ଚାଣକ୍ୟମାନେ ଗଲେ କୁଆଡ଼େ?

News Story - Posted on 2018-02-06

ଦେବେନ୍ଦ୍ର ପୃଷ୍ଟି

 

ମୁଁ ସାମ୍ବାଦିକତା କଲାବେଳକୁ ଆଂଚଳିକ ଗଣମାଧ୍ୟମରେ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟ ରାଜନୀତିର ଚାଣକ୍ୟ ଭାବେ ପରିଚିତ ଥିଲେ । ସେ କଂଗ୍ରେସରେ ଥିବା ତାଙ୍କର ବିରୋଧୀମାନଙ୍କୁ ଶାମ, ଦାମ, ଦଣ୍ଡ, ଭେଦ ନୀତିରେ ସାଧି ସାରିଥିଲେ । କେନ୍ଦ୍ରରେ ବେସାମରିକ ବିମାନ ଚଳାଚଳା ମନ୍ତ୍ରୀ ଭାବେ ଦିଲ୍ଲୀ କ୍ଷମତାର ଗାଦୀରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ସେହି ପଦରେ ସମସ୍ତ ବିରୋଧ ଓ ଅସନ୍ତୋଷ ସତ୍ତେ୍ୱ ୧୯୮୦-ରୁ ୧୯୮୯ ଯାଏଁ ରହିଥିଲେ ।

 

୧୯୮୯ରେ ଜାତୀୟ ସ୍ତରରେ ବୋଫର୍ସ ଆଦି ଅନେକ ପ୍ରସଙ୍ଗରେ କଂଗ୍ରେସ ବିରୋଧୀ ହାୱା ବହିବାର ପ୍ରଭାବ ଓଡ଼ିଶା ରାଜନୀତିରେ ପଡ଼ିଥିଲା । ସେତେବେଳେ ରାଜ୍ୟରେ ଅଣକଂଗ୍ରେସ ରାଜନୀତିର ମଙ୍ଗୁଆଳ ସାଜିଥିବା ବିଜୁ ପଟ୍ଟନାୟକ ଥିଲେ ଜାତୀୟ ସ୍ତରର ଜଣେ ତୁଙ୍ଗ ନେତା । ତେବେ ତାଙ୍କ ସାଙ୍ଗରେ ଥିଲେ ଅନେକ ବିଚକ୍ଷଣ ସହକର୍ମୀ । ମୁଖ୍ୟତଃ ଏହି ସହକର୍ମୀମାନଙ୍କର ନିଷ୍ଠାପର ସହଯୋଗ ଓ ପରିଶ୍ରମ ବଳରେ ବିଜୁବାବୁ ୧୯୯୦ ମସିହା ନିର୍ବାଚନରେ ରାଜ୍ୟର ୧୪୭ ବିଧାନସଭା ଆସନରୁ ୧୨୩ଟି ଆସନରେ ଜିତି ରେକର୍ଡ଼ କରିଥିଲେ । ତେବେ ୧୯୯୫ ନିର୍ବାଚନବେଳକୁ ତାଙ୍କର କେତେକ ସହଯୋଗୀ ଅତ୍ୟଧିକ ମହତ୍ୱାକାଂକ୍ଷା ପୋଷଣ କରିବାରୁ ଦଳ ଭିତରେ ଖଳ ପଶିଥିଲା । ସେହି ପ୍ରଭାବଶାଳୀ ନେତାମାନଙ୍କର ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ ୧୯୯୫ ନିର୍ବାଚନରେ ବିଜୁବାବୁଙ୍କ ଜନତା ଦଳ ପରାସ୍ତ ହେଲା ଓ ପୁଣି ଥରେ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କର ବିରୋଧୀମାନଙ୍କୁ କୌଶଳରେ ପରାସ୍ତ କରି ମୁଖ୍ୟମନ୍ତ୍ରୀ ହେଲେ । ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ ଓ ଅଂଜନା ମିଶ୍ର ବଳାକ୍ରାର ମାମଲାକୁ ଜନତା ପରିବାରର ବିଚକ୍ଷଣ ରାଜନେତାମାନେ ଏମିତି ଭାବେ ଉଖାରି ଚାଲିଲେ ଯେ ଶେଷରେ ସେ ୧୯୯୮ ମସିହାରେ ଇସ୍ତଫା ଦେବାକୁ ବାଧ୍ୟ ହେଲେ ଓ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେଲେ । କିନ୍ତୁ ୧୯୯୯ ମହାବାତ୍ୟା ପରିବର୍ତ୍ତୀ ପରିସ୍ଥିତିରେ ଜାନକୀବାବୁ ପୁଣି ଥରେ ଗାଦିକୁ ଫେରିବା ଉଦ୍ୟମ କରି ତାଙ୍କୁ ହଟାଇ ହେମାନନ୍ଦଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ସଫଳ ହୋଇଥିଲେ ।

 

ଏହା ଭିତରେ ୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହେଲା ଓ ତା’ ପରେ ରାଜ୍ୟ ରାଜନୀତିରେ ଉଦଭବ ହେଲେ ଅନେକ ଚାଣକ୍ୟ । କିଏ କହିଲେ, ମୁଁ ହି ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲି, ନବୀନବାବୁଙ୍କୁ ମୁଁ ହିଁ ରାଜନୀତିକୁ ଆଣିଥିଲି । କିଏ କହିଲେ, ମୁଁ ହିଁ ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ ବିଜେପି ସହିତ ମେଣ୍ଟ କରାଇ କଂଗ୍ରେସକୁ ମୂଳପୋଛ କରାଇଥିଲି । କିଏ ପୁଣି କହିଲେ, ମୁଁ ହିଁ ନବୀନବାବୁଙ୍କ ଅଭିଭାବକ ଭାବେ ତାଙ୍କୁ ରାଜନୀତି ଶିଖେଇଲି ।

 

ସେତବେଳକୁ ଏହିପରି କେତେକ ଚାଣକ୍ୟ ଜନତା ଦଳକୁ ଭାଙ୍ଗି ବିଜୁ ଜନତା ଦଳ ଗଠନ କରିଥିଲେ ଓ ତାହାର ସଭାପତି ଭାବେ ନବୀନ ପଟ୍ଟନାୟକଙ୍କୁ ଅବସ୍ଥାପିତ କରିଥିଲେ । ସେତେବେଳକୁ ଲୋକଙ୍କ କଥା ଛାଡ଼ନ୍ତୁ ରାଜ୍ୟର ଅଧିକାଂଶ ନେତା ବି ନବୀନ ପଟ୍ଟନାୟକଙ୍କୁ ଦେଖି ନଥିଲେ କିମ୍ବା ଜାଣି ନଥିଲେ । ରାଜ୍ୟ ରାଜନୀତିରେ ବେଶ୍ ସକ୍ରିୟ ଭୂମିକା ନିର୍ବାହ କରୁଥିଲେ ଅନେକ ନେତା । ଭାରତୀୟ ଜନତା ପାର୍ଟି ସେତେବେଳେ ଏତେ ବିଖ୍ୟାତ ହୋଇନଥିଲା । ରାଜ୍ୟ ରାଜନୀତିରେ କଂଗ୍ରେସ ଓ ଜନତା ଦଳ ମଧ୍ୟରେ ବଳ କଷାକଷି ହେଉଥିଲା ।

 

ଏ ଉଭୟ ଦଳରେ ଥିଲେ ଅନେକ ଟାଣୁଆ ନେତା । ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ, ହେମାନନ୍ଦ ବିଶ୍ୱାଳ, ନିରଂଜନ ପଟ୍ଟନାୟକ, ବସନ୍ତ କୁମାର ବିଶ୍ୱାଳଙ୍କ ସମେତ ରାଜ୍ୟ କଂଗ୍ରେସରେ ଅନେକ ଟାଣୁଆ ନେତା ଥିଲେ । ସେହିପରି ଜନତା ପରିବାରରେ ଥିଲେ ଅଶୋକ ଦାସ, ନଳିନୀ ମହାନ୍ତି, ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ଦାମୋଦର ରାଉତ, ପ୍ରଫୁଲ୍ଲ ଘଡ଼ାଇ, ଦିଲ୍ଲୀପ ରାୟ ପ୍ରମୁଖ ବହୁ ପ୍ରଭାବଶାଳୀ ନେତା । ଏମାନଙ୍କ ଗହଣରେ ବି ରାଜ୍ୟ ରାଜନୀତିରେ ଉଦଭବ ହୋଇଥିଲେ ଆଉ ଜଣେ ଚାଣକ୍ୟ । ସେ ହେଲେ ପ୍ୟାରୀ ମୋହନ ମହାପାତ୍ର । ତାଙ୍କର ପ୍ରାଶାସନିକ ଅଭିଜ୍ଞତା ଓ ରାଜନୀତିକ ବିଚକ୍ଷଣତା ଯୋଗୁଁ ନବୀନବାବୁ ୨୦୧୨ ଯାଏଁ ତାଙ୍କ ଉପରେ ଦଳ ଓ ସରକାର ପରିଚାଳନାର ଅନେକ ଦାୟିତ୍ୱ ଛାଡ଼ି ଦେଇଥିଲେ । ସେତେବେଳେ ରାଜ୍ୟ ଗଣମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ବିଜୁ ଜନତା ଦଳର ଚାଣକ୍ୟ, ରାଜ୍ୟ ସରକାରଙ୍କ ମାର୍ଗଦର୍ଶକ, ଶହୀଦନଗର ମହନ୍ତ ଆଦି ଅନେକ ନାମରେ ପରିଚିତ ଥିଲେ । ସେ ବି ଆଜି ଅତୀତ । କିନ୍ତୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଆଜି ବି ଶକ୍ତିଶାଳୀ, ଆଉ ତାଙ୍କ ଚଉକି ବେଶ୍ ସୁଦୃଢ଼ ।

 

ବିଜୁବାବୁଙ୍କ ଦେହାନ୍ତ ପରେ ଯେଉଁମାନେ ନବୀନବାବୁଙ୍କୁ ଶିଖେଇ ବୁଝେଇ ରାଜ୍ୟ ରାଜନୀତିର ନେତୃତ୍ୱ ନେବାକୁ ଡାକି ଆଣିଥିଲେ ସେମାନେ ହୁଏତ ଭାବୁଥିଲେ ତାଙ୍କୁ ମୋହରା କରି ସେମାନେ ମଙ୍ଗ ସମ୍ଭାଳିବେ । ନବୀନବାବୁ ତ ରାଜ୍ୟ ରାଜନୀତି ସଂପର୍କରେ ଅପରିଚିତ । ଲୋକମାନଙ୍କୁ ଜାଣି ନାହାନ୍ତି । ଓଡ଼ିଶାର ଜନଜୀବନ ଓ ଭାବଧାରା ସହିତ ପରିଚିତ ନୁହନ୍ତି । ତାଙ୍କୁ ସଖି କଣ୍ଢେଇ କରି ଏମାନେ ରାଜ୍ କରିବେ ।

 

କିନ୍ତୁ ବିଧିର ବିଧାନ ବିଚିତ୍ର! ବର୍ତ୍ତମାନ କେବଳ ନବୀନବାବୁ ହିଁ ଅଛନ୍ତି ଏବଂ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି । ଅନ୍ୟମାନେ କିଏ କୁଆଡ଼େ ହଜି ଗଲେଣି । ତାଙ୍କୁ ଗାଦିଚ୍ୟୁତ କରିବାକୁ ତାଙ୍କରି ଦଳରୁ ତିନି ତିନି ଥର ଉଦ୍ୟମ ହୋଇଛି । କିନ୍ତୁ କେହି କିଛି ସଫଳତାର ସ୍ୱାଦ ଚାଖିପାରି ନାହାନ୍ତି । ଚାଣକ୍ୟମାନେ ପରାସ୍ତ ହୋଇଛନ୍ତି । ଚନ୍ଦ୍ରଗୁପ୍ତ ଏବେ ବି ଗାଦୀରେ ବସିଛନ୍ତି ଦୃଢ଼ ଭାବରେ ।

 

ପ୍ରଥମେ ବିଜେଡି ସଂସଦୀୟ ଦଳରେ ବିଭାଜନ ହେଲା । ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ଭର୍ତ୍ତୃହରି ମହତାବ ପ୍ରମୁଖ ବଡ଼ବଡ଼ ନେତାମାନେ ସଂସଦରେ ଅଲଗା ଗୋଷ୍ଠୀ ଗଠନ କରି ନବୀନଙ୍କ କର୍ତ୍ତୃତ୍ୱକୁ ଚାଲେଞ୍ଜ ଦେଇଥିଲେ । ସମୟ ଗଡ଼ିବା ସଙ୍ଗେସଙ୍ଗେ ସେମାନେ ଏବେ ସମସ୍ତେ ତାଙ୍କର ସ୍ତାବକ । ପରେ ରାମକୃଷ୍ଟ ପଟ୍ଟନାୟକ, ଦିଲ୍ଲୀପ ରାୟ ଓ ନଳିନୀ ମହାନ୍ତି ପ୍ରମୁଖ ଜନଶକ୍ତି ନାମରେ ଏକ ରାଜନୀତିକ ମଞ୍ଚ ଗଠନ କରି ବିଜେଡିରେ ବିଭାଜନ ଓ ନବୀନଙ୍କ ବିତାଡ଼ନ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଶେଷରେ ଚନ୍ଦ୍ରଗୁପ୍ତଙ୍କୁ ଗାଦିଚ୍ୟୁତ କରି ନିଜେ ଚାଣକ୍ୟ କ୍ଷମତାର ଚଉକିରେ ବସିବାକୁ ଯେଉଁ ଉଦ୍ୟମ କରିଥିଲେ ତାହା ମଧ୍ୟ ହାସ୍ୟାସ୍ପଦ ଭାବେ ବିଫଳ ହୋଇଥିଲା ।

 

ଏ ସମସ୍ତ ପ୍ରକ୍ରିୟା ଭିତରେ ନବୀନବାବୁଙ୍କ ଶକ୍ତି ଓ ଲୋକପ୍ରିୟତା ବଢ଼ି ଚାଲିଥିଲା । ଆଜି ବି ସେହି ଧାରା ବଜାୟ ରହିଛି । ତଥାପି ଅନେକ ନେତା ଭାବୁଛନ୍ତି, ନବୀନବାବୁ କିଛି ଜାଣନ୍ତି ନାହିଁ, ଅଫିସର ସବୁ କରୁଛନ୍ତି । ସେମାନେ ବୋକା କି ନବୀନବାବୁ ବୋକା ତାହା ଲୋକେ ବୁଝିଗଲେଣି ।

 

ତେବେ ନବୀନବାବୁଙ୍କ ସଫଳତାର ରହସ୍ୟ କ’ଣ? ଜଣେ ସଂପୂର୍ଣ୍ଣ ଅମଙ୍ଗ ରାଜନେତା ଭାବେ ଓଡ଼ିଶାକୁ ଟାଣି ହୋଇଆସିଥିବା ନବୀନବାବୁ ନିଜର ଅନେକ ତୁଙ୍ଗ ସହକର୍ମୀଙ୍କୁ ପଛରେ ପକାଇ ଏକା ମାଧିଆ ବାଇଶି ପଳ ହୋଇଗଲେ କେମିତି ଓ କିପରି? ତାଙ୍କ ଶାସନ ଓ ରାଜନୀତି ବିରୋଧରେ ଅନ୍ୟାନ୍ୟ ଅନେକ ଅଭିଯୋଗ ରହିଛି । ଅନେକ ଜନସ୍ୱାର୍ଥ ପ୍ରସଙ୍ଗରେ ସରକାର ବାଉଳା । ଦୁର୍ନୀତି ମାଡ଼ି ଚାଲିଛି- ସଚିବଙ୍କଠୁୁଁ ସରପଂଚଙ୍କ ଯାଏଁ । ତଥାପି ନବୀନବାବୁଙ୍କ ଲୋକପ୍ରିୟତା କମିନାହିଁ, କମିବାର ନାଁ ଧରୁନାହିଁ । କାରଣ କ’ଣ?

 

ଏହା ସ୍ୱୀକାର କରିବାକୁ ହେବ ଯେ ନବୀନବାବୁ ଜଣେ ମିଷ୍ଟଭାଷୀ ଭଦ୍ରବ୍ୟକ୍ତି । ସେ ଅନ୍ୟ ରାଜନେତାଙ୍କ ଭଳି ଘଣ୍ଟାଘଣ୍ଟା ଭାଷଣ ଦିଅନ୍ତି ନାହିଁ । ଗୁଡ଼ାଏ ଅପ୍ରାସଙ୍ଗିକ କଥା କୁହନ୍ତି ନାହିଁ । ଅଯଥାରେ ବକବକ ହୁଅନ୍ତି ନାହିଁ । ତାଙ୍କ ବିରୋଧରେ ଯେତେ ଯାହା କହିଲେ ଓ ଲେଖିଲେ ବି ସେ ନିଜେ କେବେ ପ୍ରତିକ୍ରିୟାଶୀଳ ହୁଅନ୍ତି ନାହିଁ । କଂଗ୍ରେସ ଅମଳରେ ଜାନକୀବାବୁ ଓ ତାଙ୍କ ସରକାର ବିରୋଧରେ ଲେଖି ଅନେକ ସାମ୍ବାଦିକ ଅନେକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ଏବେ କିନ୍ତୁ ସେହି ପରିସ୍ଥିତି ନାହିଁ । ସାମ୍ବାଦିକମାନେ ତାଙ୍କ ସରକାର ବିରୋଧରେ ଲେଖିବାକୁ ଯଥେଷ୍ଟ ସ୍ୱାଧୀନତା ପାଇଛନ୍ତି । ଅଧିକାଂଶ ସେହି ସ୍ୱାଧୀନତାର ଉପଯୋଗ କରୁନାହାନ୍ତି, ତାହା ଅବଶ୍ୟ ଅନ୍ୟ ଏକ ପ୍ରସଙ୍ଗ ।

 

ନବୀନବାବୁଙ୍କର ଏଇ ଭଦ୍ର ଭାବମୂର୍ତ୍ତି ହିଁ ତାଙ୍କର ସବୁଠୁ ବଡ଼ ପୁଂଜି । ତାଙ୍କ ତରଫରୁ ତାଙ୍କ ଦଳର ପରିଚାଳକମାନେ ବିରୋଧୀଙ୍କୁ ସାଧିବାକୁ ଓ ନିର୍ବାଚନ ଜିତିବାକୁ ଅନେକ କୂଟକପଟ କରୁଥିଲେ ହେଁ ଜଳରେ ତେଲ ଭଳି ନବୀନବାବୁଙ୍କୁ ସେସବୁ ଛୁଇଁ ନାହିଁ । ସେସବୁ ଦୋଷ ଅନ୍ୟମାନଙ୍କ ମୁଣ୍ଡରେ ଲଦି ଦିଆଯାଇଛି । ଅନ୍ୟମାନେ ବଦନାମ ହୋଇଛନ୍ତି, ବରବାଦ ହୋଇଛନ୍ତି, କିନ୍ତୁ ନବୀନବାବୁ ଶୁଦ୍ଧ ସୁବର୍ଣ୍ଣ ଭଳି ଝଟକି ଚାଲିଛନ୍ତି ।

 

ଏହା ନିଶ୍ଚୟ ନବୀନବାବୁଙ୍କର ସବୁଠୁ ବଡ଼ ସଫଳତା ଓ ଅନ୍ୟ ନେତାମାନଙ୍କର ସବୁଠୁ ବଡ଼ ବିଫଳତା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top