲାର ସହ ୧୦ମ ସ୍ଥାନରେ ରହିଛି। ଯଦି ଜନସଂଖ୍ୟା ଅନୁପାତରେ ଦେଖାଯାଏ, ତେବେ ଆମେରିକାର ୩୨ କୋଟି ଜନସଂଖ୍ୟା ପାଖରେ ୬୪୫୮୪ ଅରବ ଡଲାର ସମ୍ପତ୍ତି ଅଛି। ଚୀନ‍୍‌ର ୧୩୮ କୋଟି ଜନସଂଖ୍ୟା ପାଖରେ ୨୪୮୦୩ ଅରବ ଡଲାର ସମ୍ପତ୍ତି ରହିଛି।

 

ଏହା ତୁଳନାରେ ଭାରତର ୧୩୨ କୋଟି ଜନସଂଖ୍ୟା ପାଖରେ ମାତ୍ର ୮୨୩୦ ଅରବ ଡଲାର ସମ୍ପତ୍ତି ରହିଛି। ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ଭାରତର ପ୍ରତିସ୍ପର୍ଦ୍ଧା ଚୀନ ସହ ରହିଛି। ଯେତେବେଳେ କି ଚୀନ ଲୋକଙ୍କ ମୋଟ ସମ୍ପତ୍ତି ଭାରତ ଠାରୁ ୩ଗୁଣା ଅଧିକ ରହିଛି। ଯେଉଁ ଦେଶର ସାଧାରଣ ଲୋକଙ୍କ ପାଖରେ ସମ୍ପତ୍ତି ଅଧିକ ଥାଏ, ସେହିମାନଙ୍କର କ୍ରୟ କ୍ଷମତା ଅଧିକ ଥାଏ। ଏହି ରିପୋର୍ଟରେ ଯୋଡ଼ାଯାଇଥିବା ଅନ୍ୟ ଧନୀ ଦେଶ ଯଥା ବ୍ରିଟେନ‍୍‌, ଜର୍ମାନ, ଫ୍ରାନ୍ସ, କାନାଡ଼ା, ଅଷ୍ଟ୍ରେଲିଆ ଏବଂ ଇଟାଲୀର ଜନସଂଖ୍ୟା ବହୁତ କମ‍୍‌। ଜନସଂଖ୍ୟା ତୁଳନାରେ ଲୋକଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ବ୍ରିଟେନ‍୍‌ ଏବଂ ଫ୍ରାନ୍ସର ଜନସଂଖ୍ୟା ୭-୭ କୋଟି, ଜର୍ମାନୀର ଲୋକସଂଖ୍ୟା ୮ କୋଟି, କାନାଡ଼ା, ଅଷ୍ଟ୍ରେଲିଆ ଏବଂ ଇଟାଲୀର ଜନସଂଖ୍ୟା କ୍ରମଶଃ ମାତ୍ର ୩.୫୨ କୋଟି, ୨.୪୧ କୋଟି ତଥା ୩.୫୦ କୋଟି। ଏହି ଜନସଂଖ୍ୟା ଅନୁପାତରେ କାହିଁକି ଭାରତବାସୀଙ୍କ ମୋଟ ସମ୍ପତ୍ତି ସଂପର୍କରେ ଏହି ବିକଶିତ ଦେଶଗୁଡ଼ିକ ସାମ୍ନାରେ କାହିଁକି ରଖାଯାଇନି।

 

ନ୍ୟୁ ୱାର୍ଲଡ଼ େୱଲ‍୍‌ଥ ରିପୋର୍ଟ ଅନୁଯାୟୀ ଭାରତ ବିଶ୍ୱର ଷଷ୍ଠ ଧନୀ ଦେଶ ବୋଲି ଖୁସି ବା ଗର୍ବ କରିବାର କୌଣସି ଯୁକ୍ତି ବା ଆବଶ୍ୟକତା ନାହିଁ। କାରଣ ଦେଶର ମୋଟ ସମ୍ପତ୍ତିର ଯେଉଁ ବୃଦ୍ଧି ଘଟିଛି, ଏହାର ଲାଭ ମାତ୍ର ଏକ ପ୍ରତିଶତ ମହାଧନୀଙ୍କ ହାତମୁଠାରେ ରହିଛି। ଧନୀ ଓ ଗରିବଙ୍କ ମଧ୍ୟରେ ଆକାଶ ଛୁଆଁ ଅସମାନତା ବୃଦ୍ଧି ସହ ଦେଶରେ ଏହି ଆର୍ଥିକ ଦୁର୍ଗତି ଏବଂ ଅସମାନତା ପାଇଁ ସାମାଜିକ ବିଷମତା ଅଧିକ ଉଗ୍ରରୂପ ଧାରଣ କଲାଣି। ଦେଶର ନିର୍ବାଚିତ ସରକାର ପୁଞ୍ଜିବାଦ ଆଧାରିତ ଏହି ଉଦାରୀକରଣ ନୀତିର ପରାଭବ ଓ ପରିଣାମ ସଂପର୍କରେ ସମୀକ୍ଷା କରିବାର ସମୟ ଆସିଛି। ଆଶଙ୍କା ଉପୁଜିଲାଣି ଏହି ଅସମାନତା ଓ ବିଷମତାରୁ ହୁଏତ ଗୃହଯୁଦ୍ଧ ଦେଖାଦେଇପାରେ।

 

ସାମ୍ୱାଦିକ, ଭୁବନେଶ୍ୱର

ମୋ-୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top