ତୃତୀୟ ମହଲା ନା ତୃତୀୟ ନେତ୍ର!

News Story - Posted on 2018-02-07

ହେମାଙ୍ଗ ପ୍ରସାଦ ରାଉଳ

 

ଓଡ଼ିଶା ଶାସନ ବିଧି ବ୍ୟବସ୍ଥା ଓ ରାଜନୈତିକ ଚିତ୍ରପଟରେ ଯାହାସବୁ ଆଲୋଚିତ ଓ ସମ୍ଭାବନାମୟ ଦିଗକୁ ନେଇ ଯେତେସବୁ କାହାଣୀ ପଢ଼ୁ, ଶୁଣୁ ଓ ଦେଖୁ ହୁଏତ ମନେହୁଏ ସତେ ଯେପରି ଓଡ଼ିଶା ଗୋଟିଏ ତୃତୀୟ ଶକ୍ତି ହାତରେ ଛନ୍ଦି ହୋଇଯାଇଛି। ଏଠାକାର ଜନସାଧାରଣଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମଳ, ସ୍ୱଚ୍ଛ, ସ୍ଥିତପ୍ରଜ୍ଞ ଭାବମୂର୍ତ୍ତିର ଅମଳିନ ବ୍ୟକ୍ତିତ୍ୱ ବୋଲି ଯେକେହି ସ୍ୱୀକାର କରିବେ। ରାଜନୈତିକ ଶକ୍ତି ପରୀକ୍ଷଣରେ ସେମିତି କିଛି ଅସୁବିଧାର ସମ୍ମୁଖୀନ ହୋଇନଥିବା ନବୀନବାବୁଙ୍କ ଗୋଟିଏ ପରେ ଗୋଟିଏ ଇନିଂସ‌୍‍ ଓଡ଼ିଶା ଇତିହାସର ଗୋଟିଏ ରୁଚିବନ୍ତ କାହାଣୀ। ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଜୀବନଶୈଳୀ ସହ ଆଦୌ ପରିଚିତ ନଥିବା ମଣିଷଟିର ଏପରି ଭାଗ୍ୟ ଉଦୟ କ୍ଷମତା ରାଜନୀତିର ଇତିହାସରେ ବିଶ୍ୱ ବିରଳ।

 

ବିଜୁବାବୁଙ୍କ ପ୍ରିୟପୁତ୍ର ନବୀନଙ୍କୁ ଆଣି ଓଡ଼ିଶା ସିଂହାସନର ମୁକୁଟ ପିନ୍ଧାଇଥିବା ନେତାଗଣ ଏବେ କ୍ଷମତାରୁ ଅସ୍ତ ପ୍ରାୟ। କିନ୍ତୁ ନବୀନବାବୁଙ୍କ ଭାଗ୍ୟ ଆଜି କ୍ଷମତା ସଂପଦରେ ପୂର୍ଣ୍ଣିମାର ଚନ୍ଦ୍ରମା ଆଲୋକ ପରି ଉଦଭାସିତ। ଏହା ଏକ ଆଶ୍ଚର୍ଯ୍ୟଜନକ ସତ୍ୟ। ନବୀନବାବୁ ଶାସନ ଗାଦିରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ଭାବରେ। କିନ୍ତୁ ଶାସନ ବ୍ୟବସ୍ଥାର ପ୍ରଶାସନିକ ଅନୁପ୍ରବେଶ ଶତ ପ୍ରତିଶତ ଅନୁଭବ କରିହୁଏ। ସଚିବ ଓ ଦକ୍ଷ ପ୍ରଶାସକଙ୍କ ହାତରେ ଓଡ଼ିଶାର ଶାସନ ବ୍ୟବସ୍ଥା ଏମିତି ବନ୍ଧା ପକାଇ ଦେଇଛନ୍ତି ବାବୁ ନବୀନ ଯେ ବେଳେବେଳେ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଅସହାୟ ବୋଧ କରୁଛନ୍ତି।

 

ଓଡ଼ିଶାରେ ନବୀନଙ୍କ ଶାସନକୁ ନେଇ ବେଳେବେଳେ ବିରୋଧୀ ବି ଟେର ପାଇପାରନ୍ତିନି। ଓଡ଼ିଶାରେ ବହୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି, ଯାଇଛନ୍ତି। ବିରୋଧୀଙ୍କ ଗର୍ଜନକୁ ମଧ୍ୟ ସମ୍ମୁଖୀନ ହୋଇ ଅପସରି ଯାଇଛନ୍ତି କ୍ଷମତାର ପରିସରରୁ। କିନ୍ତୁ ପ୍ରଶାସକମାନେ ପ୍ରତିକ୍ଷଣରେ ନବୀନଙ୍କ ସମସ୍ୟା ସମାଧାନରେ ସହାୟକ ହୋଇ ତାଙ୍କୁ କ୍ଷମତା ବଜାୟ ରଖିଛନ୍ତି।

 

ଓଡ଼ିଶାରେ ଏବେ ଶାସକ ଓ ସଚିବଙ୍କ ସମନ୍ୱୟ ବେଶ‌୍‍ ଗାଢ଼ ଓ ଗମ୍ଭୀର। ଓଡ଼ିଶାରେ ତୃତୀୟ ମହଲା ଖବର ବେଶ୍‌ ଚର୍ଚ୍ଚିତ। ତୃତୀୟ ମହଲାର ମହମହ ସୌରଭ ସମଗ୍ର ଓଡ଼ିଶାରେ ବିସ୍ତାରିତ। ତୃତୀୟ ମହଲାର ସଂପର୍କ ନେଇ ବିରୋଧୀ ବାଲା ବହୁ କଥା କହନ୍ତି। ଅଣ ଓଡ଼ିଆ ଆଇଏଏସ‌୍‍ ଅଫିସରମାନେ ନବୀନଙ୍କ ଦୁର୍ଗ ସମ୍ଭାଳନ୍ତି।

 

କିନ୍ତୁ ତୃତୀୟ ମହଲା ବ୍ୟତୀତ ଓଡ଼ିଶାର ଶାସନ କ୍ଷମତା, ରାଜନୀତିର ବ୍ୟବସ୍ଥା ଭିତରେ ଆଉ ଗୋଟିଏ ତୃତୀୟ ନେତ୍ର ରହିଛି ଯାହାଙ୍କ ପରାମର୍ଶ ହୁଏତ ପ୍ୟାରୀ ମହାପାତ୍ରଙ୍କଠାରୁ ଅଧିକ ସଶକ୍ତ। ପ୍ୟାରୀବାବୁ ନବୀନଙ୍କ ଅଭେଦ୍ୟ ଦୁର୍ଗର ସେନାପତି ରହି କ୍ଷମତା ସହ ରାଜନେତାଙ୍କ ଭାଗ୍ୟ ଓ ଭବିଷ୍ୟତର ଅଙ୍କ କଷୁଥିଲେ। କିନ୍ତୁ ସଂପ୍ରତି ଏକ ଚର୍ଚ୍ଚିତ ବିଷୟ ହେଉଛି ତୃତୀୟ ନେତ୍ର ବାହ୍ୟ ରାଜ୍ୟରେ ମୁଖ୍ୟ ସଚିବ ଥିବା ଜଣେ ଓଡ଼ିଆ ଆଇଏଏସ‌୍‍ ଅଫିସରଙ୍କୁ ନେଇ। ତାଙ୍କ ସଂପର୍କରେ ପ୍ରଥମଥର ଆମେ ଏକ ରୋଚକ ସମ୍ୱାଦ ବିଶେଷ ସୂତ୍ରରୁ ପାଇବା ପରେ ଅନୁସନ୍ଧାନ କରିଲୁ। ଅନୁସନ୍ଧାନ କରିବା ପରେ ଜଣାପଡ଼ିଲା ଯେ ଏକଦା ନବୀନଙ୍କ ନିଜ ଜିଲ୍ଲାର ଜିଲ୍ଲାପାଳ ଥିବା ଓଡ଼ିଆ ଅଫିସର ଆଜି ତୃତୀୟ ନେତ୍ର ଭାବରେ ଓଡ଼ିଶା ଶାସନର ଅସଲ ମଙ୍ଗୁଆଳ। ଏଇ ନିକଟରେ ତାଙ୍କର ଝିଅ ବାହାଘର ହୋଇଥିଲା। ସେଠାରେ ଯାଇଁ ଡେରା ପକାଇଥିଲେ ଅନେକ ବିଜେଡି ନେତା।

 

କାହାଣୀ ନୁଆ ନୁହେଁ ପୁରୁଣା ହୋଇ ସାରିଲାଣି। ଓଡ଼ିଶା ବାହାରେ ରହି ଓଡ଼ିଶାର ଚିତ୍ର ଭିତରେ ନବୀନଙ୍କ ଆଭାକୁ ଆଦୌ କଳଙ୍କିତ ନକରିବାର ପ୍ରୟାସ ଜାରି ରଖିଛନ୍ତି ତୃତୀୟ ନେତ୍ର। ବହୁ ବଡ଼ବଡ଼ ଫୈସଲାକୁ ଶେଷ ସ୍ପର୍ଶ ଦେବାରେ ଏଇ ଆଇଏଏସ‌୍‍ ଅପିସରଙ୍କ ନିଷ୍ପତ୍ତିକୁ ନବୀନ ବେଶ‌୍‍ ଯତ୍ନର ସହ ଆଦରି ନିଅନ୍ତି। ଶୁଣାଯାଉଛି, ଆଗାମୀ ନିର୍ବାଚନରେ ଓଡ଼ିଶା ନବୀନଙ୍କ ଦୁର୍ଗ ସମ୍ଭାଳିଥିବା ଅଫିସରମାନେ ବେଶ‌୍‍ କ୍ରିୟାଶୀଳ ହୋଇ ସାରିଲେଣି। ବହୁ ରାଜନେତାଙ୍କ ଭାଗ୍ୟକୁ ଫିତା ବାନ୍ଧିବାର ଦସ୍ତାବିଜ ସବୁ ପହଞ୍ଚି ସାରିଲାଣି। ବହୁ ରାଜନୈତିକ ସମୀକ୍ଷକ ପଣ୍ଡିତଙ୍କୁ ଜିଲ୍ଲା ଅନୁଯାୟୀ ଆଲର୍ଟ କରାଯାଇଛି ଏବଂ ପୂର୍ବତନ ଅଫିସରଙ୍କ ସହ ବର୍ତ୍ତମାନ ସେଠାରେ କାର୍ଯ୍ୟ କରୁଥିବା ଅଫିସରଙ୍କ ସଂପର୍କ ବେଳକୁ ବେଳ ନିବିଡ଼ ହେବା ସହ କେଉଁ ନିର୍ବାଚନ ମଣ୍ଡଳୀରେ କେଉଁ ବିଧାୟକଙ୍କ କାମକୁ ନେଇ ପ୍ରଶ୍ନ ଉଠୁଛି ତାହାର ବି ପ୍ରମାଣ ଯୋଗାଡ଼ ଚାଲିଛି।

 

ଏଇ ଆଧାରରେ ପ୍ରଥମେ ଗଂଜାମରୁ ହିଁ ନବୀନଙ୍କ ସଂସ୍କାର ଆରମ୍ଭ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତୃତୀୟ ନେତ୍ରଙ୍କ ସହ ସଂପର୍କ ରଖିଥିବା କିଛି ବୁଦ୍ଧିଜୀବୀ ଓ ଶିକ୍ଷାବିତ‌୍‍ ବରିଷ୍ଠ ଅନୁଭବୀ ଜନସାଧାରଣଙ୍କ ସହ ବିଚାର ବିମର୍ଶ ଚାଲିଛି। ଆଗାମୀ ନିର୍ବାଚନରେ ୭୦ ଭାଗ ବିଧାୟକଙ୍କୁ ବିଜେଡ଼ି ଭରଷାକୁ ନନେଇ କ୍ଷମତା ପରିସରରୁ ଦୂରେଇ ଦେବାର ନିଷ୍ପତ୍ତି ପ୍ରାୟ ତୟ। ବିଧାୟକଙ୍କ କାର୍ଯ୍ୟଶୈଳୀ ସହ କ୍ଷମତା ଅନୁଭବର ପ୍ରତିଦାନରେ ଦଳର କ’ଣ ଲାଭ ଓ କ୍ଷତି ହୋଇଛି ତାହା ବି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

 

ଏସବୁ ଦିଗରୁ ଓଡ଼ିଶାରେ ଗଂଜାମ ରାଜନୀତିରେ ଆଗାମୀ ଦିନରୁ ବିଜେଡ଼ିରୁ କ୍ଷମତା ଭିତରେ ନବୀନ ନାମଗୁଣରେ ବଳୀୟାନ ବିଧାୟକଙ୍କ କ୍ଷମତା ଓ ଭାଗ୍ୟ ଅସ୍ତ ହେବା ସୁନିଶ୍ଚିତ। ବିରୋଧୀ ବିଜେପି ଓ କଂଗ୍ରେସର ଫର୍ମୁଲାକୁ ଯତ୍ନର ସହ ଅପେକ୍ଷା କରି ଆସିଥିବା ଶାସକଦଳ ଆଗାମୀ ଦିନରେ ଏମିତି କିଛି ନୂଆଁ ମୁହଁକୁ ନେଇ ବିଜେଡ଼ିର ଭୋଟ ଗଣତିକୁ ବଢ଼ାଇବ ଯାହା କଳ୍ପନାନୀତ ଭାବରେ ନିଷ୍ପତ୍ତି ଶେଷ ସ୍ପର୍ଶ ଦେବ ୨୦୧୯ ନିର୍ବାଚନ ପୂର୍ବରୁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top