ଝଡ଼ା ବୟସର ଝର୍କା

News Story - Posted on 2018-02-06

ନିରଂଜନ ସେଠୀ

 

ପଛରେ ପଡ଼ିଛି ଫଗୁଣର ପାଦ

ଝଡା ବଉଳର ସୂଚୀ,

ଥୁଣ୍ଟା ଡାଳେ ଗୀତ ଗାଇଲେ କୋଇଲି

କାନକୁ ଲାଗୁନି ରୁଚି।

 

ବୟସ ବାଉଳା ଦିନ ଗଡ଼ି ରାତି

ପାହାନ୍ତି ଅନ୍ଧାର ରେଣୁ,

ଝୋଟି ଲମ୍ବିଯାଏ ଆଗକୁ ଆଗକୁ

ଶୁଭେ ଶମଶାନ ବେଣୁ।

 

ଆଖିରେ ପରଳ ଛାତିରେ ଗରଳ

ହୃଦରେ ହିସାବ ଖାତା,

ନିରବରେ ନଇଁ ମାଟି ମୁହଁ ଚାହିଁ

ଚାଲିଛି ମୋ ଅଙ୍କକଷା।

 

କେତେ ପାଇ କେତେ ହାରିଲି ଜୀବନେ

ଆଉ କି ରହିଲା ବାକି,

ଫାଙ୍କା ଫାଙ୍କା ଦିଶେ ଦିଗ ଚଉଦିଗ

ଶଙ୍କି ଯାଏ ମୋର ଛାତି।

 

ଉଜୁଡ଼ା ବୟସ ଉଜୁଡ଼ା ସଂସାର

ଉଜାଡ଼ିଲା କେଉଁ ବାଗେ,

ଗୋପନେ ସପନ ବାକି ରହିଗଲା

ବିଷାଦ ଘାରଇ ନିଦେ।

 

ଆଉ କି ଫେରିବ ହଜିଗଲା ଦିନ

ଫେରିବକି ଆଉ ରାତି,

ଦେହରୁ ମାଉଁସ ଶୁଖି ହାଡ଼ ଦିଶେ

ହଜିଲାଣି ଦେହ ତାତି।

 

ପୀରତି ପେଡ଼ିରେ ସାଇତା ସପନ

ବାସନା ନିଆରା ଲାଗେ,

ଶୋଷ ଅବଶୋଷ ବିରହ ବଇଁଶୀ

ସୁର ତୋଳେ ଭିନ୍ନ ରାଗେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top